spot_img
Home Blog Page 3107

ଆଜି ରାଜ୍ୟରେ ଶପଥ ନେବେ ତିନି ନୂଆ ମନ୍ତ୍ରୀ

ଭୁବନେଶ୍ବର: ସବୁ କଳ୍ପନା ଜଳ୍ପନାର ହେଲା ଅନ୍ତ । ଆଜି ରାଜ୍ୟରେ ଶପଥ ନେବେ ତିନି ନୂଆ ମନ୍ତ୍ରୀ । ବିକ୍ରମ କେଶରୀ ଆରୁଖ, ସୁଦାମ ମାର୍ଣ୍ଡି ଓ ସାରଦା ପ୍ରସାଦ ନାୟକ ହେବେ ନୂଆ କ୍ୟାବିନେଟ ମନ୍ତ୍ରୀ । ଲୋକସେବା ଭବନର କନଭେନସନ ସେଣ୍ଟରରେ ଶପଥଗ୍ରହଣ ସମାରୋହ ଅନୁଷ୍ଠିତ ହେବ ।

ସକାଳ ୯ଟା ୫୦ ମିନିଟରେ ନୂଆମନ୍ତ୍ରୀଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଶପଥପାଠ କରାଇବେ। ସମାରୋହରେ ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସପ୍ତାହେ ତଳେ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଥିଲେ ସମୀର ଦାଶ ଓ ଶ୍ରୀକାନ୍ତ ସାହୁ। ବାଚସ୍ପତି ବିକ୍ରମ କେଶରୀ ଆରୁଖ ମଧ୍ୟ ପଦ ଛାଡ଼ିଥିଲେ।

ସେହିପରି ସ୍ବର୍ଗତ ନବକିଶୋର ଦାସଙ୍କ ଦେହାନ୍ତ ପରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ପାଖରେ ସ୍ବାସ୍ଥ୍ୟ ବିଭାଗ ରହିଥିବା ବେଳେ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ଗଣଶିକ୍ଷା ଓ ଶ୍ରମ ବିଭାଗର ଅତିରିକ୍ତ ଦାୟିତ୍ବ ଦିଆଯାଇଛି।

ପାଞ୍ଚ ଘଣ୍ଟା ପରେ ଚାଲିଲା ବନ୍ଦେ ଭାରତ ଏକ୍ସପ୍ରେସ, ଯାନ୍ତ୍ରିକ ତ୍ରୁଟି ଯୋଗୁ ଭଦ୍ରକ ମଞ୍ଜୁରୀ ରୋଡରେ ଅଟକିଥିଲା

ଭଦ୍ରକ: ୫ ଘଣ୍ଟା ପରେ ଛାଡିଲା ବନ୍ଦେ ଭାରତ ଏକ୍ସପ୍ରେସ । ରାତି ୧୨ ଟା ପରେ ପହଞ୍ଚିବ ଗନ୍ତବ୍ୟସ୍ଥଳ । ସାଢେ ୮ଟାରେ ହାଓ୍ବଡା ପହଞ୍ଚିବାର ଥିଲା । କିନ୍ତୁ ସାଢେ ତିନି ଘଣ୍ଟା ବିଳମ୍ବରେ ଟ୍ରେନ ହାଓ୍ବଡାରେ ପହଞ୍ଚିବ । ଭଦ୍ରକ ମଞ୍ଜୁରୀ ରୋଡରେ ଅଟକିଥିବା ପୁରୀ-ହାଓ୍ବଡା ବନ୍ଦେ ଭାରତ ଏକ୍ସପ୍ରେସକୁ ଡିଜେଲ ଇଞ୍ଜିନ ଦ୍ବାରା କେନ୍ଦୁଆପଦା ଷ୍ଟେସନ ନିଆଯାଇଥିଲା । ସେଠାରୁ ବିଦ୍ୟୁତ ମାଧ୍ୟମରେ ନିଜସ୍ବ ଇଞ୍ଜିନରେ ହାଓ୍ବଡା ଅଭିମୁଖେ ଯାଉଛି ଟ୍ରେନ୍‌ । ଯାନ୍ତ୍ରିକ ତ୍ରୁଟି ଯୋଗୁ ଯାତ୍ରୀ ହନ୍ତସନ୍ତ ହୋଇଛନ୍ତି ।

ଦୀର୍ଘ ସମୟ ଧରି ଟ୍ରେନ ଅଟକିବା ସହ ମୁଖ୍ୟଦ୍ବାର, ଝରକା ଖୋଲୁ ନଥିବାବେଳେ ଶୀତତାପ ନିୟନ୍ତ୍ରଣ ବ୍ୟବସ୍ଥା ମଧ୍ୟ କାମ କରୁନଥିଲା । କିଛି ଜରୁରୀକାଳୀନ ଡୋର ଓ ଝରକା ଖୋଲିଥିଲା । ଏହାକୁ ନେଇ ଯାତ୍ରୀ ମାନେ ଆତଙ୍କିତ ହୋଇପଡିଥିଲେ । ଗତ ୧୮ ତାରିଖରେ ଆରମ୍ଭ ହୋଇଥିବା ଏହି ଟ୍ରେନର ଦୁରବସ୍ଥା ସମସ୍ତଙ୍କ ମଧ୍ୟରେ ଉଦବେଗ ସୃଷ୍ଟି କରିଥିଲା । କାଳ ବୈଶାଖୀ ଯୋଗୁ ଗଛ ପଡ଼ି ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା ବୋଲି ରେଳ ବିଭାଗ ପକ୍ଷରୁ କୁହାଯାଉଥିଲେ ମଧ୍ୟ ଏହା ମନୁଷ୍ୟକୃତ ଅବହେଳା ବୋଲି ଲୋକେ କହିଛନ୍ତି ।

