spot_img
Home Blog Page 3198

ମନି ଲଣ୍ଡରିଂ ମାମଲାରେ ତାମିଲନାଡୁ ଶକ୍ତି ଓ ଅବକାରୀ ମନ୍ତ୍ରୀ ଗିରଫ

ନୂଆଦିଲ୍ଲୀ :  ମନି ଲଣ୍ଡରିଂ ମାମଲାରେ ତାମିଲନାଡୁ ଶକ୍ତି ଓ ଅବକାରୀ ମନ୍ତ୍ରୀ ଭି. ସେନଥିଲ୍‌ ବାଲାଜୀ ଗିରଫ । କ୍ୟାସ୍‌ ଫର ଜବ୍‌ ସ୍କାମ ମାମଲାରେ ବାଲାଜୀଙ୍କୁ ଇଡି ବାନ୍ଧିବା ପରେ ଦେଖିବାକୁ ମିଳିଛି ହାଇ ଡ୍ରାମା । ହଠାତ୍‌ ଛାତିରେ ଯନ୍ତ୍ରଣା ଅନୁଭବ କରିବା ସହ କାର ଭିତରେ କାନ୍ଦି କାନ୍ଦି ଗଡ଼ି ଯାଇଥିଲେ ବାଲାଜୀ । ସଙ୍ଗେ ସଙ୍ଗେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ବାଲାଜୀଙ୍କୁ ହସ୍ପିଟାଲରେ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ । ମୁଖ୍ୟମନ୍ତ୍ରୀଙ୍କ ସହ ଏକାଧିକ ମନ୍ତ୍ରୀ ହସ୍ପିଟାଲରେ ପହଞ୍ଚି ବାଲାଜୀଙ୍କୁ ଭେଟିଛନ୍ତି । ଚାକିରି ପାଇଁ ଟଙ୍କା ନେଇଥିବା ଅଭିଯୋଗ ପରେ ଇଡି ଟିମ୍ ମନ୍ତ୍ରୀଙ୍କ ବାସଭବନ ସମେତ ଅନ୍ୟକିଛି ସ୍ଥାନରେ ଚଢ଼ାଉ କରିଥିଲା । ୨୪ ଘଣ୍ଟା ଧରି ଚଢ଼ାଉ ପରେ ବାଲାଜୀଙ୍କୁ ଇଡି ଗିରଫ କରିଥିଲା । ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଓମାନଦୂରାର ସରକାରୀ ହସ୍ପିଟାଲ ଆଇସିୟୁରେ ଭର୍ତ୍ତି କରାଯାଇଛି । ସ୍ବତନ୍ତ୍ର ଡାକ୍ତରୀ ଟିମ୍‌ ତାଙ୍କ ଉପରେ ନଜର ରଖିଛନ୍ତି । ସେଠାରେ ରାପିଡ ଆକ୍ସନ ଫୋର୍ସଙ୍କୁ ମୁତୟନ କରାଯାଇଛି ।

ବାଲାଜୀଙ୍କ ଗିରଫଦାରୀକୁ ବେଆଇନ କହିବା ସହ ନ୍ୟାୟ ପାଇଁ ଲଢ଼େଇ ଜାରି ରହିବ ବୋଲି ବାଲାଜୀଙ୍କ ଓକିଲ ଓ ଡିଏମକେ ଲିଡର ଏନ ଆର ଏଲାନଗୋ କହିଛନ୍ତି । କେନ୍ଦ୍ରର ବିଜେପି ସରକାରଙ୍କ ପ୍ରତିଶୋଧ ରାଜନୀତିକୁ ଆମେ ଭୟ କରିନୁ । ରାଜନୈତିକ ଆକ୍ରୋଶ ରଖି ବାଲାଜୀଙ୍କୁ ଟାର୍ଗେଟ କରାଯାଇଛି । ୨୪ ଘଣ୍ଟା ଧରି ତାଙ୍କୁ ଜେରା କରି ମାନବିକ ଅଧିକାରର କ୍ଷୂଣ୍ଣ କରାଯାଇଛି । ଏ ନେଇ ଇଡି କୋର୍ଟରେ ଉତ୍ତରଦାୟୀ ହେବ ବୋଲି ଡିଏମକେ ନେତା କହିଛନ୍ତି ।

