spot_img
Home Blog Page 3119

ଛତିଶଗଡ଼ ପରେ ଏବେ ଓଡ଼ିଶା ପଟେ ସମୀକ୍ଷା ଟ୍ରିବ୍ୟୁନାଲ ସଦସ୍ୟ

ସମ୍ବଲପୁର: ଛତିଶଗଡ଼ ପରେ ଏବେ ଓଡ଼ିଶା ପଟେ ସମୀକ୍ଷା । ମହାନଦୀ ସିଷ୍ଟମରେ ୧୯ ତାରିଖରୁ ୨୩ ତାରିଖ ଯାଏ ଟ୍ରିବ୍ୟୁନାଲ ସଦସ୍ୟ କ୍ଷେତ୍ର ପରିଦର୍ଶନ କରିବେ। ଦୀର୍ଘଦିନ ଧରି ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଚାଲିଥିବା ମହାନଦୀ ଜଳ ବିବାଦର ସମାଧାନ ପାଇଁ ଟ୍ରିବ୍ୟୁନାଲ ସଦସ୍ୟଙ୍କ ଓଡ଼ିଶା ଗସ୍ତ ବେଶ ଗୁରୁତ୍ବପୂର୍ଣ୍ଣ ରହିଛି ।

ମହାନଦୀ ଜଳ ବିବାଦର ଟ୍ରିବ୍ୟୁନାଲ ଅଧ୍ୟକ୍ଷ ଜଷ୍ଟିସ ଏ.ଏମ ଖାନଓ୍ବିଲକରଙ୍କ ନେତୃତ୍ବରେ ୫୦ ଜଣିଆ ସଦସ୍ୟ ପର୍ଯ୍ୟାୟକ୍ରମେ ଅନ୍ୟ ସ୍ଥାନ ପରିଦର୍ଶନ କରିବେ  । ଗ୍ରୀଷ୍ମ ଋତୁରେ ମହାନଦୀରେ କେତେ ଜଳ ଉପଲବ୍ଧ ହେଉଛି, କେତେ ବର୍ଷାଜଳ ଗଚ୍ଛିତ ରହୁଛି, ମହାନଦୀରେ ଜଳ ପ୍ରବାହ କେତେ ରହୁଛି ଏସବୁ ରିପୋର୍ଟ ପ୍ରସ୍ତୁତ କରିବେ ଟ୍ରିବ୍ୟୁନାଲ ସଦସ୍ୟ । ଦୁଇଟି ପର୍ଯ୍ୟାୟରେ ଛତିଶଗଡରେ ମହାନଦୀ ଉପରମୁଣ୍ଡରେ କ୍ଷେତ୍ର ପରିଦର୍ଶନ କରିବା ପରେ ଓଡ଼ିଶା ଗସ୍ତରେ ଆସିଛନ୍ତି ଟ୍ରିବ୍ୟୁନାଲ ସଦସ୍ୟ । ଗସ୍ତକୁ ନେଇ କେନ୍ଦ୍ରକୁ ଟାର୍ଗେଟ କରିଛି କଂଗ୍ରେସ । କଂଗ୍ରେସ ବିଧାୟକ ଦଳ ସଦସ୍ୟ ନରସିଂହ ମିଶ୍ର କହିଛନ୍ତି ଯେ କେନ୍ଦ୍ର ସରକାର ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଏକାଠି ବସାଇ ଆଲୋଚନା ମାଧ୍ୟମରେ ସମାଧାନ ବାଟ ଫିଟାଇ ପାରିବେ । ହେଲେ କେନ୍ଦ୍ର ସରକାର ତାହା କରୁନଥିବାରୁ ଓଡ଼ିଶା ତାହାର ହକ ପାଉନାହିଁ । ଅନ୍ୟପଟେ ବିଜେପି କିନ୍ତୁ ଏ ପ୍ରସଙ୍ଗରେ ରାଜ୍ୟ ସ୍ବାର୍ଥକୁ ଭୁଲି ରାଜନୀତିର ଭାଷା କହିଛି ।

