ବାହୁଡ଼ା ଯାତ୍ରା: ସରିଲା ଛେରାପହଁରା ନୀତି, ଆଉ କିଛି ସମୟ ଆରମ୍ଭ ହେବ ରଥଟଣା

ପୁରୀ: ଆଜି ପବିତ୍ର ବାହୁଡ଼ା ଯାତ୍ରା । ନବଦିନାତ୍ମକ ଯାତ୍ରା ସାରି ଜନ୍ମବେଦୀରୁ ଶ୍ରୀମନ୍ଦିର ଅଭିମୁଖେ ଯିବେ ଚତୁର୍ଦ୍ଧା ବିଗ୍ରହ । ଶ୍ରୀଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ସମ୍ମୁଖରେ ଅପେକ୍ଷାରେ ଅଛନ୍ତି ତିନିରଥ । ପହଣ୍ଡି ପରେ ତିନିରଥରେ ରଥାରୂଢ଼ ତିନିଠାକୁର । ପହଣ୍ଡି ସରିବା ପରେ ଚାଲିଛି ନୀତିକାନ୍ତି । ପହଣ୍ଡି ପରେ ତିନିରଥରେ ଛେରାପହଁରା କରିଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ । ଗଜପତି ମହାରାଜା ପ୍ରଥମେ ବଳଭଦ୍ରଙ୍କ ତାଳଧ୍ୱଜ ରଥରେ ଛେରାପହଁରା କରିଥିଲେ । ଏହା ପରେ ଦେବୀ ମା’ ସୁଭଦ୍ରାଙ୍କ ଦର୍ପଦଳନ ରଥ ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥରେ ଛେରାପହଁରା କରିଥିଲେ ଗଜପତି ମହାରାଜା । ରଥରେ ପ୍ରଥମେ ପବିତ୍ର ଜଳ ସିଞ୍ଚନ ଏବଂ ଆଳତୀ କରିବା ପରେ ସୁନାର ଝାଡ଼ୁରେ ଗଜପତି ଛେରାପହଁରା କରିଥିଲେ । ଏହାପରେ ତିନିରଥରୁ ଚାରମାଳ ଖୋଲାଯାଇ ରଥଟଣା ଆରମ୍ଭ ହେବ ।