spot_img
Home Blog Page 2938

ରକ୍ତାକ୍ତ ଯୁଦ୍ଧରୁ ବର୍ତ୍ତିଗଲା ଋଷ, ରାଜଧାନୀ ମସ୍କୋ ଯିବେନି ପ୍ରାଇଭେଟ୍ ଆର୍ମି ୱାଗନର

ମସ୍କୋ: ଋଷରେ ଥମିଲା ବିଦ୍ରୋହ । ରକ୍ତାକ୍ତ ଯୁଦ୍ଧରୁ ଅଳ୍ପକେ ବର୍ତ୍ତିଗଲା ଋଷ୍‌ । ମସ୍କୋ ଗଲାନି ପ୍ରାଇଭେଟ୍ ଆର୍ମି ୱାଗନର । ନିଜ ସରକାର ବିରୋଧରେ ବିଦ୍ରୋହ ଆରମ୍ଭ କରିଛି ୱାଗନର । ଭ୍ଲାଦିମିର ପୁଟିନଙ୍କ ନିକଟତର ୱାଗନର ମୁଖ୍ୟ ଏବେ ପୁଟିନଙ୍କୁ ଜୋରଦାର ବିରୋଧ କରୁଛନ୍ତି । ୩୬୦ କିଲୋମିଟର ପୂର୍ବରୁ ୟୁ-ଟର୍ଣ୍ଣ ନେଇଛି ୱାଗନର ଆର୍ମି । ପୁଟିନଙ୍କୁ ଗାଦିଚ୍ୟୁତ କରିବାକୁ ୨୫ ହଜାର ସୈନ୍ୟ ସହ ମସ୍କୋ ଅକ୍ତିଆର ପାଇଁ ମାଡ଼ି ଚାଲିଥିଲା ୱାଗନର । ହେଲେ ବେଲାରୁଷ ରାଷ୍ଟ୍ରପତି ମଧ୍ୟସ୍ଥତା ପାଇଁ କହିବାରୁ ଅଧାବାଟରୁ ଫେରିଛି ୱାଗନର । ଶାନ୍ତିପୂର୍ଣ୍ଣ ଆଲୋଚନା ପାଇଁ ସହମତି ଦେଇଛନ୍ତି ୱାଗନର ମୁଖ୍ୟ ୟେଭଗେନି ପ୍ରିଗୋଝିନ ।

ପୂର୍ବରୁ ଓ୍ୱାଗନର ତିନୋଟି ସହର କବଜା କରିନେଇଛି । ଏବେ ବି ହାଇଆଲର୍ଟରେ ଅଛନ୍ତି ପୁଟିନ୍ ସେନା । ଋଷର ଏଭଳି ସ୍ଥିତି ଉପରେ ନଜର ରଖିଛନ୍ତି ୟୁକ୍ରେନ ଓ ଆମେରିକା । ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ସମୟରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ନିଜ ଦେଶରେ ବିରୋଧ‌ର ସମ୍ମୁଖୀନ ହୋଇଛନ୍ତି । ଏବେ ମସ୍କୋରେ ଲକଡାଉନ ରହିଛି । ଋଷ ସେନା ସହରର ସୁରକ୍ଷା ପାଇଁ ଆଲର୍ଟରେ ଅଛନ୍ତି ।

ଜନ୍ମବେଦୀରେ ମହାପ୍ରଭୁଙ୍କ ଲୀଳାଖେଳା, ନନ୍ଦିଘୋଷ ରଥ କାଠ ଭାଙ୍ଗିଲେ ଅଭିମାନିନୀ ମହାଲକ୍ଷ୍ମୀ

ପୁରୀ: ଜନ୍ମବେଦୀରେ ମହାପ୍ରଭୁଙ୍କ ଲୀଳାଖେଳା । ହେରାପଞ୍ଚମୀ ଅବସରରେ ଗୁଣ୍ଡିଚା ମନ୍ଦିର ଆସି ନନ୍ଦିଘୋଷ ରଥର କାଠ ଭାଙ୍ଗିଲେ ଅଭିମାନିନୀ ମହାଲକ୍ଷ୍ମୀ । ବର୍ଷା ଓ ନୀତି ବିଳମ୍ବ ଯୋଗୁ ଭୋର ୩ଟାରେ ମାଆ ମହାଲକ୍ଷ୍ମୀ ଶ୍ରୀନଅରରୁ ଆସି ଶ୍ରୀଗୁଣ୍ଡିଚାକୁ ଆସିଥିଲେ । ବାଟରେ ପନ୍ତି ଭୋଗ ଲାଗି ହୋଇଥିଲା ।ଅଭିମାନ କରି ରଥ ଭାଙ୍ଗିଥିଲେ ମାଆ । ପରେ ପତି ମହାପାତ୍ରଙ୍କ ଦ୍ୱାରା ବନ୍ଦାପନା, ଚାମର ଆଲଟ, ଦହି ପଟି ମଣୋହି ଆଦି ସମସ୍ତ ନୀତିକାନ୍ତି ପରମ୍ପରା ଅନୁସାରେ ଅନୁଷ୍ଠିତ ହୋଇଥିଲା । ଏହା ପରେ ମା ମହାଲକ୍ଷ୍ମୀ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାଇଥିଲେ । ସନ୍ଧ୍ୟାଧୁପ ଚାଲୁଥିବାରୁ ମହାପ୍ରଭୁଙ୍କ ଦର୍ଶନ ପାଇନଥିଲେ । ତେବେ ରାଗ ପରବସ ହୋଇ ନାକଚଣା ଦ୍ୱାର ଦେଇ ହେରାଗୋହିରୀ ସାହି ଦେଇ ଶ୍ରୀମନ୍ଦିରକୁ ଫେରିଥିଲେ ମାଆ ।

