spot_img
Home Blog Page 3049

ଫସଲ ବୀମା ପଞ୍ଜୀକରଣ ସମ୍ପର୍କିତ ସମୀକ୍ଷା ବୈଠକ, ନିର୍ଦ୍ଧାରିତ ସମୟରେ ୨୫ ଲକ୍ଷ ଚାଷୀଙ୍କ ପଞ୍ଜୀକରଣ ଲକ୍ଷ୍ୟ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଚାଷୀଙ୍କ ପଞ୍ଜୀକରଣର ଅଗ୍ରଗତି ସଂପର୍କରେ ଆଜି  ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ସମୀକ୍ଷା କରିଛନ୍ତି । କୃଷି ଓ କୃଷକ ସଶକ୍ତିକରଣ ଓ ସମବାୟ ବିଭାଗ ପ୍ରମୁଖ ଶାସନ ସଚିବ ଡଃ. ଅରବିନ୍ଦ କୁମାର ପାଢୀ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧୁରୀ, ଉଦ୍ୟାନ କୃଷି ନିର୍ଦ୍ଦେଶକ ରୋହିତ କୁମାର ଲେଙ୍କା ଓ ସମବାୟ ସମିତିର ରେଜିଷ୍ଟ୍ରାର ଡଃ. ଉଦ୍ଧବ ଚନ୍ଦ୍ର ମାଝୀ ପ୍ରମୁଖ ଏହି ବୈଠକରେ ଉପସ୍ଥିତ ଥିଲେ ଏବଂ ଓସ୍ୱାନ ପ୍ଲାଟଫର୍ମ ମାଧ୍ୟମରେ ଜିଲ୍ଲାର ସମସ୍ତ ଜିଲ୍ଲାପାଳଙ୍କୁ ଭର୍ଚୁଆଲ୍ ମାଧ୍ୟମରେ ଉପସ୍ଥିତ ଥିଲେ ।

ଜିଲ୍ଲାପାଳମାନଙ୍କ ନେତୃତ୍ୱରେ ଅଳ୍ପ ଦିନ ମଧ୍ୟରେ ୧୩ ଲକ୍ଷରୁ ଅଧିକ ଚାଷୀଙ୍କୁ ପଞ୍ଜୀକୃତ କରିବାରେ କ୍ଷେତ୍ରସ୍ତରୀୟ ଅଧିକାରୀଙ୍କ ଉଦ୍ୟମକୁ ମୁଖ୍ୟ ଶାସନ ସଚିବ ପ୍ରଶଂସା କରିଥିଲେ। ଓଡ଼ିଶା ସରକାରଙ୍କ ଅନୁରୋଧକ୍ରମେ ନାମଲେଖାର କଟ୍ ଅଫ୍ ତାରିଖ ଅଗଷ୍ଟ ୫ ତାରିଖକୁ ବୃଦ୍ଧି କରିବାକୁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ସମ୍ପର୍କରେ ବୈଠକରେ ସେ ସୂଚନା ଦେଇଥିଲେ । ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ ବ୍ୟାଙ୍କିଙ୍ଗ୍ ନେଟୱାର୍କ ଦ୍ୱାରା ନଗଣ୍ୟ ସଂଖ୍ୟକ ଅଣଋଣୀ ଚାଷୀଙ୍କ ନାମ ପଞ୍ଜୀକରଣକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ।

ସମବାୟ ବ୍ୟାଙ୍କଗୁଡ଼ିକୁ ଅଗଷ୍ଟ ୫ ତାରିଖ ସୁଦ୍ଧା ୧ ଲକ୍ଷ ଅଣଋଣୀ କୃଷକଙ୍କୁ ପଞ୍ଜୀକୃତ କରିବାକୁ ଲକ୍ଷ୍ୟ ଦିଆଯାଇଛି ଏବଂ ଅନ୍ୟ ବାଣିଜ୍ୟକ ବ୍ୟାଙ୍କଗୁଡ଼ିକୁ ମଧ୍ୟ ୧ ଲକ୍ଷ ଅଣଋଣୀ କୃଷକଙ୍କୁ ପଞ୍ଜୀକରଣ କରିବାକୁ କୁହାଯାଇଛି । ବର୍ଦ୍ଧିତ କଟ୍ ଅଫ୍ ତାରିଖ ମଧ୍ୟରେ ୪ ଲକ୍ଷ ଅଣଋଣଧାରୀ କୃଷକଙ୍କୁ ପଞ୍ଜୀକୃତ କରିବାକୁ କମନ୍ ସର୍ଭିସ୍ ସେଣ୍ଟର (ଜନସେବା କେନ୍ଦ୍ର)ଗୁଡ଼ିକୁ ଲକ୍ଷ୍ୟ ଦିଆଯାଇଛି । ବୈଠକ ପରେ ଅରବିନ୍ଦ ପାଢ଼ୀ ସୂଚନା ଦେଇଥିଲେ ଯେ, ରାଜ୍ୟ ସରକାର ଚାଷୀଙ୍କ ଭାଗ ପ୍ରିମିୟମ୍ ବହନ କରିବାକୁ ନେଇଥିବା ନିଷ୍ପତ୍ତିକୁ ଦୃଷ୍ଟିରେ ରଖି ୨୫ ଲକ୍ଷ ଚାଷୀଙ୍କ ନାମ ପଞ୍ଜୀକରଣ ଲକ୍ଷ୍ୟ କଟ୍ ଅଫ୍ ତାରିଖ ମଧ୍ୟରେ ସହଜରେ ହାସଲ ହୋଇପାରିବ, ଯାହାଦ୍ୱାରା ରାଜ୍ୟର କୃଷକମାନଙ୍କ ହିତକର  ନିଷ୍ପତ୍ତି ଦୃଷ୍ଟିରୁ ଅତିକମରେ ଏତେ ସଂଖ୍ୟକ କୃଷକ ଉପକୃତ ହୋଇପାରିବେ।