ମାଆ ଆଗରେ ପୁଅକୁ ଟାଣିନେଲା କୁମ୍ଭୀର

କେନ୍ଦ୍ରାପଡ଼ା :  ମାଆ ଆଗରେ ପୁଅକୁ ଟାଣିନେଇ ମାରିଦେଲା କୁମ୍ଭୀର । ଏଭଳି ହୃଦୟ ବିଦାରକ ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ନିମପୁର ଗାଁରେ ଘଟିଛି । ସକାଳେ ମାଆ ଓ ପୁଅ ଦୁଇଜଣ ପାଖ ବ୍ରାହ୍ମଣୀ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ । ମାଆ ଗାଧୋଉଥିବା ବେଳେ ପୁଅ ଆଶୁତୋଷ ଶୌଚ ପାଇଁ ଯାଇଥିଲେ ।

ଏହି ସମୟରେ ଆଶୁତୋଷଙ୍କୁ ଝାମ୍ପିନେଇଥିଲା କୁମ୍ଭୀର । ଦୀର୍ଘ ସମୟ ଧରି ପାଣିରେ ଟାଣିନେଇଯିବା ପରେ ସ୍ଥାନୀୟ ଲୋକ ଖୋଜାଖୋଜି କରିଥିଲେ । ପରେ କ୍ଷତବିକ୍ଷକ୍ତ ଅବସ୍ଥାରେ ଆଶୁତୋଷଙ୍କ ମୃତଦେହ ଉଦ୍ଧାର ହୋଇଛି । ଏଭଳି ଏକ ଛାତିଥରା ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ଗିରଫ ହୋଇ ମୁକୁଳିଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲାଡ ଟ୍ରମ୍ପ

ଓ୍ୱାଶିଂଟନ: ହ୍ବାଇଟ ହାଉସରୁ ଗୁରୁତ୍ବପୂର୍ଣ୍ଣ ନଥି ନେଇଯିବା ମାମଲା । ସ୍ବଳ୍ପସମୟ ଗିରଫ ହୋଇ ମୁକୁଳିଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲାଡ ଟ୍ରମ୍ପ । ଏହାସହ ମିଆମି କୋର୍ଟରେ ନିଜକୁ ନିର୍ଦ୍ଦୋଷ ଦର୍ଶାଇଛନ୍ତି ଟ୍ରମ୍ପ । ପେଣ୍ଟାଗନ, ସିଆଇଏ ଆଦି ସଂସ୍ଥାର ଅନେକ ଗୁରୁତ୍ବପୂର୍ଣ୍ଣ ନଥି ନେଇଯାଇଥିବା ସମ୍ପର୍କରେ ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗର ଶୁଣାଣି କ୍ରମେ ସେ ନିଜକୁ ନିର୍ଦ୍ଦୋଷ ବୋଲି କହିଛନ୍ତି ।

ମିଆମିର ଫେଡେରାଲ କୋର୍ଟ ହାଉସରେ ବିଚାରପତିଙ୍କ ଆଗରେ ହାଜର ହୋଇ ଟ୍ରମ୍ପ ଏହା କହିଛନ୍ତି । ଆମେରିକା ଇତିହାସରେ ପ୍ରଥମ ଥର ଲାଗି ଏଭଳି ସଂଗୀନ ଅଭିଯୋଗରେ ହାଜର ହୋଇଥିଲେ ଟ୍ରମ୍ପ । ପୂର୍ବରୁ ତାଙ୍କ ନାମରେ ୨୦୧୬ରେ ପର୍ଣ୍ଣଷ୍ଟାରଙ୍କୁ ଟଙ୍କା ଦେବା ମାମଲା ମଧ୍ୟରେ ଚାଲିଛି । ଏହି ଦୁଇ ଘଟଣାରେ ସେ କିଛି ଭୁଲ୍ କରିନାହାନ୍ତି ଏବଂ ରାଜନୈତିକ ଉଦ୍ଦେଶ୍ୟ ରଖି ତାଙ୍କୁ କାଠଗଡ଼ାରେ ଠିଆ କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି ।

