ନୂଆଦିଲ୍ଲୀ: ନାବାଳିକାଙ୍କୁ ଯୌନ ନିର୍ଯାତନା ମାମଲା । କୁସ୍ତିଯୋଦ୍ଧା ସଭାପତି ବ୍ରିଜ ଭୂଷଣ ସିଂଙ୍କ ବିରୋଧରେ ନାହିଁ କୌଣସି ପ୍ରମାଣ । ତାଙ୍କ ବିରୋଧରେ ଦାୟର ପୋକ୍ସୋ ଏଫଆଇଆରକୁ ରଦ୍ଦ କରିବା ଲାଗି ରିପୋର୍ଟ ଦାଖଲ ହୋଇଛି ବୋଲି କହିଛି ଦିଲ୍ଲୀ ପୋଲିସ । ପୋକ୍ସୋ ମାମଲାରେ ଦିଲ୍ଲୀ ପୋଲିସ ପକ୍ଷରୁ ଦାୟର ହୋଇଛି ୫୦୦ ପୃଷ୍ଠା ସମ୍ବଳିତ କ୍ୟାନସିଲେସନ ରିପୋର୍ଟ । ୧୫ ତାରିଖ ସୁଦ୍ଧା ପୋଲିସ ତଦନ୍ତ ସାରି ଚାର୍ଜସିଟ ଦାଖଲ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଥିବାବେଳେ ଆଜି ଦିଲ୍ଲୀ ପୋଲିସ ଏହି ବୟାନ ଦେଇଛି । ରେସଲର ସଂଘ ଲାଗି ମୁକ୍ତ ଓ ଅବାଧ ନିର୍ବାଚନ, ବ୍ରିଜ ଭୂଷଣଙ୍କୁ ଗିରଫ ସମେତ ଅନ୍ୟାନ୍ୟ ଦାବି ଆନ୍ଦୋଳନରତ ରେସଲରମାନେ ରଖିଥିଲେ ।
ଦିନ ସାଢ଼େ ୧୧ଟା ସୁଦ୍ଧା ୪୧ ଡିଗ୍ରୀ ଛୁଇଁଲା ଭୁବନେଶ୍ବର ତାପମାତ୍ରା
ଭୁବନେଶ୍ୱର: ଜଳୁଛି ରାଜଧାନୀ । ଦିନ ସାଢ଼େ ୧୧ଟା ସୁଦ୍ଧା ୪୧ ଡିଗ୍ରୀ ଛୁଇଁଲା ଭୁବନେଶ୍ବର ତାପମାତ୍ରା । ଦୁଇ ଦିନ ଆଶ୍ବସ୍ତି ପରେ ପୁଣି ପାରା ହାଇ । ଉପକୂଳ ଓଡ଼ିଶାରେ ବି ତାପମାତ୍ରା ଦୃଷ୍ଟାନ୍ତମୂଳକ ବୃଦ୍ଧି ଆଶଙ୍କା ରହିଥିବା କହିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପଶ୍ଚିମ ତଥା ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କ ଉତ୍ତପ୍ତ ବାୟୁ ପ୍ରବାହ ଅଧିକ ସକ୍ରିୟ ଥିବାରୁ ଉପକୂଳ ଓଡ଼ିଶାରେ ତାପମାତ୍ରା ପୁଣି ଥରେ ଉପରମୁହାଁ ହୋଇଛି । ଆଦ୍ରତା ୪୫ ପ୍ରତିଶତ ଥିବାରୁ ଗୁଳୁଗୁଳି ଜୋର ହେବ ବୋଲି ସତର୍କ କରାଇଛି ପାଣିପାଗ କେନ୍ଦ୍ର । ସେପଟେ ପଶ୍ଚିମ ଓଡ଼ିଶାରେ ବି ଅସହ୍ୟ ତାତି । ଗରମ ସାଙ୍ଗକୁ ଗୁଳୁଗୁଳି ଯୋଗୁ ଅସ୍ତବ୍ୟସ୍ତ ଜନଜୀବନ ।