ମା’ ମହାଲକ୍ଷ୍ମୀଙ୍କ ରାଗ ଖବର ମହାପ୍ରଭୁ ପାଇବା ପରେ ଆଜି ମହାପ୍ରଭୁଙ୍କ ଆଜ୍ଞାରେ ଆଜ୍ଞାମାଳ ପ୍ରାପ୍ତ ପରେ ତିନି ରଥକୁ ଦକ୍ଷିଣମୋଡ଼ କରାଯିବ । ସକାଳ ଧୂପ ନୀତି ପରେ ଏହି ବିଶେଷ ନୀତି ଅନୁଷ୍ଠିତ ହେବ । ଗତକାଲି ବୈଷୟିକ ଟିମ୍ ଦ୍ବାରା ରଥର ଯାଞ୍ଚ କରିସାରିଛନ୍ତି । ମାଆ ଅଭିମାନ କରି ରଥ ଭାଙ୍ଗିବା ଓ ଶ୍ରୀଜିଉ ଶ୍ରୀମନ୍ଦିର ଫେରିବାକୁ ପ୍ରସ୍ତୁତ ହେବା ମହାପ୍ରଭୁଙ୍କର ଏକ ମାନବୀୟ ଲୀଳା । ଏହାକୁ ଦେଖିବାକୁ ବର୍ଷା ଓ ବିଳମ୍ବିତ ରାତିରେ ଲୋକାରଣ୍ୟ ଥିଲା ଶରଧାବାଲି । ଶ୍ରୀଜିଉଙ୍କ ଅନନ୍ୟ ନୀତି ଦେଖି ତୃପ୍ତ ହୋଇଛି ଭକ୍ତ ପ୍ରାଣ ।

ଆଜି ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ, ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆଜି ବଙ୍ଗୋପସାଗରରେ ସୃଷ୍ଟି ହେବ ଚଳିତ ମୌସୁମୀ ଋତୁର ପ୍ରଥମ ଲଘୁଚାପ । ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ବବର୍ତ୍ତୀ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ୭.୬ କିମି ଉଚ୍ଚତା ଯାଏଁ ବାୟୁମଣ୍ଡଳରେ ସକ୍ରିୟ ଅଛି ଘୂର୍ଣ୍ଣିବଳୟ । ପ୍ରଭାବରେ ଆଜି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଏହାଦ୍ବାରା ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ । ଉତ୍ତର ଓଡ଼ିଶାର ୮ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।

ଆଜି ସକାଳ ୮ଟା ଯାଏ କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଢେ଼ଙ୍କାନାଳ, କଟକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସତର୍କ କରାଯାଇଛି । ଏହି ସମୟରେ ୭ରୁ ୨୦ ସେଣ୍ଟିମିଟର ବର୍ଷା ହେବା ଆକଳନ କରିଛି ପାଣିପାଗ କେନ୍ଦ୍ର । ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଅନୁଗୁଳ, ଦେବଗଡ଼, ସୁନ୍ଦରଗଡ଼, ସମ୍ବଲପୁର, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, କଳାହାଣ୍ଡି, କୋରାପୁଟ ଓ ମାଲକାଗିରିରେ ମଧ୍ୟ ପ୍ରବଳ ବର୍ଷା ସମ୍ଭାବନା ରହିଛି ।

କାଲିଠୁ ଏକାମ୍ରକ୍ଷେତ୍ର ଆମେନିଟିଜ୍ ଆଣ୍ଡ ମନ୍ୟୁମେଣ୍ଟସ୍ ରିଭାଇଭାଲ୍ କାମ, ଆଜିଠୁ ୨୮ ତାରିଖ ଯାଏ ଅତ୍ୟାଧୁନିକ ଆଲୋକ ବ୍ୟବସ୍ଥା

