ଦେବଦୂତ ସାଜିଲେ ଇସ୍ରାଏଲର ଡାକ୍ତର, ନୂଆ ଜୀବନ ପାଇଲା ୧୨ ବର୍ଷର ବାଳକ

ନନ୍ଦିଘୋଷ ବ୍ୟୁରୋ : ଦେବଦୂତ ସାଜିଲେ ଇସ୍ରାଏଲର ଡାକ୍ତର । ନୂଆ ଜୀବନ ପାଇଲା ୧୨ବର୍ଷର ବାଳକ । ଦୁର୍ଘଟଣାରେ ମେରୁଦଣ୍ଡର ଉପରି ଭାଗ ବେକରୁ ପ୍ରାୟ ଅଲଗା ହୋଇ ଯାଇଥିବା ମୁଣ୍ଡକୁ ଯୋଡ଼ିବାରେ ଚମତ୍କାରିତା ଦେଖାଇଛନ୍ତି ଇସ୍ରାଏସଲ ଡାକ୍ତର । ମେରୁଦଣ୍ଡରୁ ମୁଣ୍ଡ ଅଲଗା ହୋଇ ପଡିଥିଲେ ମଧ୍ୟ କିଛି ଗୁରୁତ୍ବପୂର୍ଣ୍ଣ ସ୍ନାୟୁ ସଂଯୁକ୍ତ ହୋଇ ରହିଥିବାରୁ ଡାକ୍ତରମାନେ ମୁଣ୍ଡକୁ ଯୋଡିବାରେ ସଫଳ ହୋଇଛନ୍ତି ।

ଏକ ଦୁର୍ଘଟଣାରେ ୧୨ ବର୍ଷୀୟ ସୁଲେମାନ ହାସନ ଗୁରୁତର ଆହତ ହୋଇ ପଡିଥିଲା । ତାକୁ ଡାକ୍ତରଖାନା ଅଣାଯିବା ପରେ ଚିକିତ୍ସା କରୁଥିବା ଡାକ୍ତରମାନେ ସୁଲେମାନଙ୍କ ବଞ୍ଚିବା ଆଶା କ୍ଷୀଣ ବୋଲି କହିଥିଲେ । ମେରୁଦଣ୍ଡରୁ ସୁଲେମାନଙ୍କ ମୁଣ୍ଡକୁ ସଂଯୋଗ କରୁଥିବା ଅଂଶଟି ଅଲଗା ହୋଇ ଯାଇଥିଲା । ଯାହା ଅନ୍ତରୀଣ ଡିକ୍ୟାପିଟେସନ ବୋଲି ଡାକ୍ତରୀ ଭାଷାରେ କୁହାଯାଏ ।

ଏହି ଘଟଣାରେ ୭୦ ପ୍ରତିଶତ ଲୋକ ଘଟଣାସ୍ଥଳରେ କିମ୍ବା ଡାକ୍ତରଖାନା ଅଣାଯିବା ବାଟରେ ମୃତ୍ୟୁବରଣ କରିଥାନ୍ତି । ଭାଗ୍ୟବଳରୁ ମୁଖ୍ୟ ଶିରା କ୍ଷତିଗ୍ରସ୍ତ ହୋଇ ନ ଥିଲା । ରକ୍ତ ସଂଚାଳନ ଚାଲିଥିଲା । ଅନେକ କଷ୍ଟରେ ରଡ, ସ୍କୃ, ବ୍ୟବହାର କରାଯାଇ ସୁଲେମାନଙ୍କ ଅପରେସନ କରାଯାଇଥିଲା । ଏବେ ସେ ସୁସ୍ଥ ହେଉଛନ୍ତି । ଡାକ୍ତର ଓହାଦ ଇନାବ ଓ ଜିବ ଆଶାଙ୍କ ମତରେ ସୁଲେମାନଙ୍କୁ ଏବେ କୌଣସି ସ୍ନାୟୁଜନିତ କିମ୍ବା ସେନ୍ସରୀ ଅସୁବିଧା ଦେଖିବାକୁ ମିଳୁ ନାହିଁ । କିଛି ସମୟ ପର୍ଯ୍ୟନ୍ତ ଫିଜିଓଥେରାପି ଚିକିତ୍ସା ପରେ ସେ ପୂର୍ବ ଭଳି ମୁଣ୍ଡ ଓ ବେକ ହଲାଇ ପାରିବେ ।