spot_img
Home Blog Page 3106

କାଲିଠୁ ବଦଳାଇହେବ ୨ ହଜାର ଟଙ୍କିଆ ନୋଟ, ବ୍ୟାଙ୍କରେ ଭିଡ଼ ନ କରିବାକୁ କହିଲେ RBI ଗଭର୍ଣ୍ଣର

ନୂଆଦିଲ୍ଲୀ: ବଜାରରୁ ଫେରିବ ୨ ହଜାର ଟଙ୍କିଆ ନୋଟ । କିନ୍ତୁ ବୈଧ ରହିବ ନୋଟ । ଗ୍ରାହକଙ୍କଠାରୁ ୨ହଜାର ଟଙ୍କିଆ ନୋଟ ଗ୍ରହଣ କରିବାକୁ ଦୋକାନୀ ମନା କରିପାରିବେ ନାହିଁ । ୨ହଜାର ଟଙ୍କିଆ ନୋଟ ବନ୍ଦ କରାଯିବା କରେନ୍ସି ମ୍ୟାନେଜମେଣ୍ଟର ଏକ ପ୍ରକ୍ରିୟା ବୋଲି କହିଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ।

ନୋଟ ବଦଳାଇବା ପାଇଁ ୪ ମାସ ସମୟ ଅଛି । ବ୍ୟାଙ୍କରେ ଭିଡ଼ ନକରି ନିଜ ସମୟ ହିସାବରେ ନୋଟ ବଦଳାଇବାକୁ ଗଭର୍ଣ୍ଣର ପରାମର୍ଶ ଦେଇଛନ୍ତି । ୨ହଜାର ଟଙ୍କିଆ ନୋଟର ସର୍କୁଲେସନ ୫୦ପ୍ରତିଶତରୁ କମ୍ ହୋଇଯିବା ପରେ ଏହାର ପ୍ରିଣ୍ଟିଂରେ ରୋକ ଲଗାଇ ଦିଆଯାଇଥିଲା ବୋଲି ସେ କହିଛନ୍ତି ।

ଆଗକୁ ବ୍ୟାଙ୍କ ଗୁଡିକ ଆଉ ଦୁଇ ହଜାର ଟଙ୍କିଆ ନୋଟ ଇସ୍ୟୁ କରିବେ ନାହିଁ । ସେଥିପାଇଁ ଆରବିଆଇ ପକ୍ଷରୁ ବ୍ୟାଙ୍କଗୁଡ଼ିକୁ ସ୍ବତନ୍ତ୍ର ଗାଇଡଲାଇନ ଜାରି କରାଯାଇଛି । ମେ ୨୩ ତାରିଖ ଅର୍ଥାତ ଆସନ୍ତାକାଲିଠାରୁ ବ୍ୟାଙ୍କରେ ଟଙ୍କା ଏକ୍ସଚେଞ୍ଜ କରିପାରିବେ ।

ଚାଷୀଙ୍କୁ ବିନାସୁଧରେ ଦିଆଯାଉଛି ଋଣ, ଉପକୃତ ହେଉଛନ୍ତି ୩୨ ଲକ୍ଷରୁ ଅଧିକ ଚାଷୀ

ଭୁବନେଶ୍ବର: ଚାଷୀଙ୍କୁ ଦିଆଯାଉଛି ଶୂନ୍ୟ ପ୍ରତିଶତ ସୁଧରେ ଋଣ। ଉପକୃତ ହେଉଛନ୍ତି ୩୨ ଲକ୍ଷରୁ ଅଧିକ ଚାଷୀ। ଫସଲ ବୀମାରେ ପ୍ରିମିୟମ ଭରିବେ ରାଜ୍ୟ ସରକାର। ଚଳିତ ଖରିଫ ଧାନକିଣାରେ ଦେବେ ଅର୍ଥରାଶି। ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ପ୍ରେସମିଟରେ ଏନେଇ ସୂଚନା ଦେଇଛନ୍ତି।

