କାଲିଠୁ ଏକାମ୍ରକ୍ଷେତ୍ର ଆମେନିଟିଜ୍ ଆଣ୍ଡ ମନ୍ୟୁମେଣ୍ଟସ୍ ରିଭାଇଭାଲ୍ କାମ, ଆଜିଠୁ ୨୮ ତାରିଖ ଯାଏ ଅତ୍ୟାଧୁନିକ ଆଲୋକ ବ୍ୟବସ୍ଥା

1 min read

ଭୁବନେଶ୍ୱର: ଝଲସିବ ବିନ୍ଦୁସାଗର । ପୁରାତନ ପୁଷ୍କରିଣୀରେ ବିଭିନ୍ନ ରଙ୍ଗର ଆଲୋକ ଲଗାଯାଇଛି । ପୁଷ୍କରିଣୀ ଭିତରେ ଓ ପାଖରେ ଥିବା ସମସ୍ତ ମନ୍ଦିରକୁ ଆଲୋକମାଳାରେ ସଜ୍ଜା ଯାଇଛି । ଏହାକୁ ଆହୁରି ଆଧୁନିକ ଢଙ୍ଗରେ ଆଲୋକିତ କରାଯିବ । ଆଜିଠୁ ୨୮ ତାରିଖ ଯାଏ ବିନ୍ଦୁସାଗର ଓ ଆଖପାଖ ମନ୍ଦିରରେ ଦେଖିବାକୁ ମିଳିବ ଅତ୍ୟାଧୁନିକ ଆଲୋକ ବ୍ୟବସ୍ଥା । ଆବଶ୍ୟକ ପଡ଼ିଲେ ଥ୍ରି-ଡି ଲାଇଟ୍ ପ୍ରୋଜେକସନ କରାଯିବ । ଏକାମ୍ରକ୍ଷେତ୍ର ଆମେନିଟିଜ୍ ଆଣ୍ଡ ମନ୍ୟୁମେଣ୍ଟସ୍ ରିଭାଇଭାଲ୍ ପ୍ଲାନରେ ବିନ୍ଦୁସାଗର ପୁନରୁଦ୍ଧାରକୁ ସ୍ବତନ୍ତ୍ର ଦୃଷ୍ଟି ଦିଆଯାଇଛି ।

ଆସନ୍ତାକାଲି ରାତିରୁ ହୋମଯଜ୍ଞ, ବେଦପାଠ, ମନ୍ତ୍ରଧ୍ବନୀ ଓ ସଙ୍କୀର୍ତ୍ତନରେ ଆଧ୍ୟାତ୍ମିକ ପରିବେଶରେ ପ୍ରକମ୍ପିତ ହେବ ଏକାମ୍ରକ୍ଷେତ୍ର । ୨୮ରେ ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ପରେ ପୂର୍ଣ୍ଣାହୁତିରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ । ଲିଙ୍ଗରାଜ ମାର୍କେଟ କମ୍ପ୍ଲେକ୍ସରେ ବି ପ୍ରଦର୍ଶନୀ ଲାଗିବା ସହ ପ୍ରୋଜେକସନ୍ ମ୍ୟାପିଂ କରାଯିବ । ଭଜନ ସମାରୋହରେ ଦେଶର ନାମୀଦାମୀ କଳାକାର ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ପ୍ରକଳ୍ପ ଜରିଆରେ ଲିଙ୍ଗରାଜ ଏଣ୍ଟ୍ରି ପ୍ଲାଜା, ଭଜନ ମଣ୍ଡପ, ହେରିଟେଜ୍ ପାର୍କ, କେଦାର ଗୌରୀ ପ୍ଲାଜା, ବିନ୍ଦୁ ସାଗର କଡ଼ରେ ପଦଚାରୀଙ୍କ ପାଇଁ ରାସ୍ତା କାମ, ପୁଷ୍ପରିଣୀ ଗୁଡ଼ିକର ନବୀକରଣ, କେଦାର ଗୌରୀ ଓ ମୁକ୍ତେଶ୍ବର ମନ୍ଦିରର ପରିସରର ବିକାଶ, ଇ-ଅଟୋ ସର୍ଭିସ୍ ଓ ଟ୍ରାଫିକ୍ ମ୍ୟାନେଜମେଣ୍ଟ କାମ କରାଯିବ ।