ହରିୟାଣା ହିଂସା ପରେ ବୁଲଡୋଜର ଆକ୍ସନ, ମାଟିରେ ମିଶିଲା ଏକାଧିକ ଘର ଓ ଦୋକନ

ଚଣ୍ଡିଗଡ଼: ହରିୟାଣା ନୁହରେ ହିଂସା ପରେ ବୁଲଡୋଜର ଆକ୍ସନ । ତିନି ଦିନ ଧରି ନୁହ ଓ ଆଖପାଖ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଜୋରଦାର ଚାଲିଛି । ଧାର୍ମିକ ଶୋଭାଯାତ୍ରା ବେଳେ ଏକ ହୋଟେଲ ଉପରୁ ପଥର ମାଡ଼ କରାଯାଇଥିବା ଜଣାପଡ଼ିବା ପରେ ନୁହରେ ଥିବା ଏକ ବହୁତଳ ବିଶିଷ୍ଟ ହୋଟେଲକୁ ଭାଙ୍ଗି ଦିଆଯାଇଛି । ନୁହ ଓ ଏହାର ଆଖପାଖରେ ଅନେକ ଦୋକାନ ଓ ଘରକୁ ପ୍ରଶାସନ ଭାଙ୍ଗି ଦେଇଛି । ସାମ୍ପ୍ରଦାୟିକ ହିଂସାରେ ସମ୍ପୃକ୍ତି ଥିବା ସନ୍ଦେହରେ ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ କରାଯାଉଛି ।

ନୁହ ଗୋଷ୍ଠୀ ସଂଘର୍ଷରେ ଏବେ ସୁଦ୍ଧା ୧୦୬ ମାମଲା ରୁଜୁ ହୋଇଥିବା ବେଳେ ୨୧୬ ଜଣଙ୍କୁ ଗିରଫ କରାଯାଇଛି । ସେପଟେ ଆଜି ନୁହରେ ଏକ ଗୋଷ୍ଠୀ ପକ୍ଷରୁ ମହାପଞ୍ଚାୟତର ଆୟୋଜନ କରାଯାଇଛି । ପ୍ରାୟ ୧ ହଜାର ଲୋକଙ୍କ ସମାଗମ ହେବା ସମ୍ଭାବନା ରହିଥିବାରୁ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପୋଲିସ ଗାଡ଼ି ମୋଟର ଯାଞ୍ଚ କରିବା ସହ ସ୍ଥିତି ଉପରେ କଡ଼ା ନଜର ରଖିଛି ।