କ୍ଷମତାର ବ୍ୟାପକ ଦୁରୂପଯୋଗ କରାଯାଉଛି ବୋଲି ଦର୍ଶାଇଛନ୍ତି ଟ୍ରମ୍ପ । ମିଆମି କୋର୍ଟରେ ହାଜର ହେବା ପରେ ସେ ନିଜର ନ୍ୟୁଜର୍ସିସ୍ଥିତ ସମର୍ ରେସିଡେନ୍ସିକୁ ଫେରିଥିବା ସୂଚନା ମିଳିଛି । ଶୁଣାଣି ବେଳେ ସମର୍ଥକମାନେ କୋର୍ଟ ସମ୍ମୁଖରେ ନାରାବାଜି କରିଥିଲେ ।

ଗ୍ୟାସ ଦର ବୃଦ୍ଧିର ଜୋରଦାର ପ୍ରତିବାଦ : ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କଲେ ବିଜେଡି ନେତା

ଭୁବନେଶ୍ୱର : ଗ୍ୟାସ ଦର ବୃଦ୍ଧି ବିରୋଧରେ ବିଜେଡିର ଧାରଣା । ରାଜ୍ୟପାଳଙ୍କୁ ଭେଟି ଦାବି ପତ୍ର ଦେଇଛନ୍ତି ବିଜେଡି ପ୍ରତିନିଧି ଦଳ । ଆଜି ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ରାଜଭବନ ସମ୍ମୁଖରେ ବିଜୁ ଜନତା ଦଳ ପକ୍ଷରୁ ଧାରଣା ଦିଆଯାଇଛି । ଆନ୍ଦୋଳନରେ ସାମିଲ ହୋଇଛନ୍ତି ବିଜେଡିର ବହୁ ନେତା, ବିଧାୟକ, କର୍ମୀ ପ୍ରମୁଖ । ଧାରଣାସ୍ଥଳରୁ ବିଜେଡିର ଏକ ପ୍ରତିନିଧି ଦଳ ରାଜଭବନ ଯାଇ ରାଜ୍ୟପାଳଙ୍କୁ ଦାବିପତ୍ର ଦେଇଥିଲେ ।

କେନ୍ଦ୍ର ସରକାରଙ୍କ ଉଜ୍ୱଳା ଯୋଜନା ଅନ୍ଧାର ଯୋଜନାରେ ପରିଣତ ହୋଇଛି । ୨୦୧୪ ମସିହାରେ ଯେଉଁ ରନ୍ଧନଗ୍ୟାସ ସିଲିଣ୍ଡର ପିଛା ଦର ୪୧୦ ଟଙ୍କା ଥିଲା ତାହା ଏବେ ୧୧ ଶହ ୩୦ ଟଙ୍କାରେ ପହଞ୍ଚିଛି । ନଅ ବର୍ଷରେ ଗ୍ୟାସ ଦର ୩ ଗୁଣା ବଢିଗଲାଣି । ଫଳରେ ଓଡିଶାର ଅନେକ ପରିବାର ଏବେ ସେମାନଙ୍କର ଉଜ୍ୱଳା ସିଲିଣ୍ଡର ଫେରାଇବାରେ ଲାଗିଛନ୍ତି ।

