ଯାଜପୁରରେ 5T ସଚିବଙ୍କ ମାରାଥନ ସମୀକ୍ଷା

1 min read

ଯାଜପୁର: ବିକାଶର ପଥରେ ଆଉପାଦେ ଆଗେଇବ ଯାଜପୁର । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଯାଜପୁରରେ ବିକାଶର ଅନୁଧ୍ୟାନ କରୁଛନ୍ତି 5T ସଚିବ ଭିକେ ପାଣ୍ଡିଆନ । ମିଶନ ଶକ୍ତି ମାଆଙ୍କ ସହିତ ଆଲୋଚନା କରିଛନ୍ତି ଭିକେ ପାଣ୍ଡିଆନ । ରାଜ୍ୟ ସରକାର ମାଆଙ୍କୁ ଦେଉଥିବା ସୁବିଧା ସୁଯୋଗ ସମ୍ପର୍କରେ 5T ସଚିବ ଅବଗତ କରିଥିଲେ । ଯାଜପୁର ଜିଲ୍ଲାର ସମସ୍ତ ଯୁକ୍ତଦୁଇ ଓ ଡିଗ୍ରୀ କଲେଜ 5T ଉପକ୍ରମରେ ରୂପାନ୍ତିରତ ହେବ । ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରି ଏହି ଖୁସି ଖବର ଦେଇଛନ୍ତି ଭିକେ ପାଣ୍ଡିଆନ  ।

ଭଲପାଇବା, ସ୍ନେହ, ଭରସା। ହଜାର ହଜାର ଲୋକଙ୍କ ଭିଡରେ କିଏ ବଢାଇ ଦେଉଥିଲା ଆଦରର ହାତ, ଆଉ କିଏ ମୁଣ୍ଡ ଉପରେ ହାତଥୋଇ ଅଜାଡ଼ି ଦେଉଥିଲା ଆଶୀର୍ବାଦ। ପୁଣି ଭରସାର ହାତରେ ରାକ୍ଷୀଟିଏ ବାନ୍ଧି ଭଲପାଇବା ବଖାଣୁଥିଲେ ମାଆ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଯାଜପୁରରେ ବିକାଶର ସମୀକ୍ଷା ଓ ଲୋକଙ୍କ ଅଭିଯୋଗ ଶୁଣିବା ସମୟରେ ମନ ଜିଣିନେଉଥିଲା 5T ସଚିବଙ୍କ ପ୍ରତି ମାଆଙ୍କ ମମତା। କୋରେଇରେ ମିଶନ ଶକ୍ତି ସଦସ୍ୟାଙ୍କୁ ଭେଟି ଆଲୋଚନା କରିଥିଲେ ଫାଇଭ-ଟି ସଚିବ । ଯାଜପୁର ଜିଲ୍ଲାରେ ମିଶନ ଶକ୍ତି ମାଆଙ୍କୁ ୫୪୦ କୋଟି ଟଙ୍କାର ଋଣ ଯୋଗାଇ ଦିଆଯାଇଛି। କେବଳ ୨୦୨୦-୨୧ ବର୍ଷରେ ପ୍ରଦାନ କରାଯାଇଛି ୧୮୦ କୋଟି ଟଙ୍କା। ସ୍କୁଟି ପାଇଁ ୧୭୦୦ ଜଣ ଆବେଦନ କରିଥିବା ବେଳେ ବ୍ଳକ ଫେଡେରେସନଙ୍କୁ ଗାଡ଼ି ଦେବାପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଖୁବଶୀଘ୍ର ଏମବିକେ ଓ ସିଆରପିଙ୍କ ଦରମା ବଢିବା ନେଇ ମୁଖ୍ୟମନ୍ତ୍ରୀ ଖୁସି ଖବର ଦେବେ । ଏହାଛଡ଼ା ମହିଳାଙ୍କୁ ରାଜ୍ୟ ସରକାର ଦେଉଥିବା ସବୁ ସୁବିଧା ସମ୍ପର୍କରେ ଅବଗତ କରିଥିଲେ ଫାଇଭ-ଟି ସଚିବ  ।

ସବୁକ୍ଷେତ୍ରରେ ସଫଳତାର ଆକାଶ ଛୁଇଁବେ ଯାଜପୁରର ଛାତ୍ରଛାତ୍ରୀ। ସରକାରୀ କଲେଜରେ ମିଳିବ ବଡ଼ ବଡ଼ କଲେଜ ଭଳି ସୁବିଧା। ଜିଲ୍ଲାର ସମସ୍ତ କଲେଜକୁ 5T ଉପକ୍ରମରେ ରୂପାନ୍ତରିତ କରାଯିବ। ନୂଆବର୍ଷ ପୂର୍ବରୁ ଯୁକ୍ତ ଦୁଇ ଓ ଡିଗ୍ରୀ କଲେଜର ନବକଳେବର ପାଇଁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି । କଲେଜ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରି ଏହି ଖୁସି ଖବର ଶୁଣାଇଛନ୍ତି 5T ସଚିବ । ନିଜ କଲେଜର ରୂପାନ୍ତରଣରେ ଶ୍ରମଦାନ କରିବାକୁ ଆହ୍ବାନ ଦେବା ସହିତ ରୂପାନ୍ତରିତ କଲେଜର ପୂର୍ବ ଓ ପର ଭିଡିଓ ଇନଷ୍ଟାରେ ସେୟାର କରିବାକୁ ପରାମର୍ଶ ଦେଇଛନ୍ତି। ଜୀବନରେ ପିଲାମାନେ କିପରି ସଫଳ ହେବେ ସେଥିପାଇଁ ଟିପ୍ସ ଦେଇଥିଲେ ଭିକେ ପାଣ୍ଡିଆନ  ।