spot_img
Home Blog Page 3181

ଲାଇସେନ୍ସ ନଥାଇ ଚାଲିଥିଲା ହସ୍ପିଟାଲ, କାଗଜପତ୍ର ଯାଞ୍ଚ ପରେ ସିଲ୍ କଲେ ସ୍ବାସ୍ଥ୍ୟ ଅଧିକାରୀ

କଟକ: ବିନା ଲାଇସେନ୍ସରେ ହସ୍ପିଟାଲ ଚଳାଇବା ପଡ଼ିଲା ମହଙ୍ଗା । ସିଏମସିର ମିଳିତ ଚଢାଉ । କଟକ ଦାସ ସାହିର ସାଇ ସୋନାଲି ହସ୍ପିଟାଲକୁ ସିଲ୍ କଲା ପ୍ରଶାସନ । ବ୍ୟତିକ୍ରମ ବାବଦକୁ ୩୦ ହଜାର ଜରିମାନା । ଲିଖିତ ଉତ୍ତର ରଖିବାକୁ ୭ ଦିନ ମହଲତ । ହସ୍ପିଟାଲ ମାଲିକ ବର୍ଷ ବର୍ଷ ଧରି ପୈଠ କରୁନଥିଲେ ଖଜଣା । ବାରମ୍ବାର ଏନେଇ ନୋଟିସ ସତ୍ୱେ କୌଣସି ଉତ୍ତର ନମିଳିବାରୁ ଶେଷରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ସିଏମସି ଅଧିକାରୀ । ତେବେ ହସ୍ପିଟାଲ ସିଲ୍ କରିବାକୁ ଆସିଥିବା ଅଧିକାରୀଙ୍କୁ ନାକେଦମ ହେବାକୁ ପଡିଥିଲା । ହସ୍ପିଟାଲରେ ରୋଗୀ ନଥିବା ବେଳେ ସନ୍ଦେହ ଜନକ ଅବସ୍ଥାରେ ଏକାଧିକ ଝିଅ ବିଭିନ୍ନ ସ୍ଥାନରେ ଲୁଚି ରହିଥିଲେ । ପୋଲିସ ଡକାଇ ସେମାନଙ୍କ ସବିଶେଷ ଠିକଣା ନେଇ ସେମାନଙ୍କୁ ବିଦା କରାଯାଇଛି ।

ହସ୍ପିଟାଲ ଚଳାଇବା ପାଇଁ ନା ଅଛି ଆବଶ୍ୟକ ଟ୍ରେଡ୍, ଫାୟାର, କ୍ଲିନିକାଲ ୟୁଜର୍ସ ନା ଅଛି ସାନିଟାଇଜେସନ ପ୍ରମାଣ ପତ୍ର । ସବୁ ନିୟମକୁ ଆଖିବୁଜି ଦେଇ ବର୍ଷ ବର୍ଷ ଧରି ଏଠାରେ ଚାଲିଥିଲା ରୋଗୀସେବା । ଏଠାରେ ଦୁଇଜଣ ମାଲିକ ଗୋଟିଏ ଗୋଟିଏ ଫ୍ଲୋର ନେଇ ଚଲାଇଥିଲେ ହସ୍ପିଟାଲ । ଜଣେ ମାଲିକ ଲାଇସେନ୍ସ ପାଇଁ ସିଡିଏମଓଙ୍କୁ ୨୦୧୬ରେ ଆବେଦନ କରିଥିବା ସଫେଇ ଦେଇଥିବା ବେଳେ ଅନ୍ୟଜଣେ ଏନେଇ କିଛି ଜାଣିନଥିବା କହିଛନ୍ତି । ସାଇ ସୋନାଲି ହସ୍ପିଟାଲ ସିଲ୍ ହେବା ପରେ ଏବେ କଟକର ଅନ୍ୟ ଛୋଟବଡ଼ ହସ୍ପିଟାଲ ସନ୍ଦେହ ଘେରକୁ ଆସିଛି । ଆଗାମୀ ଦିନରେ ଅନ୍ୟାନ୍ୟ ହସ୍ପିଟାଲରେ ମଧ୍ୟ ଯାଞ୍ଚ କରାଯିବ ବୋଲି କହିଛନ୍ତି ଅଧିକାରୀ ।