ରାଜ୍ୟର ମା’ ଏବଂ ଭଉଣୀମାନଙ୍କ ପାଇଁ ସର୍ବଦା କାମକରୁଥିବା ବିଜୁ ଜନତାଦଳ ତୁରନ୍ତ ଏଲ୍‍ପିଜି ଗ୍ୟାସ ଦର ହ୍ରାସ ପାଇଁ ଦାବିକରି ଆସୁଛି । ହେଲେ କେନ୍ଦ୍ରସରକାର ଏଥିପ୍ରତି କର୍ଣ୍ଣପାତ କରୁନାହାନ୍ତି । ଯଦି କେନ୍ଦ୍ରସରକାର ଗ୍ୟାସ ଦର ତୁରନ୍ତ ହ୍ରାସ ନକରନ୍ତି ତେବେ ଆଗାମୀ ଦିନରେ ବିଜୁଜନତା ଦଳ ଏହି ପ୍ରତିବାଦ ରାଜ୍ୟର ସମସ୍ତ ଆରଡିସି, ଜିଲ୍ଲାପାଳ, ବ୍ଲକ, ପଞ୍ଚାୟତ ଓ ଗାଁସ୍ତରରେ କରିବ ।

ନାଇଜେରିଆରେ ବଡ଼ ଧରଣର ନୌକା ଦୁର୍ଘଟଣା , ନଦୀରେ ବୁଡ଼ି ୧୦୩ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ନାଇଜେରିଆରେ ବଡ଼ ଧରଣର ନୌକା ଦୁର୍ଘଟଣା । ବାହାଘର କାର୍ଯ୍ୟକ୍ରମ ସାରି ଫେରୁଥିବାବେଳେ ବୁଡିଗଲା ନୌକା । ଘଟଣାସ୍ଥଳରେ ୧୦୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୦୦ ଜଣଙ୍କୁ ଉଦ୍ଧାର କରାଯାଇଛି । ମୃତ୍ୟୁସଂଖ୍ୟା ଅଧିକ ହେବ ବୋଲି ସୂଚନା ମିଳିଛି ।

ଉତ୍ତର-କେନ୍ଦ୍ରୀୟ ନାଇଜେରିଆ ଅନ୍ତର୍ଗତ କ୍ବାରା ଷ୍ଟେଟରେ ଦୁର୍ଘଟଣା ଘଟିଛି । ମୃତକଙ୍କ ମଧ୍ୟରେ ଅନେକେ ସମ୍ପର୍କୀୟ ଥିବା ସୂଚନା ମିଳିଛି । ପଡୋଶୀ ନାଇଜର ଷ୍ଟେଟରୁ ବିବାହ ଉତ୍ସବ ସାରି ସେମାନେ କ୍ବାରା ଷ୍ଟେଟକୁ ଫେରୁଥିବାବେଳେ ଏହି ଦୁର୍ଘଟଣା ଘଟିଛି । ଅଧିକ ମୃତଦେହ ଭାସିଯାଇଥିବା ଆଶଙ୍କାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଗତମାସରେ ସୋକୋତରେ ବି ଏକ ନୌକା ଦୁର୍ଘଟଣା ଘଟି ୧୫ ଶିଶୁଙ୍କ ମୃତ୍ୟୁ ଘଟିଥିଲା ।