ଆସନ୍ତା ୧୯ ତାରିଖରେ ଶ୍ରୀଜିଉଙ୍କ ନବଯୌବନ ଦର୍ଶନ, ମାତ୍ର ୩ ଘଣ୍ଟା ମିଳିବ ମହାପ୍ରଭୁଙ୍କ ନବଯୌବନ ଦର୍ଶନ
ପୁରୀ: ଆସନ୍ତା ୧୯ ତାରିଖରେ ଶ୍ରୀଜିଉଙ୍କ ନବଯୌବନ ଦର୍ଶନ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି । ମାତ୍ରା ୩ ଘଣ୍ଟା ମିଳିବ ମହାପ୍ରଭୁଙ୍କ ଦର୍ଶନ । ସକାଳ ୮ଟା ରୁ ୯ଟା ଯାଏ ଘଣ୍ଟାଏ ହେବ ପାରିମାଣିକ ଦର୍ଶନ । ୯ ଟାରୁ ୧୧ଟା ଯାଏ ୨ ଘଣ୍ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ରହିଛି । ପାରିମାଣିକ ଦର୍ଶନ ପାଇଁ ଦକ୍ଷିଣ ଦ୍ବାର ଦେଇ ଯିବେ ଭକ୍ତ । ସେହପରି ସର୍ବସାଧାରଣ ଦର୍ଶନ ପାଇଁ ସିଂହଦ୍ବାର ଦେଇ ଯିବେ ଭକ୍ତ । ୧୧ଟା ପରଠାରୁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ । କେବଳ ଭକ୍ତମାନେ ବେଢ଼ା ପରିକ୍ରମା ସହ ପାର୍ଶ୍ବ ଦେବାଦେବୀଙ୍କୁ ଦର୍ଶନ କରିପାରିବେ । ପାରିମାଣିକ ଦର୍ଶନରେ ୭ ହଜାର ଟିକେଟର ବ୍ୟବସ୍ଥା କରାଯାଇଛି । ପ୍ରତି ଟିକେଟର ମୂଲ୍ୟ ୧୦୦ ଟଙ୍କା ରହିଛି । ରାତି ୯ଟା ସୁଦ୍ଧା ସେନାପଟା ଲାଗି କାର୍ଯ୍ୟକ୍ରମ କରାଯିବା ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ ଓ ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସ ମହାପାତ୍ର ସୂଚନା ଦେଇଛନ୍ତି ।
ଜଳେଶ୍ବରରେ ବିଭତ୍ସ ହତ୍ୟା, ରଜରେ ଗୋଡ଼ାଇ ଗୋଡ଼ାଇ ବାପ ପୁଅଙ୍କୁ ହତ୍ୟା
ବାଲେଶ୍ବର: ବାଲେଶ୍ବର ଜିଲ୍ଲା ଜଳେଶ୍ବରରେ ବିଭତ୍ସ ହତ୍ୟା । ରଜରେ ଗୋଡ଼ାଇ ଗୋଡ଼ାଇ ବାପ ପୁଅଙ୍କୁ ହତ୍ୟା । ରାଇବଣିଆ ଥାନା କବାଟଘାଟି ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗାଁର ପ୍ରଫୁଲ୍ଲ ବିନ୍ଦାଣୀ ବାପ, ପୁଅକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ବାପା