ଗିରଫ ହେଲା ଭୂତଙ୍କ ସଭାପତି, ବିପିନ ରାଉତରାୟ ଗିରଫ ପରେ ଆସିଲା ସାଂଘାତିକ ସତ

ଖୋର୍ଦ୍ଧା: ବନ୍ଧାହେଲେ ବିପିନ ରାଉତରାୟ। ଦୁଇ ଦୁଇଟି ମାମଲାରେ ଭୂତଙ୍କ ସଭାପତିକୁ ବାନ୍ଧିଲା ପୋଲିସ୍ । ଗିରଫ ପରେ ପଦାକୁ ଆସିଲା ସାଂଘାତିକ ସତ । ଜ୍ୟୋତିଷ ବିପିନ ରାଉତରାୟ । ନିଜକୁ ଭୂତମାନଙ୍କ ସଭାପତି କହି ଗଣମାଧ୍ୟମରେ ଥିଲା ଚର୍ଚ୍ଚାରେ । ୨୦୧୩ ମସିହାରେ ନିଜ ଭାଇ ଏବଂ ୨୦୧୬ରେ ଆଉ ଜଣେ ସମ୍ପର୍କୀୟକୁ ଗୁଳି ମାରି ଫେରାର ହୋଇ ଯାଇଥିବା ଅଭିଯୋଗ ହୋଇଥିଲା । ପୈତୃକ ସମ୍ପତିକୁ ନେଇ ବିପିନ ତାଙ୍କୁ ୨୦୧୩ରେ ଗୁଳି ମାରି ପଙ୍ଗୁ କରିଦେଇଛି । ସେ ଏବେବି ଉଠି ପାରୁନାହାନ୍ତି । ତାଙ୍କ ପତ୍ନୀଙ୍କ ଆଖିରୁ ଲୁହ ଶୁଖୁନି।

ଦୁଇଟି ଗୁଳିମାଡ଼ ଘଟଣାରେ ତା ନାଁରେ ଥିଲା ଜାମିନ ବିହିନ ଗିରଫ ପରଓ୍ବାନା । ଗତକାଲି ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ନନ୍ଦପୁରରୁ ତାକୁ ଗିରଫ କରିଛି ପୋଲିସ୍ । ଗୁଳିମାଡ଼ ମାମଲାରେ ତାଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ୍ । ତେବେ ତାଙ୍କ ଗିରଫଦାରି ପରେ ତାଙ୍କ ବିଷୟରେ ଅନେକ କଥା ଶୁଣିବାକୁ ମିଳୁଛି ।

 

କେନ୍ଦ୍ରାପଡ଼ାରେ ହେବ ବିଶ୍ବର ବୃହତ ଷ୍ଟିଲପ୍ଲାଣ୍ଟ, କେନ୍ଦ୍ରାପଡ଼ାବାସୀଙ୍କୁ 5T ସଚିବଙ୍କ ପ୍ରତିଶ୍ରୁତି

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାରେ ହେବ ବିଶ୍ବର ବୃହତ ଷ୍ଟିଲ୍ ପ୍ଲାଣ୍ଟ । ଯେତେଶୀଘ୍ର ଲୋକେ ସହଯୋଗ କରିବେ ସେତେଶୀଘ୍ର ଷ୍ଟିଲ୍ ପ୍ଲାଣ୍ଟ ହେବ ବୋଲି କେନ୍ଦ୍ରାପଡ଼ାବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି 5T ସଚିବ । ଖୁବଶୀଘ୍ର ମାର୍ଶାଘାଇରୁ ଜମ୍ବୁ ପର୍ଯ୍ୟନ୍ତ ୬ ଲେନ୍ ବିଶିଷ୍ଟ ରାସ୍ତା ହେବ । ଏଥିପାଇଁ ୧୦୦ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । ଏହି ରାସ୍ତା କେନ୍ଦ୍ରାପଡ଼ାବାସୀଙ୍କ ଜୀବନରେଖା ପାଲଟିବ । ଜାପାନରେ ଥିବା ସମୟରେ ମୁଖ୍ୟମନ୍ତ୍ରୀ ବାରମ୍ବାର କେନ୍ଦ୍ରାପଡ଼ା ନାଁ ନେଉଥିଲେ । ଏହାସହ କେନ୍ଦ୍ରାପଡ଼ା ପାଇଁ କିଛି କରିବାକୁ ମୁଖ୍ୟମନ୍ତ୍ରୀ ଚାହୁଁଥିଲେ ବୋଲି କହିଛନ୍ତି 5T ସଚିବ ଭିକେ ପାଣ୍ଡିଆନ ।