ଛାତି ଥରାଇଲାଣି ବାତ୍ୟା ’ବିପର୍ଯ୍ୟୟ’; ଆଲର୍ଟରେ ୮ ରାଜ୍ୟ

ନନ୍ଦିଘୋଷ ବ୍ୟୁରୋ: ସାଇକ୍ଲୋନ ବିପର୍ଯ୍ୟୟର ମୁକାବିଲା । ଆଲର୍ଟରେ ୮ ରାଜ୍ୟ । ଗୁଜୁରାଟରେ ୧୭ଟି ଏନଡିଆରଏଫ ଟିମ୍ ମୁତୟନ ହୋଇଥିବାବେଳେ ୩୦ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ଆସନ୍ତାକାଲି ଗୁଜରାଟର ସୌରାଷ୍ଟ୍ର-କଚ୍ଛ ଉପକୂରେ ମାଡ ହେବ ବାତ୍ୟା । ପ୍ରଭାବରେ ଘଣ୍ଟା ପ୍ରତି ୧୫୦ କିମି ବେଗରେ ପବନ ସହ ଝଡ଼ବର୍ଷା ହେବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ବର୍ତ୍ତମାନ ବାତ୍ୟା ପୋରବନ୍ଦରର ଦକ୍ଷିଣ ପଶ୍ଚିମର ୩୫୦ କିଲୋମିଟର ଦୂରରେ ରହିଛି । ଆରବ ସାଗର ଉପକୂଳବର୍ତ୍ତୀ ରାଜ୍ୟ ଗୁଜରାଟ, ମହାରାଷ୍ଟ୍ର, ଗୋଆ, କେରଳ, କର୍ଣ୍ଣାଟକରେ ବାତ୍ୟା ପ୍ରଭବ ଦେଖାଯାଇଛି । ସମୁଦ୍ରରେ ଉଚ୍ଚ ଜୁଆର ଉଠୁଥିବା ବେଳେ ଲଗାଣ ବର୍ଷା ଜାରି ରହିଛି । ରାଜସ୍ଥାନର କିଛି ଜିଲ୍ଲାରେ ବି ବାତ୍ୟା ପ୍ରଭାବରେ ବର୍ଷା, ପବନ ହୋଇଛି ।

ଆସନ୍ତାକାଲି ମଧ୍ୟାହ୍ନ ସୁଦ୍ଧା ସୌରାଷ୍ଟ୍ର ଓ କଚ୍ଛ ଉପକୂଳ ଅତିକ୍ରମ କରିବ ବାତ୍ୟା। ଅତି ଭୟଙ୍କର ବାତ୍ୟାକୁ ଦୃଷ୍ଟିରେ ରଖି ଗୁଜରାଟରେ ଆଜି ପାଇଁ ଅରେଞ୍ଜ ଆଲର୍ଟ ଓ ଆସନ୍ତାକାଲି ପାଇଁ ରେ଼ଡ ଆଲର୍ଟ ଜାରି କରାଯାଇଛି । କେନ୍ଦ୍ର ଗୃହମନ୍ତ୍ରାଳୟ ଲଗାତାର ସ୍ଥିତି ସମୀକ୍ଷା କରୁଛି । ଗୁଜରାଟରେ ୧୭ଟି ଏନଡିଆରଏଫ ଟିମ ମୁତୟନ ହୋଇଥିବାବେଳେ ସେନା, ବାୟୁସେନା, ନୌସେନା, ତଟରକ୍ଷୀ ବାହିନୀ ଏନଡିଆରଏଫ ମୁତୟନ ହୋଇଛନ୍ତି ।

ଭୁବନେଶ୍ବରର ପୂର୍ବତନ ପୌରାଧ୍ୟକ୍ଷ ତଥା ଡାକ୍ତର ଜଗନ୍ନାଥ ମହାପାତ୍ରଙ୍କ ପରଲୋକ

ଭୁବନେଶ୍ୱର : ଭୁନେଶ୍ବରର ପୂର୍ବତନ ପୌରାଧ୍ୟକ୍ଷ ତଥା ଡାକ୍ତର ଜଗନ୍ନାଥ ମହାପାତ୍ରଙ୍କ ପରଲୋକ । ଭୁବନେଶ୍ବର ସହିଦନଗର ସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇଛି । ଦୀର୍ଘଦିନ ଧରି ସେ ଅସୁସ୍ଥ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ହୋଇଥିଲା । ୧୯୯୭ ମସିହାରେ ଭୁବନେଶ୍ବର ଚେୟାରମ୍ୟାନ ଭାବେ ଦାୟିତ୍ବ ନିର୍ବାହ କରିଥିଲେ । ତାଙ୍କ ସମୟରେ ବିଏମସି ଗଠନ ହୋଇଥିଲା । ଅଲ ଇଣ୍ଡିଆ ମେୟର ଆସୋସିଏସନର ଉପସଭାପତି ଥିଲେ ଜଗନ୍ନାଥ ମହାପାତ୍ର ।