ଅନ୍ୟପଟେ ମହାନଦୀ ପ୍ରସଙ୍ଗରେ ଦୁଇ ଜାତୀୟ ଦଳ ରାଜ୍ୟ ସ୍ବାର୍ଥ ଭୁଲି ରାଜନୈତିକ ବୟାନବାଜି କରିବାକୁ ନାପସନ୍ଦ କରିଛି ଶାସକ ଦଳ । ଓଡ଼ିଶାର ହକ ପାଇଁ ଆଇନଗତ ଲଢେଇ କରୁଛି ବିଜେଡି । ଆଗାମୀ ଦିନରେ ଲଢେଇ ମଧ୍ୟ ଜାରି ରହିବ ବୋଲି ବିଜେଡି କହିଛି । ମହାନଦୀରେ ଓଡ଼ିଶା ତାହାର ହକ୍ ପାଇବା ପାଇଁ ଯିଏ ଯେଉଁ ପ୍ରସ୍ତାବ ଦେଉଛି ତାହା ଯଦି ରାଜ୍ୟ ହିତ ପାଇଁ ଉଦ୍ଦିଷ୍ଟ ସେଥିରେ ବିଜେଡିର ସମର୍ଥନ ରହିବ ବୋଲି ଦଳ କହିଛି ।

ଓଡ଼ିଶା ପାଲଟିଛି ଶିଳ୍ପପତିଙ୍କ ପ୍ରଥମ ପସନ୍ଦ, ଚଳିତ ବର୍ଷରେ ମିଳିଛି ୨୦ ଲକ୍ଷ କୋଟିରୁ ଅଧିକ ପୁଞ୍ଜିନିବେଶର ପ୍ରତିଶ୍ରୁତି

ଭୁବନେଶ୍ୱର: ପୁଞ୍ଜିନିବେଶର ଟପ୍ ଡେଷ୍ଟିନେସନ୍ ଓଡ଼ିଶା। ପାଲଟିଛି ଶିଳ୍ପପତିଙ୍କ ପ୍ରଥମ ପସନ୍ଦ। ଦେଶ ହେଉ କି ବିଦେଶ, ନିବେଶ ପାଇଁ ଓଡ଼ିଶା ଆସୁଛନ୍ତି ଶିଳ୍ପପତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମେକ୍ ଇନ୍ ଓଡ଼ିଶା ଦେଇଛି ନିର୍ଭରଯୋଗ୍ୟ ଭରସା। ବଢ଼ିଛି ପୁଞ୍ଜିନିବେଶ, ଜାତୀୟ ହାରକୁ ବହୁ ପଛରେ ପକାଇଛି ରାଜ୍ୟ । କରୋନା ସମୟରେ ଦେଶରେ ସର୍ବାଧିକ ନିବେଶ ଆଣିଥିଲା ଓଡ଼ିଶା। ପୁଞ୍ଜିନିବେଶରେ ମହାରାଷ୍ଟ୍ରକୁ ପଛରେ ପକାଇ ୧ ନମ୍ବର ସ୍ଥାନ ହାସଲ କରିଥିଲା । ୨୦୨୦ ଆର୍ଥିକ ବର୍ଷରେ ମହାରାଷ୍ଟ୍ରରେ ଦେଶର ୧୬ ପ୍ରତିଶତ ନିବେଶ ହୋଇଥିବା ବେଳେ ଓଡ଼ିଶାକୁ ୧୮ ପ୍ରତିଶତ ମିଳିଥିଲା । ଦେଶର ଆର୍ଥିକ ରାଜଧାନୀ କୁହାଯାଉଥିବା ମହାରାଷ୍ଟ୍ରକୁ ପଛରେ ପକାଇ ପୁଞ୍ଜିନିବେଶର ଶୀର୍ଷ ଛୁଇଁଥିଲା ଓଡ଼ିଶା । ୨୦୨୩ ରିପୋର୍ଟରେ ବି ଓଡ଼ିଶା ସାରା ଦେଶରେ ଦ୍ବିତୀୟ ସ୍ଥାନରେ ରହିଛି । ରାଜ୍ୟକୁ ୨୦ ଲକ୍ଷ ୧ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରତିଶ୍ରୁତି ମିଳିଛି ।