ସମବାୟ ଓ ଖାଦ୍ୟ ଯୋଗାଣ ବିଭାଗର ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିର୍ବାଚନ ଇସ୍ତାହାରରେ ଖାଦ୍ୟ ସୁରକ୍ଷା ଯୋଜନାରେ ସମସ୍ତଙ୍କୁ ଅନ୍ତର୍ଭୁକ୍ତ କରିବା ଲକ୍ଷ୍ୟ ଥିଲା। ରାଜ୍ୟ ଖାଦ୍ୟ ସୁରକ୍ଷାରେ ଅତିରିକ୍ତ ୧୦ଲକ୍ଷ ହିତାଧିକାରୀଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି। ଭାରତ ସରକାର ଓ ୱାର୍ଲ୍ଡ ଫୁଡ ପୋଗ୍ରାମ ମଧ୍ୟ ବିଭାଗକୁ ପ୍ରଂଶସା କରିଛି।

ସମସ୍ତ ୩୦ଜିଲ୍ଲାରେ ଭିଟାମିନଯୁକ୍ତ ଚାଉଳ ଦିଆଯାଉଛି। ୭୦ପ୍ରତିଶତ ପିଡିଏସ ବଣ୍ଟନ ଏସଏଚଜି ଓ ପଞ୍ଚାୟତ ଦ୍ୱାରା କରାଯାଉଛି। ମହିଳା ଏସଏଚଜିଙ୍କୁ ବିଭିନ୍ନ କ୍ଷେତ୍ରରେ ନିୟୋଜିତ କରାଯାଉଛି। ଧାନସଂଗ୍ରହ ବ୍ୟବସ୍ଥାରେ ମାର୍ଜିନାଲ ଓ ସ୍ମଲ ଫାର୍ମରଙ୍କୁ ଆଣିବାକୁ ଲକ୍ଷ୍ୟ ଥିଲା। ପ୍ୟାକ୍ସଗୁଡିକୁ କମ୍ପ୍ୟୁଟରୀକରଣ କରାଯାଇଛି। ଚାଷୀଙ୍କ ନିକଟରେ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ପହଞ୍ଚାଇବାକୁ ବ୍ୟବସ୍ଥା ହୋଇଛି। ଫସଲ ବୀମା ଯୋଜନାରେ ଖରିଫ ଧାନ କିଣାରେ ଚାଷୀଙ୍କ ପ୍ରିମିୟମ ରାଜ୍ୟ ସରକାର ବହନ କରିବେ। ନିର୍ବାଚନୀ ଇସ୍ତାହାରରେ ଥିବା ଅନେକ ପ୍ରତିଶ୍ରୁତି ପୂରଣ ହୋଇଥିବା ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି।

ଆଜିଠୁ ଜାମ୍ମୁ-କାଶ୍ମୀରରେ ଜି-୨୦ ସମ୍ମିଳନୀର ତୃତୀୟ ଟୁରିଜିମ ଓ୍ବାର୍କସପ୍, ପହଞ୍ଚିଲେ ୬୦ ଜଣ ଡେଲିଗେଟସ

ଜାମ୍ମୁ-କାଶ୍ମୀର: ଆଜିଠୁ ଜାମ୍ମୁ-କାଶ୍ମୀରରେ ଜି-୨୦ ସମ୍ମିଳନୀର ତୃତୀୟ ଟୁରିଜିମ ଓ୍ବାର୍କସପ୍ । ଶ୍ରୀନଗରରେ ଆୟୋଜିତ ହୋଇଥିବା ଏହି ଓ୍ବାର୍କସପରେ ସାମିଲ ହେବାକୁ ଜି-୨୦ ରାଷ୍ଟ୍ରସମୁହର ପ୍ରାୟ ୬୦ ଜଣ ଡେଲିଗେଟସ ପହଞ୍ଚିଛନ୍ତି । ବୈଠକ ଯୋଗୁ ପୁରା ଶ୍ରୀନଗରର ସୁରକ୍ଷା ଛାଉଣୀରେ ରହିଛି । ମେରାଇନ କମାଣ୍ଡୋଜ, ଏନଏସଜିର ଏକାଧିକ ଟିମ୍ ସୁରକ୍ଷା ବ୍ୟବସ୍ଥାରେ ନିୟୋଜିତ ହୋଇଛନ୍ତି ।

ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ଆଣ୍ଟିଡ୍ରୋନ ୟୁନିଟ ଓ ନ୍ୟାସନାଲ ସିକ୍ୟୁରିଟି ଗାର୍ଡ ଟିମକୁ ମୁତୟନ କରାଯାଇଛି । ଜି-୨୦ ସମ୍ମିଳନୀରେ ଆତଙ୍କବାଦୀ ହମଲା ହେବା ଆଶଙ୍କା ରହିଥିବାରୁ ହଜାର ହଜାର ସଂଖ୍ୟାରେ ସେନା ଯବାନ ଆର୍ମି, ବିଏସଏଫ, ସିଆରପିଏଫ, ଏସଏସବି, ଜାମ୍ମୁ-କାଶ୍ମୀର ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ଲାଲ ଚୌକର ଦୋକାନୀମାନଙ୍କୁ ସ୍ପେଶାଲ ପାସ୍ ଦିଆଯାଇଥିବା ବେଳେ ଗାଡ଼ିମୋଟର ଚାଳନାକୁ ନେଇ ସ୍ବତନ୍ତ୍ର ଆଡଭାଇଜରୀ ଜାରି କରାଯାଇଛି ।  ସେର-ଏ-କାଶ୍ମୀର ଇଣ୍ଟରନ୍ୟାସନାଲ କନଭେନସନ ସେଣ୍ଟରରେ ଏହି ଆନ୍ତର୍ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହେଉଥିବା ବେଳେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

ଚଳିତବର୍ଷ ଭାରତ ଜି-୨୦ ସମ୍ମିଟର ଆୟୋଜକ ହୋଇଥିବା ବେଳେ ଦେଶର ବିଭିନ୍ନ ସ୍ଥାନରେ ୧୧୮ଟି ମିଟିଂ ଅନୁଷ୍ଠିତ ହେବ । ପୂର୍ବରୁ ଦୁଇଟି ଟୁରିଜିମ ଓ୍ବାର୍କସପ ହୋଇଥିଲେ ବି ଶ୍ରୀନଗରରେ ଅଧିକ ସଦସ୍ୟ ସାମିଲ ହୋଇଛନ୍ତି ବୋଲି ଜି-୨୦ ସମ୍ମିଳନୀର ମୁଖ୍ୟ ସଂଯୋଜକ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା କହିଛନ୍ତି । ଶ୍ରୀନଗରରେ ଜି-୨୦ ବୈଠକକୁ ଚୀନ ବିରୋଧ କରିଥିବା ବେଳେ ତୁର୍କୀ ଏହି ବୈଠକରୁ ଦୂରରେ ରହିବାକୁ ନିଷ୍ପତ୍ତି ନେଇଛି ।

ଅଗ୍ନିଶମ ଡିଜି ଭାବେ ଦାୟିତ୍ବ ଗ୍ରହଣ କଲେ ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ

କଟକ: ଦାୟିତ୍ବ ନେଲେ ନୂଆ ଫାୟାର ଡିଜି । ରାଜ୍ୟ ଅଗ୍ନିଶମ ଓ ଜରୁରୀକାଳୀନ ସେବା ସଂସ୍ଥା ମହାନିର୍ଦ୍ଦେଶକ ଭାବେ ଦାୟିତ୍ବ ଗ୍ରହଣ କଲେ ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ । ୧୯୯୦ ବ୍ୟାଚର ବରିଷ୍ଠ ଆଇପିଏସ ଅଫିସର ଡ଼ ସୁଧାଂଶୁ ଷଡଙ୍ଗୀ । ଦାୟିତ୍ବ ଗ୍ରହଣ କରିବା ପରେ କୌଣସି ସଂଗଠନର ବିକାଶ ଓ ପରିଚୟ ଏକ କ୍ରମାଗତ ପ୍ରକିୟା ବୋଲି ସେ କହିଛନ୍ତି ।

୨୦୦୦ ମସିହା ବେଳକୁ ରାଜ୍ୟରେ ମାତ୍ର  ୧୧୨ ଟି ଅଗ୍ନିଶମ କେନ୍ଦ୍ର ଥିଲା। ବର୍ତ୍ତମାନ ଏହା ତିନିଗୁଣ ବୃଦ୍ଧି ପାଇ ୩୪୫ ରେ ପହଞ୍ଚିଛି। ଅତୀତରେ ରାଜ୍ୟ ଅଗ୍ନିଶମ କର୍ମଚାରୀ ମାନେ ବାହାର ରାଜ୍ୟଗୁଡିକରେ ଭଲ କାମ କରି ପ୍ରଶଂସା ପାଇଛନ୍ତି। ରାଜ୍ୟରେ ଚାଳ ଛପର ଘର ସଂଖ୍ୟା କମୁଛି। ପୂର୍ବ ଭଳି ଘର ପୋଡି ନାହିଁ। କିନ୍ତୁ ଉଚ୍ଚ ଅଟ୍ଟାଳିକା ସଂଖ୍ୟା ବୃଦ୍ଧି ପାଉଛି। ଏଥିପାଇଁ ଆଗ୍ନେୟ ଦୁର୍ଘଟଣାର ମୁକାବିଲା ପାଇଁ ଆମକୁ ପ୍ରସ୍ତୁତ ରହିବାକୁ ପଡିବ।