ହାରା ବିନ୍ଧାଣି ଓ ପୁଅ କ୍ରିଷ୍ଣା ବିନ୍ଧାଣି ପ୍ରାଣ ହରାଇଥିବାବେଳେ ଅଟକାଇବାକୁ ଯାଇ ଗ୍ରାମର ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ଗୁରୁତର ହାଡ଼ୁ ସିଂଙ୍କୁ ହାତିଗଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସରଦାରବନ୍ଦ ପଞ୍ଚାୟତ ବଡଟିକାୟତପୁର ଗାଁର ବାପ-ପୁଅ ରଜରେ କକା ଘରକୁ ଆସିଥିଲେ । ସେଠାରେ ପ୍ରଫୁଲ୍ଲ ବିନ୍ଧାଣୀଙ୍କ ସହିତ କୌଣସି କାରଣକୁ ନେଇ କଥା କଟାକଟି ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ ପ୍ରଫୁଲ୍ଲ । ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ରଇବଣିଆ ପୋଲିସ ।
ଦୁର୍ଘଟଣା ପରେ ବି ଚେତୁନି ରେଳ ବିଭାଗ, ହାଓ୍ବାଡା-ସମ୍ବଲପୁର ଟ୍ରେନ୍ ଟ୍ରାକରେ ପୁଣି ଖାମଖିଆଲି ମନୋଭାବ
ସମ୍ବଲପୁର: ହଜାର ହଜାର ଯାତ୍ରୀଙ୍କୁ ନେଇ ଯାଉଥିବା ଟ୍ରେନ୍ କେତେ ସୁରକ୍ଷିତ । ଆପଣଙ୍କ ମନରେ ଏ ପ୍ରଶ୍ନ ଆସିବା ସ୍ବାଭାବିକ ଅଟେ । କାରଣ ନିକଟରେ ବାହାନଗାରେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା ସମସ୍ତଙ୍କୁ ବିଚଳିତ ଓ ଚିକିତ କରିଥିଲା । ଏହାରି ଭିତରେ ରେଳ ବିଭାଗର ଆଉ ଏକ ଖାମଖିଆଲି ମନୋଭାବ ଦେଖିବାକୁ ମିଳିଛି ସମ୍ବଲପୁରରେ । ହାଓ୍ବଡାରୁ ସମ୍ବଲପୁରକୁ ସଂଯୋଗ କରୁଥିବା ଏହି ରେଳ ଲାଇନ କେତେ ଲୋକଙ୍କ ପାଇଁ ସୁରକ୍ଷିତ । ଟ୍ରେନ ଟ୍ରାକରେ ଲାଗିଥିବା ସ୍ଲିପର ସମ୍ପୂର୍ଣ୍ଣ ଭାବେ ଛିଣ୍ଡିଗଲାଣି । ଏହି ଟ୍ରାକରେ ପ୍ରତିଦିନ ଯାଆସ କରୁଥିବା ଟ୍ରାକମ୍ୟାନଙ୍କ ଏହା ଉପରେ କେମିତି ନଜର ପଡ଼ୁନି ତାକୁ ନେଇ ପ୍ରଶ୍ନ । ସବୁଠାରୁ ବଡକଥା ହେଲା ଏହି ସ୍ଥାନରେ ରେଳ ଲାଇନର ଜଏଣ୍ଟ ଅଛି ହେଲେ, କିଭଳି ଭଙ୍ଗା ସ୍ଲିପରକୁ ରବର ଦେଇ ଆଡଜଷ୍ଟ କରାଯାଇଛି ତାକୁ ନେଇ ଆଶ୍ଚର୍ଯ୍ୟ ହୋଇଛନ୍ତି ସମସ୍ତେ ।
