ବର୍ଷା ଆରମ୍ଭରୁ ବିଭିନ୍ନ ରାଜ୍ୟରେ ସ୍ଥିତି ବେହାଲ, ଦେଶର ଅଧାରୁ ଅଧିକ ସ୍ଥାନରେ ବନ୍ୟା ବିତ୍ପାତ

ନୂଆଦିଲ୍ଲୀ: ଦେଶର ଅଧାରୁ ଅଧିକ ସ୍ଥାନରେ ବନ୍ୟା ବିତ୍ପାତ । କେଉଁଠି ପ୍ରବଳ ଖରାରୁ ତ୍ରାହି ତ କେଉଁଠି ଲଗାଣ ବର୍ଷା ଆଉ କେଉଁଠି ଜଳବନ୍ଦୀ ସ୍ଥିତି । ମୌସୁମୀ ବର୍ଷା ଆରମ୍ଭରୁ ହିଁ ବିଭିନ୍ନ ରାଜ୍ୟରେ ବେହାଲ ହେଲାଣି ସ୍ଥିତି । କେଉଁଠି ବର୍ଷା ତ ପୁଣି କେଉଁଠି ବନ୍ୟା ଓ ଭୂସ୍ଖଳନ । କେରଳରେ ରାସ୍ତା ମଧ୍ୟ ନଦୀର ଭ୍ରମ ସୃଷ୍ଟି କରୁଛି । ପାହଡ଼ ଅଞ୍ଚଳରେ ଲ୍ୟାଣ୍ଡ୍ ସ୍ଲାଇଡ ଯୋଗୁ ସମସ୍ୟା ଉପୁଜିଛି । ନଦୀ ନାଳ ଉଛୁଳୁଛି । ଉତ୍ତରାଖଣ୍ଡ, କେରଳରେ ସ୍ଥିତି ସଙ୍ଗୀନ । ଉତ୍ତରାଖଣ୍ଡରେ କାଳ ହୋଇଛି ଲଗାଣ ବର୍ଷା ସାଙ୍ଗକୁ ବନ୍ୟା । ରାସ୍ତା ଉପରେ ବନ୍ୟା ପାଣି ଲହଡି ଭାଙ୍ଗୁଛି । ସହରଠୁ ଗାଁ ସବୁଠି ବନ୍ୟା ସ୍ଥିତି ଦେଖାଯିବା ପରେ ସାଧାରଣ ଲୋକ ନାହିଁ ନଥିବା ସମସ୍ୟା ଦେଇ ଗତି କରୁଛନ୍ତି ।

ବର୍ଷା ଓ ବନ୍ୟା ଭିତରେ ଦାଉ ସାଧୁଛି ଭୂସ୍ଖଳନ । ଉତ୍ତରାଖଣ୍ଡ ଧରଚୁଲାରେ ଭୟଙ୍କର ଭୂସ୍ଖଳନ ଘଟଣା ଦେଖିବାକୁ ମିଳୁଛି । ପାହାଡ ଉପରୁ ବିଶାଳ ପଥରଖଣ୍ଡ ଭାଙ୍ଗି ଖସିବା ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହେବା ସହ ସଙ୍କଟରେ ଜୀବନ ରହିଛି । ବିଭିନ୍ନ ସ୍ଥାନରେ ଫଶି ରହିଥିବା ଲୋକଙ୍କୁ ସୁରକ୍ଷିତଭାବେ ଉଦ୍ଧାର କରାଯାଉଛି । କେବଳ ପାହାଡିଆ ରାଜ୍ୟ ନୁହେଁ ଦେଶର ଅଧିକାଂଶ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି । ୨୦ରୁ ଅଧିକ ରାଜ୍ୟରେ ବନ୍ୟା ସ୍ଥିତି ସୃଷ୍ଟି ହେବା ଯୋଗୁଁ ବେହାଲ ହୋଇଛି ସ୍ଥିତି । ଆଜି ବି ବିଭିନ୍ନ ଅଞ୍ଚଳକୁ ବର୍ଷା ଆଲର୍ଟ ଜାରି କରିଛି ଆଇଏମଡି । ଦିଲ୍ଲୀରେ ସକାଳୁ ଲଗାଣ ବର୍ଷା । ୟୁପି ମୋରାଦାବାଦରେ ବର୍ଷା ଯୋଗୁ ଜଳବନ୍ଦୀ ସ୍ଥିତି ଉପୁଜିଛି ।