ଚଳିତ ଆର୍ଥିକ ବର୍ଷରେ ଅଗ୍ନିଶମ ବିଭାଗର ଉନ୍ନତି ପାଇଁ ରାଜ୍ୟ ସରକାର ଅଧିକ ୨୪୦ କୋଟି ଟଙ୍କାର ଅନୁଦାନ ଦେବାର ପ୍ରସ୍ତାବ ରହିଛି। ୧୧ ଶହ ନୂଆ କର୍ମଚାରୀଙ୍କ ନିଯୁକ୍ତି ପାଇଁ ପ୍ରକିୟା ଆରମ୍ଭ ହୋଇଛି। ଏହି ପ୍ରକିୟା ଆଗାମୀ ୬ମାସ ଭିତରେ ଶେଷ ହେବ । ରାଜ୍ୟରେ କାର୍ଯ୍ୟରତ ୧୫ ହଜାର ୯୧୮ ଗୃହରକ୍ଷୀ ନିଷ୍ଠାର ସହ ସେବା କରି ଜନସାଧାରଣଙ୍କର ଅଧିକ ଆସ୍ଥା ଭାଜନ ହେବେ ବୋଲି ଆଶା କରିଛନ୍ତି ।

୩ କ୍ୟାବିନେଟ ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନ, ବିକ୍ରମ କେଶରୀ ଆରୁଖ ହେଲେ ଅର୍ଥମନ୍ତ୍ରୀ

ଭୁବନେଶ୍ବର: ୩ ନୂଆ କ୍ୟାବିନେଟ ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନ କରାଯାଇଛି । ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କୁ ଅର୍ଥ ବିଭାଗ ଦାୟିତ୍ବ ଦିଆଯାଇଛି । ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କୁ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ଓ ମନ୍ତ୍ରୀ ସାରଦା ପ୍ରସାଦ ନାୟକଙ୍କୁ ଶ୍ରମ ବିଭାଗ ଦାୟିତ୍ବ ଦିଆଯାଇଛି । ଶପଥ ଗ୍ରହଣର ମାତ୍ର କିଛି ସମୟ ଭିତରେ ନୂଆ ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଆଜି ୩ ନୂଆ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି । ଲୋକସେବା ଭବନ କନଭେନସନ ସେଣ୍ଟରରେ ଆୟୋଜିତ ଶପଥଗ୍ରହଣ ସମାରୋହରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ୩ ମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି । ଶପଥ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ଥିଲେ ।

ବହୁ ଗୁରୁତ୍ବପୂର୍ଣ୍ଣ ପଦବୀରେ ରହି ଦାୟିତ୍ବ ନିର୍ବାହ କରିଛନ୍ତି ନୂଆ ମନ୍ତ୍ରୀ, ଜାଣନ୍ତୁ ୩ ମନ୍ତ୍ରୀଙ୍କ ବିଷୟରେ  

ଭୁବନେଶ୍ବର: ୩ ନୂଆ ମନ୍ତ୍ରୀ ଆଜି ଶପଥ ଗ୍ରହଣ କରିଛନ୍ତି । ତିନି ନୂଆ ମନ୍ତ୍ରୀ ହେଲେ ବିକ୍ରମ କେଶରୀ ଆରୁଖ, ସୁଦାମ ମାର୍ଣ୍ଡି ଓ ସାରଦା ପ୍ରସାଦ ନାୟକ । ଲୋକସେବା ଭବନ କନଭେନସନ ସେଣ୍ଟରରେ ଆୟୋଜିତ ଶପଥଗ୍ରହଣ ସମାରୋହରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ୩ ମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି । ଶପଥ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ଥିଲେ । ତେବେ ୩ ମନ୍ତ୍ରୀ ପୂର୍ବରୁ ମଧ୍ୟ ବହୁ ଗୁରୁତ୍ବପୂର୍ଣ୍ଣ ପଦବୀରେ ରହି ଦାୟିତ୍ବ ନିର୍ବାହ କରିଥିଲେ । ଜାଣନ୍ତୁ କିଏ କେଉଁ ପଦବୀରେ ଥିଲେ