ଭୁବନେଶ୍ୱର: ଝଲସିବ ବିନ୍ଦୁସାଗର । ପୁରାତନ ପୁଷ୍କରିଣୀରେ ବିଭିନ୍ନ ରଙ୍ଗର ଆଲୋକ ଲଗାଯାଇଛି । ପୁଷ୍କରିଣୀ ଭିତରେ ଓ ପାଖରେ ଥିବା ସମସ୍ତ ମନ୍ଦିରକୁ ଆଲୋକମାଳାରେ ସଜ୍ଜା ଯାଇଛି । ଏହାକୁ ଆହୁରି ଆଧୁନିକ ଢଙ୍ଗରେ ଆଲୋକିତ କରାଯିବ । ଆଜିଠୁ ୨୮ ତାରିଖ ଯାଏ ବିନ୍ଦୁସାଗର ଓ ଆଖପାଖ ମନ୍ଦିରରେ ଦେଖିବାକୁ ମିଳିବ ଅତ୍ୟାଧୁନିକ ଆଲୋକ ବ୍ୟବସ୍ଥା । ଆବଶ୍ୟକ ପଡ଼ିଲେ ଥ୍ରି-ଡି ଲାଇଟ୍ ପ୍ରୋଜେକସନ କରାଯିବ । ଏକାମ୍ରକ୍ଷେତ୍ର ଆମେନିଟିଜ୍ ଆଣ୍ଡ ମନ୍ୟୁମେଣ୍ଟସ୍ ରିଭାଇଭାଲ୍ ପ୍ଲାନରେ ବିନ୍ଦୁସାଗର ପୁନରୁଦ୍ଧାରକୁ ସ୍ବତନ୍ତ୍ର ଦୃଷ୍ଟି ଦିଆଯାଇଛି ।

ଆସନ୍ତାକାଲି ରାତିରୁ ହୋମଯଜ୍ଞ, ବେଦପାଠ, ମନ୍ତ୍ରଧ୍ବନୀ ଓ ସଙ୍କୀର୍ତ୍ତନରେ ଆଧ୍ୟାତ୍ମିକ ପରିବେଶରେ ପ୍ରକମ୍ପିତ ହେବ ଏକାମ୍ରକ୍ଷେତ୍ର । ୨୮ରେ ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ପରେ ପୂର୍ଣ୍ଣାହୁତିରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ । ଲିଙ୍ଗରାଜ ମାର୍କେଟ କମ୍ପ୍ଲେକ୍ସରେ ବି ପ୍ରଦର୍ଶନୀ ଲାଗିବା ସହ ପ୍ରୋଜେକସନ୍ ମ୍ୟାପିଂ କରାଯିବ । ଭଜନ ସମାରୋହରେ ଦେଶର ନାମୀଦାମୀ କଳାକାର ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ପ୍ରକଳ୍ପ ଜରିଆରେ ଲିଙ୍ଗରାଜ ଏଣ୍ଟ୍ରି ପ୍ଲାଜା, ଭଜନ ମଣ୍ଡପ, ହେରିଟେଜ୍ ପାର୍କ, କେଦାର ଗୌରୀ ପ୍ଲାଜା, ବିନ୍ଦୁ ସାଗର କଡ଼ରେ ପଦଚାରୀଙ୍କ ପାଇଁ ରାସ୍ତା କାମ, ପୁଷ୍ପରିଣୀ ଗୁଡ଼ିକର ନବୀକରଣ, କେଦାର ଗୌରୀ ଓ ମୁକ୍ତେଶ୍ବର ମନ୍ଦିରର ପରିସରର ବିକାଶ, ଇ-ଅଟୋ ସର୍ଭିସ୍ ଓ ଟ୍ରାଫିକ୍ ମ୍ୟାନେଜମେଣ୍ଟ କାମ କରାଯିବ ।

 

ବିଜେଡିର ଭୁବନେଶ୍ବର ସାଂଗଠନିକ ଜିଲ୍ଲା କମିଟି ପୁନର୍ଗଠିତ

ଭୁବନେଶ୍ୱର: ପୁନର୍ଗଠିତ ହୋଇଛି ବିଜେଡିର ଭୁବନେଶ୍ବର ସାଂଗଠନିକ ଜିଲ୍ଲା କମିଟି । ସୁଶାନ୍ତ ରାଉତ ହୋଇଛନ୍ତି ବିଜୁ ଜନତା ଦଳର ଭୁବନେଶ୍ବର ସାଂଗଠନିକ ଜିଲ୍ଲା ସଭାପତି । ସେହିପରି ବିରଞ୍ଚି ନାରାୟଣ ମହାସୁପକାରଙ୍କୁ କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତ କରିଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ । ଏନେଇ ବିଜେଡି ସାଧାରଣ ସଂପାଦକ ମାନସ ମଙ୍ଗରାଜ ସୂଚନା ଦେଇଛନ୍ତି । ଏକାମ୍ର ବିଧାନସଭା କ୍ଷେତ୍ର ପାଇଁ ୮ ଜଣଙ୍କୁ ଉପଦେଷ୍ଟା ଭାବେ ନିଯୁକ୍ତି ମିଳିଛି । ୭ଜଣଙ୍କୁ ଉପସଭାପତି, ୬ ଜଣଙ୍କୁ ସାଧାରଣ ସଂପାଦକ ଏବଂ ୨୪ ଜଣଙ୍କୁ ସଂପାଦକ ଭାବେ ନିଯୁକ୍ତି ମିଳିଛି ।

