ମଣିପୁରରେ ମଣିଷର ରାକ୍ଷସ ରୂପ, ଗଣଦୁଷ୍କର୍ମ ପରେ ରାସ୍ତାରେ ଉଲଗ୍ନ କରି ଚଲାଇ ଚଲାଇ ନେଲେ ଅଭିଯୁକ୍ତ

ଇମ୍ଫାଲ: ଯେତେ ନିନ୍ଦା କଲେ ବି କମ୍ ହେବ । ମଣିଷ ଯେବେ ରାକ୍ଷସ ପାଲଟେ, ହିଂସ୍ର ଆଚରଣ ସମାଜର ସବୁ କ୍ଷେତ୍ରରେ ଦେଖିବାକୁ ମିଳେ । ଶବ୍ଦରେ ବୀଭତ୍ସ ଘଟଣାକୁ ନିନ୍ଦା କରିବା ବି ମୁସ୍କିଲ । ବିଜେପିର ଡବଲ ଇଞ୍ଜିନ ସରକାରରେ ମଣିପୁରରେ ଚାଲିଛି ତାଲିବାନୀ ଶାସନ । ମହିଳାଙ୍କ ପାଇଁ ନର୍କ ପାଲଟିଛି ମଣିପୁର । ସ୍ବାର୍ଥୀ, ଲଜ୍ଜାହିନ, ମାନବିକତା ବିହିନ ସରକାରରେ ଅସୁରକ୍ଷିତ ପାଲଟିଛନ୍ତି ମହିଳା । କ’ଣ କରୁଛି ସରକାର ? ତିନି ମାସ ପରେ ବି କାହା ସ୍ବାର୍ଥରେ ସରକାର ଚୁପ୍ । ମଣିପୁରରେ ହିଂସା ଭିତରେ ଏକ ଘୃଣିତ ଦୃଶ୍ୟ ସାମ୍ନାକୁ ଆସିଛି । ଦୁଇ ମହିଳାଙ୍କୁ ଗଣଦୁଷ୍କର୍ମ ପରେ ରାସ୍ତାରେ ସମ୍ପୂର୍ଣ୍ଣ ଉଲଗ୍ନ ଅବସ୍ଥାରେ ଚଲାଇ ଚଲାଇ ନିଆଯାଉଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସାରା ବିଶ୍ବ ସ୍ତବ୍ଧ ହୋଇଛି । ସରକାର କାହା ସ୍ବାର୍ଥରେ ଚୁପ୍ ବୋଲି ପ୍ରଶ୍ନ ଉଠିଛି । ରାସ୍ତାରେ ଯିବା ବେଳେ ଅଭିଯୁକ୍ତମାନେ ମହିଳାଙ୍କ ସହ ଦୁର୍ବବ୍ୟବହାର କରୁଛନ୍ତି ।

ସ୍ବାଧୀନତାକୁ ୭୫ ବର୍ଷ ପୂରିଥିବା ବେଳେ ଆଜାଦି କା ଅମୃତ ମହୋତ୍ସବ ପାଳୁଥିବା ଭାରତବର୍ଷର ଏ କି ସ୍ଥିତି ? ଆଜିର ଭାରତରେ ଏଭଳି ଦୃଶ୍ୟ ମଣିଷ ସମାଜକୁ ସବୁଠୁ ଘୃଣ୍ୟ ମନେ ହେବ । ମଣିପୁରର କାଙ୍ଗପୋକି ଜିଲ୍ଲାରେ ଏଭଳି ଘଟଣା ଘଟିଥିବା ଜଣାପଡ଼ିଛି । ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏଭଳି ଘଟଣାକୁ ନେଇ କୁକି ଓ ମିତେଇ ଜନଜାତିଙ୍କ ମଧ୍ୟରେ ବିବାଦ ଆହୁରି ଘନେଇବାରେ ଲାଗିଛି । ଦୁଇ ପୀଡିତା କୁକି ଜନଜାତିର ବୋଲି ଜଣାପଡ଼ିଛି । ବିଜେପି ଶାସିତ ରାଜ୍ୟରେ ଲୋକଙ୍କର ଏଭଳି ସ୍ଥିତିକୁ ନେଇ ବିରୋଧୀ ଦଳ ପ୍ରବଳ ବର୍ଷିଛନ୍ତି । ଘଟଣାକୁ ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅନ୍ୟମାନଙ୍କୁ ଖୋଜୁଛି ପୋଲିସ । ଘଟଣାଟି ମେ’ ମାସର ବୋଲି ଜଣାପଡ଼ିଛି । ପ୍ରଧାନମନ୍ତ୍ରୀ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।