ବିକ୍ରମ କେଶରୀ ଆରୁଖ

୧୯୯୫ ମସିହାରୁ ଲଗାତର ୬ ଥର ଭଞ୍ଜନଗର ବିଧାନସଭା ଆସନରୁ ପ୍ରତିନିଧିତ୍ବ କରୁଛନ୍ତି ବିକ୍ରମ । ୨୦୦୮ ମସିହାରେ ସେ ସରକାରୀ ଦଳର ମୁଖ୍ୟ ସଚେତକ ଭାବେ ଦାୟିତ୍ବ ନିର୍ବାହ କରିଥିଲେ। ନବୀନ ପଟ୍ଟନାୟକଙ୍କ ତୃତୀୟ ପାଳି ଅର୍ଥାତ ୨୦୦୯ ମସିହାରେ ସେ ପ୍ରଥମ ଥର ପାଇଁ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିଲେ। ଗ୍ରାମ୍ୟ ଉନ୍ନୟନ ଓ ଆଇନ ବିଭାଗର ମନ୍ତ୍ରୀ ହୋଇଥିଲେ ବିକ୍ରମ ।

୨୦୧୪ରେ ପୁଣି ନବୀନଙ୍କ ଟିମରେ ସ୍ଥାନ ପାଇଥିଲେ । ୨୦୧୪ରେ ସେ ଜଙ୍ଗଲ, ପରିବେଶ ଓ ସଂସଦୀୟ ମନ୍ତ୍ରୀ ହୋଇଥିଲେ । ପରେ ବିଭିନ୍ନ ସମୟରେ ସେ ଗ୍ରାମ୍ୟ ଉନ୍ନୟନ, ଆଇନ, ସମବାୟ, ସୂଚନା ଓ ଲୋକ ସମ୍ପର୍କ, ସାଧାରଣ ଉଦ୍ୟୋଗ ବିଭାଗ ମନ୍ତ୍ରୀ ଥିଲେ । ନବୀନଙ୍କ ପଞ୍ଚମ ପାଳି ୨୦୧୯ରେ ବି ସେ ଜଙ୍ଗଲ, ପରିବେଶ ଓ ସଂସଦୀୟ ମନ୍ତ୍ରୀ ଭାବେ ଦାୟିତ୍ବ ନେଇଥିଲେ । ୨୦୨୨ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ପରେ ସେ ବାଚସ୍ପତି ହୋଇଥିଲେ । ୨୦୨୨ ମସିହା ଜୁନ ୧୩ରେ ବାଚସ୍ପତି ଭାବେ ଶପଥ ନେଇଥିଲେ ବିକ୍ରମ କେଶରୀ ଆରୁଖ  ।

ସୁଦାମ ମାର୍ଣ୍ଡି

ବାଙ୍ଗିରିପୋଷି ବିଧାୟକ ସୁଦାମ ମାର୍ଣ୍ଡି ମଧ୍ୟ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ନବୀନଙ୍କ ଚତୁର୍ଥ ପାଳି ୨୦୧୪ରେ ପ୍ରଥମେ ରାଷ୍ଟ୍ର ମନ୍ତ୍ରୀ ହୋଇଥିଲେ ସୁଦାମ ମାରାଣ୍ଡି । କ୍ରୀଡ଼ା, ଯୁବବିଭାଗ ଓ ଆଦିବାସୀ କଲ୍ୟାଣ ମନ୍ତ୍ରୀ ହୋଇଥିଲେ ସୁଦାମ  । ପରେ ୨୦୧୭ରେ ସେ ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ି ୨୦୧୯ରେ ପୁଣି ନବୀନଙ୍କ ମନ୍ତ୍ରିମଣ୍ଡଳକୁ ଫେରିଥିଲେ ।