ପୁଷ୍ଟିର ପାୱାର ହାଉସ୍‌ ମିଲେଟ୍‌, ସ୍କୁଲ ମଧ୍ୟାହ୍ନ ଭୋଜନ ଓ ମେଡିକାଲରେ ମିଲେଟ୍‌ ପ୍ରସ୍ତୁତ ଖାଦ୍ୟ ଦେବା ପାଇଁ ଯୋଜନା

ଭୁବନେଶ୍ୱର: ପୁଷ୍ଟିର ପାୱାର ହାଉସ୍‌ ମିଲେଟ୍‌ । ପାଟିକୁ ସୁଆଦ, ଦେହକୁ ହିତ । ମିଲେଟ୍‌ ଚାହିଦା ବଢୁଛି । ଏହାର ବ୍ୟବହାର ଆହୁରି ବଢ଼ାଇବା ପାଇଁ ଉଦ୍ୟମ । ସ୍କୁଲ ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ପ୍ରତ୍ୟେକ ବ୍ୟକ୍ତିଙ୍କୁ ମିଲେଟର ଉପକାରିତା ବିଷୟରେ ଅବଗତ କରାଯିବ । ପିଲାଙ୍କ ଟିଫିନ ବକ୍ସରେ ରହିବ ମାଣ୍ଡିଆ । ରୋଗୀଙ୍କ ଖାଦ୍ୟ ତାଲିକାରେ ବି ରହିବ । ସ୍ବାସ୍ଥ୍ୟକର ମିଲେଟର ଅଧିକ ବ୍ୟବହାର ପାଇଁ ସଚେତନତା ସୃଷ୍ଟି ଲାଗି ରାଜ୍ୟ କୃଷି ବିଭାଗ ଗୁରୁତ୍ବ ଦେଇଛି । ସ୍କୁଲ ଓ ଗଣଶିକ୍ଷା, ସ୍ବାସ୍ଥ୍ୟ ଏବଂ ମିଶନ ଶକ୍ତି ବିଭାଗର ସହଯୋଗରେ ମିଲେଟ ବ୍ୟବହାର ବୃଦ୍ଧି ପାଇଁ ପଦକ୍ଷେପ ନିଆଯିବ । ସ୍କୁଲ ଛାତ୍ରଛାତ୍ରୀଙ୍କୁ ମିଲେଟର ଉପକାରିତା ସମ୍ପର୍କରେ ବୁଝାଇ ମଧ୍ୟାହ୍ନ ଭୋଜନରେ ଏହା ସାମିଲ କରିବାକୁ ଲକ୍ଷ୍ୟ ରହିଛି । ମେଡିକାଲରେ ମିଲେଟର ବହୁଳ ବ୍ୟବହାର ଉପରେ ରାଜ୍ୟ ସରକାର ଫୋକସ୍‌ କରିଛନ୍ତି । ଏହାସହ ମିଶନ ଶକ୍ତି କାଫେ ଜରିଆରେ ମିଲେଟ ଖାଦ୍ୟର ପ୍ରସାର ଓ ଅଧିକ ମହିଳାଙ୍କୁ ରୋଜଗାର ଦେବା ପାଇଁ ଗୁରୁତ୍ବ ଦିଆଯାଉଛି ।