ବନ୍ଦେ ଭାରତ ଏକ୍ସପ୍ରେସକୁ ଏ-୧ କାଟେଗୋରୀର ଟ୍ରେନ ବୋଲି ବିବେଚନା କରାଯିବା ସହ ଏହାର ସୁରକ୍ଷାଠୁ ଆରମ୍ଭ କରି ଅନ୍ୟାନ୍ୟ ସୁବିଧା ସୁପରକ୍ଲାସ ବୋଲି ପ୍ରଚାର କରାଯାଉଥିଲା । ତେବେ ବନ୍ଦେ ଭାରତ ଏକ୍ସପ୍ରେସ ଯେ ଅନ୍ୟ ଯେ କୌଣସି ଟ୍ରେନ ସହ ସମାନ ଆଜିର ଅଘଟଣ ତାହା ପ୍ରମାଣ କରିଛି । ଅପରାହ୍ଣ ୪ଟା ୩୦ରୁ ଯାନ୍ତ୍ରିକ କାରଣରୁ ବ୍ରିଜ ଉପରେ ଟ୍ରେନ ଅଟକି ରହିଥିଲା । ଦୀର୍ଘ ୨ ଘଣ୍ଟା ପରେ ମଧ୍ୟ ରେଳ କର୍ମଚାରୀମାନେ ସ୍ବାଭାବିକ ଅବସ୍ଥା ଫେରାଇଆଣିବାରେ ବିଫଳ ହୋଇଥିଲେ ।

ବିରାଟଙ୍କ ଶତକୀୟ ଇନିଂସ ବଳରେ ଗୁଜରାଟକୁ ୧୯୮ ରନର ଟାର୍ଗେଟ ଦେଲା ଆରସିବି

ନୂଆଦିଲ୍ଲୀ: ରୟାଲ ଚ୍ୟାଲେଞ୍ଜର୍ଶ ବ୍ୟାଙ୍ଗଲୋର (ଆରସିବି)ର ବ୍ୟାଟ୍ସମ୍ୟାନ ବିରାଟ କୋହଲି ରବିବାର ଆଇପିଏଲ ୨୦୨୩ର ଶେଷ ଲିଗ୍ ମ୍ୟାଚରେ ଧମାକା କରିଛନ୍ତି । ଆରସିବି ପାଇଁ ଡୁ ଅର ଡାଏ ମ୍ୟାଚରେ ଚମତ୍କାର ପ୍ରଦର୍ଶନ କରିଛନ୍ତି । ତାଙ୍କ ବ୍ୟାଟରୁ ଅପରାଜିତ ଶତକୀୟ ଇନିଂସ ଦେଖିବାକୁ ମିଳିଥିଲା । ଏଥିସହିତ ସେ ଇଣ୍ଡିଆନ ପ୍ରିମିୟର ଲିଗ୍ ଅର୍ଥାତ ଆଇପିଏଲରେ ଇତିହାସ ରଚିଛନ୍ତି । ବିରାଟ କୋହଲି ଏହି ଲିଗରେ ସବୁଠୁ ଅଧିକ ଶତକ ଯୋଡ଼ିଥିବା ବ୍ୟାଟର ହୋଇଯାଇଛନ୍ତି । ଲଗାତାର ଦ୍ୱିତୀୟ ଶତକ ଚଳିତ ସିଜିନରେ ତାଙ୍କ ବ୍ୟାଟରୁ ବାହାରିଛି । ବିରାଟ କୋହଲି ଆଇପିଏଲ ଇତିହାସରେ ସବୁଠୁ ଅଧିକ ଶତକ ମାରିଥିବା କ୍ରିସ ଗେଲକୁ ପଛରେ ପକାଇ ଦେଇଛନ୍ତି ।

କ୍ରିସ୍ ଗେଲ ଆଇପିଏଲରେ ୬ ଶତକ ମାରିଥିଲେ, ଯେତେବେଳେ କି ବିରାଟ କୋହଲିଙ୍କ ବ୍ୟାଟରୁ ଚଳିତ ଲିଗରେ ସପ୍ତମ ଶତକ ଆସିଛି । ସେହିପରି ୫ ଶତକ ସହ ଜୋସ ବଟଲର ତୃତୀୟ ସ୍ଥାନରେ ରହିଛନ୍ତି । ଆଜିର ମ୍ୟାଚରେ ବିରାଟ କୋହଲି ୬୦ ବଲରେ ୧୩ ଚୌକା ଏବଂ ଗୋଟିଏ ଚକା ସହାୟତାରେ ଶତକ ପୂରା କରିଛନ୍ତି । ଆଇପିଏଲ ଇତିହାସରେ ଏହା ତାଙ୍କର ସପ୍ତମ ଛକା ଅଟେ । ଯେତେବେଳେ କି ଚଳିତ ସିଜିନରେ ଏହା ତାଙ୍କର ଦ୍ୱିତୀୟ ଶତକ ଅଟେ । ଏହା ପୂର୍ବରୁ ସେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ଶତକୀୟ ଇନିଂସ ଖେଳିଥିଲେ ।