ବିଜୁ ବାବୁଙ୍କ ଡାକୋଟା ଦେଖିଲେ ଇଣ୍ଡୋନେସିଆ ରାଷ୍ଟ୍ରଦୂତ

ଭୁବନେଶ୍ୱର: ଭୁବନେଶ୍ବର ବିମାନବନ୍ଦରରେ ବିଜୁ ବାବୁଙ୍କ ଡାକୋଟା ଦେଖିଲେ ଇଣ୍ଡୋନେସିଆ ଇଣ୍ଡୋନେସିଆ ରାଷ୍ଟ୍ରଦୂତ । ତାଙ୍କ ସହ ଏକ ଟିମ୍ ମଧ୍ୟ ବୁଲି ଦେଖିଛନ୍ତି ଡାକୋଟା । ଡାକୋଟାକୁ ଦେଖି ଭାବ ବିହ୍ୱଳ ହୋଇଛନ୍ତି ଇଣ୍ଡୋନେସିଆ ରାଷ୍ଟ୍ରଦୂତ । ଓଡ଼ିଶା ସରକାରଙ୍କୁ ପ୍ରଶଂସା କରିବା ସହ ଦୁର୍ବିପାକ ମୁକାବିଲା ଓ ଜଳ ପରିଚାଳନାରେ ଓଡ଼ିଶା ଚମ୍ପିଆନ ବୋଲି ସେ କହିଛନ୍ତି । ଦୁର୍ବିପାକ ମୁକାବିଲା ନେଇ ଇଣ୍ଡୋନେସିଆ ପ୍ରଶିକ୍ଷଣ ନେବା ଆବଶ୍ୟକ । ଅଧିକାରୀଙ୍କୁ ପ୍ରଶିକ୍ଷଣ ନେବାକୁ ସେ ଇଣ୍ଡୋନେସିଆ ସରକାରଙ୍କୁ ସୁପାରିସ କରିବେ ବୋଲି କହିଛନ୍ତି ।

ଏହାସହ ଆଗାମୀ ବର୍ଷ ବାଲିଯାତ୍ରାକୁ ୭୫ବର୍ଷ ପୂରିବ । ଏନେଇ ଭାରତ-ଇଣ୍ଡୋନେସିଆ ମଧ୍ୟରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ କରାଯିବ ବୋଲି ସେ କହିଛନ୍ତି । ଓଡ଼ିଶା ସରକାରଙ୍କ ବାଲି ମହୋତ୍ସବରେ ଇଣ୍ଡୋନେସିଆ ଭାଗନେବ ବୋଲି କହିଛନ୍ତି ଇଣ୍ଡୋନେସିଆ ରାଷ୍ଟ୍ରଦୂତ ।

 

ପ୍ରତିଦିନ ମନଗଢ଼ା କାହାଣୀ କହି ପ୍ରେସମିଟ୍ କରୁଛି ବିଜେପି, ଶ୍ରୀଜଗନ୍ନାଥଙ୍କ ନାଁ ନେଇ କହୁଛନ୍ତି କାହାଣୀ

