ନୂଆପଡ଼ାର ୩ଟି ସ୍ଥାନର ବିକାଶ ପାଇଁ ମିଳିଲା ୧୫ କୋଟି ଟଙ୍କା

1 min read

ନୂଆପଡ଼ା : ନୂଆପଡ଼ା ଜିଲ୍ଲାର ୩ଟି ସ୍ଥାନର ବିକାଶ ତଥା ସୌନ୍ଦର୍ଯ୍ୟକରଣ ପାଇଁ ମିଳିଲା ୧୫ କୋଟି ଟଙ୍କା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅନୁଦାନ ମଞ୍ଜୁର କରିଛନ୍ତି । କୋମନା ବ୍ଲକ ସୁନବେଡ଼ାରେ ଥିବା ମାଆ ସୁନାଦେଈଙ୍କ ପୀଠର ସୌନ୍ଦର୍ଯ୍ୟକରଣ ପାଇଁ ଅଢ଼େଇ କୋଟି, ନୂଆପଡା ବ୍ଲକ ପତୋରାର ଯୋଗେଶ୍ୱର ମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ପାଞ୍ଚ କୋଟି ଓ ବୋଡ଼େନ ବ୍ଲକ ପାତାଳଗଙ୍ଗା ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ୭ କୋଟି ୨୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି ।

ଗତ ମେ ୨୨ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ ନୂଆପଡା ଜିଲ୍ଲା ଗସ୍ତରେ ଆସି ଏହି ୩ଟି ପ୍ରମୁଖ ସ୍ଥଳୀକୁ ପରିଦର୍ଶନ କରିବା ସହ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ । ଲୋକଙ୍କଠାରୁ ଦାବି ପତ୍ର ଗ୍ରହଣ କରିଥିଲେ। ଏସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅବଗତ କରିବା ପରେ ମୁଖ୍ୟମନ୍ତ୍ରୀ ୧୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଶୀଘ୍ର କାମ ଆରମ୍ଭ ହେବ ବୋଲି ନୂଆପଡା ଜିଲ୍ଲାପାଳ ହେମକାନ୍ତ ସାଏ କହିଛନ୍ତି।