ମିଲେଟ୍‌ ମିଶନ ଓଡ଼ିଶାକୁ ଦେଶ ଓ ବିଦେଶରେ ସ୍ବତନ୍ତ୍ର ପରିଚୟ ଦେଇଛି । ୨୦୧୭-୧୮ ବର୍ଷରେ ମାଣ୍ଡିଆକୁ ପ୍ରୋତ୍ସାହନ ଦେବାକୁ ରାଜ୍ୟ ସରକାର ଆରମ୍ଭ କରିଥିବା ମିଲେଟ ମିଶନ ସଫଳତା ପରେ ସଫଳତା ହାସଲ କରୁଛି । ପ୍ରଥମେ ୧୯ଟି ଜିଲ୍ଲାରେ କାର୍ଯ୍ୟକାରୀ ହୋଇଥିବା ମିଲେଟ୍‌ ମିଶନ ୩୦ଟି ଜିଲ୍ଲାକୁ ସମ୍ପ୍ରସାରିତ ହୋଇଛି । ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ମାଣ୍ଡିଆ ଦିବସ ପାଳନ କରୁଛି । ସରକାରୀ ବୈଠକରେ ଜଳଖିଆ ଭାବେ ମାଣ୍ଡିଆକୁ ବ୍ୟବହାର କରାଯାଉଛି । ମାଣ୍ଡିଆ ବ୍ୟବହାର ଦ୍ବାରା ଅନେକ ରୋଗରୁ ମୁକ୍ତି ମିଳୁଥିବାରୁ ପ୍ରତ୍ୟେକ ବ୍ୟକ୍ତି ନିଜ ଖାଦ୍ୟ ମେନୁରେ ମାଣ୍ଡିଆକୁ ସାମିଲ କରିବା ପାଇଁ ସ୍ବାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି । ୨୦୨୩କୁ ଆନ୍ତର୍ଜାତିକ ମିଲେଟ୍ ବର୍ଷ ଭାବେ ଜାତିସଂଘ ଘୋଷଣା କରିଛି । ସେହି ଅନୁସାରେ ରାଜ୍ୟ ସରକାର ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇ ମାଣ୍ଡିଆର ପ୍ରଚାର ପ୍ରସାର ସହ ଘରେଘରେ ମାଣ୍ଡିଆ ପହଞ୍ଚାଇବା ପାଇଁ ପ୍ରୟାସ ଜାରି ରଖିଛନ୍ତି  ।

ସ୍ୱାସ୍ଥ୍ୟ ଭଳି ସମ୍ବେଦନଶୀଳ ବିଷୟରେ ରାଜନୀତି କରୁଛି କେନ୍ଦ୍ର

ନୂଆଦିଲ୍ଲୀ: ସ୍ୱାସ୍ଥ୍ୟ ଭଳି ସମ୍ବେଦନଶୀଳ ବିଷୟରେ ରାଜନୀତି କରୁଛି କେନ୍ଦ୍ର । ଓଡ଼ିଶାରେ କେତୋଟି ନୂଆ ଆୟୁଷ ଡାକ୍ତରଖାନା ଖୋଲିବ, ସେନେଇ ଲୋକସଭାରେ ପ୍ରଶ୍ନ କରିଥିଲେ ଯାଜପୁର ସାଂସଦ ଶର୍ମିଷ୍ଠା ସେଠି । ଏହାର ଜବାବ ଦେଇଛନ୍ତି ଆୟୁଷ ବିଭାଗ ମନ୍ତ୍ରୀ ସର୍ବାନନ୍ଦ ସନୋଓ୍ବାଲ । ସେ କହିଛନ୍ତି ଯେ ଓଡ଼ିଶାରେ ୩ଟି ନୂଆ ଆୟୁଷ ଡାକ୍ତରଖାନା ଖୋଲାଯିବାର ପ୍ରସ୍ତାବ ଅଛି ।  ଢେଙ୍କାନାଳ , ବ୍ରହ୍ମପୁର ଓ ବାଲେଶ୍ୱରରେ ଆୟୁଷ ଡାକ୍ତରଖାନା ଖୋଲିବା ନେଇ ପ୍ରସ୍ତାବ ରହିଛି । କିନ୍ତୁ ଏ ପ୍ରସ୍ତାବ କାର୍ଯ୍ୟକାରୀ ହେବକି ନାହିଁ  ତାହା ସଂସୟ ସୃଷ୍ଟି କରୁଛି ।

ସବୁଠୁ ବଡ଼ କଥା ହେଉଛି ଆସାମରେ ୮ଟି, ଛତିଶଗଡ଼ରେ ୯ଟି, ଜାମୁକାଶ୍ମୀରରେ ୫ଟି, ଝାରଖଣ୍ଡରେ ୭ଟି, ମଣିପୁରରେ ୧୧ଟି, ଉତ୍ତର ପ୍ରଦେଶରେ ୨୬ଟି ଆୟୁଷ ଡାକ୍ତରଖାନାର ପ୍ରସ୍ତାବ ଥିବା ବେଳେ ଓଡ଼ିଶାରେ ମାତ୍ର ୩ଟିର ପ୍ରସ୍ତାବ ଅଛି । ଏହି ପରିସ୍ଥିତିରେ ଏ ତିନୋଟି ଆୟୁଷ ଡାକ୍ତରଖାନା କେବେ ଆରମ୍ଭ ହେବ କେହି ଜାଣିନାହାନ୍ତି ।  ସ୍ୱାସ୍ଥ୍ୟ ଭଳି ସମ୍ବେଦନଶୀଳ ବିଷୟରେ କେନ୍ଦ୍ର ସରକାର କାହିଁକି ରାଜନୀତି କରୁଛନ୍ତି ବୋଲି ପ୍ରଶ୍ନ ଉଠିଛି ।

କେନ୍ଦ୍ରର ଚାଷୀ ମାରଣ ନୀତି, ଧାନ ସବସିଡି ଅର୍ଥ ଦେଉନାହିଁ କେନ୍ଦ୍ର

ଭୁବନେଶ୍ୱର: ସହଯୋଗ କରୁନି କେନ୍ଦ୍ର । ନାଁ ଦେଉଛି ବକେୟା ଅର୍ଥ, ନାଁ ଉଠାଉଛି ଚାଉଳ । ଧାନ କିଣା ସବସିଡି ବାବଦକୁ କେନ୍ଦ୍ର ଉପରେ ରାଜ୍ୟର ୧୧ ହଜାର କୋଟିରୁ ଅଧିକ ଟଙ୍କା ବକେୟା ପଡ଼ିଛି । ବର୍ଷ ବର୍ଷ ଧରି ରାଜ୍ୟ ସରକାର କେନ୍ଦ୍ର ପାଖରେ ଦାବି କରୁଥିଲେ ମଧ୍ୟ କେନ୍ଦ୍ର ଏଥିପ୍ରତି କର୍ଣ୍ଣପାତ କରୁନାହିଁ । ବକେୟା ନଦେବା ଠାରୁ ବଳିଯାଇଛି ଏଫସିଆଇର ଚାଉଳ ଉଠାଣରେ ମନମାନି । ଏଫସିଆଇ ଚୁକ୍ତି ମୁତାବକ ଚାଉଳ ଉଠାଉନଥିବାରୁ ଏହାର ପ୍ରଭାବ ସିଧାସଳଖ ଚାଷୀଙ୍କ ଉପରେ ପଡ଼ୁଛି  । ଯାହାକୁ ନେଇ କେନ୍ଦ୍ର ବିରୋଧରେ ପ୍ରତିବାଦର ସ୍ବର ଉଠାଇଛି ରାଜ୍ୟ । କେନ୍ଦ୍ର ଚାଷୀ ମାରଣ ନୀତି ଯୋଗୁଁ ରାଜ୍ୟ ସରକାର ଋଣ କରି ସବୁ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେଉଥିବା ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି । ଅନ୍ୟପଟେ ରାଜ୍ୟର ଚାଷୀଙ୍କ ପ୍ରତି କେନ୍ଦ୍ରର ଲଗାତର ଅବହେଳାକୁ ନେଇ ବର୍ଷିଛନ୍ତି ବରିଷ୍ଠ  କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ତୁରନ୍ତ କେନ୍ଦ୍ର ସରକାର ଚାଷୀଙ୍କ ପ୍ରାପ୍ୟ ଦିଅନ୍ତୁ ବୋଲି ସୁର ଯୋଗାଣ ମନ୍ତ୍ରୀଙ୍କ ସ୍ବରରେ ସ୍ବର ମିଳାଇଛନ୍ତି ।

ସେପଟେ ମୌସୁମୀ ରାଜ୍ୟରେ ସକ୍ରିୟ ହେବା ପରେ ଚାଷୀଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବାକୁ ଅଣ୍ଟା ଭିଡ଼ିଛି କୃଷି ବିଭାଗ । ରାଜ୍ୟର ୨ଟି ଜିଲ୍ଲାକୁ ଛାଡ଼ିଦେଲେ ପ୍ରାୟ ସବୁ ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଛି । ତେଣୁ ଚାଷ କାର୍ଯ୍ୟରେ କୌଣସି ବ୍ୟାଘାତ ସୃଷ୍ଟି ହେବ ନାହିଁ ବୋଲି କୃଷି ବିଭାଗ ପ୍ରମୁଖ ସଚିବ ଅରବିନ୍ଦ ପାଢୀ କହିଛନ୍ତି । ଲଗାତର ଭାବେ ରାଜ୍ୟ ସରକାର ସ୍ଥିତି ଉପରେ ନଜର ରଖିବା ସହ ସ୍ବତନ୍ତ୍ର ବିହନ ପଲିସି ମାଧ୍ୟମରେ ଚାଷୀମାନଙ୍କୁ ଆବଶ୍ୟକ ବିହନ ଓ ସାର ଯୋଗାଣ ଉପରେ ଗୁରୁତ୍ବ ଦେଇଛନ୍ତି । ଚାଷ ଓ ଚାଷୀର ଉନ୍ନତି ପାଇଁ ରାଜ୍ୟ ସରକାର ଗୋଟିଏ ପରେ ଗୋଟିଏ ଯୋଜନା କରି ଅନ୍ନଦାତାଙ୍କ ହାତମୁଠାକୁ ଟାଣ କରୁଛନ୍ତି । ଅନ୍ୟପଟେ ଏମଏସପି ନକରିବା, ଧାନ ସବସିଡି ବକେୟା ଅର୍ଥ କେନ୍ଦ୍ର ଉପରେ ବଢିବଢି ଚାଲିବା, ଆବଶ୍ୟକ ସାର ଯୋଗାଇ ନଦେବା, ଏଫସିଆଇ ଚାଉଳ ନଉଠାଇବା ପରି ନୀତି ଅବଲମ୍ବନ କରି ଚାଷୀଙ୍କ ସିଧାସଳଖ ହାଇରଣ କରୁଛି କେନ୍ଦ୍ର । ଯାହାକୁ ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ତେଜିବାରେ ଲାଗିଛି ଅସନ୍ତୋଷର ନିଆଁ  ।

୧୪ଟି ନୂତନ ସ୍ବତନ୍ତ୍ର ଉନ୍ନୟନ ପରିଷଦ ପାଇଁ ନିଯୁକ୍ତ ହେଲେ ଅଧ୍ୟକ୍ଷ

ଭୁବନେଶ୍ୱର: ୧୪ଟି ନୂତନ ସ୍ବତନ୍ତ୍ର ଉନ୍ନୟନ ପରିଷଦ ପାଇଁ ନିଯୁକ୍ତ ହେଲେ ଅଧ୍ୟକ୍ଷ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ନିଯୁକ୍ତି ପ୍ରଦାନ କରାଯାଇଛି । ଅନୁଗୁଳ ଜିଲ୍ଲା ଏସଡିସି ଅଧ୍ୟକ୍ଷ ହୋଇଛନ୍ତି ସଦାଶିବ ନାୟକ । ସେହିପରି ମଦନ ମୋହନ ମାଝୀ ବାଲେଶ୍ବର ଏସଡିସି ଅଧ୍ୟକ୍ଷ ହୋଇଥିବାବେଳେ ବ୍ରଜମୋହନ ବିଶୋଇ ବଲାଙ୍ଗୀର, ଭଗବାନ କହଁର ବୌଦ୍ଧ, ସୁରେନ୍ଦ୍ର ହେମ୍ବ୍ରମ ଢେଙ୍କାନାଳ, ଲମ୍ବୋଧର ମୁଣ୍ଡା ଯାଜପୁର ଏସଡିସି ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି । ଶିବାଜୀ ମାଝୀ କଳାହାଣ୍ଡି ଏସଡିସି ଅଧ୍ୟକ୍ଷ ହୋଇଥିବାବେଳେ ଭଗତରାମ ମାଝୀ ନୂଆପଡା, ଶୋଭାରାମ ପ୍ରଧାନ ସମ୍ବଲପୁର, ପାଞ୍ଜିଆ ଭୋଇ ଦେବଗଡ଼, ସୁଶୀଳା ଭୋଇ ବରଗଡ଼, ମୋହନ କିଶାନ ଝାରସୁଗୁଡା, ଜାନକୀ ଦେଉରୀ ନୟାଗଡ ଓ ବିଦ୍ୟାଧର ଜାନୀ ଗଞ୍ଜାମ ଏସଡିସି ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି ।

୨୦୧୭ ମସିହାରେ ୯ଟି ଜିଲ୍ଲାରେ ସ୍ବତନ୍ତ୍ର ଉନ୍ନୟନ ପରିଷଦ କାର୍ଯ୍ୟକାରୀ କରାଯାଇଥିଲା । ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଆଉ ୧୪ଟି ଜିଲ୍ଲାକୁ ସଂପ୍ରସାରିତ କରିଥିଲେ । ପରିଷଦଗୁଡ଼ିକ ଜରିଆରେ ରାଜ୍ୟର ଜନଜାତି ମାନଙ୍କର କଳା, ସଂସ୍କୃତି ଓ ଐତିହ୍ୟର ସଂରକ୍ଷଣ ଓ ସୁରକ୍ଷା ପାଇଁ ପଦକ୍ଷେପ ନିଆଯାଉଛି ।

ପୁଣି କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ, କହିଲେ ପୋଲିସ ଉପରେ ନାହିଁ ବିଶ୍ବାସ

ନୂଆଦିଲ୍ଲୀ: ପୁଣି କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ । ମଣିପୁର ଭିଡିଓ ଭାଇରାଲ ମାମଲାରେ ରାଜ୍ୟ ସରକାରଙ୍କ ସହ ପୋଲିସ ପ୍ରଶାସନ ଉପରେ ବର୍ଷିଲେ ସୁପ୍ରିମକୋର୍ଟ । ରାଜ୍ୟରେ ସାମ୍ବିଧାନିକ ବ୍ୟବସ୍ଥା ସମ୍ପୂର୍ଣ୍ଣ ଠପ୍ ହୋଇପଡ଼ିଛି । ଭିଡିଓ ଭାଇରାଲ ମାମଲାରେ ତଦନ୍ତ କରିବାରେ ଅଳସୁଆ ନୀତି ଆପଣେଇଛି ମଣିପୁର ପୋଲିସ । ଘଟଣାର ଦୁଇ ମାସ ପରେ ମାମଲା ରୁଜୁ ହୋଇଥିବା ବେଳେ ଅଭିଯୁକ୍ତଙ୍କୁ ଗିରଫ କରାଯାଇନଥିଲା । ପୀଡିତାଙ୍କ ବୟାନ ରେକର୍ଡ କରିବାରେ ପୋଲିସର ବିଳମ୍ବ ଓ ନିଷ୍କ୍ରିୟତା ଏବେ ଅନେକ ପ୍ରଶ୍ନ ସୃଷ୍ଟି କରିଛି । ଏସବୁ ସ୍ଥିତିକୁ ଦେଖିଲେ ମେ’ ମାସ ଆରମ୍ଭରୁ ଜୁଲାଇ ଶେଷ ପର୍ଯ୍ୟନ୍ତ ରାଜ୍ୟରେ ଆଇନକାନୁନର ବ୍ୟବସ୍ଥା ନଥିଲା । ପୋଲିସ ବ୍ୟବସ୍ଥା ଏତେ ନିଷ୍କ୍ରିୟ ଥିଲା ସାମାନ୍ୟ ଏଫଆଇଆର ରୁଜୁ କରିପାରିନଥିଲା ପୋଲିସ । ମାମଲାରେ ତଦନ୍ତ କରିବାରେ ମଣିପୁର ପୋଲିସ ସମ୍ପୂର୍ଣ୍ଣ ବିଫଳ । ସେମାନେ ଅପରାଧ ଉପରେ ନିୟନ୍ତ୍ରଣ ହରାଇଛନ୍ତି । ଆଇନକାନୁନ ରାଜ୍ୟରେ ସମ୍ପୂର୍ଣ୍ଣ ଠପ୍ ହୋଇ ପଡ଼ିଛି ବୋଲି କହିଛନ୍ତି ସୁପ୍ରିମକୋର୍ଟ ।

