ରବିବାର ସିଢୁଆ ନଦୀକୁ ଛୁଆକୁ ଧରି ବାପା ଡେଇଁଥିଲେ, ସକାଳୁ ପୁଣି ସର୍ଚ୍ଚ ଅପରେସନ ଆରମ୍ଭ

କଟକ: ସଦର ବ୍ଲକ ସିଢୁଆ ନଦୀକୁ ଛୁଆକୁ ଧରି ବାପା ଡେଇଁବା ଘଟଣା । ଏଯାଏ ମିଳିନି ନିଖୋଜ ବାପା ପ୍ରକାଶ ପ୍ରଧାନଙ୍କ ପତ୍ତା । ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ତାଙ୍କୁ ଖୋଜାଖୋଜି କରିବା ପରେ ମଧ୍ୟ ଅଗ୍ନିଶମ ବାହିନୀ ତାଙ୍କରୁ ପାଇନଥିଲା । ଆଜି ସକାଳୁ ପୁଣି ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି । ଗତକାଲି ୯ ମାସର ଶିଶୁ କନ୍ୟାକୁ ଧରି ନଦୀକୁ ଡେଇଁବା ସମୟରେ ଶିଶୁଟିକୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ସ୍ଥାନୀୟ ଲୋକ । ଶିଶୁଟିର ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି ।

ନିଖୋଜ ପ୍ରକାଶ ପ୍ରଧାନ କଟକ କନ୍ଦରପୁର ଅଞ୍ଚଳର । ଦେଢ ବର୍ଷ ହେବ ପାରିବାରିକ କଳହରୁ ପ୍ରକାଶଙ୍କ ସ୍ତ୍ରୀ ଦୁଇ ଝିଅ ସହ ବାପଘରେ ରହୁଥିଲେ । ପ୍ରକାଶ ଗତକାଲି ଘରେ ସ୍ତ୍ରୀଙ୍କୁ ବୁଝାସୁଝା କରି ନଅ ମାସର ସାନ ଝିଅକୁ ଧରି ବୁଲିବାକୁ ବାହାରିଥିଲେ । ମନ୍ଦିର ବୁଲିବା ବାହାନାରେ ନଦୀ କୂଳରେ ଫଟୋ ଉଠାଇବାକୁ କହି ସ୍ତ୍ରୀ ଓ ଛୁଆକୁ ନେଇ ଯାଇଥିଲେ ।

ହଠାତ ଶିଶୁ କନ୍ୟାକୁ ଧରି ନଦୀକୁ ଢେଇଁ ପଡିବାକୁ ଉଦ୍ୟମ କରିଥିଲେ । ଏହି ସମୟରେ ସ୍ତ୍ରୀ ବାରଣ କରିବା ସହିତ ପାଟି କରି ଆଖପାଖ ଲୋକଙ୍କୁ ଡାକିଥିଲେ। ଲୋକମାନେ ଆସିବା ଦେଖି ଛୁଆକୁ ଧରି ପାଣିକୁ ଡେଇଁ ପଡିଥିଲେ ପ୍ରକାଶ । ହାତରୁ ଛୁଆଟି ଖସିଯିବାରୁ ତାକୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ସ୍ଥାନୀୟ ଲୋକ ।