ସେହିପରି ମଧ୍ୟ ବିଧାନସଭା କ୍ଷେତ୍ର ପାଇଁ ୯ ଜଣଙ୍କୁ ଉପଦେଷ୍ଟା, ୧୦ ଜଣଙ୍କୁ ଉପସଭାପତି, ୧୨ ଜଣଙ୍କୁ ସାଧାରଣ ସଂପାଦକ ଏବଂ ୨୩ ଜଣଙ୍କୁ ସଂପାଦକ ଭାବେ ନିଯୁକ୍ତି ମିଳିଛି । ଅନ୍ୟପଟେ ଉତ୍ତର ବିଧାନସଭା କ୍ଷେତ୍ର ପାଇଁ ୧୦ ଜଣ ଉପଦେଷ୍ଟା, ୧୦ ଜଣ ଉପସଭାପତି, ୯ଜଣ ସାଧାରଣ ସଂପାଦକ ଏବଂ ୨୫ ଜଣଙ୍କୁ ସଂପାଦକ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି । ଅନ୍ୟପଟେ ଦଳରୁ ବହିଷ୍କୃତ ହୋଇଛନ୍ତି ଖୋର୍ଦ୍ଧା ଜିଲ୍ଲା ଜଟଣୀର ସନ୍ତୋଷ ଜେନା । ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ତାଙ୍କୁ ବହିଷ୍କୃତ କରାଯାଇଥିବା ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ସୂଚନା ଦେଇଛନ୍ତି ।

ରୁଷର ଦୁଇଟି ସହର ଉପରେ ୱାଗନରର କବଜା, ମସ୍କୋ ଠାରୁ ୩୬୦ କିମି ଦୂରରେ ବିଦ୍ରୋହୀ ୱାଗନର

ନନ୍ଦିଘୋଷ ବ୍ୟୁରୋ: ୟୁକ୍ରେନ ଯୁଦ୍ଧରେ ରୁଷିଆର ସାଥ୍ ଦେଇଥିବା ପ୍ରାଇଭେଟ ଆର୍ମି ୱାଗନର ବିଦ୍ରୋହ କରିଦେଇଛି । ରୁଷର ଦୁଇଟି ସହର ଭୋରୋନେଜ ଏବଂ ରୋସ୍ତୋଭ ସହର ଉପରେ କବଜା କରିଛି ୱାଗନର । ରେସ୍ତୋଭର ମିଲିଟ୍ରି ହେଡକ୍ୱାଟର ମଧ୍ୟ ୱାଗନର କବଜାରେ ରହିଛି । ରୁଷର ଲିପେସ୍ତ୍କ ପ୍ରାନ୍ତର ଗଭର୍ଣ୍ଣର କହିଛନ୍ତି ଯେ ୱାଗନର ଗ୍ରୁପ ଅନେକ ଅଞ୍ଚଳରେ ପ୍ରବେଶ କରି ସାରିଛି । ଲିପେତ୍ସ୍କ ମସ୍କୋଠାରୁ ୩୬୦ କିମି ଦୂରରେ ଅବସ୍ଥିତ । ଅନ୍ତର୍ଜାତୀୟ ମିଡିଆ ରିପୋର୍ଟ୍ସ ଅନୁଯାୟୀ, ପ୍ରାଇଭେଟ ଆର୍ମି ମସ୍କୋ ଅଭିମୁଖେ ବଢ଼ୁଛନ୍ତି । ମସ୍କୋର ରାସ୍ତାରେ ଟ୍ୟାଙ୍କର ଏବଂ ରୁଷ୍ ସେନା ମୁତୟନ ଅଛି । ସହରରେ ହାଇ ଆଲର୍ଟ ଜାରି କରାଯିବା ସହ ସହରକୁ ଯୋଡ଼ୁଥିବା ହାଇୱେ ବନ୍ଦ କରିଦିଆଯାଇଛି । ରାଜଧାନୀରେ ୧ ଜୁଲାଇ ପର୍ଯ୍ୟନ୍ତ ସମସ୍ତ ବାହାର କାର୍ଯ୍ୟକ୍ରମ ରଦ୍ଦ କରିଦିଆଯାଇଛି ।