କ୍ୟାପିଟାଲ ହସ୍ପିଟାଲ ସମେତ ଅନେକ ହସ୍ପିଟାଲ ଡାକ୍ତର ଭାବେ ନିଜର ଦାୟିତ୍ବ ନିର୍ବାହ କରିଛନ୍ତି । ଜଗନ୍ନାଥ ହସ୍ପିଟାଲର ପ୍ରତିଷ୍ଠାତା ଥିଲେ ଜଗନ୍ନାଥ ମହାପାତ୍ର । ତାଙ୍କର ମୃତ୍ୟୁ ପରେ ବାସଭବନରେ ପହଞ୍ଚି ବହୁ ବିଶିଷ୍ଟ ବ୍ୟକ୍ତି ଶେଷ ଦର୍ଶନ କିଛନ୍ତି । ଜଗନ୍ନାଥ ମହାପାତ୍ରଙ୍କ ପ୍ରାର୍ଥୀବ ଶରୀରକୁ ବିଏମସି ଅଫିସ, ସହିଦନଗର ପୂଜା ମଣ୍ଡପ ନିକଟକୁ ଶେଷ ଦର୍ଶନ ପାଇଁ ନିଆଯିବ । ତା ପରେ ସତ୍ୟନଗର ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯିବ ।

ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…

ଭୁବନେଶ୍ୱର :  ଆଜି ରଜ । ମାଟି ଓ ଆକାଶର ମିଳନର ପର୍ବ । କୃଷିଭିତ୍ତିକ ଏହି ପର୍ବ ପାଇଁ ଉତ୍ସବମୁଖର ଗାଁ ଠୁ ସହର । ଜ୍ୟେଷ୍ଠ ମାସ ଶେଷ ଓ ଆଷାଢ଼ର ପହିଲି ପୁଲକରେ ଆସିଛି ରଜ ପର୍ବ । ଆଷାଢର ପ୍ରଥମ ଜଳରେ ମା’ ମାଟି ହୋଇଛି ରଜସ୍ବଳା । ଏଥିପାଇଁ ଏହିଦିନ କୃଷିକର୍ମ ନିଷେଧ କରାଯାଇଛି । ୩ ଦିନ ଧରି ପାଳିତ ହେବାକୁ ଥିବା ଏହି ରଜ ପର୍ବର ପୂର୍ବରୁ ଗତକାଲି ଯାଇଛି ସଜବାଜ । କୁମାରୀମାନେ ଅଳତା, କୁଙ୍କୁମ ନାଇ ରଜ ପାଇଁ ନିଜକୁ ପ୍ରସ୍ତୁତ କରିଛନ୍ତି ।

ଆଜି ପହିଲି ରଜ ଥିବାବେଳେ ଆସନ୍ତାକାଲି ରଜ ସଂକ୍ରାନ୍ତି । ଭୂମି ଦହନ ପରେ ବସୁମତି ସ୍ନାନ କରାଯିବ । ଉତ୍କଳୀୟ ସଂସ୍କୃତି ଓ ପରମ୍ପରାରେ ରଜର ମହତ୍ତ୍ବ ଅନନ୍ୟ । ରଜ ପର୍ବରେ କୁଆଁରୀ ଝିଅ ଓ ବୋହୂମାକୁ ସମ୍ମାନ ଦିଆଯାଇଥାଏ । ତେଣୁ ଏହି ୩ ଦିନ ସେମାନ କୋଣସି କାମ କରିବାକୁ ବାରଣ କରାଯାଇଛି । ଏପରିକି ଫୁଙ୍ଗୁଳା ପାଦ ଧରିତ୍ରୀ ଉପରେ ରଖିବା ବି ମନା । ଏଥିପାଇଁ ଝିଅମାନେ ପାଦରେ ବାନ୍ଧିଥାନ୍ତି କଦଳି ପାଟୁକା । ରଜରେ ପାରମ୍ପରିକ ପିଠା ଖାଇ ଦୋଳିରେ ଝୁଲନ୍ତି କୁମାରୀ । ଗାଁ ଗାଁରେ ରଜଗୀତ ସାଙ୍ଗକୁ ରଜ ପାନରେ ମହକୁଛି ପରିବେଶ । ସଜେଇ ହୋଇ ଫୁଲ ଦୋଳିରେ ଝୁଲି ଝୁଲି ଭାଇର ମଙ୍ଗଳ ମନାସୁଛନ୍ତି ଭଉଣୀ ।