ପୁଞ୍ଜିନିବେଶରେ ଦେଶଠୁ ଆଗରେ ଓଡ଼ିଶା। ଜାତୀୟ ହାର ୨୨ ପ୍ରତିଶତ ଥିବା ବେଳେ ଓଡ଼ିଶାରେ ୪୫ରୁ ୪୭ ପ୍ରତିଶତ ରହିଛି । ମେକ୍ ଇନ୍ ଓଡ଼ିଶା ୨୦୧୬ରେ ୮୪ ଶିଳ୍ପ ପାଇଁ ୨ ଲକ୍ଷ ୩୨ ହଜାର ୩୫ କୋଟିର ପୁଞ୍ଜିନିବେଶ ପ୍ରସ୍ତାବ ଆସିଥିବା ବେଳେ ୨୦୧୮ରେ ୨୦୨ଟି ଶିଳ୍ପ ପ୍ରସ୍ତାବ ଆସିଥିଲା । ଏଥିରେ ୪ ଲକ୍ଷ ୨୩ ହଜାର ୧୧୫ କୋଟିର ନିବେଶ ପ୍ରତିଶ୍ରୁତି ମିଳିଥିଲା। ମେକ୍ ଇନ୍ ଓଡ଼ିଶା ୨୦୨୨ ଜରିଆରେ ୭୪୧ ଶିଳ୍ପ ପାଇଁ ୧୦ ଲକ୍ଷ ୪୮ ହଜାର ୮୦୭ କୋଟି ନିବେଶ ପାଇଁ ପୁଞ୍ଜିପତି ଆଗେଇ ଆସିଥିଲେ । ଏସବୁ କାର୍ଯ୍ୟକାରୀ ହେଲେ ୧୦ ଲକ୍ଷ ୩୭ ହଜାର ୮୦୧ ନିଯୁକ୍ତି ସୃଷ୍ଟି ହେବ। ଡାଉନଷ୍ଟ୍ରିମ୍ ଇଣ୍ଡଷ୍ଟ୍ରି ପାଇଁ ମଧ୍ୟ ୩୬ଟି ଶିଳ୍ପ ସଂସ୍ଥା ସହ ଚୁକ୍ତି ହୋଇଛି ।

କେବଳ ଖଣିଜ ଭିତ୍ତିକ ଶିଳ୍ପ ନୁହେଁ କୃଷି, ବୟନ ଶିଳ୍ପ, ଆଇଟି ଓ ଆଇଟିଏସ୍, ପେଟ୍ରୋକେମିକାଲ ସେକ୍ଟରରେ ମଧ୍ୟ ପୁଞ୍ଜିନିବେଶରେ ରେକର୍ଡ କରିଛି ଓଡ଼ିଶା । ଏସବୁ କାରଣ ପାଇଁ ଜାତୀୟ ହାରଠାରୁ ଓଡ଼ିଶାର ଅଭିବୃଦ୍ଧି ହାର ଅନେକ ଉପରେ ରହିଛି ।

ଆହୁରି ୪ ଦିନ କଲବଲ କରିବ ତାତି, ୨୨ ତାରିଖ ପର୍ଯ୍ୟନ୍ତ ନାହିଁ ନିସ୍ତାର

ଭୁବନେଶ୍ୱର: ଆହୁରି ୪ ଦିନ ତାତି । ଆସନ୍ତା ୨୧ରୁ୨୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ ଗ୍ରୀଷ୍ମ ପ୍ରବାହ । ପଶ୍ଚିମ ଓଡ଼ିଶାରେ ପାରଦ ୪୫ ଡିଗ୍ରୀ ଛୁଇଁବା ନେଇ ଆଶଙ୍କା ରହିଥିବା ବେଳେ ଉପକୂଳ ଓଡ଼ିଶାକୁ ମିଳିବ ସମାନ୍ୟ ଆଶ୍ବସ୍ତି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ଘଡ଼ଘଡ଼ି ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଏହା ସହ ଉପକୂଳ ଓଡ଼ିଶାର ବାଲେଶ୍ବର, ଭଦ୍ରକ, ମୟୁରଭଞ୍ଜରେ ଜୋର ପବନ ବହିବାର ଆଶଙ୍କା ରହିଛି । ଗତ ୨୪ ଘଣ୍ଟା ପରି ଆଗାମୀ ୪ ଦିନ ମଧ୍ୟରେ କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ, କୋରାପୁଟ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଉପକୂଳ ଓଡ଼ିଶାରେ ବର୍ଷା ପ୍ରଭାବରେ ତାପମାତ୍ରା ସାମାନ୍ୟ କମ୍ ରହୁଥିବା ବେଳେ ପଶ୍ଚିମ ତଥା ଆଭ୍ୟନ୍ତରୀଣ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଅପରିବର୍ତ୍ତିତ ରହିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ବୁଲୁଛି 5T ଖଣ୍ଡା, ବୁଧବାର ଭିଜିଲାନ୍ସର ୩ଟି ବଡ଼ ଆକ୍ସନ

