ଆଜି କେତେବେଳେ ଭାଇ ହାତରେ ରାକ୍ଷୀ ବାନ୍ଧିଲେ ଶୁଭ

ଭୁବନେଶ୍ବର: ପରମ୍ପରା ଅନୁସାରେ ଅଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ତେବେ ରାକ୍ଷୀ ବାନ୍ଧିବା ସମୟ ନେଇ ଲୋକେ ପଡ଼ିଛନ୍ତି ଦ୍ବନ୍ଦ୍ବରେ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ରକ୍ଷା ବନ୍ଧନ ଶ୍ରାବଣ ପୂର୍ଣ୍ଣିମା ଅପରାହ୍ନରେ ପାଳନ କରିବା ଶୁଭଙ୍କର । ତେବେ ଏହି ସମୟରେ ଭଦ୍ରାକାଳ ଥିଲେ ରାକ୍ଷୀ ବାନ୍ଧିବା ଅଶୁଭ । ଆଜି ରାତି ୯ଟା ୨ ମିନିଟ ପର୍ଯ୍ୟନ୍ତ ଭଦ୍ରାକାଳ ରହିବ । ସେପଟେ କାଲି ଶ୍ରୀମନ୍ଦିରରେ ରକ୍ଷା ବନ୍ଧନ ଉତ୍ସବ ପାଳନ ହେବ । ଅନୁଷ୍ଠିତ ହେବ ବଳଭଦ୍ରଙ୍କ ଜନ୍ମନୀତି  । ଶ୍ରୀମନ୍ଦିର ରୀତିନୀତି ସ୍ୱତନ୍ତ୍ର ହୋଇଥିବାରୁ କାଲି ସୂର୍ଯ୍ୟ ଉଦୟ ପରେ ପୂର୍ଣ୍ଣମୀ ତିଥି ରହିଥିବାରୁ ସେହିଦିନ ମହାପ୍ରଭୁଙ୍କର ରକ୍ଷାବନ୍ଧନ ନୀତି ସମ୍ପନ୍ନ ହେବ । ତେବେ ସାଧାରଣ ଲୋକ ଆଜି ରକ୍ଷାବନ୍ଧନ ପାଳନ କରୁଛନ୍ତି । କାଲି ସକାଳେ ମଧ୍ୟ ପୂର୍ଣ୍ଣମୀ ତିଥି ଥିବା ପର୍ଯ୍ୟନ୍ତ ରାକ୍ଷୀ ବାନ୍ଧିବାରେ ଅସୁବିଧା ନାହିଁ ବୋଲି ପଣ୍ଡିତମାନେ କହିଛନ୍ତି ।

ତେବେ ଆସନ୍ତୁ ଜାଣିବା ଅଗଷ୍ଠ ୩୦ ଓ ୩୧ ତାରିଖ କେଉଁ ସମୟରେ ଆପଣ ଆପଣଙ୍କ ଭାଇ ହାତରେ ରାକ୍ଷୀ ବାନ୍ଧି ପାରିବେ ।

ରକ୍ଷା ବନ୍ଧନ ହିନ୍ଦୁଙ୍କ ଏକ ପବିତ୍ର ପର୍ବ । ଭାଇର ହାତରେ ସ୍ନେହର ଡୋରୀ ବାନ୍ଧିଥାଏ ଭଉଣୀ । ଶ୍ରାବଣ ମାସ ଶୁକ୍ଲପକ୍ଷ ପୂର୍ଣ୍ଣିମା ତିଥିରେ ରକ୍ଷା ବନ୍ଧନ ପାଳନ କରାଯାଇଥାଏ । ହେଲେ ଭଦ୍ରାକାଳ ଥିଲେ ରକ୍ଷୀ ବାନ୍ଧିବା ଅଶୁଭ ମନାଯାଇଥାଏ । ଆଜି ଅଗଷ୍ଟ ୩୦ ତାରିଖରେ ପୂରା ଦିନ ଭଦ୍ରା କାଳ ରହିବ ଏଥିପାଇଁ ଅଗଷ୍ଟ ୩୧ ତାରିଖରେ ରାକ୍ଷୀ ବାନ୍ଧି ପାରିବେ ।

୩୦ ଅଗଷ୍ଟରେ ପୂର୍ଣ୍ଣିମା ତିଥି ସହ ସକାଳ ୧୦ଟା ୫୯ ମିନିଟରୁ ଭଦ୍ରାକାଳ ଆରମ୍ଭ ହେଉଛି । ଏହି ସମୟରେ ରାକ୍ଷୀ ବାନ୍ଧିବା ଅଶୁଭ ବିବେଚନା କରାଯାଇଥାଏ । ତେବେ ରାତି ୯ଟା ୨ ମିନିଟରେ ଭଦ୍ରାକାଳ ଶେଷ ହେଉଥିବାରୁ ଏହାପରେ ଆପଣ ନିଜ ଭାଇ ହାତରେ ରାକ୍ଷୀ ବାନ୍ଧି ପାରିବେ । ଯଦି କୌଣସି କାରଣରୁ ଆଜି ରାକ୍ଷୀ ବାନ୍ଧି ପାରୁନାହାନ୍ତି, ତେବେ ଚିନ୍ତା କରିବାର କୌଣସି କାରଣ ନାହିଁ । କାରଣ ୩୧ ଅଗଷ୍ଟରେ ବି ଆପଣ ରାକ୍ଷୀ ବାନ୍ଧି ପାରିବେ । ଅଗଷ୍ଟ ୩୧ ସକାଳ ୭ଟା ୫ ମିନିଟ ପର୍ଯ୍ୟନ୍ତ ଆପଣ ରାକ୍ଷୀ ବାନ୍ଧି ପାରିବେ । ଏହାପରେ ପୂର୍ଣ୍ଣିମା ତିଥି ଶେଷ ହୋଇଯିବ ।