୨୦୧୪ରେ ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ଦାୟିତ୍ବ ସମ୍ଭାଳିଥିଲେ ସୁଦାମ । ୨୦୨୨ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ସମୟରେ ସେ ବାଦ ପଡ଼ିଥିଲେ । ଏବେ ପୁଣିଥରେ ନବୀନଙ୍କ ଟିମରେ ସେ ସ୍ଥାନ ପାଇଛନ୍ତି ।

ସାରଦା ପ୍ରସାଦ ନାୟକ

ସେହିପରି ନବୀନଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ହେଲେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ । କ୍ୟାବିନେଟ ମନ୍ତ୍ରୀ ହେବେ ସାରଦା ନାୟକ । ପଶ୍ଚିମ ଓଡ଼ିଶାର ଟାଣୁଆ ନେତା ତଥା ରାଉରକେଲାର ଲୋକପ୍ରିୟ ବିଧାୟକ ସାରଦା । ୨୦୦୪ରେ ପ୍ରଥମେ ବିଜେଡି ଟିକେଟରେ ରାଉରକେଲାରୁ ବିଧାୟକ ହୋଇଥିଲେ ।

ପରେ ୨୦୦୯ ଓ ୨୦୧୯ରେ ରାଉରେକାଲାରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ପୂର୍ବରୁ ମଧ୍ୟ ସେ ନବୀନଙ୍କ ଟିମରେ ମନ୍ତ୍ରୀ ରହିଥିଲେ । ୨୦୦୯ରୁ ୨୦୧୨ ପର୍ଯ୍ୟନ୍ତ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ସହ ଗୃହ ଓ ନଗର ଉନ୍ନୟନ ଏବଂ ଅବକାରୀ ବିଭାଗର ମନ୍ତ୍ରୀ ଥିଲେ ସାରଦା ।

ରାଜ୍ୟ ମନ୍ତ୍ରିମଣ୍ଡଳ ସଂପ୍ରସାରଣ: ନବୀନଙ୍କ ଟିମରେ ଶପଥ ନେଲେ ୩ ନୂଆ ମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ହେଲେ ତିନି ନୂଆ ମନ୍ତ୍ରୀ । ୩ ନୂଆ ମନ୍ତ୍ର ଆଜି ଶପଥ ଗ୍ରହଣ କରିଛନ୍ତି । ତିନି ନୂଆ ମନ୍ତ୍ରୀ ହେଲେ ବିକ୍ରମ କେଶରୀ ଆରୁଖ, ସୁଦାମ ମାର୍ଣ୍ଡି ଓ ସାରଦା ପ୍ରସାଦ ନାୟକ ।

ଏହି ୩ଜଣ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ୩ ନୂଆ ମନ୍ତ୍ରୀଙ୍କୁ ମିଶାଇ କ୍ୟାବିନେଟ୍ ମନ୍ତ୍ରୀ ସଂଖ୍ୟା ୧୫ରେ ପହଞ୍ଚିଛି । ଲୋକସେବା ଭବନ କନଭେନସନ ସେଣ୍ଟରରେ ଆୟୋଜିତ ଶପଥଗ୍ରହଣ ସମାରୋହରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ୩ ମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି । ଶପଥ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ଥିଲେ । ସପ୍ତାହେ ତଳେ ମନ୍ତ୍ରିମଣ୍ଡଳରୁ ସମୀର ରଞ୍ଜନ ଦାଶ ଓ ଶ୍ରୀକାନ୍ତ ସାହୁ ଇସ୍ତଫା ଦେଇଥିଲେ । ସେହିପରି ବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ ବିକ୍ରମ କେଶରୀ ଆରୁଖ ।

ଓଡ଼ିଶା ହାଇକୋର୍ଟର ଗ୍ରୀଷ୍ମକାଳୀନ ଛୁଟି, ଜୁନ ୨୦ ଯାଏ ବନ୍ଦ ରହିବ କୋର୍ଟ

ଭୁବନେଶ୍ବର: ଆଜିଠୁ ବନ୍ଦ ରହିବ ହାଇକୋର୍ଟ । ଆଜିଠୁ ଜୁନ ୨୦ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ହାଇକୋର୍ଟର ଗ୍ରୀଷ୍ମକାଳୀନ ଛୁଟି । ତେବେ ଛୁଟି ମଧ୍ୟରେ ଜରୁରୀ ମାମଲାର ଶୁଣାଣି ନିମନ୍ତେ ହାଇକୋର୍ଟଙ୍କ ଅବକାଶକାଳୀନ ଖଣ୍ଡପୀଠ କାର୍ଯ୍ୟ କରିବେ ।