ଭୁବନେଶ୍ୱର: ବୁଲୁଛି 5T ଖଣ୍ଡା । ଦୁର୍ନୀତି ଖୋରଙ୍କୁ ନିସ୍ତାର ନାହିଁ ।  ବୁଧବାର ଭିଜିଲାନ୍ସର ୩ଟି ବଡ଼ ଆକ୍ସନ । କିଏ ସମ୍ପତ୍ତି ଠୂଳ କରିଥିଲା ତ ଆଉ କିଏ ଲାଞ୍ଚ ମାଗି ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଭଞ୍ଜନଗରର ଅତିରିକ୍ତ ଯୋଗାଣ ଅଧିକାରୀ ସଞ୍ଜୟ ସାହୁ । ଯୋଗାଣ ଅଧିକାରୀଙ୍କ ଟଙ୍କା ଯୋଗାଡ଼ । କିରାସିନି, ଡାଲି ଚାଉଳରୁ ଆତ୍ମସାତ କରୁଥିଲେ ଟଙ୍କା । ଗନ୍ଧ ବାରିଲା ଭିଜିଲାନ୍ସ, ଭୋରରୁ ପଡିଲା ରେଡ୍ । ପ୍ରାଇମ ଲୋକେସନରେ ଦାମୀ ଫ୍ଲାଟ । ଆୟବର୍ହିଭୂତ ସମ୍ପତ୍ତି ଠୂଳର ଚାଲିଛି ହିସାବ । ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୋରରୁ ଏକକାଳୀନ ରେଡ୍ କରିଥିଲା କଟକ ଭିଜିଲାନ୍ସ । ଭୁବନେଶ୍ବରରେ ୪ଟି ଜାଗା, ଭଞ୍ଜନଗରରେ ୨ଟି ସ୍ଥାନ ଅଫିସ ଓ ଭଡା ଘର ଓ ପୈତୃକ ବାସଭବନ ମୟୁରଭଞ୍ଜ ଜିଲ୍ଲାର ପାଣ୍ଡରାସିଲା । ଭୁବନେଶ୍ବର ପଟିଆ ଚନ୍ଦ୍ରଶେଖରପୁରରେ ଦୁଇଟି ୩ BHK ଫ୍ଲାଟ । ଚନ୍ଦ୍ରଶେଖପୁରରେ ଗୋଟିଏ ଘର, ଖୋର୍ଦ୍ଧା ଓ ନହରକଣ୍ଟାରେ ୩ଟି ପ୍ଳଟ୍ । ୧୬ ଲକ୍ଷ ୮୬ ହଜାର ଟଙ୍କାର ଇନ୍ୟୁରାନ୍ସ ପଲିସ୍, ବ୍ୟାଙ୍କ ଆକାଉଣ୍ଟ , ୨୦୦ ଗ୍ରାମ ସୁନା ଓ ଗୋଟିଏ କାର ଠାବ ହୋଇଛି । ଯୋଗାଣ ବିଭାଗର ଅଧିକାରୀ ଥିବା ବେଳେ ବିଭିନ୍ନ କଣ୍ଟ୍ରୋଲର ମାନଙ୍କଠାରୁ ମୋଟା ଅଙ୍କର କମିଶନ ନେଉଥିବା ଭିଜିଲାନ୍ସ ସନ୍ଦେହ କରୁଛି ।

ସେପଟେ କୋରାପୁଟ ଭିଜିଲାନ୍ସ ହାତରେ ବନ୍ଧୁଗାଁର ସିଡିପିଓ ନମିତା ରାଣୀ ପାଉଲ ଓ ସିନିୟର ରେଭିନ୍ୟୁ ଅଫିସର ଅଶ୍ବିନୀ ପ୍ରଧାନ । ଅଭିଯୋଗକାରୀଙ୍କ ଝିଅଙ୍କୁ ଅଙ୍ଗନବାଡି କର୍ମୀ ଭାବରେ ନିଯୁକ୍ତି ଦେବା ପାଇଁ କାଗଜପତ୍ର ଗ୍ରହଣ ବାବଦରେ ୪୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ରେଡ୍ କରି ଅଟକ ରଖି ତଦନ୍ତକାରୀ ଟିମ୍ । ସେହିଭଳି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ଅରୁଣ କୁମାର ନାୟକ ବାର୍ଦ୍ଧକ୍ୟ ଭତ୍ତା କରାଇଦେବାକୁ ୬ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ ହୋଇଛନ୍ତି । ଭତ୍ତା ପାଇଁ ଲାଞ୍ଚ ମାଗୁଥିବା ନେଇ ମଠସରସିଂ ପଞ୍ଚାୟତର ସମିତି ସଭ୍ୟା ପ୍ରତିନିଧି ଝଡିଆ ସ୍ବାଇଁ ବ୍ରହ୍ମପୁର ଭିଜିଲାନ୍ସ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ। ପୂର୍ବ ଯୋଜନା ଅନୁସାରେ ଲାଞ୍ଚ ଦେଉଥିବା ବେଳେ କାବୁ କରିବା ସହ ୬ ହଜାର ଟଙ୍କା ଜବତ କରିଥିଲା ଭିଜିଲାନ୍ସ । ଭିଜିଲାନ୍ସ ବିଭାଗ 5T ଅଧିନକୁ ଆସିବା ପରେ ୧୭୦ରୁ ଅଧିକାରୀଙ୍କ ଉପରେ ପଡ଼ିଛି ଛାଟ । ଏବେ ସ୍କାନରରେ ଅନେକ ଲାଞ୍ଚୁଆ ଅଫିସର ।

