ମୌସୁମୀ ବର୍ଷାରେ ଉବୁଟୁବୁ ଅଧା ଭାରତ, ୮ ଜିଲ୍ଲାରେ ବନ୍ୟାସ୍ଥିତି ସଙ୍ଗୀନ

1 min read

ନୂଆଦିଲ୍ଲୀ: ମୌସୁମୀ ବର୍ଷାରେ ଉବୁଟୁବୁ ଅଧା ଭାରତ । ମହାରାଷ୍ଟ୍ର, ଗୁଜରାଟ, ତେଲେଙ୍ଗାନା, କର୍ଣ୍ଣାଟକ, ହିମାଚଳରେ ପ୍ରବଳ ବର୍ଷା ପରେ ସ୍ଥିତି ଗମ୍ଭୀର । ତେଲେଙ୍ଗାନାରେ ପ୍ରବଳ ବର୍ଷା ପରେ ଅଧିକାଂଶ ଅଞ୍ଚଳ ଜଳମଗ୍ନ ସହ ହଜାର ହଜାର ଲୋକ ପାଣିଘେରରେ ରହିଛନ୍ତି । ୮ଜିଲ୍ଲାରେ ବନ୍ୟାସ୍ଥିତି ସଙ୍ଗୀନ ହୋଇଥିବା ବେଳେ ୮ଜଣଙ୍କ ମୃତ୍ୟୁ ହୋଇଛି।

ପ୍ରାୟ ୧୦ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ତିନି ଦିନ ଧରି ରାଜ୍ୟରେ ରେଡ ଆଲର୍ଟ ଥିବା ବେଳେ ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ନେଇ ଅରେଞ୍ଜ ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । NDRF, ଅଗ୍ନିଶମ ବାହିନୀ ସହ ବାୟୁସେନାର ଦୁଇଟି ବିମାନ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି।

ସେପଟେ ମହାରାଷ୍ଟ୍ରର ଅଧିକାଂଶ ଜିଲ୍ଲାରେ ମୂଷଳଧାରାରେ ବର୍ଷା ପରେ ମୁମ୍ବାଇ-ପୁନେ ଏକ୍ସପ୍ରେସଓ୍ବେରେ ଲ୍ୟାଣ୍ଡସ୍ଲାଇଡ ଯୋଗୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ୬ଥାକିଆ ରାସ୍ତାରେ ଭୂସ୍ଖଳନ ପରେ ରାସ୍ତା ସଫେଇ ପାଇଁ ଉଦ୍ୟମ ଚାଲିଛି। ଦୁଇ ଦିନ ଧରି ରାଜ୍ୟରେ ପ୍ରବଳ ବର୍ଷା ଯୋଗୁ ମୁମ୍ବାଇର ଅଧିକାଂଶ ସ୍ଥାନ ଜଳମଗ୍ନ ହୋଇଥିବା ବେଳେ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇଛି । ଥାନେ, ରାଇଗଡ଼ରେ ବି ପ୍ରବଳ ବର୍ଷା ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଛି । ଆଜି ପାଇଁ ମୁମ୍ବାଇକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଆଜି ମହାରାଷ୍ଟ୍ର ସମେତ ଥାନେ, ପାଲଘର,ରତ୍ନଗିରି ଆଦି ଜିଲ୍ଲାରେ ସ୍କୁଲ ବନ୍ଦ ରଖାଯାଇଛି ।

ସେପଟେ ଗୁଜରାଟରେ ବି ସପ୍ତାହେ ଧରି ପ୍ରବଳ ବର୍ଷା ସାଙ୍ଗକୁ ବନ୍ୟା ସ୍ଥିତି ଯୋଗୁ ହଜାର ହଜାର ଲୋକ ପାଣି ଘେରରେ ରହିଛନ୍ତି । ହିମାଚଳ, ଉତ୍ତରାଖଣ୍ଡରେ ଲ୍ୟାଣ୍ଡସ୍ଲାଇଡ ଯୋଗୁ ଏକାଧିକ ରାସ୍ତାରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି ।