spot_img
Home Blog Page 2925

ଅମରନାଥ ଯାତ୍ରାରେ ବାହାରିଲେ ଶ୍ରଦ୍ଧାଳୁ, କାଲିଠୁ ଗୁମ୍ଫା ଭିତରେ ଦିବ୍ୟ ଦର୍ଶନ ଦେବେ ଦେବ ଦେବ ମହାଦେବ

ଶ୍ରୀନଗର: ଅମରନାଥ ଯାତ୍ରା । ବେସ୍ କ୍ୟାମ୍ପରୁ ବାହାରିଲେ ଶ୍ରଦ୍ଧାଳୁ । କାଲିଠୁ ଗୁମ୍ଫା ଭିତରେ ଦିବ୍ୟ ଦର୍ଶନ ଦେବେ ଦେବ ଦେବ ମହାଦେବ । ବରଫ ଲିଙ୍ଗ ଦର୍ଶନ ପାଇଁ ବିଭିନ୍ନ ବେସ୍ କ୍ୟାମ୍ପରେ ହଜାର ହଜାର ଶ୍ରଦ୍ଧାଳୁ ପହଞ୍ଚିଥିବା ବେଳେ ଆଜି ପ୍ରଥମ ବ୍ୟାଚ୍ ଅମରନାଥ ଅଭିମୁଖେ ଯାତ୍ରା ଆରମ୍ଭ କରିଛି । ବୋଲ ବମ୍, ହର ହର ବମ୍ ନାରା ଦେଇ ଅମରନାଥ ପୀଠ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି ଶ୍ରଦ୍ଧାଳୁ । ତୀର୍ଥଯାତ୍ରୀଙ୍କ ସୁରକ୍ଷା ପାଇଁ ଜାମ୍ମୁରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସହର ସାରା ସୁରକ୍ଷାକର୍ମୀମାନେ ଅସ୍ଥାୟୀ କ୍ୟାମ୍ପ କରି ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖିଛନ୍ତି । ଡ୍ରୋନ, ଡଗ୍ ଓ ବମ୍ ସ୍କ୍ବାଡ ଯୋଗେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରାଯାଉଛି ।

ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିବା ବେଳେ ସୁଗମ ଯାତ୍ରା ପାଇଁ ବିଭିନ୍ନ ସ୍ଥାନରେ ସେନା ଓ ଜିଲ୍ଲା ପ୍ରଶାସନର କ୍ୟାମ୍ପ କରାଯାଇଛି । ଏହାଛଡ଼ା ଅମରନାଥ ଯାତ୍ରୀଙ୍କ ପାଇଁ ତତ୍କାଳ ରେଜିଷ୍ଟ୍ରେସନ ବ୍ୟବସ୍ଥା କରିଛି ପ୍ରଶାସନ । ବୈଷ୍ଣବୀ ଧାମ, ମହାଜନ ସଭା, ପଞ୍ଚାୟତ ଘର, ଗୀତା ଭବନ ଓ ରାମ ମନ୍ଦିରରେ ସାଧୁସନ୍ଥଙ୍କ ତତ୍କାଳ ରେଜିଷ୍ଟ୍ରେସନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଅମରନାଥ ଯାତ୍ରୀଙ୍କୁ ରାସ୍ତାରେ ଖାଦ୍ୟ, ପାନୀୟ, ଶୀତବସ୍ତ୍ର ଆଦି ସାହାଯ୍ୟ ପାଇଁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମଧ୍ୟ ବ୍ୟବସ୍ଥା କରାଯାଇଛି । ଏବେସୁଦ୍ଧା ପ୍ରାୟ ୩ଲକ୍ଷ ଶ୍ରଦ୍ଧାଳୁ ଅନଲାଇନ ଯୋଗେ ପଞ୍ଜିକରଣ କରାଇଥିବା ଜାମ୍ମୁ ପ୍ରଶାସନ ସୂଚନା ଦେଇଛି । ଜୁଲାଇ ୧ରୁ ଅଗଷ୍ଟ ୩୧ଯାଏଁ ଚାଲିବ ଅମରନାଥ ଯାତ୍ରା ।

ଶେଷ ହୋଇଛି ଶ୍ରୀଜିଉଙ୍କ ସୁନାବେଶ, ଆଜି ରଥ ଉପରେ ଅନୁଷ୍ଠିତ ହେବ ଅଧରପଣା ନୀତି

ପୁରୀ: ଶେଷ ହୋଇଛି ଶ୍ରୀଜିଉଙ୍କ ସୁନାବେଶ । ଶ୍ରୀଭୁଜ, ଶ୍ରୀପୟର, ହରିଡ଼ା ମାଳି, ବାହାଡ଼ା ମାଳି, ଘାଗଡ଼ା ମାଳି, ଶଙ୍ଖ, ଚକ୍ର, ଗଦା, ପଦ୍ମ, ହଳ ମୂଷଳ, ମୁକୁଟ, ସବୁକିଛି ସୁନା । ସୁବର୍ଣ୍ଣ ବିଭୂଷିତ ଦାରୁବ୍ରହ୍ମଙ୍କ ଆଭାରେ ଦାଉ ଦାଉ ଦିଶିଲେ ରଥତ୍ରୟ । ଗତକାଲି ବିଳମ୍ବିତ ରାତି ୧ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କୁ ଅପୂର୍ବ ଦର୍ଶନ ସୁଯୋଗ ଲାଭ କଲେ ଭକ୍ତ । ଶାନ୍ତିଶୃଙ୍ଖଳାର ସହିତ ସୁନା ଠାକୁରଙ୍କୁ ଦର୍ଶନ କଲେ ଶ୍ରଦ୍ଧାଳୁ । ଆଜି ରଥ ଉପରେ ଅନୁଷ୍ଠିତ ହେବ ଅଧରପଣା ନୀତି । ପ୍ରତି ରଥରେ ଶ୍ରୀଜୀଉମାନଙ୍କ ଅଧର ଉଚ୍ଚର ହାଣ୍ଡିରେ ପଣା ପ୍ରସ୍ତୁତ ହୁଏ । ସିଂହଦ୍ବାର ସମ୍ମୁଖ ଛାଉଣୀ ମଠ କୂଅ ପାଣିରେ ପଣା ପ୍ରସ୍ତୁତ ହେବ । ପଣା ପ୍ରସ୍ତୁତିରେ ସର, କଦଳୀ, ଛେନା, ଗୋଲମରିଚ, ଗୁଣ୍ଡ କର୍ପୁର, ଜାଇଫଳ ଆଦି ସାମଗ୍ରୀ ବ୍ୟବହୃତ ହୋଇଥାଏ ।

ପ୍ରତି ରଥରେ ୩ଟି ଲେଖାଏଁ ମାଟି ହାଣ୍ଡିରେ ଅଧର ପଣା ଭୋଗ କରାଯାଇଥାଏ । ଏହି ୯ ହାଣ୍ଡି ପଣାକୁ ପୂଜାପଣ୍ଡା ସେବକମାନେ ପଞ୍ଚୋପଚାର ପଦ୍ଧତିରେ ଶ୍ରୀବିଗ୍ରହମାନଙ୍କୁ ଅର୍ପଣ କରିଥାନ୍ତି । ଭୋଗ ହେବା ପରେ ପଣା ଥିବା ହାଣ୍ଡିଗୁଡ଼ିକୁ ରଥ ଉପରେ ଭାଙ୍ଗି ଦିଆଯାଏ । ରଥଗୁଡ଼ିକରେ ଥିବା ପାର୍ଶ୍ଵ ଦେବଦେବୀ, ଚଣ୍ଡିଚାମୁଣ୍ଡା ତଥା ଅଶରୀରୀମାନଙ୍କ ଉଦ୍ଧାର ନିମନ୍ତେ ପଣା ହାଣ୍ଡି ସବୁକୁ ଭୋଗ ହେବା ପରେ ଭାଙ୍ଗି ଦିଆଯିବାର ବିଧି ରହିଛି। ପଣା ହାଣ୍ଡି ଭାଙ୍ଗିଲେ ପଣା ସବୁ ରଥତଳକୁ ବୋହିଯାଏ। ତାହାକୁ ଅନ୍ୟ ଦେବଦେବୀ, ଭୂତପ୍ରେତ ପାଇଥାନ୍ତି ବୋଲି କୁହାଯାଏ ।