ଭୁବନେଶ୍ୱର: ବିଜେପି ନେତାଙ୍କର ଘଟିଲାଣି ସ୍ମୃତି ଭ୍ରମ । ଦଳରେ ତୀବ୍ର ହେଲାଣି ଗୋଷ୍ଠୀ କନ୍ଦଳ । ରତ୍ନ ଭଣ୍ଡାର ପ୍ରସଙ୍ଗରେ ବିଜେପି ନେତା ମନଗଡ଼ା କାହାଣୀ ଗପିବା ଏହାର ଜ୍ବଳନ୍ତ ଉଦାହରଣ । ପ୍ରେସମିଟରେ ବିଜେପି ନେତା ପୀତାମ୍ବର ଆଚାର୍ଯ୍ୟଙ୍କୁ ଜବାବ ଦେବା ସହ ବିଜେପିରେ ଚାଲିଥିବା ତୀବ୍ର ଗୋଷ୍ଠୀ କନ୍ଦଳକୁ ପଦାରେ ପକାଇଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି । ବିଜେଡି କହିଛି, ଆଜି ନୁହେଁ ୧୯୮୫ ମସିହାରୁ ଦୀର୍ଘ ୩୮ ବର୍ଷ ଧରି ଶ୍ରୀମନ୍ଦିରର ରତ୍ନଭଣ୍ଡାର ଖୋଲା ହୋଇନାହିଁ । ମାତ୍ର ଏ ପ୍ରସଙ୍ଗରେ ମନଗଡ଼ା କାହାଣୀ ଶୁଣାଇଛି ବିଜେପି । ଯାହାକି ବିଜେପିର ଦଳୀୟ କନ୍ଦଳକୁ ପଦାରେ ପକାଇଛି । କାରଣ ୨୦୦୦ରୁ ୨୦୦୯ ମସିହା ପର୍ଯ୍ୟନ୍ତ ମିଳିତ ସରକାରରେ ଆଇନମନ୍ତ୍ରୀ ଥିଲେ ବିଜେପି ନେତା ବିଶ୍ବଭୂଷଣ ହରିଚନ୍ଦନ । ଏଣୁ ରତ୍ନଭଣ୍ଡାର ଖୋଲା ନ ହେବା ପାଇଁ ବିଜେପି ପରୋକ୍ଷରେ ବିଶ୍ବଭୂଷଣଙ୍କୁ ଦାୟୀ କରିଛି ।

ରାଜନୀତି କରିବା ପାଇଁ ବିରୋଧୀ ଦଳ ପାଖରେ ଅନେକ ପ୍ରସଙ୍ଗ ଅଛି । ଓଡ଼ିଶା ସ୍ବାର୍ଥ ସମ୍ବଳିତ ଯେକୌଣସି ପ୍ରସଙ୍ଗରେ ସେମାନେ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ରଖିପାରିବେ । ମାତ୍ର ସେପରି ନକରି ସ୍ପର୍ଶକାତର ପ୍ରସଙ୍ଗରେ ରାଜନୀତି କରି ଲୋକଙ୍କ ଧର୍ମୀୟ ଭାବନା ସହ ବିଜେପି ଖେଳୁଛି ବୋଲି ବିଜେଡି ଅଭିଯୋଗ କରିଛି । ବିଜେପି ମନେରଖିବା ଉଚିତ ଶ୍ରୀଜଗନ୍ନାଥଙ୍କୁ ନେଇ ରାଜନୀତି କଲେ ଜଗନ୍ନାଥପ୍ରେମୀ, ଓଡ଼ିଶାବାସୀ କେବେ କ୍ଷମା ଦେବେନି ।

ଏଣିକି ଆମେରିକାରେ ମିଳିବ ଦୀପାବଳି ଛୁଟି

ଓ୍ୱାଶିଂଟନ: ଏଣିକି ଆମେରିକାରେ ମିଳିବ ଦୀପାବଳି ଛୁଟି । ୟୁନାଇଟେଡ୍ ଷ୍ଟେଟ୍ସର ପେନସିଲଭେନିଆରେ ଦୀପାବଳିକୁ ନ୍ୟାସନାଲ ହଲିଡେ ଘୋଷଣା କରାଯାଇଛି । ସିନେଟର ନିକିଲ ସବଲ ଏନେଇ ଟୁଇଟ କରି ସୂଚନା ଦେଇଛନ୍ତି । ଏନେଇ ସର୍ବସମ୍ମତି କ୍ରମେ ସ୍ବତନ୍ତ୍ର ବିଲ ପାସ୍ କରାଯାଇଛି । ପେନସିବେନିଆରେ ଦକ୍ଷିଣ ଏସିଆର ପ୍ରାୟ ୨ ଲକ୍ଷ ଲୋକ ବସବାସ କରୁଥିବା ବେଳେ ସେମାନେ ଦୀପାବଳିକୁ ବେଶ ଧୁମଧାମରେ ପାଳନ କରିଥାନ୍ତି । ତେଣୁ ସେମାନଙ୍କ ପର୍ବକୁ ଆପଣାଇବା ସହ ସମସ୍ତେ ଏକାଠି ଦୀପାବଳିକୁ ପାଳନ କରିବାକୁ ଛୁଟି ଘୋଷଣା ପାଇଁ ସ୍ବତନ୍ତ୍ର ବିଲ୍ ପାସ କରାଯାଇଛି ବୋଲି ସିନେଟର ସବଲ କହିଛନ୍ତି ।

