’ମୁଖ୍ୟମନ୍ତ୍ରୀ ଆମ ଦଳ ଓ ସରକାରର ମୁଖ୍ୟ’: ପ୍ରସନ୍ନ ଆଚାର୍ଯ୍ୟ

ଭୁବନେଶ୍ୱର: କେନ୍ଦ୍ରର ଚିଠି ଏକ ସ୍ବାଭାବିକ ପ୍ରକ୍ରିୟା । କିଛି ନୂଆ କଥା ନୁହେଁ । ଆଗରୁ ମଧ୍ୟ ଏକାଧିକ ଥର ଏମିତି ହୋଇଛି । ଏହା ଶାସନ ବ୍ୟବସ୍ଥାର ଏକ ପ୍ରକ୍ରିୟା । ସେମିତି କିଛି ଗୁରୁତ୍ୱପୂର୍ଣ୍ଣ କଥା ନୁହେଁ ବୋଲି ବିଜେଡିର ବରିଷ୍ଠ ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି । ଚିଠି କେବଳ ପ୍ରଶାସନିକ ବ୍ୟବସ୍ଥାର ଏକ ଅଂଶବିଶେଷ । ପ୍ରସନ୍ନ ଆଚାର୍ଯ୍ୟ ପ୍ରଶ୍ନ କରିଛନ୍ତି, ମୁଁ ବୁଝି ପାରୁନି କେଉଁଟା ଉଲ୍ଲଂଘନ ହେଲା ? ମୁଖ୍ୟମନ୍ତ୍ରୀ ତାଙ୍କ ବାସଭବନକୁ ବି ଅଭିଯୋଗ ପ୍ରକୋଷ୍ଠରେ ପରିଣତ କରିଛନ୍ତି । ଯଦି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଲୋକଙ୍କ ନିକଟତର ହେଉଛି, ତେବେ ଅସୁବିଧା କ’ଣ ? ସରକାର ଯଦି ଲୋକଙ୍କ ପାଖରେ ପହଞ୍ଚୁଛନ୍ତି, ଏଥିରେ ଅସ୍ବାଭାବିକତା ବା ଅଗଣତାନ୍ତ୍ରିକ କଥା କେଉଁଠି ରହିଲା ?

କିଛି ଲୋକ କହୁଛନ୍ତି ଯେ ପାୱାର ଡେଲିଗେଟ ହେଉଛି । ମୁଖ୍ୟମନ୍ତ୍ରୀ ଆମ ସରକାରର ମୁଖ୍ୟ । ମୁଖ୍ୟମନ୍ତ୍ରୀ ଆମ ଦଳର ବି ମୁଖ୍ୟ । ଦଳର ସଭାପତି ଭାବେ ମୁଖ୍ୟମନ୍ତ୍ରୀ ବିଭିନ୍ନ କାର୍ଯ୍ୟକର୍ତ୍ତାଙ୍କୁ ଦାୟିତ୍ୱ ଦିଅନ୍ତି । କ୍ଷମତା ହସ୍ତାନ୍ତର କରନ୍ତିନି । ଦଳର ସମ୍ବିଧାନ ତାଙ୍କୁ ଯେଉଁ କ୍ଷମତା ଦେଇଛି, ତାକୁ ସେ ହସ୍ତାନ୍ତର କରନ୍ତିନି । ସେମିତି ମୁଖ୍ୟମନ୍ତ୍ରୀ ଶାସନର ବି ମୁଖ୍ୟ । ସେ ସରକାରର ବିଭିନ୍ନ ବ୍ୟକ୍ତିଙ୍କୁ ଡ୍ୟୁଟି ଦେବା ବା କର୍ତ୍ତବ୍ୟ ଦେବା ହେଉଛି ମୁଖ୍ୟମନ୍ତ୍ରୀଙ୍କ କାମ । ଏଥିରେ ଅସ୍ବାଭାବିକତା ରହିଲା କେଉଁଠି ? ଯେଉଁମାନଙ୍କ ପାଖରେ ପ୍ରସଙ୍ଗ ନଥାଏ, ସେମାନେ ଏଭଳି କଥାକୁ ପ୍ରସଙ୍ଗ କରନ୍ତି । ବିକାଶ ପ୍ରକ୍ରିୟାରେ କେହି ବି ବାଧା ସୃଷ୍ଟି କରନ୍ତୁ ନାହିଁ । ଯଦି ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଲୋକଙ୍କ ପାଖରେ ପହଞ୍ଚୁଛି, ଲୋକ ଖୁସି ବୋଲି ବିଜେଡିର ବରିଷ୍ଠ ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ।