୧୪ ଦିନିଆ ବିଚାରବିଭାଗୀୟ ହାଜତକୁ ଗଲେ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ

ନନ୍ଦିଘୋଷ ବ୍ୟୁରୋ: ୧୪ ଦିନିଆ ବିଚାରବିଭାଗୀୟ ହାଜତକୁ ଗଲେ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ । ପ୍ରଶାନ୍ତଙ୍କୁ ଗିରଫ କରି ସୁନ୍ଦରଗଡ଼ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରିଥିଲା ଭିଜିଲାନ୍ସ । ସେଠାରେ ଜାମିନ ଖାରଜ ହେବାପରେ ତାଙ୍କୁ ଜୁଲାଇ ୭ତାରିଖ ଯାଏ ବିଚାରବିଭାଗୀୟ ହାଜତକୁ ପଠାଇଦିଆଯାଇଛି । ପ୍ରଶାନ୍ତ ରାଉତଙ୍କ ଆୟଠାରୁ ୫୦୬ ପ୍ରତିଶତ ସମ୍ପତ୍ତି ଅଧିକ ରହିଥିବା ତଦନ୍ତ ବେଳେ ଜାଣିବାକୁ ପାଇଛି ଭିଜିଲାନ୍ସ । ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ନେଇ ଭିଜିଲାନ୍ସ ୨୦ ଘଣ୍ଟାର ମାରାଥନ ରେଡ କରିଥିଲା । ଠାବ ସମ୍ପତ୍ତିର କୌଣସି ସନ୍ତୋଷ ଜନକ ଉତ୍ତର ଦେଇ ନଥିବାରୁ ତାଙ୍କୁ ଗିରଫ କରିଥିଲା ତଦନ୍ତକାରୀ ଟିମ ।

ମୋଟ ୫ କୋଟି ୨୧ ଲକ୍ଷ ୯ ହଜାର ୬୫୯ ଟଙ୍କା ସ୍ଥାବର ଅସ୍ଥାବର ସମ୍ପତ୍ତି ଠାବ ହୋଇଥିଲା । ନଗଦ ୩ କୋଟି ୨ ଲକ୍ଷ ଟଙ୍କା, ବ୍ୟାଙ୍କ ଓ ଇନ୍ସ୍ୟୁରାନ୍ସ ଡିପୋଜିଟ ବାବଦରେ ୯୨ଲକ୍ଷ ୩୪ହଜାର ଟଙ୍କା, ୫ଟି ପ୍ଲଟ, ୩୭ ଲକ୍ଷ ଟଙ୍କାର ଯାନବାହନ, ୨୧ ଲକ୍ଷ ୩୫ ହଜାର ଟଙ୍କାର ସୁନା ଗହଣା, ଏହାସହ ଦୁଇ ପିଲାଙ୍କ ପାଠ ପଢା ବାବଦରେ ଖର୍ଚ୍ଚ କରିଛନ୍ତି ୮୭ଲକ୍ଷ ଟଙ୍କା । ସେପଟେ ଏକାଧିକ ଲୋକଙ୍କ ନାଁରେ ବେନାମୀ ଆକାଉଣ୍ଟ କରି ଟଙ୍କା କାରବାର କରୁଥିବା ତଦନ୍ତ ବେଳେ ଜାଣିବାକୁ ପାଇଛି ଭିଜିଲାନ୍ସ । ଏବେ ସୁଦ୍ଧା ୫ଟି ବେନାମୀ ଆକାଉଣ୍ଟ ଠାବ ହୋଇଛି । ଏତେ ପରିମାଣର ନଗଦ ୩ କୋଟି ୨ ଲକ୍ଷ ଟଙ୍କାର ଉତ୍ସ ଖୋଜୁଛି ଭିଜିଲାନ୍ସ । ପ୍ରଶାନ୍ତ ରାଉତ ଆଉ କେଉଁଠାରେ ଇନଭେଷ୍ଟ କରିଛନ୍ତି ବ୍ଳାକମନି, ତାର ଚାଲିଛି ତନାଘନା ।