ଆଜି ଇତିହାସ ରଚିବ ଭାରତ, ଉତକ୍ଷେପଣ ହେବ ଚନ୍ଦ୍ରଯାନ-୩

1 min read

ଅମରାବତୀ: ଆଉ କେଇ ଘଣ୍ଟାର ଅପେକ୍ଷା । ମହାକାଶ ବିଜ୍ଞାନରେ କୀର୍ତ୍ତିମାନ ରଚିବ ଇସ୍ରୋ । ତିନି ବର୍ଷ ପରେ ପୁଣି ଥରେ କରିବ ଚନ୍ଦ୍ରକୁ ଯାତ୍ରା । ଏଥିପାଇଁ ଚଳଚଞ୍ଚଳ ହୋଇପଡ଼ିଛି ଶ୍ରୀହରିକୋଟା । ଦିନ ୨ଟା ୩୫ରେ ସତୀଶ ଧାଓ୍ବନ ଲଞ୍ଚ ପ୍ୟାଡ୍ରୁ ଉତକ୍ଷେପଣ ହେବ ଚନ୍ଦ୍ରଯାନ-୩ । ବାହୁବଳୀ GSLV ରେ ଚନ୍ଦ୍ରଯାନ ଲଞ୍ଚ କରାଯିବ ।

ଲଞ୍ଚର ମାସକ ପରେ ଚନ୍ଦ୍ରୟାନ-୩ ତାର କକ୍ଷ ପଥରେ ଅବସ୍ଥାପିତ ହେବ । ଅଗଷ୍ଟ ୨୩ କିମ୍ବା ୨୪ରେ ସାଉଥ ପୋଲରେ ସଫ୍ଟ ଲ୍ୟାଣ୍ଡିଂ କରିବ ଲ୍ୟାଣ୍ଡର ବିକ୍ରମ । ପୂର୍ବାପେକ୍ଷା ଅଧିକ ଇନ୍ଧନ, ବିଫଳ ନହେବା ପାଇଁ ଅତ୍ୟାଧୁନିକ ଟେକ୍ନୋଲୋଜି ସହ ବିଶାଳ ଲ୍ୟାଣ୍ଡିଂ ସାଇଟ ପ୍ରସ୍ତୁତ କରିଛି ଭାରତୀୟ ମହାକାଶ ଅନୁସନ୍ଧାନକାରୀ ସଂସ୍ଥା ।

ଚନ୍ଦ୍ରପୃଷ୍ଠରେ ସେଫ ଓ ସଫ୍ଟ ଲ୍ୟାଣ୍ଡିଂ ସହ ରୋଭିଂକୁ ଅଧିକ ସୁଗମ କରିବା  ଚନ୍ଦ୍ରୟାନ-୩ର ଲକ୍ଷ୍ୟ  । ଏହା ସହ ଚନ୍ଦ୍ର ପୃଷ୍ଠରେ ରୋଭରର ପ୍ରଦିକ୍ଷଣ, ବିଭିନ୍ନ ବୈଜ୍ଞାନିକ ଗବେଷଣା ଆଦି ଲାଗି ଏହି ଅଭିଯାନ ଉଦ୍ଦିଷ୍ଟ । ୨୦୦୮-୦୯ରେ ହୋଇଥିବା  ଚନ୍ଦ୍ରୟାନ-୧ ମିଶନ ଦ୍ବାରା ଚନ୍ଦ୍ର ପୃଷ୍ଠରେ ଜଳର ସନ୍ଧାନ ମିଳିଥିଲା । ମାତ୍ର ୨୦୧୯ ଅଗଷ୍ଟରେ ହୋଇଥିବା ଚନ୍ଦ୍ରୟାନ-୨ ବିଫଳ ହୋଇଥିଲା ।

କିନ୍ତୁ ଚନ୍ଦ୍ରୟାନ-୨ରେ ଚନ୍ଦ୍ର ପୃଷ୍ଠକୁ ପଠାଯାଇଥିବା ଅର୍ବିଟର ଏବେ ବି ସଫଳତାର ସହ କାର୍ଯ୍ୟ କରୁଛି । ତେବେ ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରୟାନ-୩ ସଫ୍ଟ ଲ୍ୟାଣ୍ଡିଂ କରିବ ବୋଲି ଆଶା ପ୍ରକାଶ କରିଛନ୍ତି ଇସ୍ରୋ ମୁଖ୍ୟ ଏସ. ସୋମନାଥ । ଚନ୍ଦ୍ର ପୃଷ୍ଠରେ ଚନ୍ଦ୍ରୟାନ-୩ ସୁରକ୍ଷିତ ଲ୍ୟାଣ୍ଡିଂ କଲେ ଏଭଳି କରିବାରେ ଆମେରିକା, ରୁଷ, ଚୀନ ପରେ ଚତୁର୍ଥ ଦେଶ ହେବ ଭାରତ ।