କୁସ୍ତିଯୋଦ୍ଧାଙ୍କୁ ମିଳିବ ନ୍ୟାୟ, ଆଜି ଦାଖଲ ହୋଇପାରେ ଚାର୍ଜସିଟ୍
ନୂଆଦିଲ୍ଲୀ: କୁସ୍ତିଯୋଦ୍ଧାଙ୍କୁ ମିଳିବ ନ୍ୟାୟ । ଆଜି ଦାଖଲ ହୋଇପାରେ ଚାର୍ଜସିଟ୍ । କ’ଣ ହେବ ବ୍ରିଜ ଭୂଷଣ ସିଂହଙ୍କ ଭାଗ୍ୟ । ଖସିଯିବେ ନା ଗିରଫ ହେବେ । ଜୁନ୍ ୧୫ ତାରିଖ ସୁଦ୍ଧା ପୋଲିସ ତଦନ୍ତ ସରି ଚାର୍ଜସିଟ ଦାଖଲ କରାଯିବ ବୋଲି କହିଥିଲେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର । ଖୁବଶୀଘ୍ର ରେସଲିଂ ଫେଡେରେସନ ଅଫ୍ ଇଣ୍ଡିଆର ନିର୍ବାଚନ ହେବ । କୁସ୍ତି ଯୋଦ୍ଧାଙ୍କ ସହ ବୈଠକ ପରେ ଏପରି କହିଥିଲେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର । ଆଜି ଯଦି ଚାର୍ଜସିଟ ଦାଖଲ ନହୁଏ ଧାରଣା ଆଗକୁ ଜାରି ରହିବ ବୋଲି କହିଛନ୍ତି କୁସ୍ତିଯୋଦ୍ଧା । ଧାରଣା ସମୟରେ କୁସ୍ତିଯୋଦ୍ଧାଙ୍କ ଉପରେ ରୁଜୁ ହୋଇଥିବା ମାମଲା ମଧ୍ୟ ଫେରସ୍ତ ହେବ ବୋଲି ଅନୁରାଗ ଠାକୁର କହିଛନ୍ତି । ଏଥିସହ ଯୋଦ୍ଧାଙ୍କୁ ସୁରକ୍ଷା ଦେବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ ମନ୍ତ୍ରୀ । ରେସଲର ସଂଘ ଲାଗି ମୁକ୍ତ ଓ ଅବାଧ ନିର୍ବାଚନ ହେଉ । ଗତ ଏପ୍ରିଲ ୨୮ରେ ଯନ୍ତରମନ୍ତରରେ ଚାଲିଥିବା ଆନ୍ଦୋଳନକୁ ନେଇ ରେସଲରଙ୍କ ବିରୋଧରେ ହୋଇଥିବା ମାମଲା ପ୍ରତ୍ୟାହାର କରାଯାଉ ବୋଲି ଦାବି ରଖିଥିଲେ କୁସ୍ତି ଯୋଦ୍ଧା ।
ଆଜି ରଜ ସଂକ୍ରାନ୍ତି, ଦୋଳି ଖେଳରେ ମସଗୁଲ ଝିଅ ଓ ବୋହୁ
