କାଳ ସାଜିଲା ମୋମୋ ଚ୍ୟାଲେଞ୍ଜ : ୧୫୦ ମୋମୋ ଖାଇ ଜୀବନ ଗଲା

ପାଟନା :  ଜୀବନ ନେଲା ମୋମୋ ଖାଇବା ନିଶା । ଚ୍ୟାଲେଞ୍ଜ କରି ମୋମା ଖାଇବା ଯୁବକଙ୍କ ପାଇଁ କାଳ ସାଜିଲା । ବିହାରର ଗୋପାଳଗଞ୍ଜ ଜିଲ୍ଲା ସିହୋରାଓ ଗାଁରେ ଏପରି ଅଘଟଣ ଘଟିଛି  । ମୋମୋ ଖାଇ ମୃତ୍ୟୁ ଘଟିଥିବା ୨୩ ବର୍ଷୀୟ ଯୁବକ ହେଉଛନ୍ତି  ବିପିନ୍ ପାସଓ୍ୱାନ ।

ସୂଚନା ଅନୁଯାୟୀ ବିପିନ ଏକ ମୋବାଇଲ ଦୋକାନରେ ମେକାନିକ କାମ କରୁଥିଲେ । ଘଟଣା ଦିନ ସେ ସାଙ୍ଗମାନଙ୍କ ସହ ମୋମୋ ଖାଇବାକୁ ଯାଇଥିଲେ । ସେଠାରେ ତାଙ୍କ ସାଙ୍ଗମାନେ ତାଙ୍କୁ ସର୍ବାଧିକ ମୋମୋ ଖାଇବାକୁ ଚ୍ୟାଲେଞ୍ଜ କରିଥିଲେ  । ଏହି ଚ୍ୟାଲେଞ୍ଜରେ ସେ ଗୋଟିଏ କିମ୍ୱା ଦୁଇଟା ପ୍ଲେଟ୍ ନୁହେଁ ବରଂ ୧୦୦ରୁ ଅଧିକ ମୋମୋ ଖାଇଥିଲେ ।

ବିପିନଙ୍କ ସାଙ୍ଗଙ୍କ କହିବା ଅନୁଯାୟୀ ସେ ଚ୍ୟାଲେଞ୍ଜ  ଜିତିବା ପାଇଁ  ପାଖାପାଖି  ୧୫୦ ମୋମୋ ଖାଇଥିଲେ । ଯାହା ପରେ ତାଙ୍କ ସ୍ୱାସ୍ଥ୍ୟ ଖରାପ ହେବାକୁ ଲାଗିଲା  । ଆଉ ସେ ମୋମୋ ଖାଇବା ବେଳେ ହଠାତ୍ ଦୋକାନରେ ପଡିଯାଇଥିଲେ  । ପ୍ରଥମେ ସାଙ୍ଗମାନେ ଏହା ଦେଖି ହାସ୍ୟାସ୍ପଦ ବୋଲି ଭାବିଲେ । କିନ୍ତୁ ପରେ ଯେତେବେଳେ ତାଙ୍କ ଚେତା ଫେରି ନଥିଲା ସଙ୍ଗେ ସଙ୍ଗେ ତାଙ୍କୁ ଏକ ଘରୋଇ ହସ୍ପିଟାଲକୁ ନେଇଗଲେ ।

କିନ୍ତୁ ଚିକିତ୍ସା ପୂର୍ବରୁ ହିଁ ଡାକ୍ତରମାନେ ବିପିନଙ୍କୁ ମୃତ ଘୋଷିତ କରିଥିଲେ  । ସେଠାରୁ ବିପିନଙ୍କ ମୃତଦେହ ଗୋପାଳଗଞ୍ଜ ସଦର ଡାକ୍ତରଖାନାକୁ ପଠାଯାଇଥିଲା । ମୃତଦେହର ପୋଷ୍ଟମର୍ଟମ ପରେ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଇଥିଲା  ।  ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ କହିଛି  ।