ମେୟର ଲୋକମାନଙ୍କୁ ଘରେ ରହିବା ପାଇଁ ଅପିଲ୍ କରିଛନ୍ତି । ୱାଗନର ବିଦ୍ରୋହ କରିଥିବା ଖବର ସାମ୍ନାକୁ ଆସିବା ପରେ ରୁଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ଦେଶକୁ ସମ୍ବୋଧିତ କରିଛନ୍ତି । ସେ କହିଛନ୍ତି ୱାଗନର ବିଶ୍ୱାସଘାତକତା କରିଛି । ଦେଶର ଜନତାଙ୍କୁ ଧୋକା ଦେଇଛି । ଏହା ସେନାକୁ ଚ୍ୟାଲେଞ୍ଜ ଅଟେ । ଆମେ କୌଣସି ବି ସ୍ଥିତିରେ ନାଗରିକଙ୍କ ରକ୍ଷା କରିବୁ । ବିଦ୍ରୋହୀଙ୍କୁ ଦଣ୍ଡିତ କରାଯିବ । ଦେଶଦ୍ରୋହ ରାସ୍ତା ଆପଣାଇଥିବା ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଅନ୍ୟପକ୍ଷରେ ଶକ୍ତିଶାଳୀ ଓ୍ବାଗନର ସଂଗଠନର ମୁଖ୍ୟ ୟେଭଗେନି ପ୍ରିଗୋଝିନ କହିଛନ୍ତି, ଋଷର ସାମରିକ ନେତୃତ୍ବକୁ ହଟାଇବା ଲାଗି ଅଭିଯାନ ଆରମ୍ଭ ହୋଇଛି । ମରିବାକୁ ପ୍ରସ୍ତୁତ ଥିବା ୨୫ ହଜାର ବିଦ୍ରୋହୀଙ୍କୁ ନେଇ ଗଠିତ ସଂଗଠନ ସବୁ କିଛି ଧ୍ବଂସ କରିବାକୁ ପ୍ରସ୍ତୁତ ।

୧୪ ଦିନିଆ ବିଚାରବିଭାଗୀୟ ହାଜତକୁ ଗଲେ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ

ନନ୍ଦିଘୋଷ ବ୍ୟୁରୋ: ୧୪ ଦିନିଆ ବିଚାରବିଭାଗୀୟ ହାଜତକୁ ଗଲେ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ । ପ୍ରଶାନ୍ତଙ୍କୁ ଗିରଫ କରି ସୁନ୍ଦରଗଡ଼ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରିଥିଲା ଭିଜିଲାନ୍ସ । ସେଠାରେ ଜାମିନ ଖାରଜ ହେବାପରେ ତାଙ୍କୁ ଜୁଲାଇ ୭ତାରିଖ ଯାଏ ବିଚାରବିଭାଗୀୟ ହାଜତକୁ ପଠାଇଦିଆଯାଇଛି । ପ୍ରଶାନ୍ତ ରାଉତଙ୍କ ଆୟଠାରୁ ୫୦୬ ପ୍ରତିଶତ ସମ୍ପତ୍ତି ଅଧିକ ରହିଥିବା ତଦନ୍ତ ବେଳେ ଜାଣିବାକୁ ପାଇଛି ଭିଜିଲାନ୍ସ । ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ନେଇ ଭିଜିଲାନ୍ସ ୨୦ ଘଣ୍ଟାର ମାରାଥନ ରେଡ କରିଥିଲା । ଠାବ ସମ୍ପତ୍ତିର କୌଣସି ସନ୍ତୋଷ ଜନକ ଉତ୍ତର ଦେଇ ନଥିବାରୁ ତାଙ୍କୁ ଗିରଫ କରିଥିଲା ତଦନ୍ତକାରୀ ଟିମ ।

ମୋଟ ୫ କୋଟି ୨୧ ଲକ୍ଷ ୯ ହଜାର ୬୫୯ ଟଙ୍କା ସ୍ଥାବର ଅସ୍ଥାବର ସମ୍ପତ୍ତି ଠାବ ହୋଇଥିଲା । ନଗଦ ୩ କୋଟି ୨ ଲକ୍ଷ ଟଙ୍କା, ବ୍ୟାଙ୍କ ଓ ଇନ୍ସ୍ୟୁରାନ୍ସ ଡିପୋଜିଟ ବାବଦରେ ୯୨ଲକ୍ଷ ୩୪ହଜାର ଟଙ୍କା, ୫ଟି ପ୍ଲଟ, ୩୭ ଲକ୍ଷ ଟଙ୍କାର ଯାନବାହନ, ୨୧ ଲକ୍ଷ ୩୫ ହଜାର ଟଙ୍କାର ସୁନା ଗହଣା, ଏହାସହ ଦୁଇ ପିଲାଙ୍କ ପାଠ ପଢା ବାବଦରେ ଖର୍ଚ୍ଚ କରିଛନ୍ତି ୮୭ଲକ୍ଷ ଟଙ୍କା । ସେପଟେ ଏକାଧିକ ଲୋକଙ୍କ ନାଁରେ ବେନାମୀ ଆକାଉଣ୍ଟ କରି ଟଙ୍କା କାରବାର କରୁଥିବା ତଦନ୍ତ ବେଳେ ଜାଣିବାକୁ ପାଇଛି ଭିଜିଲାନ୍ସ । ଏବେ ସୁଦ୍ଧା ୫ଟି ବେନାମୀ ଆକାଉଣ୍ଟ ଠାବ ହୋଇଛି । ଏତେ ପରିମାଣର ନଗଦ ୩ କୋଟି ୨ ଲକ୍ଷ ଟଙ୍କାର ଉତ୍ସ ଖୋଜୁଛି ଭିଜିଲାନ୍ସ । ପ୍ରଶାନ୍ତ ରାଉତ ଆଉ କେଉଁଠାରେ ଇନଭେଷ୍ଟ କରିଛନ୍ତି ବ୍ଳାକମନି, ତାର ଚାଲିଛି ତନାଘନା ।