ଶେଷ ଲିଗ୍ ମ୍ୟାଚରେ ଆଜି ଗୁଜରାଟ ଟାଇଟନ୍ସ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ସେହିପରି ଆରସିବି ପକ୍ଷରୁ ବିରାଟ କୋହଲି ଏବଂ ଅଧିନାୟକ ଡୁପ୍ଲେସିସ୍ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଭାବେ କ୍ରୀଜକୁ ଓହ୍ଲାଇଥିଲେ । ଉଭୟ ପ୍ରଥମ ୱିକେଟ୍ ପାଇଁ ୬୭ ରନର ପାର୍ଟନରସିପ୍ କରିଥିଲେ । ଡୁପ୍ଲେସିସ୍ ୧୯ ଟି ବଲରେ ୨୮ ରନ୍ କରି ଆଉଟ୍ ହୋଇଯାଇଥିଲେ । ଏହାପରେ ମାକ୍ସୱେଲ୍ (୧୧ ରନ୍) ଏବଂ ଲୋମ୍ରୋର (୧ରନ୍) ଭଲ ପ୍ରଦର୍ଶନ କରି ପାରିନଥିଲେ । ହେଲେ ଗୋଟିଏ ପଟେ ବିରାଟ କୋହଲି ଦୃଢ଼ ଭାବେ ଛିଡ଼ାଥିଲେ ।

ଏମ୍ ବ୍ରାସୱେଲ୍ ୧୬ ଟି ବଲରେ ୨୬ ରନ୍ କରି ଆଉଟ୍ ହୋଇଯାଇଥିଲେ । ଦୀନେଶ କାର୍ତ୍ତିକ ଆଜି ମଧ୍ୟ ଖରାପ ପ୍ରଦର୍ଶନ କରିଥିଲେ । ଖାତା ଖୋଲିନପାରି ୟଶ୍ ଦୟାଲଙ୍କ ବଲର ଶିକାର ହୋଇଥିଲେ । ଇନିଂସ ଶେଷ ବେଳକୁ ବିରାଟଙ୍କ ସହ ଅନୁଜ ରାୱତ ଅପରାଜିତ ରହିଥିଲେ । ଅନୁଜ ୧୫ ଟି ବଲରେ ୨୩ ରନ୍ କରିଥିବା ବେଳେ ବିରାଟ କୋହଲି ୬୧ ଟି ବଲରେ ୧୦୧ ରନ୍ ସଂଗ୍ରହ କରିଥିଲେ । ଦଳ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୯୭ ରନ୍ ସଂଗ୍ରହ କରିଥିଲା । ଗୁଜରାଟ ଟାଇଟନ୍ସ ପକ୍ଷରୁ ନୁର ଅହମ୍ମଦ ସର୍ବାଧିକ ୨ଟି ୱିକେଟ୍ ଅକ୍ତିଆର କରିଥିଲେ । ଆଜିର ମ୍ୟାଚ୍ ଜିତିଲେ ହିଁ ଆରସିବି ପ୍ଲେଅଫକୁ ଯିବ । ଯଦି ହାରିଯାଏ ଏହିଠାରୁ ହିଁ ଚଳିତ ଆଇପିଏଲ ଅଭିଯାନ ଶେଷ କରିବ ।

ନବୀନଙ୍କ କ୍ୟାବିନେଟରେ ସାମିଲ ହେବେ ତିନି ନୂଆ ମନ୍ତ୍ରୀ

ଭୁବନେଶ୍ୱର: ସବୁ କଳ୍ପନାଜଳ୍ପନାର ଘଟିଲା ଅନ୍ତ । କିଏ ପାଇବେ ମନ୍ତ୍ରୀ ପଦ? ପ୍ରଶ୍ନରୁ ହଟିଲା ପରଦା । ତିନି ବରିଷ୍ଠ ବିଜେଡି ବିଧାୟକଙ୍କ ନାଁରେ ମୋହର । ଆସନ୍ତାକାଲି ତିନି ନୂଆ ମନ୍ତ୍ରୀ ନେବେ ଶପଥ । ନୂଆ ମନ୍ତ୍ରୀ ଭାବେ  ବିକ୍ରମ କେଶରୀ ଆରୁଖ, ସାରଦା ନାୟକ, ସୁଦାମ ମାରଣ୍ଡି ଶପଥ ନେବେ । ଆସନ୍ତାକାଲି କ୍ୟାବିନେଟ ମନ୍ତ୍ରୀ ଭାବେ ନେବେ ଶପଥ । ତେବେ କିଏ କେଉଁ ବିଭାଗ ପାଇବେ ସେନେଇ କିଛି ସ୍ପଷ୍ଟ ହୋଇନାହିଁ । ଆସନ୍ତାକାଲି ସକାଳେ ଲୋକସେବା ଭବନର କନଭେନସନ ହଲରେ ନୂଆ ମନ୍ତ୍ରୀମାନଙ୍କୁ ଗୋପନୀୟତାର ଶପଥପାଠ କରାଇବେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ।

 ସୂଚନାଥାଉକି ନିକଟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ପଦରୁ ସମୀର ଦାଶ ଓ  ଶ୍ରମ ବିଭାଗ ମନ୍ତ୍ରୀ ପଦରୁ ଶ୍ରୀକାନ୍ତ ସାହୁ ଇସ୍ତଫା ଦେଇଥିଲେ । ସେହିପରି ନବ ଦାସଙ୍କ ମୃତ୍ୟୁ ପରେ ଖାଲିପଡ଼ିଥିଲା ସ୍ୱାସ୍ଥ୍ୟ ବିଭାଗ । ବିଧାନସଭା ବାଚସ୍ପତି ପଦରୁ ବିକ୍ରମ କେଶରୀ ଆରୁଖ ଇସ୍ତପା ଦେଇଥିଲେ । ବର୍ତ୍ତମାନ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ସ୍ୱାସ୍ଥ୍ଯ ବିଭାଗର ଅତିରିକ୍ତ ଦାୟିତ୍ୱରେ ଅଛନ୍ତି । ସେହିପରି ଶ୍ରମ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ଦାୟିତ୍ୱରେ ଅଛନ୍ତି ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ।