ମାମଲାର ଶୁଣାଣି ବେଳେ ହାଜର ହେବା ପାଇଁ ମଣିପୁର ଡିଜିଙ୍କୁ କୋର୍ଟ ନୋଟିସ ପଠାଯାଇଛି । ଏହା ଉତ୍ତରରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ମାମଲା ଲଢୁଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ  ଯେ କେବଳ ମେ’ ମାସରେ ରାଜ୍ୟରେ ୬ ହଜାର ମାମଲା ରୁଜୁ ହୋଇଥିଲା । ରାଜ୍ୟ ପୋଲିସ ନିଷ୍କ୍ରିୟ ଆଦୌ ନଥିଲା ବୋଲି ତୁଷାର ମେହେଟ୍ଟା କହିଥିଲେ । ଏହାକୁ ନେଇ କୋର୍ଟ ଅସନ୍ତୋଷ ବ୍ୟକ୍ତ କରିବା ସହ ରୁଜୁ ହୋଇଥିବା ମାମଲାର ସମ୍ପୂର୍ଣ୍ଣ ରିପୋର୍ଟ ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଏତେ ଗୁଡିଏ ମାମଲାରେ ସିବିଆଇ ତଦନ୍ତ କରିପାରିବ ନାହିଁ, କିମ୍ବା ରାଜ୍ୟ ପୋଲିସ ଉପରେ ତଦନ୍ତ ନେଇ କୌଣସି ଭରସା ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

ଦୀର୍ଘ ବର୍ଷ ପରେ କଟକକୁ ଫେରିଛି ସର୍କସ, ଦେଖିବା ପାଇଁ ଲାଗୁଛି ଭିଡ଼

କଟକ: ଜିମ୍ନାଷ୍ଟିକ ସାଙ୍ଗକୁ ରସିଆନ ରିଂ ଡ୍ୟାନ୍ସ । ମଣିପୁରୀ ଆକ୍ରୋବାଟ ସାଙ୍ଗକୁ ଜୋକର ଶୋ । ୨୫ରୁ ଅଧିକ ପ୍ରକାର ଖେଳ ନେଇ କଟକରେ ଆରମ୍ଭ ହୋଇଛି ଏନ.କେ. ରୋଲେକ୍ସ ସର୍କସ । ବାଲିଯାତ୍ରା ଉପର ପଡ଼ିଆରେ ଦୈନିକ ୩ଟି ଶୋ’ ସହ କଳା ଦେଖାଉଛନ୍ତି ସର୍କସର କଳାକାର । ମଣିପୁର, ଆସାମ ଓ ନେପାଳର ବିଭିନ୍ନ କଳାକାର ଦର୍ଶକଙ୍କ ମନୋରଞ୍ଜନ କରିବା ସହ ବାଇକ ଶୋ ରହିଛି ସର୍କସର ମୁଖ୍ୟ ଆକର୍ଷଣ । ୩୫ ଦିନ ଧରି ଚାଲିବାକୁ ଥିବା ବେଳେ ଟିକେଟର ମୂଲ୍ୟ ୧୦୦ ଟଙ୍କାରୁ ୨୦୦ ଟଙ୍କା ପର୍ଯ୍ୟନ୍ତ ରଖାଯାଇଛି ବୋଲି କହିଛନ୍ତି ସର୍କସର ମ୍ୟାନେଜର ।

