ହିମାଚଳରେ ଜଳ ପ୍ରଳୟ, ମୃତ୍ୟୁ ସଂଖ୍ୟା ୫୫

1 min read

ହିମାଚଳ: ହିମାଚଳରେ ଜଳ ପ୍ରଳୟ । ଲ୍ୟାଣ୍ଡସ୍ଲାଇଡ, ବାଦଲ ଫଟା ବର୍ଷାରେ ମୃତ୍ୟୁସଂଖ୍ୟା ୫୫ ଛୁଇଁଛି । ସାରାରାଜ୍ୟରେ ପ୍ରକୃତିର କରାଳ ରୂପ । ଏବେ ବି ଅନେକ ଲୋକ ମାଟି ତଳେ ଫସି ରହିଥିବା ବେଳେ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି । ଏନଡିଆରଏଫ, ଆଇଟିବିପି ପକ୍ଷରୁ ରେସ୍କ୍ୟୁ ଅପରେସନ ଜାରି ରହିଛି । ପାହାଡ଼ି ରାଜ୍ୟରେ ବର୍ଷା, ବନ୍ୟା ସ୍ଥିତି ଯୋଗୁଁ ଶିକ୍ଷାନୁଷ୍ଠାନ ବନ୍ଦ ରଖାଯାଇଛି । ଭୂସ୍ଖଳନ ଯୋଗୁଁ ବନ୍ଦ ରହିଥିବା ଚଣ୍ଡିଗଡ଼-ସିମଲା ହାଇଓ୍ବେ ଖୋଲାଯାଇଥିବା ବେଳେ ଗାଡ଼ିମୋଟର ଚଳାଚଳ ସ୍ବାଭାବିକ ହୋଇଛି । ସିମଲାରେ ରେସ୍କ୍ୟୁ ଅପରେସନରେ ସେନା ହେଲିକପ୍ଟର ସାମିଲ କରାଯାଇଛି । ଆଗାମି ଦୁଇ ଦିନ ପାଇଁ ହିମାଚଳ ଓ ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ନେଇ ସତର୍କତା ଜାରି କରିଛି ପାଣିପାଗ ବିଭାଗ । ସିମଲାରେ ଶିବ ମନ୍ଦିର ଧସିଯିବା ଘଟଣାରେ ମୃତ୍ୟୁସଂଖ୍ୟା ୧୫ ଛୁଇଁଛି । ଏବେ ବି ଅନେକ ଲୋକ ମାଟି ତଳେ ଦବି ରହିଛନ୍ତି । ସେମାନଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଚାଲିଛି । ସେପଟେ ଉତ୍ତରାଖଣ୍ଡରେ ବି ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ସ୍ଥିତି ଅସମ୍ଭାଳ ହୋଇଛି । ବିଭିନ୍ନ ସ୍ଥାନରେ କେଦାରନାଥ ଓ ବଦ୍ରିନାଥ ଯାତ୍ରୀ ଫସି ରହିଥିବା ବେଳେ ଗତକାଲି ଓ ଆଜି ପାଇଁ ଚାରଧାମ ଯାତ୍ରା ସ୍ଥଗିତ ରଖାଯାଇଛି । ଏସଡିଆରଏଫ ପକ୍ଷରୁ ରିଳିଫ ଯୋଗାଣ ଓ ରେସ୍କ୍ୟୁ ଅପରେସନ ଜାରି ରହିଛି । ଦୁଇ ଦିନ ଲଗାଣ ବର୍ଷା ଯୋଗୁ ସ୍ଥିତି ଅତି ସଂଗୀନ ହୋଇଥିବା ଗଙ୍ଗା, ଅଳକାନନ୍ଦା, ମନ୍ଦାକିନୀ ନଦୀ ବିପଦସଙ୍କେତ ଉପରେ ପ୍ରବାହିତ ହେଉଛି । ନଦୀ କୂଳବର୍ତ୍ତୀ ଅଞ୍ଚଳରୁ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।