ସୁଦାମ ମାରାଣ୍ଡି:ବାଙ୍ଗିରିପୋଷି ବିଧାୟକ ସୁଦାମ ମାରାଣ୍ଡି କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେବେ । ନବୀନଙ୍କ ଚତୁର୍ଥ ପାଳିରେ ସେ ରାଷ୍ଟ୍ର ମନ୍ତ୍ରୀ ହୋଇଥିଲେ। ପରେ ୨୦୧୭ରେ ସେ ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ି ପଞ୍ଚମ ପାଳିରେ ପୁଣି ମନ୍ତ୍ରିମଣ୍ଡଳକୁ ଫେରି ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ଦାୟିତ୍ବ ସମ୍ଭାଳିଥିଲେ । ୨୦୨୨ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ସମୟରେ ସେ ବାଦ ପଡ଼ିଥିଲେ । ଏବେ ପୁଣିଥରେ ନବୀନଙ୍କ ଟିମରେ ସ୍ଥାନ ପାଇଛନ୍ତି ସୁଦାମ ।

ବିକ୍ରମ କେଶରୀ ଆରୁଖ: ୧୯୯୫ ମସିହାରୁ ଲଗାତର ୫ ଥର ଭଞ୍ଜନଗର ବିଧାନସଭା ଆସନରୁ ପ୍ରତିନିଧିତ୍ବ କରୁଛନ୍ତି ବିକ୍ରମ । ୨୦୦୮ ମସିହାରେ ସେ ସରକାରୀ ଦଳର ମୁଖ୍ୟ ସଚେତକ ଭାବେ ଦାୟିତ୍ବ ନିର୍ବାହ କରିଥିଲେ। ନବୀନ ପଟ୍ଟନାୟକଙ୍କ ତୃତୀୟ ପାଳି ଅର୍ଥାତ ୨୦୦୯ ମସିହାରେ ସେ ପ୍ରଥମ ଥର ପାଇଁ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିଲେ। ଏହି ପାଳିରେ ସେ ୫ ବର୍ଷ ମନ୍ତ୍ରୀ ହେବା ସହ ୨୦୧୪ରେ ବି ପୁଣି ପାଞ୍ଚ ବର୍ଷ ପାଇଁ ମନ୍ତ୍ରୀ ହୋଇଥିଲେ। ନବୀନଙ୍କ ପଞ୍ଚମ ପାଳିରେ ବି ସେ ଜଙ୍ଗଲ, ପରିବେଶ ଓ ସଂସଦୀୟ ମନ୍ତ୍ରୀ ଭାବେ ଦାୟିତ୍ବ ନେଇଥିଲେ । ୨୦୨୨ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ପରେ ସେ ବାଚସ୍ପତି ହୋଇଥିଲେ ।

ସାରଦା ପ୍ରସାଦ ନାୟକ: ଆସନ୍ତାକାଲି ନୂଆ ମନ୍ତ୍ରୀ ଭାବେ ଶପଥ ନେବେ ସାରଦା ପ୍ରସାଦ ନାୟକ । କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେବେ ସାରଦା ପ୍ରସାଦ ନାୟକ । ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ କ୍ୟାବିନେଟ ମନ୍ତ୍ରୀ ହେବେ । ପୂର୍ବରୁ ମଧ୍ୟ ତାଙ୍କର ମନ୍ତ୍ରୀ ହେବାର ଅଭିଜ୍ଞତା ରହିଛି । ତାଙ୍କ ନାଁ ଘୋଷଣା ପରେ ସେ କହିଛନ୍ତି, ”ମୁଖ୍ଯମନ୍ତ୍ରୀଙ୍କ ନିକଟରେ କାମ କରିବାର ସୁଯୋଗ ପାଇବା ଭାଗ୍ୟର କଥା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକଳ୍ପ ନାହିଁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାବାସୀଙ୍କ ସେବକ । ମୁଖ୍ୟମନ୍ତ୍ରୀ ଯାହା ଦାୟିତ୍ୱ ଦେବେ ଆନନ୍ଦର ସହ ଗ୍ରହଣ କରିବି । ମୁଖ୍ୟମନ୍ତ୍ରୀଙ୍କ ପାଇଁ ସୁନ୍ଦରଗଡ଼ ଜିଲ୍ଲା ବିଶ୍ୱରେ ପରିଚୟ ପାଇଛି । ”

5T ସଚିବଙ୍କ ନୂଆପଡ଼ା ଗସ୍ତରେ ଧାର୍ମିକପୀଠର ରୂପାନ୍ତରଣଠୁ ଜଳସେଚନ ପ୍ରସ୍ତୁତ ହେଲା ବ୍ଲୁପ୍ରିଣ୍ଟ

ନୂଆପଡ଼ା: ଫାଇଭ-ଟି ସ୍ପର୍ଶରେ ନୂଆରୂପ ପାଇବ ନୂଆପଡ଼ା । ଫାଇଭ-ଟି ସଚିବଙ୍କ ତୋଫାନୀ ଗସ୍ତରେ ପ୍ରସ୍ତୁତ ହେଲା ବ୍ଲୁପ୍ରିଣ୍ଟ। ଧାର୍ମିକପୀଠର ରୂପାନ୍ତରଣଠୁ ଜଳସେଚନ। ସବୁକ୍ଷେତ୍ରରେ ବିକାଶ ପାଇଁ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି ଫାଇଭ-ଟି ସଚିବ ଭି.କେ. ପାଣ୍ଡିଆନ। ସିନାପାଲି ବ୍ଲକ ନିଲଜି ଗଦରାମାଲରେ ମେଗା ଉଠା ଜଳସେଚନ ପ୍ରକଳ୍ପର ଅନୁଧ୍ୟାନ କରି ଖୁବଶୀଘ୍ର କାମ ସାରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ପ୍ରକଳ୍ପ ଦ୍ବାରା ୮୯୦ ହେକ୍ଟର ଜମି ଜଳସେଚିତ ହେବା ସହ ପାନୀୟ ଜଳ ସମସ୍ଯାର ବି ସମାଧାନ ହେବ ।