ବ୍ରହ୍ମପୁର ଆଇଟିଆଇ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ସୁଯୋଗ, ୫୫୦ ଛାତ୍ରଛାତ୍ରୀଙ୍କୁ ମିଳିଲା ନିଯୁକ୍ତି

ବ୍ରହ୍ମପୁର: ବ୍ରହ୍ମପୁର ଆଇଟିଆଇ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ସୁଯୋଗ । ଏକାଥରକେ ୫୫୦ ଛାତ୍ରଛାତ୍ରୀଙ୍କୁ ମିଳିଲା ନିଯୁକ୍ତି । ଜନସନ୍ ଲିଫ୍ଟ ଆଣ୍ଡ ଏସକେଲେଟର୍ସ ପ୍ରାଇଭେଟ୍ ଲିମିଟେଡରେ ନିଯୁକ୍ତି ମିଳିଛି । ପୁଣେ, ମୁମ୍ବାଇ, ବାଙ୍ଗାଲୋର, ଲକ୍ଷ୍ନୌ, ନଏଡା, ଗୁରୁଗାଓଁ, ଜୟପୁରରେ ଛାତ୍ରଛାତ୍ରୀଙ୍କୁ ଚାକିରି ମିଳିବ । ନିଯୁକ୍ତି ପ୍ରକ୍ରିୟାରେ ୧୦ ଜଣିଆ HR ଟିମ୍ ସାମିଲ ହୋଇଥିଲେ । ୨ ଦିନ ଧରି ଚାଲିଥିଲା କ୍ୟାମ୍ପସ ଡ୍ରାଇଭରେ ୭୨୦ ଛାତ୍ରଛାତ୍ରୀ ନିଯୁକ୍ତି ପ୍ରକ୍ରିୟାରେ ଭାଗ ନେଇଥିବାବେଳେ ସେମାନଙ୍କ ମଧ୍ୟରୁ ୫୫୦ ଜଣଙ୍କୁ ନିଯୁକ୍ତି ମିଳିଛି ।