ଭୁବନେଶ୍ୱର: ଆଜି ରଜ ସଂକ୍ରାନ୍ତ । ଉଠୁଛି ପଡ଼ୁଛି ଗାଁ ଦାଣ୍ଡ । ଦୋଳି ଖେଳରେ ମସଗୁଲ ଝିଅ, ବହୁ । ସବୁଠି ଉତ୍ସାହର ମାହୋଲ । ଆଦ୍ୟ ଆଷାଢ଼ର ପହିଲି ପୁଲକରେ ପୁଲ୍ଲକିତ ଧରା । ପ୍ରତି ଗାଁ ଗାଁରେ ଆୟୋଜନ ହୋଇଛି ଦୋଳି ଖେଳ ପ୍ରତିଯୋଗିତା । ରାଜଧାନୀ ବି ହୋଇ ଉଠିଛି ଉତ୍ସବମୁଖର । ବିଭିନ୍ନ ସ୍ଥାନରେ ଆୟୋଜିତ ହୋଇଛି ରଜ ମହୋତ୍ସବ । କେତେକ ସ୍ଥାନରେ କବାଡ଼ି ପ୍ରତିଯୋଗିତା ହେଉଛି । ଭୁବନେଶ୍ବର ପାନ୍ଥନିବାସ ଓ ସହିଦନଗର ଦୁର୍ଗା ମଣ୍ଡପ ପଡ଼ିଆରେ ଓଟିଡିସି ପକ୍ଷରୁ ରଜ ଉତ୍ସବ ଆୟୋଜନ କରାଯାଇଛି । ଏହି ଅବସରରେ ପାରମ୍ପରିକ ପିଠାର ପସରା ଖୋଲିଥିବାବେଳେ ଗଡ଼ିଛି ପିଠା ଅନ ହ୍ବିଲ୍ । ଭାଇଚାରାର ସହର କଟକରେ ମଧ୍ୟ ଦୋଳି ଖେଳର ଆୟୋଜନ ହୋଇଛି । କୁମାରୀ ଝିଅମାନେ ନୂଆ ପୋଷକ ପିନ୍ଧି ସଜେଇ ହୋଇ ସାଙ୍ଗସାଥିଙ୍କ ସହ ନେଉଛନ୍ତି ରଜ ଦୋଳିର ମଜା । ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ମଧ୍ୟ ରଜ ପାନ ଖାଇ ଉତ୍ସବରେ ସାମିଲ ହୋଇଛନ୍ତି ।
ସୁସ୍ଥ ହେଲେ ମହାପ୍ରଭୁ, ଆଜି ସମାଚାର ନେଇ ଶ୍ରୀନଅର ଯିବେ ଦଇତାପତି ସେବକ
ପୁରୀ: ସୁସ୍ଥ ହେଲେ ମହାପ୍ରଭୁ । ସ୍ନାନପୂର୍ଣ୍ଣିମା ୧୦୮ ଗରା ସୁବାସିତ ଜଳରେ ସ୍ନାନ କରି ଜ୍ବରରେ ପୀଡ଼ିତ ଥିବା ମହାପ୍ରଭୁ ସୁସ୍ଥ ହୋଇଛନ୍ତି । ଦଶମୀରେ ଚକାବିଜେ ଅନୁଷ୍ଠିତ ହୋଇଥିବାବେଳେ ରାଜବୈଦ୍ୟଙ୍କ ପ୍ରସ୍ତୁତ ଦଶମୂଳ ଔଷଧ ସେବନ କରି ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି ମହାବାହୁ । ଶ୍ରୀଜିଉ ସୁସ୍ଥ ହେବାର ସମାଚାର ନେଇ ଆଜି ଦଇତାପତି ସେବକମାନେ ଶ୍ରୀନଅରକୁ ଯାଇ ଗଜପତିଙ୍କୁ ଅବଗତ କରାଇବେ । ପରମ୍ପରା ଅନୁସାରେ ମହାପ୍ରଭୁଙ୍କ ଅଣବସର ସମୟରେ ଶ୍ରୀଅଙ୍ଗରୁ ବାହାରିଥିବା ବିବିଧ ସାମଗ୍ରୀକୁ ପ୍ରସାଦ ରୂପରେ ରାଜନଅରକୁ ବିଜେ କରାଯିବ । ଏହି ବିଜେ ନୀତିକୁ ରାଜପ୍ରସାଦ ବିଜେ କୁହାଯାଏ । ସକାଳ ଧୂପ ଭୋଗ ମଣ୍ଡପ ପରେ ଏହି ବିଶେଷ ନୀତି ସମ୍ପାଦନ କରାଯିବ ।