ସିନାପାଲିର ୭ଟି ସ୍ଥାନରେ ଉଦନ୍ତି ନଦୀ ଉପରେ ମେଗା ଲିଫ୍ଟ ଇରିଗେସନ୍ ହୋଇପାରିବ। ଏହାଦ୍ବାରା ୧୦ରୁ ୧୨ ହଜାର ହେକ୍ଟର ଜମିରେ ସବୁଜିମା ଭରିବ। ସେହିପରି କୋନାବିରାରେ ମଧ୍ୟ ମେଗା ଜଳସେଚନ ପ୍ରକଳ୍ପର ସମୀକ୍ଷା କରିଛନ୍ତି ଫାଇଭ-ଟି ସଚିବ। ନୂଆ ବର୍ଷରେ ନୂଆରୂପରେ ଝଟକିବ ନୂଆପଡ଼ାର ଧାର୍ମିକ ସ୍ଥଳ । ବୋଡେନରେ ପାତାଳଗଙ୍ଗା ମନ୍ଦିରର ନବକଳେବର ସହିତ ଚାରିପାଖର ସୌନ୍ଦର୍ଯ୍ୟକରଣ କରାଯିବ। ମହାମୃତ୍ୟୁଞ୍ଜୟ, ଗାୟତ୍ରୀ ଓ ଦୁର୍ଗା ମନ୍ଦିରରେ ପୂଜାର୍ଚ୍ଚନା କରି ଏହାର ରୂପାନ୍ତରଣ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ଫାଇଭ-ଟି ସଚିବ ।

ସେହିପରି ସୁନାଦେଇ ମନ୍ଦିର ନବକଳେବର ପାଇଁ ୧୫ଦିନ ମଧ୍ୟରେ ଡିପିଆର ପ୍ରସ୍ତୁତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ନୂଆବର୍ଷ ପୂର୍ବରୁ ପାଟୋରାର ଯୋଗେଶ୍ବର ମନ୍ଦିରର ଉନ୍ନତିକରଣ ସହିତ ଡ୍ୟାମର ବିକାଶ କରାଯିବ। ଏହା ସହିତ ସ୍ଥାନୀୟ ଅଞ୍ଚଳରେ ପର୍ଯ୍ୟଟନର ବିକାଶ ପାଇଁ ମିଳିଛି ପ୍ରତିଶ୍ରୁତି। ବୋଡେନ ବ୍ଲକ ଲିଟିସର୍ଗି ହାଇସ୍କୁଲରେ ସ୍ମାର୍ଟ କ୍ଲାସରୁମ, ଲାବରେଟୋରୀ ବୁଲି ଦେଖିବା ସହ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକଙ୍କ ସହିତ ଫାଇଭ-ଟି ସଚିବ ଆଲୋଚନା କରିଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଖରିଆର ସଦର ବ୍ଲକରେ ଆମ ହସ୍ପିଟାଲର ରୂପାନ୍ତରଣ କାର୍ଯ୍ୟର ଅନୁଧ୍ୟାନ କରି ଶୀଘ୍ର କାମ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

୪ରୁ ୫କୋଟି ଟଙ୍କା ବ୍ୟୟରେ ସୁନାବେଡାବାସୀଙ୍କ ଦୁଃଖ ପାଲଟିଥିବା ଘାଟି ରାସ୍ତାର ଶୀଘ୍ର ମରାମତି ହେବ। ସେହିପରି ସ୍କୁଲ ଓ କଲେଜର ରୂପାନ୍ତରଣ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ଫାଇଭ-ଟି ସଚିବ। ନୂଆପଡ଼ା ନ୍ୟାସନାଲ କଲେଜରେ ଲୋକଙ୍କ ସହିତ ଆଲୋଚନା କରି ସେମାନଙ୍କ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ ଫାଇଭ-ଟି ସଚିବ। ସମସ୍ତଙ୍କ ଦରଖାସ୍ତ ଗ୍ରହଣ କରି ଖୁବଶୀଘ୍ର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ବିକାଶ କାମର ଅଗ୍ରଗତି ନେଇ ଗ୍ରାଉଣ୍ଡ ଜିରୋରେ ଅନୁଧ୍ୟାନ କରୁଛନ୍ତି ଫାଇଭ-ଟି ସଚିବ। ଅଫିସ ନୁହେଁ ଲୋକଙ୍କ ପାଖରେ ପହଞ୍ଚି ସମସ୍ୟା ଶୁଣିବା ସହ ସମାଧାନ ପାଇଁ ପ୍ରତିଶ୍ରୁତି ଦେଉଛନ୍ତି ।