ଭକ୍ତଙ୍କ ଭାବାବେଗ ସହ ଖେଳ, ଅନଲାଇନ ଆପରେ ମହାପ୍ରଭୁଙ୍କ ବିଭିନ୍ନ ସେବା ପାଇଁ ରେଟଚାର୍ଟ

ପୁରୀ: ଅନଲାଇନରେ ଭକ୍ତଙ୍କ ଭାବନା ସହ ଖେଳ । ସ୍ବତନ୍ତ୍ର ଆପରେ ମିଳୁଛି ରେଟ୍ ଚାର୍ଟ । ଭକ୍ତଙ୍କୁ ଠକିବା ପାଇଁ ଉଦ୍ୟମ ଅଭିଯୋଗ । ଉତ୍ସବ ନାମକ ଆପ ଜରିଆରେ ଠକିବାକୁ ପ୍ରୟାସ । ହଜାର ହଜାର ଟଙ୍କା ଦେଇ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପୂଜା, ଅନ୍ନଦାନ ଆଟିକା, ଧ୍ବଜା ପରିବର୍ତ୍ତନ, ଶୁଖିଲା ଭୋଗ, ନିର୍ମାଲ୍ୟ ହୋମ ଡେଲିଭରୀ ସହ ମାସିକିଆ, ବର୍ଷିକିଆ ପୂଜା ଆଦି ବିଧିରେ ଅନଲାଇନ ମାଧ୍ୟମରେ ସାମିଲ ହେବାର ପ୍ରଲୋଭନ ଦେଇ ଠକେଇ ଉଦ୍ୟମ କରାଯାଉଛି । ଏନେଇ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖି ସିଂହଦ୍ବାର ଥାନା ପୋଲିସ ଜଣାଇଥିବା ବେଳେ ରିପୋର୍ଟକୁ ଅପେକ୍ଷା କରାଯାଇଛି ।

ଶ୍ରୀବିଗ୍ରହଙ୍କ ନିକଟରେ ମାସିକିଆ ପୂଜା ପାଇଁ ୮ ହଜାର ୧୦୦ ଟଙ୍କା ପୈଠ କରିବାକୁ ଏହି ଉତ୍ସବ ଆପରେ କୁହାଯାଇଥିବା ବେଳେ ଏଭଳି କୌଣସି ନିଷ୍ପତ୍ତି ଶ୍ରୀମନ୍ଦିର ପ୍ରଶାସନ ନେଇ ନଥିବା ଜଣାପଡିଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଘଟଣାକୁ ଗୁରୁତର ସହ ନେଇ ବିହିତ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି । ଏହି ଘଟଣା ନେଇ ଶ୍ରୀମନ୍ଦିର ପ୍ରଶାସନ ,ପୋଲିସ ଓ ଜିଲ୍ଲା ପ୍ରଶାସନର ତ୍ୱରିତ ପଦକ୍ଷେପ ନେବାକୁ ସେବାୟତ ମନେ ଦାବି କରିଛନ୍ତି ।

ହିନ୍ଦୁ ଧର୍ମ ଓ ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରତି ଏପରି ଅନଲାଇନ ମାଧ୍ୟମରେ ଟଙ୍କା ଆଦାୟ ଠିକ ନୁହେଁ ବୋଲି କହିଛନ୍ତି ବରିଷ୍ଠ ସେବାୟତ । ସେବାୟତମାନଙ୍କ ଅଧିକାର କ୍ଷୁର୍ଣ୍ଣ କରି ଏପରି ପୂଜା କରିବା ପାଇଁ ଅନଲାଇନରେ ଆଦାୟ, କୋଟିକୋଟି ଜଗନ୍ନାଥ ପ୍ରେମୀଙ୍କୁ ଆଘାତ ଦେଇଥିବା ବେଳେ ଏହା ଉପରେ କାର୍ଯ୍ୟନୁଷ୍ଠାନ ନେବା ଜରୁରୀ । ଜଗନ୍ନାଥ ମହାପ୍ରଭୁଙ୍କ ମହିମାକୁ ନେଇ ବହୁ ଗୋଷ୍ଠୀ ନିଜ ଫାଇଦା ନେଇ ଅନଲାଇନ ମାଧ୍ୟମରେ ଭକ୍ତଙ୍କୁ ଠକିବା ଘଟଣା ଧୀରେ ଧୀରେ ବଢ଼ିବାରେ ଲାଗିଛି ।