ତାମିଲନାଡ଼ୁରେ ସିବିଆଇ ବାଟ ବନ୍ଦ, ତଦନ୍ତ କରିବାକୁ ରାଜ୍ୟ ସରକାରଙ୍କ ଅନୁମତି ନେବ ତଦନ୍ତକାରୀ ସଂସ୍ଥା
ଚେନ୍ନାଇ: ତାମିଲନାଡ଼ୁରେ ସିବିଆଇ ତଦନ୍ତ କରିବାକୁ ହେଲେ ରାଜ୍ୟ ସରକାରଙ୍କ ଅନୁମତି ନେବାକୁ ପଡିବ । ନହେଲେ ରାଜ୍ୟରେ ପଶି ତଦନ୍ତ କରିବା ସିବିଆଇ ପାଇଁ ମୁସ୍କିଲ ହେବ । ତଦନ୍ତ ପାଇଁ ସିବିଆଇ ସହ ଥିବା ସାଧାରଣ ସହମତି ନିୟମକୁ ପ୍ରତ୍ୟାହାର କରି ନେଇଛନ୍ତି ତାମିଲନାଡୁ ସରକାର । ଏହାର ଅର୍ଥ ଏଣିକି ବିନା ଅନୁମତିରେ ସିବିଆଇ ତାମିଲନାଡୁରେ କୌଣସି ପ୍ରକାରର ତଦନ୍ତ କରିପାରିବ ନାହିଁ । ତଦନ୍ତ ପାଇଁ ପ୍ରଥମେ ସିବିଆଇକୁ ତାମିଲନାଡୁ ସରକାରଙ୍କ ଅନୁମତି ନେବାକୁ ପଡ଼ିବ । ରାଜ୍ୟ କିମ୍ବା ରାଜ୍ୟରେ ରହୁଥିବା ଲୋକଙ୍କ ବିରୋଧରେ ସିବିଆଇ ନିଜ ଇଚ୍ଛାରେ ଆଉ ତଦନ୍ତ କରିପାରିବ ନାହିଁ । ପୂର୍ବରୁ ପଶ୍ଚିମବଙ୍ଗ, ଛତିଶଗଡ଼, ତେଲେଙ୍ଗାନା, କେରଳ, ଝାରଖଣ୍ଡ, ମେଘାଳୟ, ମିଜୋରାମ, ପଞ୍ଜାବ ଓ ରାଜସ୍ଥାନ ଭଳି ୯ଟି ରାଜ୍ୟ ମଧ୍ୟ ସିବିଆଇ ସହ ସାଧାରଣ ସହମତି ନିୟମକୁ ପ୍ରତ୍ୟାହାର କରି ନେଇଥିଲେ ।
କେନ୍ଦ୍ର ସରକାର ତଦନ୍ତକାରୀ ସଂସ୍ଥାର ବ୍ୟବହାର ରାଜନୈତିକ ଆକ୍ରୋଶ ରଖି କରୁଥିବାରୁ ରାଜ୍ୟଗୁଡ଼ିକ ଏପରି ପଦକ୍ଷେପ ନେଇଥିବା କହିଛନ୍ତି । ମଙ୍ଗଳବାର ବିଳମ୍ବିତ ରାତିରେ ମନି ଲଣ୍ଡରିଂ ମାମଲାରେ ତାମିଲନାଡୁରେ କ୍ଷମତାସୀନ ଡିଏମକେ ସରକାର ମନ୍ତ୍ରୀ ଥିବା ସେନଥିଲ ବାଲାଜୀଙ୍କୁ ଇଡି ଗିରଫ କରିଥିଲା । ଏହାକୁ ନେଇ ରାଜନୈତିକ ଆରୋପ ପ୍ରତ୍ୟାରୋପ ଦେଖିବାକୁ ମିଳିଥିଲା । ଗିରଫଦାରୀ ପଛରେ କେନ୍ଦ୍ରରେ କ୍ଷମତାସୀନ ବିଜେପିର ହାତ ଥିବା ଡିଏମକେ ଅଭିଯୋଗ କରିଥିଲା । ବିବାଦ ବଢ଼ୁଥିବା ବେଳେ ତାମିଲନାଡୁ ସରକାର ସିବିଆଇ ତଦନ୍ତକୁ ନେଇ ରହିଥିବା ସାଧାରଣ ସହମତି ବ୍ୟବସ୍ଥାକୁ ପ୍ରତ୍ୟାହାର କରି ନେଇଛନ୍ତି ।