ଡିଜିଟାଲ ଯୁଗରେ ବି ସର୍କସର ରହିଛି ଲୋକପ୍ରିୟତା । ପଶୁପକ୍ଷୀ, ଜୀବଜନ୍ତୁ ସିନା ନାହାନ୍ତି, ତଥାପି ଭିନ୍ନ ଭିନ୍ନ କଳା କୌଶଳ ମାଧ୍ୟମରେ ଦର୍ଶକଙ୍କୁ ବାନ୍ଧି ରଖିଛନ୍ତି ସର୍କସର କଳାକାର । ଖାସ୍ କରି ଛୋଟପିଲାଙ୍କ ପାଇଁ ଜୋକରମାନେ ସାଜିଛନ୍ତି ମୁଖ୍ୟ ଆକର୍ଷଣ । ପ୍ରଥମକରି ସର୍କସ ଦେଖୁଥିବାରୁ ପିଲାଏ ବି ବେଶ ଖୁସ୍ । ଏକମାସ ଧରି ଚାଲିବାକୁ ଥିବା ରୋଲେକ୍ସ ସର୍କସକୁ ଉଦଘାଟନ କରିଥିଲେ କଟକ ମେୟର ସୁବାସ ସିଂ ଓ କ୍ରୀଡା ସଂଗଠକ ଆଶୀର୍ବାଦ ବେହେରା ।

ପୃଥ୍ବୀରାଜ ହରିଚନ୍ଦନ ଟିଭିର ବୁମ୍ ଦେଖିଲେ ନିଜକୁ ସମ୍ଭାଳି ପାରୁନାହାନ୍ତି: ବିଜେଡି

ଭୁବନେଶ୍ୱର: ଶ୍ରୀମନ୍ଦିର ରତ୍ନଭଣ୍ଡାର ସମ୍ପର୍କିତ ସତ୍ୟପାଠକୁ ସମାଲୋଚନା କରିଥିବା ବିଜେପି ନେତା ପୃଥ୍ବୀରାଜ ହରିଚନ୍ଦନଙ୍କ ଉପରେ ବର୍ଷିଲା ବିଜେଡି । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିଜେଡି ମୁଖପାତ୍ର ଇପସିତା ସାହୁ କହିଛନ୍ତି ଯେ, ଜୀବନରେ ଓ୍ବାର୍ଡ ମେମ୍ବରଟିଏ ମଧ୍ଯ ହୋଇ ପାରିନଥିବା ବିଜେପି ନେତା ପୃଥ୍ବୀରାଜ ହରିଚନ୍ଦନ ଟିଭିର ବୁମ୍ ଦେଖିଲେ ନିଜକୁ ସମ୍ଭାଳି ପାରୁନାହାନ୍ତି । କୌଣସି ବିଷୟରେ ନଜାଣିଥିଲେ ବି ଯାହା ମନକୁ ଆସିଲା ତାହା ଗପି ଚାଲନ୍ତି । ଓଡ଼ିଶାବାସୀ ତାଙ୍କର ଏଭଳି ସ୍ବଭାବ ବିଷୟରେ ଭଲଭାବରେ ଅବଗତ ଅଛନ୍ତି । ପୃଥ୍ବୀରାଜଙ୍କ ଭଳି ଓଡ଼ିଶାର ବିଜେପି ନେତାମାନେ ସ୍ପର୍ଶକାତର ପ୍ରସଙ୍ଗରେ ସବୁବେଳେ ନିମ୍ନମାନର ରାଜନୀତି କରିବାକୁ ଚେଷ୍ଟା ଚଳାଇ ଆସିଛନ୍ତି । ହାଇକୋର୍ଟରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦାଖଲ କରାଯାଇଥିବା ସତ୍ୟପାଠକୁ ମିଥ୍ୟା ବୋଲି କହିବା ତାଙ୍କ ହୀନ ମାନସିକତାକୁ ଦର୍ଶାଉଛି । ମହାପ୍ରଭୁଙ୍କ ନାଁରେ ମିଛ କହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଯଦି ତାଙ୍କ ନିକଟରେ କିଛି ତଥ୍ୟ ରହିଛି ତେବେ ଏହା ବିରୋଧରେ ସେ ହାଇକୋର୍ଟକୁ ଯାଇନାହାନ୍ତି କାହିଁକି ବୋଲି ପ୍ରଶ୍ନ କରିଛି ବିଜେଡି । ମହାପ୍ରଭୁ ବିଷୟରେ ଏପରି ମିଥ୍ୟା କହିବାଦ୍ବାରା ଶ୍ରୀଜଗନ୍ନାଥ ପ୍ରେମୀ ଓ ଓଡ଼ିଶାବାସୀ ତାଙ୍କୁ କେବେ କ୍ଷମା କରିବେ ନାହିଁ ।