ପଶ୍ଚିମବଙ୍ଗ ରାମନବମୀ ହିଂସାର ଯାଞ୍ଚ କରିବ NIA

କୋଲକାତା: ପଶ୍ଚିମବଙ୍ଗ ରାମନବମୀ ହିଂସାର ଯାଞ୍ଚ କରିବ NIA । ହାଓ୍ବଡାରେ ରାମନବମୀ ସମାରୋହ ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା । ଟେକା ପଥର ମାଡ଼ ସହ ଅନେକ ଗାଡ଼ି ପୋଡ଼ି ହୋଇଥିବା ବେଳେ ଅନେକ ଦୋକାନ ମଧ୍ୟ ନଷ୍ଟ ହୋଇଥିଲା । ଆଜି କୋଲକାତା ହାଇକୋର୍ଟ ଆଜି ମାମଲାର ଶୁଣାଣି କରି NIA ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ରାମନବମୀରେ ଏକ ନିର୍ଦ୍ଦିଷ୍ଟ ସମୁଦାୟକୁ ଉସୁକାଇବା ପାଇଁ ଅନୁମତି ନଥିବା ସତ୍ତ୍ବେ ସେହି ରାସ୍ତା ଦେଇ ଶୋଭାଯାତ୍ରା ନିଆଯାଇଥିଲା ବୋଲି ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଥିଲେ ।

ଉତ୍ତର କୋରିଆକୁ ଆମେରିକାର ଚେତାବନୀ, ପରମାଣୁ ଆକ୍ରମଣ କଲେ ଭୟଙ୍କର ହେବ ପରିଣାମ

ଓ୍ୱାଶିଂଟନ: ଉତ୍ତର କୋରିଆକୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଚେତାବନୀ । ପରମାଣୁ ଅସ୍ତ୍ରର ବ୍ୟବହାର କଲେ ଅନ୍ତ ନିଶ୍ଚିତ । ଦକ୍ଷିଣ କୋରିଆ ଓ ଆମେରିକା ପକ୍ଷରୁ ଉତ୍ତର କୋରିଆକୁ ଚେତାବନୀ ଦିଆଯାଇଛି । ଉତ୍ତର କୋରିଆ ରାଷ୍ଟ୍ରପତି ଉନ ସୁକ୍ ଆମେରିକା ଗସ୍ତରେ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ଉପରାଷ୍ଟ୍ରପତି କମଲା ହାରିସଙ୍କ ସହ ବୈଠକ କରିଛନ୍ତି । ବୈଠକରେ ଉତ୍ତର କୋରିଆର ତାନାସାହି କିମ ଜଙ୍ଗ୍ ଉନଙ୍କ ପରମାଣୁ ଆକ୍ରମଣ ଧମକ ନେଇ ଆଲୋଚନା ହୋଇଥିଲା ।

ଉତ୍ତର କୋରିଆ ଲଗାତାର ମିସାଇଲ ପରୀକ୍ଷଣ କରୁଥିବା ବେଳେ ପରମାଣୁ ଅସ୍ତ୍ରଶସ୍ତ୍ର ମଜଭୁତ କରୁଛି। ଦକ୍ଷିଣ କୋରିଆ ପାଇଁ ଆମେରିକା ସୁରକ୍ଷା କବଚ । ଯଦି ଉତ୍ତର କୋରିଆ ପରମାଣୁ ଆକ୍ରମଣ କରେ, ତେବେ ବିନାଶକାରୀ ପ୍ରତିକ୍ରିୟାର ସାମ୍ନା କରିବାକୁ ହେବ ବୋଲି ବାଇଡେନ କହିଛନ୍ତି ।