ଛୁଟି ଦିନରେ ଅବକାଶକାଳୀନ ଖଣ୍ଡପୀଠ କାଲି ସମେତ ୨୫,୩୦ ଓ ଜୁନ୍ ୧,୬,୮,୧୨ ଓ ୧୩ତାରିଖରେ ଜରୁରୀମାମଲାର ଶୁଣାଣି କରିବେ । କାଲି ଓ ୨୫ତାରିଖରେ ଜଷ୍ଟିସ କେଆର ମହାପାତ୍ର ଓ ଜଷ୍ଟିସ ଏମଏସ ସାହୁଙ୍କ ଦୁଇଜଣିଆ ଖଣ୍ଡପୀଠ ସମେତ ଜଷ୍ଟିସ ଭି ନରସିଂହ ଓ ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କ ଜଣକିଆ ଖଣ୍ଡପୀଠରେ ଜରୁରୀ ମାମଲାର ଶୁଣାଣି ହୋଇପାରିବ ।

ସେହିପରି ମେ’ ୩୦ତାରିଖରେ ଦୁଇଜଣିଆ ଖଣ୍ଡପୀଠ ଜଷ୍ଟିସ କେଆର ମହାପାତ୍ର ଓ ଜଷ୍ଟିସ ଏମଏସ୍ ସାହୁ ଏବଂ ଜଷ୍ଟିସ ଭି ନରସିଂହ ଓ ଜଷ୍ଟିସ ଗୌରୀଶଙ୍କର ଶତପଥୀଙ୍କ ଜଣିକିଆ ଖଣ୍ଡପୀଠରେ ମାମଲାର ଶୁଣାଣି ହେବ । ସେହିପରି ଜୁନ୍ ୧ରେ ଜଷ୍ଟିସ ଏସକେ ସାହୁ ଓ ଜଷ୍ଟିସ ଏମଏସ ରମଣଙ୍କ ଦୁଇଜଣିଆ ଖଣ୍ଡପୀଠ ଏବଂ ଜଷ୍ଟିସ ବିପି ରାଉତରାୟ ଓ ଜଷ୍ଟିସ ଗୌରୀଶଙ୍କର ଶତପଥୀଙ୍କ ଜଣିକିଆ ଖଣ୍ଡପୀଠ ମାମଲାର ଶୁଣାଣି କରିବେ । ଜୁନ୍ ୬ ଓ ୮ରେ ଜଷ୍ଟିସ ଏସକେ ସାହୁ ଓ ଜଷ୍ଟିସ ଏମଏସ ରମଣଙ୍କ ଦୁଇଜଣିଆ ଖଣ୍ଡପୀଠ, ଜଷ୍ଟିସ ଶଶୀକାନ୍ତ ମିଶ୍ର ଓ ଜଷ୍ଟିସ ବିପି ଶତପଥୀଙ୍କ ଜଣିକିଆ ଖଣ୍ଡପୀଠ ମାମଲାର ଶୁଣାଣି କରିବେ । ଜୁନ୍ ୧୨ ଓ ୧୩ରେ ଜଷ୍ଟିସ ଶଶୀକାନ୍ତ ମିଶ୍ର ଓ ଜଷ୍ଟିସ ଏସକେ ମିଶ୍ରଙ୍କ ଦୁଇଜଣିଆ ଖଣ୍ଡପୀଠ ଏବଂ ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ର ଓ ଜଷ୍ଟିସ ବିପି ଶତପଥୀଙ୍କ ଜଣିକିଆ ଖଣ୍ଡପୀଠ ମାମଲାର ଶୁଣାଣି କରିବେ  ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି  ।

ଯେଉଁ ଜରୁରୀ ମାମଲା ଗୁଡ଼ିକ ଗ୍ରୀଷ୍ମ ଅବକାଶ ଶେଷ ପରେ କୋର୍ଟ ଖୋଲିବା ପର୍ଯ୍ୟନ୍ତ ଅପେକ୍ଷା କରି ନପାରିବ ସେଗୁଡ଼ିକ କାର୍ଯ୍ୟ ଦିବସର ଦିନ ୧୧ଟାରୁ ୧୨ ମଧ୍ୟରେ କମ୍ପ୍ୟୁଟର ଫାଇଲିଂ କାଉଣ୍ଟରରେ ଦାୟର କରାଯିବ  । ସେଗୁଡ଼ିକୁ ଅବକାଶକାଳୀନ ଖଣ୍ଡପୀଠଙ୍କ ନିକଟରେ ଶୁଣାଣି ପାଇଁ ତାଲିକା ଭୁକ୍ତ କରାଯିବ ।