ଅଧାବାଟରେ ଅଟକିଲା ପୁରୀ-ହାଓ୍ବଡା ବନ୍ଦେ ଭାରତ ଏକ୍ସପ୍ରେସ

ଭଦ୍ରକ:ଯାତ୍ରୀଙ୍କୁ ଧୋକା ଦେଲା ବନ୍ଦେ ଭାରତ ଏକ୍ସପ୍ରେସ । ଅଧାବାଟରେ ଅଟକିଲା ପୁରୀ-ହାଓ୍ବଡା ବନ୍ଦେ ଭାରତ ଏକ୍ସପ୍ରେସ । ଯାନ୍ତ୍ରିକ ତ୍ରୁଟି ଯୋଗୁ ଭଦ୍ରକ ମଞ୍ଜୁରୀ ରୋଡରେ ଟ୍ରେନ ଅଟକିଯିବାରୁ ଯାତ୍ରୀ ହୋଇଛନ୍ତି ହନ୍ତସନ୍ତ । ଦୀର୍ଘ ସମୟ ଧରି ଟ୍ରେନ ଅଟକିବା ସହ ମୁଖ୍ୟଦ୍ବାର, ଝରକା ଖୋଲୁ ନଥିବାବେଳେ ଶୀତତାପ ନିୟନ୍ତ୍ରଣ ବ୍ୟବସ୍ଥା ମଧ୍ୟ କାମ କରୁନାହିଁ । ତେବେ କିଛି ଜରୁରୀକାଳୀନ ଡୋର ଓ ଝରକା ଖୋଲିଥିବା ସୂଚନା ମିଳିଛି । ଏହାକୁ ନେଇ ଯାତ୍ରୀ ମାନେ ଆତଙ୍କିତ ହୋଇପଡିଛନ୍ତି ।

ଗତ ୧୮ ତାରିଖରେ ଆରମ୍ଭ ହୋଇଥିବା ଏହି ଟ୍ରେନର ଦୁରବସ୍ଥା ସମସ୍ତଙ୍କ ମଧ୍ୟରେ ଉଦବେଗ ସୃଷ୍ଟି କରିଛି । କାଳ ବୈଶାଖୀ ଯୋଗୁ ଗଛ ପଡ଼ି ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ରେଳ ବିଭାଗ ପକ୍ଷରୁ କୁହାଯାଉଥିଲେ ମଧ୍ୟ ଏହା ମନୁଷ୍ୟକୃତ ଅବହେଳା ବୋଲି ଜଳ ଜଳ ଦେଖାଯାଉଛି । ବନ୍ଦେ ଭାରତ ଏକ୍ସପ୍ରେସକୁ ଏ-୧ କାଟେଗୋରୀର ଟ୍ରେନ ବୋଲି ବିବେଚନା କରାଯିବା ସହ ଏହାର ସୁରକ୍ଷାଠୁ ଆରମ୍ଭ କରି ଅନ୍ୟାନ୍ୟ ସୁବିଧା ସୁପରକ୍ଲାସ ବୋଲି ପ୍ରଚାର କରାଯାଉଥିଲା । ତେବେ ବନ୍ଦେ ଭାରତ ଏକ୍ସପ୍ରେସ ଯେ ଅନ୍ୟ ଯେ କୌଣସି ଟ୍ରେନ ସହ ସମାନ ଆଜିର ଅଘଟଣ ତାହା ପ୍ରମାଣ କରିଛି ।

ଅପରାହ୍ଣ ୪ଟା ୩୦ରୁ ଯାନ୍ତ୍ରିକ କାରଣରୁ ବ୍ରିଜ ଉପରେ ଟ୍ରେନ ଅଟକି ରହିଛି । ଦୀର୍ଘ ୨ ଘଣ୍ଟା ପରେ ମଧ୍ୟ ରେଳ କର୍ମଚାରୀମାନେ ସ୍ବାଭାବିକ ଅବସ୍ଥା ଫେରାଇଆଣିବାରେ ବିଫଳ ହୋଇଛନ୍ତି । ଘଟଣାସ୍ଥଳକୁ ଏକ ଟେକ୍ନିକାଲ ଟିମ ଯାଇଥିବା ସୂଚନା ମିଳିଛି । ରାତି ସାଢେ ୭ଟା ସୁଦ୍ଧା ଟ୍ରେନ ଛାଡ଼ିବ ବୋଲି ରେଳ ବିଭାଗ ପକ୍ଷରୁ କୁହାଯାଇଛି । ଏକ ଡିଜେଲ ଇଞ୍ଜିନ କୋଲକାତାରୁ ଅଣାଯାଇ ଟ୍ରେନକୁ ଟାଣି ନେବା ଲାଗି ବ୍ୟବସ୍ଥା କରାଯାଉଛି । ମଞ୍ଜୁରୀ ରୋଡରେ ପହଞ୍ଚିବା ପରେ ସେଠାରେ ମୂଳ ଇଞ୍ଜିନ ଜରିଆରେ ନିଆଯିବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି ।