ଭିଜିଲାନ୍ସ ରେଡକୁ ନେଇ କେନ୍ଦ୍ରମନ୍ତ୍ରୀ ଦେଇଥିବା ମତକୁ ସମାଲୋଚନା କଲେ ବିଜେଡି ସାଂସଦ ସସ୍ମିତ ପାତ୍ର

ଭୁବନେଶ୍ୱର: ଦୁର୍ନୀତି କ୍ଷେତ୍ରରେ ଜିରୋ ଟଲେରାନ୍ସ ନୀତି ଆପଣେଇଛନ୍ତି ରାଜ୍ୟ ସରକାର । ଦୁର୍ନୀତ ଅଭିଯୋଗ ପ୍ରମାଣିତ ହେବା ପରେ ୧୮୦ ଅଫିସର ଓ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର କିମ୍ବା ଚାକିରିରୁ ବିଦା କରାଯାଇଛି । କିନ୍ତୁ ରାଜ୍ୟରେ ସରକାରୀ ଅଧିକାରୀଙ୍କ ଉପରେ ଭିଜିଲାନ୍ସ ରେଡକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଇଥିବା ମତକୁ ନେଇ ହସୁଛନ୍ତି ଓଡ଼ିଶାବାସୀ । ଧର୍ମେନ୍ଦ୍ରଙ୍କ ଏଭଳି ମତକୁ ସମାଲୋଚନା କରିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । ଧର୍ମେନ୍ଦ୍ରଙ୍କ ବୟାନ ଆଶ୍ଚର୍ଯ୍ୟକର ବୋଲି ସସ୍ମିତ ପାତ୍ର କହିଛନ୍ତି ।

ରାଜ୍ୟ ସରକାରଙ୍କ ଜିରୋ ଟଲରାନ୍ସ ନୀତିକୁ ପ୍ରଶଂସା କରିବା ବଦଳରେ ଏଭଳି ବୟାନବାଜି କରି ରାଜନୀତି କରୁଛନ୍ତି ଧର୍ମେନ୍ଦ୍ର ପ୍ରଚାନ । ଦୁର୍ନୀତି ବିରୋଧୀ କାର୍ଯ୍ୟାନୁଷ୍ଠାନ ହେଉଥିବା ବେଳେ ମଧ୍ୟ ଏହାକୁ ନେଇ ରାଜନୀତି କରିବା ହାସ୍ୟାସ୍ପଦ । ତାଳଚେର ଏମସିଏଲରେ କାହା ଛତ୍ରଛାୟା ତଳେ ଦୁର୍ନୀତି ଚାଲିଛି ତାହା ଓଡ଼ିଶାବାସୀ ଜାଣନ୍ତି ବୋଲି ସସ୍ମିତ ପାତ୍ର କହିଛନ୍ତି । କର୍ଣ୍ଣାଟକ ନିର୍ବାଚନ ପୂର୍ବରୁ ରାଜ୍ୟରେ ବିଜେପି ସରକାରର ଜଣେ ବିଧାୟକଙ୍କ ଘରୁ ୮ କୋଟି ଟଙ୍କା ନଗଦ ଧରାପଡ଼ିଥିଲା । ସେତେବେଳେ ନିର୍ବାଚନ ପାଇଁ ପର୍ଯ୍ୟବେକ୍ଷକ ଥିବା ଧର୍ମେନ୍ଦ୍ର ପ୍ରଧାନ କାହିଁକି ମୁହଁ ଖୋଲିଲେ ନାହିଁ ବୋଲି ପ୍ରଶ୍ନ କରିଛନ୍ତି । ତାହା କଣ ଦୁର୍ନୀତି ନଥିଲା ବୋଲି ପ୍ରଶ୍ନ କରିଛନ୍ତି ସସ୍ମିତ ପାତ୍ର ।

ଫିଟୁଛି ଓଟିପି ସ୍କାମର ପାକିସ୍ତାନ ଆଇଏସଆଇ ଏଜେଣ୍ଟ ଲିଙ୍କ୍, ତଦନ୍ତ ପାଇଁ ପଶ୍ଚିମବଙ୍ଗ ଯିବ ଏସଟିଏଫ

