ଜନ୍ମବେଦୀରେ ମହାପ୍ରଭୁଙ୍କ ଲୀଳାଖେଳା, ନନ୍ଦିଘୋଷ ରଥ କାଠ ଭାଙ୍ଗିଲେ ଅଭିମାନିନୀ ମହାଲକ୍ଷ୍ମୀ

ପୁରୀ: ଜନ୍ମବେଦୀରେ ମହାପ୍ରଭୁଙ୍କ ଲୀଳାଖେଳା । ହେରାପଞ୍ଚମୀ ଅବସରରେ ଗୁଣ୍ଡିଚା ମନ୍ଦିର ଆସି ନନ୍ଦିଘୋଷ ରଥର କାଠ ଭାଙ୍ଗିଲେ ଅଭିମାନିନୀ ମହାଲକ୍ଷ୍ମୀ । ବର୍ଷା ଓ ନୀତି ବିଳମ୍ବ ଯୋଗୁ ଭୋର ୩ଟାରେ ମାଆ ମହାଲକ୍ଷ୍ମୀ ଶ୍ରୀନଅରରୁ ଆସି ଶ୍ରୀଗୁଣ୍ଡିଚାକୁ ଆସିଥିଲେ । ବାଟରେ ପନ୍ତି ଭୋଗ ଲାଗି ହୋଇଥିଲା ।ଅଭିମାନ କରି ରଥ ଭାଙ୍ଗିଥିଲେ ମାଆ । ପରେ ପତି ମହାପାତ୍ରଙ୍କ ଦ୍ୱାରା ବନ୍ଦାପନା, ଚାମର ଆଲଟ, ଦହି ପଟି ମଣୋହି ଆଦି ସମସ୍ତ ନୀତିକାନ୍ତି ପରମ୍ପରା ଅନୁସାରେ ଅନୁଷ୍ଠିତ ହୋଇଥିଲା । ଏହା ପରେ ମା ମହାଲକ୍ଷ୍ମୀ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାଇଥିଲେ । ସନ୍ଧ୍ୟାଧୁପ ଚାଲୁଥିବାରୁ ମହାପ୍ରଭୁଙ୍କ ଦର୍ଶନ ପାଇନଥିଲେ । ତେବେ ରାଗ ପରବସ ହୋଇ ନାକଚଣା ଦ୍ୱାର ଦେଇ ହେରାଗୋହିରୀ ସାହି ଦେଇ ଶ୍ରୀମନ୍ଦିରକୁ ଫେରିଥିଲେ ମାଆ ।

ମା’ ମହାଲକ୍ଷ୍ମୀଙ୍କ ରାଗ ଖବର ମହାପ୍ରଭୁ ପାଇବା ପରେ ଆଜି ମହାପ୍ରଭୁଙ୍କ ଆଜ୍ଞାରେ ଆଜ୍ଞାମାଳ ପ୍ରାପ୍ତ ପରେ ତିନି ରଥକୁ ଦକ୍ଷିଣମୋଡ଼ କରାଯିବ । ସକାଳ ଧୂପ ନୀତି ପରେ ଏହି ବିଶେଷ ନୀତି ଅନୁଷ୍ଠିତ ହେବ । ଗତକାଲି ବୈଷୟିକ ଟିମ୍ ଦ୍ବାରା ରଥର ଯାଞ୍ଚ କରିସାରିଛନ୍ତି । ମାଆ ଅଭିମାନ କରି ରଥ ଭାଙ୍ଗିବା ଓ ଶ୍ରୀଜିଉ ଶ୍ରୀମନ୍ଦିର ଫେରିବାକୁ ପ୍ରସ୍ତୁତ ହେବା ମହାପ୍ରଭୁଙ୍କର ଏକ ମାନବୀୟ ଲୀଳା । ଏହାକୁ ଦେଖିବାକୁ ବର୍ଷା ଓ ବିଳମ୍ବିତ ରାତିରେ ଲୋକାରଣ୍ୟ ଥିଲା ଶରଧାବାଲି । ଶ୍ରୀଜିଉଙ୍କ ଅନନ୍ୟ ନୀତି ଦେଖି ତୃପ୍ତ ହୋଇଛି ଭକ୍ତ ପ୍ରାଣ ।