ଆତଙ୍କୀ ଷଡ଼ଯନ୍ତ୍ର ପଣ୍ଡ, ଜୈଶ ଏ ମହମ୍ମଦର ଆତଙ୍କବାଦୀ ଗିରଫ

ନୂଆଦିଲ୍ଲୀ: କାଶ୍ମୀରରେ ଜି-୨୦ ସମ୍ମିଳନୀ ହେବାକୁ ଯାଉଛି । ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ବୈଠକକୁ ବିଫଳ କରିବା ପାଇଁ ଆତଙ୍କବାଦୀ ସଂଗଠନମାନେ ଆକ୍ରମଣ ୟୋଜନା କରୁଛନ୍ତି । ଏହାରି ମଧ୍ୟରେ ଜମ୍ମୁ କାଶ୍ମୀରରେ ଏକ ବଡ଼ଧରଣର ଆତଙ୍କବାଦୀ ଷଡଯନ୍ତ୍ରକୁ ପଣ୍ଡ କରିଛି ସୁରକ୍ଷା ଏଜେନ୍ସି । ରବିବାର ଏନଆଇଏ ଜୈଶ ଏ ମହମ୍ମଦର ଆତଙ୍କବାଦୀକୁ ଗିରଫ କରିଛି । ଗିରଫ ହୋଇଥିବା ଆତଙ୍କବାଦୀର ନାଁ ମହମ୍ମଦ ଉବୈଦ ମଲିକ ବୋଲି ଜଣାଯାଇଛି, ସେ କୁପୱାଡ଼ାର ଅଧିବାସୀ ଅଟେ । ପାକିସ୍ତାନରେ ବସିଥିବା ଜୈଶ କମାଣ୍ଡର ସେ ସହ ଲଗାତାର ସମ୍ପର୍କରେ ଥିଲା । ଆତଙ୍କବାଦୀ ଉବୈଦ ଜମ୍ମୁ କାଶ୍ମୀରରେ ବଡ଼ଧରଣର ଆତଙ୍କବାଦୀ ଯୋଜନାକୁ ରୂପ ଦେବାକୁ ଯୋଜନା କରୁଥିଲା । ଗିରଫ ଆତଙ୍କୀ ସେନା ଟୃପ୍ସର ମୁଭମେଣ୍ଟ ଏବଂ ସିକ୍ୟୁରିଟି ଫୋର୍ସେସ ସହ ସମ୍ବନ୍ଧିତ ସୂଚନା ପାକିସ୍ତାନରେ ବସିଥିବା ନିଜ କମାଣ୍ଡରଙ୍କୁ ପଠାଉଥିଲା ।

ଏନଆଇଏର ତଦନ୍ତରେ ସାମ୍ନାକୁ ଆସିଛି ଯେ ଅଭିଯୁକ୍ତ ଆତଙ୍କବାଦୀ ପାକିସ୍ତାନରେ ବସିଥିବା ଜୈଶ କମାଣ୍ଡରଙ୍କୁ ଗୁପ୍ତ ସୂଚନା, ଖାସ କରି ସୈନିକ ଏବଂ ସୁରକ୍ଷାକର୍ମୀଙ୍କ ମୁଭମେଣ୍ଟ ସମ୍ପର୍କରେ ସୂଚନା ଦେଉଥିଲା । ଏନଆଇଏ ଅଭିଯୁକ୍ତ ପାଖରୁ ଜମ୍ମୁ କାଶ୍ମୀରରେ ଆତଙ୍କୀ ଗତିବିଧିକୁ ପ୍ରାଧାନ୍ୟ ଦେବାରେ ତାର ସମ୍ପୃକ୍ତିକୁ ନେଇ ଅନେକ ଦସ୍ତାବିଜ ମଧ୍ୟ ଜବତ କରିଛି । ଜମ୍ମୁ କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣକୁ ନେଇ ଏଜେନ୍ସି ୨୧ ଜୁନ ୨୦୨୨ରେ ନିଜ ଆଡ଼ୁ ମାମଲା ରୁଜୁ କରିଥିଲା । ଏନଆଇଏକୁ ଗୁପ୍ତ ସୂଚନା ମିଳିଥିଲା ଯେ ଡ୍ରୋନ ଜରିଆରେ ବୋମା ବିସ୍ଫୋରଣ କରିବା ପାଇଁ ସମାଗ୍ରୀ ପଠାଯାଉଛି । ଏହାପରଠୁ ଗୁଇନ୍ଦା ବିଭାଗ ଆଲର୍ଟ ମୋଡରେ ଥିଲା । ଏହି ମାମଲାରେ ଆଜି ଏନଆଇଏକୁ ବଡ଼ ସଫଳତା ମିଳିଛି ।

ଜଳୁଛି ପଶ୍ଚିମ ଓଡ଼ିଶା; ଦିନ ସାଢେ ଦୁଇଟା ସୁଦ୍ଧା ସମ୍ବଲପୁର ରାଜ୍ୟର ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ୱର: ଜଳୁଛି ପଶ୍ଚିମ ଓଡ଼ିଶା । ଦିନ ସାଢେ ଦୁଇଟା ସୁଦ୍ଧା ସମ୍ବଲପୁର ରାଜ୍ୟର ସବୁଠୁ ଉତ୍ତପ୍ତ ସହର । ସମ୍ବଲପୁରରେ ୪୩ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବାବେଳେ ହୀରାକୁଦରେ ୪୧.୮, ଝାରସୁଗୁଡାରେ ୪୦.୪, ଚାନ୍ଦବାଲିରେ ୪୦, ଭୁବନେଶ୍ବରରେ ୩୮.୮, ବାଲେଶ୍ବରରେ ୩୫.୮, କେନ୍ଦୁଝରରେ ୩୫.୪, ପୁରୀରେ ୩୪, ପାରାଦୀପରେ ୩୩.୪, ଗୋପାଳପୁରରେ ୩୩.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଣିପାଗ ସ୍ଥିତି ସମାନ ରହିବ ।

ଅଧିକାଂଶ ସ୍ଥାନରେ ତାପମାତ୍ରା ୪୨ ଡିଗ୍ରୀ ଉପରେ ରହିବା ସହ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ଲାଗି ରହିବାର ଆଶଙ୍କା ରହିଛି । ସେପଟେ କାଲିଠୁ କାଳବୈଶାଖୀ ଦୁର୍ବଳ ହେବା ସମ୍ଭାବନା ସମ୍ଭାବନା ରହିଛି । ଉପକୂଳର କିଛି ଜିଲ୍ଲାରେ ବର୍ଷା ହୋଇପାରେ । ଆଭ୍ଯନ୍ତରୀଣ ଓଡ଼ିଶାରେ ତାତି ଅଧିକ ରହିବ । ଗତକାଲି କାଳବୈଶାଖୀ ପ୍ରଭାବରେ ଯେଉଁ ୧୧ ଜିଲ୍ଲାରେ ତାପମାତ୍ରା ହ୍ରାସ ପାଇଥିଲା ସେଠାରେ କାଲିଠୁ ତାପମାତ୍ରା ବୃଦ୍ଧି ପାଇବ । ଅନ୍ୟପଟେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ମୌସମୀ ସକ୍ରିୟ ରହିଛି ଏବଂ କ୍ରମେ ଆଣ୍ଡାମାନ ଓ ନିକୋବର ଦ୍ବୀପର ବିଭିନ୍ନ ଅଂଶକୁ ଅଗ୍ରସର ହେବା ପାଇଁ ସ୍ଥିତି ଅନୁକୂଳ ରହିଛି। ତେବେ ମୌସୁମୀ ଓଡ଼ିଶା କେବେ ଛୁଇଁବ ସେନେଇ କୌଣସି ଆକଳନ କରାଯାଇନାହିଁ।

