ଅନୁଗୁଳକୁ କେନ୍ଦ୍ରର ଅବହେଳା ଅଭିଯୋଗ

ଅନୁଗୁଳ: ଅନୁଗୁଳକୁ ଲଗାତାର ଅବହେଳା କରିଆସୁଛନ୍ତି କେନ୍ଦ୍ର ସରକାର । ଜିଲ୍ଲାରେ ଶୋଚନୀୟ ହୋଇପଡ଼ିଛି ଜାତୀୟ ରାଜପଥ । ୫୫ ନମ୍ବର ଜାତୀୟ ରାଜପଥ ମରଣଯନ୍ତା ପାଲଟିଛି । ସଂପ୍ରସାରଣ କାର୍ଯ୍ୟ ଦୀର୍ଘବର୍ଷ ଧରି ଚାଲିଥିଲେ ବି ସରିବାର ନାଁ ଧରୁନି । ତୁରନ୍ତ କାମ ସାରିବାକୁ ବାରମ୍ବାର ଦାବି ପରେ ବି ଦୃଷ୍ଟି ଦେଉନି କେନ୍ଦ୍ର । ଏହାଛଡ଼ା ଏମସିଏଲ ବିସ୍ଥାପନ ନେଇ ଟାଳଟୂଳ ନୀତି ଆପଣାଉଛି । ପ୍ରତିବାଦରେ ଆସନ୍ତା ୧ ତାରିଖରେ ଆନ୍ଦୋଳନକୁ ଓହ୍ଲାଇବ ବିଜେଡି । ଦୁଇ ଘଣ୍ଟିଆ ଜାତୀୟ ରାଜପଥ ଅବରୋଧ କରିବାକୁ ନିଷ୍ପତି ନେଇଛି  ଦଳ । ଏନେଇ ଜିଲ୍ଲା ବିଜେଡି ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଅଭିଯୋଗ ଅନୁସାରେ ଏମସିଏଲ ଅନୁଗୁଳ ଜିଲ୍ଲାର ଜମି ହରାଇଥିବା ଲୋକଙ୍କୁ ଯାତନା ଦେଇଆସୁଛି  । ଥଇଥାନ ନେଇ କେନ୍ଦ୍ର ସରକାରଙ୍କର ରହିଥିବା ୨୦୦୬ କିମ୍ବା ୨୦୧୩ ପଲିସିକୁ ସମାଧାନ କରୁନାହାନ୍ତି । ଫଳରେ ୩୦ ବର୍ଷ ହେଲା ଲୋକ ବିସ୍ଥାପନ ପ୍ରକ୍ରିୟାରେ ରହିଥିବା ବେଳେ ଆଜି ଯାଏ ଥଇଥାନ ହୋଇପାରୁନାହାନ୍ତି  । ଏମଏସିଏଲ ଲୋକଙ୍କ ପାଇଁ ସେପରି କୌଣସି ଆଖିଦୃଶିଆ କାର୍ଯ୍ୟ କରୁନାହିଁ  । ଏମସିଏଲ ଦ୍ବାରା ତାଳଚେରରେ ପ୍ରଦୂଷଣ ବୃଦ୍ଧି ସହିତ ଲୋକମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି  । ପ୍ରତିବାଦରେ ସେପ୍ଟେମ୍ବର ପହିଲାରେ ସକାଳ ୮ଟାରୁ ୧୦ଟା ଯାଏ ୫୫ ନମ୍ବର ରାଜପଥ ଅବରୋଧ କରି ଦଳ ବିକ୍ଷୋଭ କରିବ  ।