ଦୁବାଇରୁ ଫେରିଲେ ଓଡ଼ିଆ ପ୍ରତିନିଧିମଣ୍ଡଳୀ, ଦୁବାଇରେ ଭୁବନେଶ୍ବରର ନାଁ କଲା ଗୌରବାନ୍ବିତ

ଭୁବନେଶ୍ୱର: ଦୁବାଇରେ ଓଡ଼ିଶା ଦିବସ ପାଳନ କରି ଫେରିଲେ ଓଡ଼ିଆ ପ୍ରତିନିଧିମଣ୍ଡଳୀ । ସିଧାସଳଖ ଦୁବାଇ ଯାଇ ଫେରିଥିବାରୁ ସମସ୍ତେ ଖୁସି ପ୍ରକାଶ କରିଛନ୍ତି । ଏଥିପାଇଁ ସମସ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି । ଓଡ଼ିଶା ଦିବସ ପାଳନର ଖୁସିକୁ ଗଣମାଧ୍ୟମ ଆଗରେ ବ୍ୟକ୍ତ କରିଛନ୍ତି । ଦୁବାଇରେ ଭୁବନେଶ୍ବରର ନାଁ ଲେଖାହେବା ସମସ୍ତଙ୍କୁ ଗୌରବାନ୍ବିତ କରିଛି । ଓଡ଼ିଶା ଉତ୍ସବ ସମସ୍ତଙ୍କୁ ଖୁସି ଅନୁଭବ ଦେଇଛି । ଘଣ୍ଟାଘଣ୍ଟା ଅପେକ୍ଷା କରିବା ବଦଳରେ ୪ ଘଣ୍ଟାରେ ଦୁବାଇକୁ ଯିବାର ସ୍ବପ୍ନ ସତ ହୋଇଛି । ଏହା ମାଧ୍ୟମରେ ଓଡ଼ିଶା ପର୍ଯ୍ୟଟନର ବିକାଶ ପାଇଁ ଉଦ୍ୟମ କରାଯାଉଛି । ନିବେଶକଙ୍କ ସହିତ ମଧ୍ୟ ଆଲୋଚନା ହୋଇଛି । ଓଡ଼ିଶା ଦିବସ ଉତ୍ସବରେ ପାଖାପାଖି ୧୩ ଶହରୁ ଅଧିକ ଲୋକ ଯୋଗଦେଇଥିଲେ । ଏଥିପାଇଁ ସମସ୍ତେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ସେପଟେ ତିନି ଦିନିଆ ଯାତ୍ରା ସାରି ଦୁବାଇରୁ ଫେରି ନିଜର ଅନୁଭୂତି ବଖାଣିଛନ୍ତି ମିଶନ ଶକ୍ତି ସଦସ୍ୟା । ଦୁବାଇ ବୁଲିବା ସହ ବିଶ୍ବସ୍ତରୀୟ ଅନୁଭୂତି ମିଳିଛି । ଦୁବାଇ ଗସ୍ତରେ ସେମାନଙ୍କ ପାଇଁ ସବୁକିଛି ସରପ୍ରାଇଜ ଥିଲା । ନିଜ ହାତ ତିଆରି ସାମଗ୍ରୀର ବ୍ରାଣ୍ଡିଂ ନେଇ ଶିଖିଛନ୍ତି ନୂଆ ନୂଆ ଉପାୟ । ଦୁବାଇ ଛାଡିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଏସଏଚଜି ମହିଳା ଓ ସେମାନଙ୍କ ପରିବାର ପାଇଁ ସ୍ବତନ୍ତ୍ର ଉପହାର କିଣି ଦେଇଛନ୍ତି । ଉପହାର ସ୍ବରୂପ ଚକୋଲେଟ୍ ଓ ଖଜୁରୀ କୋଳି ଦିଆଯାଇଛି । ଗାଁ ପରିବେଶରେ ସମୟ କାଟୁଥିବା ମହିଳାଙ୍କୁ ଆଣି ବିଦେଶ ବୁଲାଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । କ୍ରୀଡ଼ାବିତ ଓ ଛାତ୍ରଛାତ୍ରୀମାନେ ମଧ୍ୟ ବେଶ୍ ଖୁସି ପ୍ରକାଶ କରିଛନ୍ତି । ଦେଖିନଥିବା ସ୍ବପ୍ନକୁ ସତ କରିଛନ୍ତି ମୁଖ୍ୟମନ୍ତ୍ରୀ । କେବେ ବିମାନରେ ବସିନଥିବା ଲୋକଙ୍କୁ ଦୁବାଇକୁ ନେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ସମସ୍ତେ କୃତଜ୍ଞତା ଜଣାଇଛନ୍ତି । ଗତ ୧୫ ତାରିଖରେ ଭୁବନେଶ୍ବରରୁ ଦୁବାଇକୁ ଆରମ୍ଭ ହୋଇଥିଲା ସିଧାସଳଖ ବିମାନ ସେବା । ପ୍ରଥମ ଦିନରେ ରାଜ୍ୟ ସରକାରଙ୍କ ଟିମ୍ ସହିତ ଛାତ୍ରଛାତ୍ରୀ, ଏସଏଚଜି ମହିଳା, କ୍ରୀଡାବିତଙ୍କୁ ମିଶାଇ ୧୭୦ ଜଣ ଦୁବାଇ ଗସ୍ତ କରିଥିଲେ । ଗତକାଲି ସେଠାରେ ମହାସମାରୋହରେ ଓଡ଼ିଶା ଦିବସ ପାଳନ କରାଯାଇଥିଲା ।

ନନ୍ଦିଘୋଷ ଟିଭି କନ୍ଧମାଳ ଜିଲ୍ଲା ରାଇକିଆ ପ୍ରତିନିଧିଙ୍କ ପରଲୋକ, ୩୭ ବର୍ଷ ବୟସରେ କଟକ ଏସସିବିରେ ମୃତ୍ୟୁ