ସମ୍ପର୍କୀୟଙ୍କ ବାହାଘର ସାରି ଫେରୁଥିଲେ ସପରିବାର; ରାସ୍ତାରେ ଜଗିଥିଲା ମୃତ୍ୟୁ

ବଲାଙ୍ଗିର : ସମ୍ପର୍କୀୟଙ୍କ ବାହାଘରରେ ଯୋଗଦେଇ ଫେରୁଥିଲେ ସପରିବାର । ରାସ୍ତାରେ ଜଗିଥିଲା ମୃତ୍ୟୁ । ବଲାଙ୍ଗୀର-ସମ୍ବଲପୁର NH୨୬ ଛୁଇବନ୍ଧ ନିକଟରେ ରାସ୍ତାକଡ଼ରେ ଠିଆ ହୋଇଥିବା ଟ୍ରକକୁ ପଛରୁ ଧକ୍କା ଦେଲା କାର୍ । ଘଟଣାସ୍ଥଳରେ ୫ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଗୁରୁତର ଭୀମଭୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୨ ପୁରୁଷ, ଜଣେ ମହିଳା ଓ ୨ ଶିଶୁ ରହିଛନ୍ତି  ।

ବଲାଙ୍ଗିର ସହର ଜଗନ୍ନାଥପଡାର ଆତ୍ମଜ ନାଏକ, ମା ଆରତୀ ନାଏକ, ତାଙ୍କ ଭଉଣୀ କନ୍ଧପାଲି ପଡ଼ାର ଇପ୍ସିତା ସାଏ , ଇପ୍ସିତାଙ୍କ ଝିଅ ରିଆ, ସଦାଇପାଲିର ଦିପ୍ତିରଞ୍ଜନ ସାଏ, ଦିପ୍ତିରଞ୍ଜନଙ୍କ ପତ୍ନୀ ରଶ୍ମିତା ସାଏ, ଝିଅ ଶ୍ରିନିକା ସୀମନ୍ତିନୀ ସାଏ ମୋଟ୍ ୭ଜଣ ଆଗଲପୁର ବ୍ଲକ ଡୁଡୁକାରୁ ସମ୍ପର୍କୀୟ ବାହାଘର ସାରି ବଲାଙ୍ଗିର ଫେରୁଥିଲେ  ।

ରାତି ପ୍ରାୟ ୧୧ଟାରେ ଛୁଇବନ୍ଧ ନିକଟ ସୋନୁ ମୋଟର ସମ୍ମୁଖରେ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଟ୍ରକକୁ କାର ପଛପଟୁ ଧକ୍କା ଦେଇଥିଲା  । ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଭୀମଭୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ  । ଆତ୍ମଜ, ଇପ୍ସିତା, ଶ୍ରୀନିକା, ଦୀପ୍ତିରଞ୍ଜନ ଓ ରିଆଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଆହତଙ୍କ ଅବସ୍ଥା ଗୁରୁତର ରହିଛି  । ଡାକ୍ତରଖାନାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବାବେଳେ ପୋଲିସ ତଦନ୍ତ ଜାରି ରହିଛି ।