ଗଞ୍ଜାମ: ମହୁମାଛି ଆକ୍ରମଣରେ ସରପଞ୍ଚ ମୃତ

ଗଞ୍ଜାମ: ମହୁମାଛି ଆକ୍ରମଣରେ ସରପଞ୍ଚ ମୃତ । ମୃତକ ହେଲେ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ କୁରୁତାଇ ଗ୍ରାମପଞ୍ଚାୟତର ସରପଞ୍ଚ ସନତ କୁମାର ପ୍ରଧାନ । ଜମିରେ ଚାଷ କରିବା ସମୟରେ ମହୁମାଛି ସନତଙ୍କୁ ଆକ୍ରମଣ କରିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଭଞ୍ଜନଗର ଓ ପରେ ଏମ୍ସରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା ।

୨ହଜାର ଟଙ୍କିଆ ନୋଟ୍ ବଦଳାଇବା ପାଇଁ ଦରକାର ନାହିଁ କୌଣସି ଫର୍ମ ବା ପରିଚୟ ପତ୍ର

ନନ୍ଦିଘୋଷ ବ୍ୟୁରୋ: ୨୦୦୦ ଟଙ୍କିଆ ନୋଟ୍ କୁ ନେଇ ବଡ଼ ଅପଡେଟ ଆସିଛି । ଯଦି ଆପଣ ୨ହଜାର ଟଙ୍କିଆ ନୋଟ୍ ବଦଳାବା ପାଇଁ ବ୍ୟାଙ୍କ ଯାଉଛନ୍ତି ତେବେ କୌଣସି ବି ଫର୍ମ ଭରିବା ବା ପରିଚୟ ପତ୍ର ଦେବାର ଆବଶ୍ୟକତା ନାହିଁ । ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ବ୍ରାଞ୍ଚଗୁଡ଼ିକୁ ଏକ ସର୍କୁଲାର ଜାରି କରି ଏହି ସୂଚନା ଦେଇଛି । ଏସବିଆଇର ସର୍କୁଲାର ମୁତାବକ ଏକକାଳୀନ ୨୦ ହଜାର ଟଙ୍କାର ସୀମା ପର୍ଯ୍ୟନ୍ତ ୨ହଜାର ଟଙ୍କିଆ ନୋଟ୍ ବଦଳାଯାଇ ପାରିବ । ଗତ ଶୁକ୍ରବାର ରିଜର୍ଭ ବ୍ୟାଙ୍କ ୨ହଜାର ଟଙ୍କିଆ ନୋଟକୁ ପ୍ରତ୍ୟାହର କରିନେବା ନେଇ ଘୋଷଣା କରିଥିଲା ।

ଏହା ଅନୁଯାୟୀ ଯଦି ଆପଣଙ୍କ ପାଖରେ ୨ହଜାର ଟଙ୍କିଆ ନୋଟ୍ ଅଛି ତେବେ ୨୩ ମଇ ରୁ ୩୦ ସେପ୍ଟେମ୍ବର ମଧ୍ୟରେ ଆପଣଙ୍କୁ ନିଜର ବ୍ୟାଙ୍କ ବ୍ରାଞ୍ଚ ଯାଇ ଏହାକୁ ଅନ୍ୟ ନୋଟ୍ ସହ ବଦଳାଇବାକୁ ପଡ଼ିବ । ଏହା ବ୍ୟତୀତ ୨ହଜାର ଟଙ୍କିଆ ନୋଟକୁ ବ୍ୟାଙ୍କରେ ଜମା କରିବାର ବିକଳ୍ପ ମଧ୍ୟ ରହିଛି । ବ୍ୟାଙ୍କରେ ଏହି ଟଙ୍କା ଡିପୋଜିଟ କରିବାକୁ ମଧ୍ୟ କୌଣସି ଅତିରିକ୍ତ ଫର୍ମ ଭରିବାର ଆବଶ୍ୟକତା ନାହିଁ । ପୂର୍ବଭଳି ସାମାନ୍ୟ ନିୟମ ଅନୁଯାୟୀ ଆପଣ ଟଙ୍କା ଡିପୋଜିଟ କରିପାରିବେ । ଯେଉଁ ଗ୍ରାହକଙ୍କ ପାଖରେ ଆକାଉଣ୍ଟ ନାହିଁ ସେମାନେ ମଧ୍ୟ ବ୍ରାଞ୍ଚକୁ ଯାଇ ୨ ହଜାର ଟଙ୍କାର ନୋଟ ବଦଳାଇ ପାରିବେ । ସେହିପରି ଯେଉଁ ଗ୍ରାହକଙ୍କୁ ଡିପୋଜିଟ କରିବାର ଅଛି ସେମାନଙ୍କୁ କେବଳ କେୱାଇସି ମାନଦଣ୍ଡର ପାଳନ କରିବାକୁ ପଡ଼ିବ ।