ପୁରୀରେ 5T ସଚିବ ଭି.କେ ପାଣ୍ଡିଆନ, ପରିକ୍ରମା ପ୍ରକଳ୍ପର ନିର୍ମାଣ କାର୍ଯ୍ୟ କଲେ ସମୀକ୍ଷା

ଭୁବନେଶ୍ବର: ପୁରୀରେ 5T ସଚିବ ଭି.କେ ପାଣ୍ଡିଆନ । ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି 5T ସଚିବ। ଶ୍ରୀମନ୍ଦିର ସମ୍ମୁଖରେ ଚାଲୁଥିବା ପରିକ୍ରମା ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ସମୀକ୍ଷା କରିଛନ୍ତି । ଶ୍ରୀଜିଉଙ୍କୁ ଦର୍ଶନ ପରେ ସେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିଛନ୍ତି। ଶ୍ରୀମନ୍ଦିର ଭିତରେ ସେ ପ୍ରାୟ ୪୦ ମିନିଟ ଅତିବାହିତ କରିଥିଲେ।

ଆଜିଠୁ ବିଭାଗୀୟ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜିଠୁ ବିଭାଗୀୟ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ଜୁନ୍ ୧ ତାରିଖ ଯାଏ ଚାଲିବ ଏହି ସମୀକ୍ଷା କାର୍ଯ୍ୟକ୍ରମ । ପ୍ରଥମ ଦିନରେ ଖାଦ୍ୟ ଯୋଗାଣ ଓ ସମବାୟ, ସ୍ବାସ୍ଥ୍ୟ ବିଭାଗ ନିଜର ରିପୋର୍ଟ କାର୍ଡ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଉପସ୍ଥାପନ କରିବେ । ବିଭାଗ କଣ ସବୁ କାର୍ଯ୍ୟ କରିଛନ୍ତି ଓ ନିର୍ବାଚନ ପ୍ରତିଶୃତି କେତେ ପାଳନ କରିଛନ୍ତି ତାହା ନବୀନ ସମୀକ୍ଷା କରିବେ l

ବିଗତ ୪ ବର୍ଷରେ ରାଜ୍ୟ ସରକାର ଲୋକଙ୍କ ପାଇଁ କରିଥିବା ଜନକଲ୍ୟାଣକାରୀ ଯୋଜନା କେତେ କାର୍ଯ୍ୟକାରୀ ହୋଇଛି, ତାର ହିସାବ ନେବେ ନବୀନ । ଏହାପରେ ଗୀତ ଗୋବିନ୍ଦ ସଦନରେ ବିଭାଗୀୟ ମନ୍ତ୍ରୀ ବୈଠକ ସମ୍ପର୍କରେ ସୂଚନା ଦେବେ । ବୈଠକରେ ମନ୍ତ୍ରୀ ମାନେ ନିଜ ବିଭାଗର ସର୍ବନିମ୍ନ ୫ଟି ପ୍ରମୁଖ କାର୍ଯ୍ୟକ୍ରମର ସଫଳତା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇବେ । 5T ଓ ମୋ ସରକାର କାର୍ଯ୍ୟକ୍ରମରେ ଅନ୍ତର୍ଗତ ବିଭାଗ ନେଇଥିବା ପଦକ୍ଷେପ ସମ୍ପର୍କରେ ବିଭାଗୀୟ ମନ୍ତ୍ରୀ ନବୀନଙ୍କୁ ଜଣାଇବେ । ଆସନ୍ତା ୨୯ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ପଞ୍ଚମ ପାଳିର ଚତୁର୍ଥ ବର୍ଷ ପୂରଣ ହେବାକୁ ଯାଉଛି । ଗତମାସରେ ଏନେଇ ମନ୍ତ୍ରୀମାନଙ୍କୁ ଚିଠି ଲେଖି ଅବଗତ କରାଇଥିଲେ ନବୀନ ।