ସ୍ୱାଭାବିକଠାରୁ ୬ରୁ ୮ଡିଗ୍ରୀ ଉପରେ ରହିବ ପାରଦ

ଭୁବନେଶ୍ୱର :  ଜଳୁଛି ପଶ୍ଚିମ, ପୁଣି ତାତିବ ଉପକୂଳ । ସ୍ବାଭାବିକଠାରୁ ୬ରୁ ୮ଡିଗ୍ରୀ ଉପରେ ରହିବ ପାରଦ। ସିଭିୟର ହିଟଓ୍ବେଭ ପାଇଁ ୫ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି। ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ବି ରାଜ କରିବ ତାତି । ୧୬ ତାରିଖରେ ୪୦ରୁ ୪୫ ଡିଗ୍ରୀ ମଧ୍ୟରେ ରହିବ ୯ ଜିଲ୍ଲାର ତାପମାତ୍ରା । ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ପିକ୍ ଆଓ୍ବାର ଘୋଷଣା ।

ଉପକୂଳ ଓଡ଼ିଶାରେ ଘାତକ ସାଜିବ ତାତି ସହ ଉଚ୍ଚ ଆର୍ଦ୍ରତା । ତେବେ ଉପକୂଳ ଓଡ଼ିଶାକୁ ସାମାନ୍ୟ ଆଶ୍ବସ୍ତି ମିଳିଛି । ଆକାଶ ମେଘାଛନ୍ନ ରହିବା ସହ ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ବାଲେଶ୍ବର, ଭଦ୍ରକ, ଯାଜପୁର, ଗଞ୍ଜାମ ଏବଂ ଗଜପତିରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । ବର୍ଷା ସମୟରେ ଘଣ୍ଟାପ୍ରତି ୪୦ରୁ ୫୦କିଲୋମିଟର ବେଗରେ ପବନ ବହିଛି । ଉପକୂଳକୁ ଆଶ୍ବସ୍ତି ମିଳିଥିବା ବେଳେ ପଶ୍ଚିମ ଓଡ଼ିଶାରେ ଜାରି ରହିଛି ତାତିର ଅଘୋଷିତ କର୍ଫ୍ୟୁ ।

ଦିନ ୧୧ଟା ପରେ ଘରୁ ବାହାରିବାକୁ ଡରୁଛନ୍ତି ଲୋକେ। ଆସନ୍ତା ୫ଦିନ ପର୍ଯ୍ୟନ୍ତ ଏଭଳି ପାଗ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ଆଜି ସିଭିୟର ହିଟ୍ଓ୍ବେଭ୍ ପାଇଁ ଝାରସୁଗୁଡା, ସମ୍ବଲପୁର, ବରଗଡ, ସୋନପୁର ଏବଂ ସୁନ୍ଦରଗଡକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିବା ବେଳେ ବାଲେଶ୍ବର, ମୟୁରଭଞ୍ଜ ଏବଂ କେନ୍ଦୁଝରକୁ ୟେଲୋ ଆଲର୍ଟ ଜାରି ହୋଇଛି। ଆସନ୍ତାକାଲି ଭୀଷଣ ଗ୍ରୀଷ୍ମ ପ୍ରବାହ ପାଇଁ ୭ଜିଲ୍ଲାକୁ ଅରେଞ୍ଜ ଏବଂ ୫ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ତାତିର ସର୍ବାଧିକ ପ୍ରଭାବ ୧୬ ଏବଂ ୧୭ ତାରିଖରେ ପଡିବ ବୋଲି ଆକଳନ କରାଯାଇଛି। ଏଥିପାଇଁ ପଶ୍ଚିମ, ଉତ୍ତର ଏବଂ ଉପକୂଳ ଓଡ଼ିଶାର ୧୯ଟି ଜିଲ୍ଲାକୁ ସତର୍କତା ଜାରି କରାଯାଇଛି।