ହିଂସାଗ୍ରସ୍ତ ରାଜ୍ୟରେ ସେନାକୁ ନେଇ ବିବାଦ, ମଣିପୁରରୁ ଆସାମ ରାଇଫଲ୍ସ ପ୍ରତ୍ୟାହାର ପାଇଁ ମିତେଇ ବିଧାୟକଙ୍କ ଦାବି

1 min read

ଇମ୍ଫାଲ: ମଣିପୁରରେ ଆସାମ ରାଇଫଲ୍ସକୁ ନେଇ ପୁଣି ବିବାଦ । ମୁହାଁମୁହିଁ ହୋଇଛନ୍ତି ମିତେଇ-କୁକୀ ସମ୍ପ୍ରଦାୟ । ସାମ୍ପ୍ରଦାୟିକ ହିଂସାକୁ ନେଇ ମଣିପୁର ଜଳୁଥିବା ବେଳେ ସୁରକ୍ଷା ଦାୟିତ୍ବରେ ଥିବା ଆସାମ ରାଇଫଲ୍ସକୁ ନେଇ ଦୁଇ ସମ୍ପ୍ରଦାୟର ବିଧାୟକ ପିଏମଓକୁ ଭିନ୍ନ ଦାବି ଜଣାଇଛନ୍ତି । ୪୦ ବିଧାନସଭା ଆସନ ବିଶିଷ୍ଟ ମଣିପୁରରେ ଅଧିକାଂଶ ମିତେଇ ସମ୍ପ୍ରଦାୟର ହୋଇଥିବା ବେଳେ ରାଜ୍ୟରୁ ଆସାମ ରାଇଫଲ୍ସ ପ୍ରତ୍ୟାହାର କରିବାକୁ ଦାବି ଜଣାଇଛନ୍ତି । ରାଜ୍ୟରେ ଶାନ୍ତି, ନିରାପତ୍ତା ଓ ସ୍ଥିରତା ଫେରାଇ ଆଣିବା ନିମନ୍ତେ ରାଜ୍ୟ ପୋଲିସ ଫୋର୍ସ ସକ୍ଷମ ବୋଲି ସେମାନେ ପତ୍ରରେ ଉଲ୍ଲେଖ କରିଛନ୍ତି ମିତେଇ ସମ୍ପ୍ରଦାୟର ବିଧାୟକ । କିନ୍ତୁ କୁକୀ ସମ୍ପ୍ରଦାୟ ଏହାକୁ ବିରୋଧ କରିଛନ୍ତି । କୁକୀ ସମ୍ପ୍ରଦାୟର ୧୦ ବିଧାୟକ ପ୍ରଧାନମନ୍ତ୍ରୀଙ୍କୁ ଦେଇଥିବା ସ୍ମାରକପତ୍ରରେ କହିଛନ୍ତି ଯେ, ମଣିପୁରରେ ଆସାମ ରାଇଫଲ୍ସ ନିଜ କାମ ଉପରେ ଗୁରୁତ୍ୱ ଦେଉଛି । ତେଣୁ ଆମ ସୁରକ୍ଷା ପାଇଁ ଏହି ଫୋର୍ସକୁ ଆମ ରାଜ୍ୟରୁ ହଟାନ୍ତୁ ନାହିଁ। ଏଥିସହ ରାଜ୍ୟର ପୋଲିସ ଫୋର୍ସର ନିୟନ୍ତ୍ରଣ କ୍ଷମତାକୁ ହ୍ରାସ କରିବାକୁ ସେମାନେ ଦାବି କରିଛନ୍ତି ।

ହିଂସାଗ୍ରସ୍ତ ରାଜ୍ୟରେ ଆଦିବାସୀଙ୍କ ସୁରକ୍ଷା ପାଇଁ ଆସାମ ରାଇଫଲ୍ସ ସେନାଙ୍କ ଉପସ୍ଥିତି ନିହାତି ଆବଶ୍ୟକ । ଏଥିସହ ରାଜ୍ୟରେ ଶାନ୍ତି ଫେରାଇ ଆଣିବା ପାଇଁ କେନ୍ଦ୍ରୀୟ ପାରାମିଲିଟାରୀ ଦ୍ୱାରା ହୋଇଥିବା ବଫର୍ ଜୋନ୍ ଉଲ୍ଲଂଘନ ନକରିବାକୁ ନି ରାଜ୍ୟର ପୋଲିସ ଫୋର୍ସକୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଛନ୍ତି କୁକୀ ବିଧାୟକ । ରାଜ୍ୟରୁ ଆସାମ ରାଇଫଲ୍ସକୁ ହଟାଇବାକୁ ସେନା ନାଁରେ ମିଥ୍ୟା ମାମଲା ରୁଜୁ କରୁଛି ପୋଲିସ । ଏଭଳି ମାମଲା ରୁଜୁ କରି ଅଶାନ୍ତ ରାଜ୍ୟରୁ ଆସାମ ରାଇଫଲ୍ସକୁ ହଟାଇବାକୁ ଚେଷ୍ଟା କରାଯାଉଛି । ମେ ମାସ ଆରମ୍ଭରୁ ମଣିପୁରରେ ମିତେଇ ଓ କୁକୀ ସମ୍ପ୍ରଦାୟ ମଧ୍ୟରେ ହିଂସାତ୍ମକ ଘଟଣା ଯୋଗୁ ସମଗ୍ର ରାଜ୍ୟ ଜଳି ଉଠିଥିଲା । ବହୁ ସମ୍ପତ୍ତି ଭସ୍ମ ହୋଇଯାଇଥିବା ବେଳେ ଶତାଧିକ ନୀରିହ ଲୋକଙ୍କ ଜୀବନ ଯାଇଛି । ଅଶାନ୍ତ ମଣିପୁରକୁ ନିୟନ୍ତ୍ରଣକୁ ଆଣିବାକୁ ଆସାମ ରାଇଫଲ୍ସ ସମେତ ଦେଶର ଅନ୍ୟ କେନ୍ଦ୍ରୀୟ ସୁରକ୍ଷା ବଳକୁ ମଧ୍ୟ ସେଠାକୁ ପଠା ଯାଇଥିଲା ।