ଲାଞ୍ଚ ନେଉଥିବା ବେଳେ ଗିରଫ ହେଲେ କନିଷ୍ଠ କିରାଣୀ

ପଟ୍ଟାମୁଣ୍ଡାଇ: ଲାଞ୍ଚ ନେଉଥିବା ବେଳେ ଗିରଫ ହେଲେ କନିଷ୍ଠ କିରାଣୀ । କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବିଇଓ ଅଫିସିରେ କିରାଣୀ ଥିଲେ ମାନସ ରଞ୍ଜନ ଧଳ । ପଟ୍ଟାମୁଣ୍ଡାଇ ଅଞ୍ଚଳର ଶିକ୍ଷକ ପ୍ରଫୁଲ କୁମାର ପରିଡାଙ୍କ ଠାରୁ ଏରିଆର ସଂକ୍ରାନ୍ତୀୟ କାଗଜ ପତ୍ର କରାଇଦେବା ପାଇଁ ୧୦ ହଜାରେ ଟଙ୍କା ଲାଞ୍ଚ ମାଗିଥିଲେ।

ହେଲେ ଏନେଇ ପ୍ରଫୁଲ କୁମାର କେନ୍ଦ୍ରାପଡା ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ। ଆଜି କନିଷ୍ଠ କିରାଣୀ ମାନସ ରଞ୍ଜନ ଧଳ ୧୦ ହଜାରେ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ ତାଙ୍କୁ ଧରିଥିଲା। କିରାଣୀ ମାନସଙ୍କ ଠାରୁ ରେଡ ହ୍ୟାଣ୍ଡରେ ୧୦ ହଜାରେ ଟଙ୍କା ଜବତ କରିବା ସହିତ ମାନସଙ୍କୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି। ବିଇଓ କାର୍ଯ୍ୟାଳୟରେ ଭିଜିଲାନ୍ସ ଅଧିକ କାଗଜପତ୍ର ଖୋଳତାଡ଼ କରିବା ସହିତ ପୁରୁଣା ରେକର୍ଡ ଯାଞ୍ଚ କରୁଛି ।

ଛତିଶଗଡ଼ରେ ମାଓ ହିଂସା ପରେ ନବରଙ୍ଗପୁରରେ ହାଇ ଆଲର୍ଟ

ଉମରକୋଟ: ଛତିଶଗଡ଼ରେ ମାଓ ହିଂସା ପରେ ନବରଙ୍ଗପୁରରେ ହାଇ ଆଲର୍ଟ। ପୋଲିସ ଯାଞ୍ଚ କଡ଼ାକଡ଼ି । ଛତିଶଗଡ଼ ଦନ୍ତେବାଡାରେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ପୋରଣରେ ୧୦ ଯବାନ ଓ ଜଣେ ଡ୍ରାଇଭର ସହିଦ ହୋଇଥିବା ବେଳେ ଓଡିଶା ସୀମାନ୍ତକୁ ଲାଗିଥିବା ପାଞ୍ଚଟି ଜିଲ୍ଲାକୁ ହାଇଆଲୋର୍ଟ ଜାରି କରାଯାଇଛି ।

ସେହିପରି ଛତିଶଗଡ଼ ସୀମାନ୍ତରେ ଉଦନ୍ତି ସୀତା ନଦୀ ଵ୍ରାଘ୍ୟ ଅଭୟାରଣ୍ୟରେ ଗତକାଲି ମାଓବାଦୀ ଓ SOG ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ତେଣୁ ଛତିଶଗଡ ସୀମାକୁ ଲାଗି ରହିଥିବା ନବରଙ୍ଗପୁର ଜିଲ୍ଳାର କୁନ୍ଦେଇ ଓ ଦଣ୍ଡସରା ଭଳି ଗୁରୁତ୍ୱପୂର୍ଣ୍ଣ ସୀମା ଉପରେ ପୋଲିସ ପକ୍ଷରୁ କଡାକଡି ଯାଞ୍ଚ କରାଯିବା ସହ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି।

ଛତିଶଗଡରୁ ଓଡ଼ିଶାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଓ ଜଂଗଲୀ ରାସ୍ତା ଗୁଡ଼ିକୁ ସିଲ କରି ଗାଡି ମଟର ଯାଞ୍ଚ କଡାକଡି କରାଯାଇଛି। ଯେପରି ଓଡ଼ିଶା ଭିତରକୁ ମାଓବାଦୀ ପ୍ରବେଶ କରିବେ ନାହିଁ ତାହା ଉପରେ ଗୁରୁତ୍ବ ଦିଆଯାଇଥିବା ପ୍ରକାଶ କରିଛନ୍ତି ଉମରକୋଟ SDPO ଶୁଭେନ୍ଦୁ କୁମାର ଶବର।