ଭୁବନେଶ୍ୱର: ଫିଟୁଛି ଓଟିପି ସ୍କାମର ପାକିସ୍ତାନ ଆଇଏସଆଇ ଏଜେଣ୍ଟ ଲିଙ୍କ୍ । ଦେଶର ଗୁପ୍ତତଥ୍ୟ ନେଇ କରୁଥିଲେ ଗୁଇନ୍ଦାଗିରି । ପଶ୍ଚିମବଙ୍ଗ ଏସଟିଏଫ୍ ହାତରେ ପଠାଣି ସାମନ୍ତ ର କ୍ରାଇମ ସିଣ୍ଡିକେଟ୍ । ଓଟିପି ସ୍କାମର ସୁରାକ୍ ଖୋଜିବାକୁ ପଶ୍ଚିମବଙ୍ଗ ଯିବ ଏସଟିଏଫ୍ । ଜାତୀୟ ସୁରକ୍ଷା ତଥ୍ୟ ଲିକ୍ ନେଇ ପଶ୍ଚିମବଙ୍ଗ ଏସଟିଏଫ୍ ତନାଘନା କରୁଥିବା ବେଳେ ପଠାଣି ସାମନ୍ତ ର ଲିଙ୍କ ସାମ୍ନକୁ ଆସିଛି । କୋର୍ଟଙ୍କ ଅନୁମତି କ୍ରମେ ଝାରପଡା ଜେଲରେ ପଠାଣି ସାମନ୍ତକୁ ଜେରା କରିଛି । ଅଭିଯୁକ୍ତ ପଠାଣିକୁ ରିମାଣ୍ଡରେ ନେବାଲାଗି ଖୁବଶୀଘ୍ର କୋର୍ଟରେ ଆବେଦନ କରିବ ପଶ୍ଚିମବଙ୍ଗ ଏସଟିଏଫ ଟିମ୍ ।

ଅଫିସିଆଲ ସିକ୍ରେଟ୍ ଆକ୍ଟ ଓ ଅପରାଧିକ ଷଡ଼ଯନ୍ତ୍ର ମାମଲାରେ ଗୁଡୁ କୁମାରକୁ ଗିରଫ କରିଥିଲା ପଶ୍ଚିମବଙ୍ଗ ଏସଟିଏଫ । ଗୁଡୁ, ପଠାଣିର ସହଯୋଗୀ ଥିବାବେଳେ ନ୍ୟୁ ଜଲପାଇଗୁଡ଼ି ଥାନାରେ ହୋଇଛି ମାମଲା । ତଦନ୍ତ ବେଳେ ପଠାଣି ଓ ଗୁଡୁ କୁମାରର ଲିଙ୍କ୍ ଥିବା ଜାଣିବାକୁ ପାଇଛି ଏସଟିଏଫ । ଗୁଡୁକୁ ଜେରା କରିବାକୁ ଖୁବଶୀଘ୍ର ପଶ୍ଚିମବଙ୍ଗ ଯିବ ଏସଟିଏଫ ବୋଲି ଏସପି କହିଛନ୍ତି । ଓଟିପି ସେୟାରିଂ ସ୍କାମ ମାମଲାରେ ଅଧିକ ଖୋଳତାଡ ପ୍ରୀତମ କରକୁ ଦୁଇ ଦିନିଆ ରିମାଣ୍ଡ ନେଇ ଜେରା କରିଛି । ରିମାଣ୍ଡ ବେଳେ ଏସଟିଏଫ ହାତରେ ଲାଗିଛି ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ।

ପାକିସ୍ତାନ ଏଜେଣ୍ଟଙ୍କ ସହ ସିଧା ସଳଖ ଏକାଧିକ ଥର ଦେଖା ହୋଇଛି ପ୍ରୀତମ । ପ୍ରୀତମର ଏକାଧିକ ଆକାଉଣ୍ଟ ଠାବ କରିଛି ଏସଟିଏଫ । କ୍ରିପ୍ଟୋ କରେନ୍ସିରେ ପାଖାପାଖି ୧ କୋଟି ଟଙ୍କା କାରବାର ହୋଇଥିବା ଜାଣିବାକୁ ପାଇଛି । ସେସବୁ ଅକାଉଣ୍ଟକୁ ଫ୍ରିଜ କରାଯାଇଛି । କେବଳ ସେତିକି ନୁହେଁ ମାଙ୍ଗାଲୋରରେ ଅଟୋରେ ବୋମା ବିସ୍ଫୋରଣ ମାମଲାରେ ପ୍ରୀତମ ସୀମ୍ କାର୍ଡ ବ୍ୟବହାର ହୋଇଥିଲା ବୋଲି ଏସଟିଏଫ ସୂଚନା ଜେଇଛି ।  ଓଟିପି ସେୟାରିଂ ସ୍କାମ ମାମଲାରେ ଏକାଧିକ ଯୁବକଙ୍କ ଲିଙ୍କ ରହିଛି । ସେମାନଙ୍କୁ ଧରିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରକୁ ଯିବାକୁ ଯୋଜନା କରିଛି ଏସଟିଫ ।