କଟକ: ଆରପାରିରେ ନନ୍ଦିଘୋଷ ଟିଭିର ରାଇକିଆ ପ୍ରତିନିଧି କୁନାଲ ବେହେରା । ମାତ୍ର ୩୭ ବର୍ଷ ବୟସରେ ହୃଦଘାତରେ ପ୍ରାଣ ହରାଇଛନ୍ତି କନ୍ଧମାଳ ଜିଲ୍ଲା ରାଇକିଆର କୁନାଲ ବେହେରା । ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଘରେ କୁନାଲଙ୍କ ପତ୍ନୀ ଓ ୫ ମାସର ଶିଶୁପୁତ୍ର ରହିଛନ୍ତି । ଭୁବନେଶ୍ବରରେ ସାମ୍ବାଦିକତା ଶିକ୍ଷା ପରେ ନନ୍ଦିଘୋଷ ଟିଭିରେ ଯୋଗଦେଇଥିଲେ କୁନାଲ । ସାମ୍ବାଦିକତା ମାଧ୍ୟମରେ ତୃଣମୂଳସ୍ତରରୁ ଖବର ସଂଗ୍ରହ କରୁଥିଲେ । ନିଜର ଦକ୍ଷତା ପ୍ରତିପାଦିତ କରି ଅନେକ ସ୍ଥାନରେ ପ୍ରଶଂସା ସାଉଁଟିଛନ୍ତି କୁନାଲ ।

ଓଡ଼ିଆ ପୁଅ ଆନ୍ଧ୍ରରେ ଟପ୍ପର, ୬୦୦ ମାର୍କରୁ ୫୯୪ ମାର୍କ ରଖିଲେ ଓଡ଼ିଆ ପୁଅ ମିଟୁ ମହାପାତ୍ର

ଗଜପତି: ଓଡ଼ିଆ ପୁଅ ଆନ୍ଧ୍ରରେ ଟପ୍ପର। ଚଳିତ CBSE ଫଳାଫଳରେ ଏହି କୃତିତ୍ବ ହାସଲ କରିଛନ୍ତି ଆନ୍ଧ୍ରରେ ରହୁଥିବା ଓଡ଼ିଆ ପରିବାରର ମିଟୁ ମହାପାତ୍ର। ଓଡ଼ିଶା ସୀମାବର୍ତ୍ତୀ ଆନ୍ଧ୍ର ପ୍ରଦେଶର ପୁରୁଣା ପାଟଣା ସରକାରୀ ଉଚ୍ଚ ବିଦ୍ୟାଳୟରୁ ଓଡ଼ିଆ ମାଧ୍ୟମରେ ଦଶମ ଶ୍ରେଣୀରେ ପଢୁଥିଲେ ମିଟୁ। ଜଣେ ଗରିବ ପରିବାରର ପୁଅ ହୋଇ ସୁଦ୍ଧା ଅନ୍ୟମାନଙ୍କୁ ପଛରେ ପକାଇ ମୋଟ ୬୦୦ ମାର୍କ ରୁ ୫୯୪ ମାର୍କ ରଖି ଆନ୍ଧ୍ର ପ୍ରଦେଶର ଟପ୍ପର ଭାବେ ବିବେଚିତ ହୋଇଛନ୍ତି ।

ଓଡ଼ିଶା ସୀମାବର୍ତ୍ତୀ ଆନ୍ଧ୍ର ପ୍ରଦେଶର ପୁରୁଣା ପାଟଣାଠାରେ ରହନ୍ତି ମିଟୁର ପରିବାର। ସେଠାରେ ଏକ ସାଇକେଲ ଟାୟାର ମରାମତି ଦୋକାନ କରି ଗୁଜୁରାଣ ମେଣ୍ଟାଇଥାନ୍ତି ବାପା ଦୁର୍ଗା ପ୍ରସାଦ ମହାପାତ୍ର । ପରିବାରର ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ନଥିବା ସତ୍ତ୍ୱେ ନିଜର ମେଧାବୀ ତଥା ଅଧ୍ୟବସାୟ ବଳରେ ପାଠ ପଢ଼ି ଏହି ସଫଳତା ହାସଲ କରିଛନ୍ତି ମିଟୁ। ସେଥିପାଇଁ ଆନ୍ଧ୍ର ପ୍ରଦେଶର ଶିକ୍ଷା ବିଭାଗ ପକ୍ଷରୁ ସମ୍ମାନିତ ହୋଇଛନ୍ତି । ତାଙ୍କର ଏହି ସଫଳତାର ଖବର ପ୍ରସାରିତ ହେବା ପରେ ସୀମାବର୍ତ୍ତୀ ଓଡ଼ିଶାର ବିଭିନ୍ନ ସ୍ଥାନରୁ ଶୁଭେଚ୍ଛାର ସୁଅ ଛୁଟିଛି। ଜଣେ ଓଡ଼ିଆ ପୁଅର ଏହି ସଫଳତା ପାଇଁ ଆନ୍ଧ୍ରରେ ରହୁଥିଲେ ମଧ୍ୟ କେଉଁଠି ନା କେଉଁଠି ଓଡ଼ିଆ ପୁଅ ବୋଲି ଗର୍ବିତ ହେଉଛନ୍ତି ଅଞ୍ଚଳର ଓଡ଼ିଆ ଲୋକେ।