ଢ଼େଙ୍କାନାଳରେ ପୁଣି ଅଜଣା ଜନ୍ତୁ ଆତଙ୍କ

ଢ଼େଙ୍କାନାଳ: ଗାଁ ପରେ ସହର । ଢ଼େଙ୍କାନାଳରେ ପୁଣି ଅଜଣା ଜନ୍ତୁ ଆତଙ୍କ । ଗତକାଲି ରାତିରେ ଢେଙ୍କାନାଳ ଲକ୍ଷ୍ମୀବଜାର ଅଞ୍ଚଳରେ ଅଜଣା ଜନ୍ତୁ ଆତଙ୍କ ଦେଖିବାକୁ ମିଳିଛି । ଅଜଣା ଜନ୍ତୁ ଆକ୍ରମଣରେ ୩ ଜଣ ଆହତ ହୋଇଛନ୍ତି । ସିସିଟିଭିରେ କଏଦ ହୋଇଛି ଅଜଣା ଜନ୍ତୁର ଚିତ୍ର । ରାତିରେ ଅଜଣା ଜନ୍ତୁ ସହର ଭିତରେ ପଶି ଲୋକଙ୍କୁ ଆକ୍ରମଣ କରୁଛି । ଜନ୍ତୁଟି କ’ଣ ଏ ପର୍ଯ୍ୟନ୍ତ ଜଣାପଡ଼ିନାହିଁ । ରାତି ୩ଟା ୩୦ ମିନିଟ୍ ସମୟରେ ଜନ୍ତୁଟି ଢେଙ୍କାନାଳ ସହର ଭିତରେ ବୁଲୁଥିବାର ଦୃଶ୍ୟ କଏଦ ହୋଇଛି । ପୂର୍ବରୁ ଆରଦା ଗାଁରେ ମଧ୍ୟ ପଚାଶରୁ ଅଧିକ ମେଣ୍ଢାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା ।

ୟୁଟ୍ୟୁବ୍ ଓ ଗୁଗୁଲରୁ ଶିକ୍ଷାଲାଭ କରି ପ୍ରଶାସନିକ ପରୀକ୍ଷାରେ ହେଲେ କୃତକାର୍ଯ୍ୟ

ଗୁଣୁପୁର: ଲକ୍ଷ୍ୟ ବଡ଼ ଥିଲେ ବାଟ ଓଗାଳି ପାରେନି ସମସ୍ୟା । ଦୃଢ଼ ମନୋବଳ ଥିଲେ ମିଳିଥାଏ ସଫଳତା । କୋଚିଂ ନୁହଁ ସୋସିଆଲ ମିଡ଼ିଆରୁ ବି ଲାଭ କରିହୁଏ ଶିକ୍ଷା । ଏହାକୁ ପ୍ରମାଣିତ କରି ଓପିଏସସି ପରୀକ୍ଷାରେ ୩୬୨ ନମ୍ବର ରାଙ୍କ ରଖି କୃତକାର୍ଯ୍ୟ ହୋଇଛନ୍ତି ରାୟଗଡ଼ା ଜିଲ୍ଲା ଗୁଣପୁର ଚାଲକାମ୍ବା ଗାଁର ଜାହ୍ନବୀ ଶବର । ଗରିବ ଜାହ୍ନବୀଙ୍କ ଶିକ୍ଷା ଜୀବନରେ ଠିଆ ହୋଇଥିଲା ଅନେକ ସମସ୍ୟା । କୋଚିଂ ନେବାକୁ ସମ୍ବଳ ନଥିବାରୁ ଜାହ୍ନବୀ ଗୁଗୁଲ ଏବଂ ୟୁଟ୍ୟୁବରୁ ଶିକ୍ଷା ଲାଭ କରି ହାସଲ କରିଛନ୍ତି ସଫଳତା । ଜୁଲାଇ ୨୦ ତାରିଖରେ ସେ ଗୁଣୁପୁର ଠାରେ ସହକାରୀ ଏଗ୍ରିକଲଚର ଅଫିସର ଭାବେ ପ୍ରଥମ କରି ଚାକିରି ପାଇଥିଲେ। ବର୍ତ୍ତମାନ ପୁଣି ସେ ଓପିଏସସି ପରୀକ୍ଷାରେ ସଫଳତା ହାସଲ କରିଛନ୍ତି ।

ଧୈର୍ଯ୍ୟ ଓ ଏକାଗ୍ରତା ଥିଲେ ଦୂର ନୁହଁ ଲକ୍ଷ୍ୟ ହାସଲ । କୋରାପୁଟ ପାଇଁ ଗୌରବ ପାଲଟିଛନ୍ତି ସୌରଭ । ଓଡ଼ିଶା ସିଭିଲି ସର୍ଭିସ ପରୀକ୍ଷାରେ ୩୪୬ ରାଙ୍କ ରଖି କୃତକାର୍ଯ୍ୟ ହୋଇଛନ୍ତି ସୌରଭ ଖିଲ । ନିଷ୍ଠାପର ଉଦ୍ୟମ ଓ କଠିନ ପରିଶ୍ରମ ଯୋଗୁଁ ଏହି ସଫଳତା ପାଇଛନ୍ତି ସୌରଭ । କୋଟିଆ ଓ କୋରାପୁଟର ଜୈବ ବିବିଧତା ଓ ତା’ର ସୁରକ୍ଷା ଚିନ୍ତାରେ ଅଛନ୍ତି ସୌରଭ । କୃଷି ବିଶ୍ବ ବିଦ୍ୟାଳୟରୁ ଏମଏସଜି କରିଛନ୍ତି ସେ । ଆଗକୁ ସେ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ଦେଇ IFS ଅଧିକାରୀ ହେବା ପାଇଁ ଲକ୍ଷ୍ୟ ରଖିଛନ୍ତି ।