 

ନଉଁଛି ଉତ୍ତରାଖଣ୍ଡ ରୁଦ୍ରପ୍ରୟାଗ ପ୍ରାଚୀନ ତୁଙ୍ଗନାଥ ମନ୍ଦିର, ୫ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ନଇଁଥିବା ସୂଚନା

ଡେରାଡୁନ୍: ନଉଁଛି ଉତ୍ତରାଖଣ୍ଡ ରୁଦ୍ରପ୍ରୟାଗ ଜିଲ୍ଲାରେ ୧୨ ହଜାର ୮ ଶହ ଫୁଟ୍ ଉଚ୍ଚତାରେ ଥିବା ତୁଙ୍ଗନାଥ ମନ୍ଦିର। ଏଏସଆଇ ପକ୍ଷରୁ କରାଯାଇଥିବା ସର୍ଭେରେ ମନ୍ଦିର ୫ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ନଇଁଥିବା ଜଣାପଡ଼ିଛି । ଏପରିକି ମନ୍ଦିର ପରିସରରେ ଥିବା ମୂର୍ତ୍ତି ଓ ଛୋଟ ମନ୍ଦିର ୧୦ ଡିଗ୍ରୀ ଯାଏଁ ନଇଁଛି । କେନ୍ଦ୍ର ସରକାରଙ୍କୁ ଏନେଇ ଏଏସଆଇ ପକ୍ଷରୁ ତଥ୍ୟ ଦିଆଯାଇଛି । ଏଥିସହ ଏହାକୁ ସଂରକ୍ଷିତ ଐତିହ୍ୟ ଭାବେ ସାମିଲ କରିବାକୁ ପରାମର୍ଶ ଦିଆଯାଇଛି ।

ମନ୍ଦିର ନଇଁବା ପଛର କାରଣ ଜାଣିବା ସହ ଏହାର ମରାମତି କରିବାକୁ ଉଦ୍ୟମ କରିବ ଏଏସଆଇ । ଏଥିସହ ମନ୍ଦିର ତଳ ମାଟି ଧସିବା ଆଶଙ୍କା ନେଇ ମଧ୍ୟ ଅନୁଧ୍ଯାନ କରାଯିବ। ବିଶ୍ବର ସର୍ବାଧିକ ଉଚ୍ଚତାରେ ଥିବା ଶିବ ମନ୍ଦିର ହେଉଛି ତୁଙ୍ଗନାଥ ମନ୍ଦିର । ଅଷ୍ଟମ ଶତାବ୍ଦୀରେ ମନ୍ଦିର ନିର୍ମାଣ କରାଯାଇଥିଲା।

ମୌଲବୀ ଅବଦୁଲ କାବିର ହେଲେ ଆଫଗାନିସ୍ତାନର କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ମୌଲବୀ ଅବଦୁଲ କାବିର ହେଲେ ଆଫଗାନିସ୍ତାନର କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ । ହୈବାତୁଲ୍ଲା ଅଖୁନ୍ଦଜାଦାଙ୍କ ଅସୁସ୍ଥତା କାରଣରୁ କାବିରଙ୍କୁ ଏହି ଦାୟିତ୍ବ ଦେଇଛି ତାଲିବାନ । ଆମେରିକା ଓ ତାଲିବାନ ମଧ୍ୟରେ ବୁଝାମଣା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ କାବିର । ଏହି ମଧ୍ୟସ୍ଥତା କାରଣରୁ ସମ୍ଭବ ହୋଇଥିଲା ଦୋହା ରାଜିନାମା । କାବିରଙ୍କୁ ନିଯୁକ୍ତି ଦେଇଛନ୍ତି ପ୍ରଧାନମନ୍ତ୍ରୀ ଅଖୁନ୍ଦଜାଦା । ଦୀର୍ଘ ଦିନ ଧରି ଅଖୁନ୍ଦଜାଦା ହୃଦରୋଗରେ ପୀଡିତ ଅଛନ୍ତି ।