ଭାସିଗଲା ବାବା ଧବଳେଶ୍ୱରଙ୍କ ପୀଠକୁ ସଂଯୋଗ କରୁଥିବା ରାସ୍ତା

କଟକ: ଭାସିଗଲା ଅସ୍ଥାୟୀ ରାସ୍ତା । ବାବା ଧବଳେଶ୍ବରଙ୍କ ପୀଠଙ୍କୁ ଯୋଗାଯୋଗ ବନ୍ଦ । ଝୁଲାପୋଲରେ ଯାଇ ବାବା ଧବଳେଶ୍ବରଙ୍କୁ ଦର୍ଶନ କରୁଥିଲେ ଶ୍ରଦ୍ଧାଳୁ । ମାତ୍ର ତାହା ଦୁର୍ବଳ ଥିବା ଜଣାପଡ଼ିବା ପରେ ପ୍ରଶାସନ ଏହାକୁ ବନ୍ଦ ରଖିଛି । ନଦୀ ଭିତରେ ନିର୍ମିତ ଅସ୍ଥାୟୀ ରାସ୍ତାରେ ଯାତାୟତ କରୁଥିଲେ ଶ୍ରଦ୍ଧାଳୁ । ମାତ୍ର ନଦୀରେ ପାଣିଆସିବାରୁ ତାହା ଭାସିଯାଇଛି । ଫଳରେ ବାବାଙ୍କ ଦର୍ଶନ କରିବାକୁ ଯାଇପାରୁନାହାନ୍ତି ଶ୍ରଦ୍ଧାଳୁ । ପୀଠକୁ ଏବେ କଂକ୍ରିଟ ପୋଲର ନିର୍ମାଣ କରାଯାଉଛି ।

ନବରଙ୍ଗପୁର ଜିଲ୍ଲା ଉମରକୋଟ ବାସିନୀଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୩ ମୃତ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଉମରକୋଟ ବାସିନୀଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍ । ଘଟଣାସ୍ଥଳରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି । ବିଳମ୍ବିତ ରାତି ପ୍ରାୟ ସାଢେ ଦୁଇଟାରେ ଦୁର୍ଘଟଣା ଘଟିଛି । ମୃତକଙ୍କ ହେଲେ ସୁରେଶ ମଣ୍ଡଳ , ଗୌରାଙ୍ଗ ରାୟ ଓ ସତ୍ୟରଞ୍ଜନ ବେପାରୀ । ମୃତକଙ୍କ ଘର ରାଇଘର ଓ ଉମରକୋଟ ଅଞ୍ଚଳରେ । ସମସ୍ତେ ଛତିଶଗଡ଼ ଜଗଦଲପୁରରୁ ମେଡିକାଲ କାମ ସାରି ଉମରକୋଟର ଅଞ୍ଚଳା ଗ୍ରାମକୁ ଫେରୁଥିଲେ । ଗୁରୁତର ତରୁଲତା ବେପାରୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଜଗତସିଂହପୁରରେ 5T ସଚିବଙ୍କ ବିକାଶ କାର୍ଯ୍ୟର ସମୀକ୍ଷା, ହାଇସ୍କୁଲ ସହ ୭୦ଟି ଡିଗ୍ରୀ କଲେଜର ହେବ ରୂପାନ୍ତରଣ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ଗସ୍ତରେ 5T ସଚିବ ଭି.କେ. ପାଣ୍ଡିଆନ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବିଭିନ୍ନ ବିକାଶ କାମର ସମୀକ୍ଷା କରୁଛନ୍ତି । ଏହି ଅବସରରେ ବଡ଼ ଘୋଷଣା ହୋଇଛି । ହାଇସ୍କୁଲ ସହ ୭୦ଟି ଡିଗ୍ରୀ କଲେଜର ରୂପାନ୍ତରଣ ହେବ । SVM କଲେଜ ପଡ଼ିଆରେ ଡିଗ୍ରୀ କଲେଜ ପିଲାଙ୍କ ସହ ଆଲୋଚନା କରିଥିଲେ 5T ସଚିବ ଭି.କେ ପାଣ୍ଡିଆନ୍। ସଂସ୍କୃତ କଲେଜ ଓ ସ୍କୁଲ ଛାତ୍ରଛାତ୍ରୀଙ୍କ ସହ ପାଠପଢ଼ା ବାବଦରେ ଆଲୋଚନା କରିଥିଲେ 5T ସଚିବ । ରୂପାନ୍ତରଣ ପାଇଁ ୩୨ କୋଟି ୫୦ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ । ମୃତ୍ତିକା କ୍ଷୟ ରୋକିବାକୁ ଏରସମା ସିଆଳି ସମୁଦ୍ର କୂଳ ପ୍ରକଳ୍ପକୁ ଗୁରୁତ୍ୱ ଦିଆଯାଇଛି ।

ସିଆଳି ସି ବିଚ୍ ସଂରକ୍ଷଣ ପ୍ରକଳ୍ପକୁ ପ୍ରାଥମିକତା ଦିଆଯିବ ସହ ଏଥିପାଇଁ ଖର୍ଚ୍ଚ ହେବ ୪୦ କୋଟି ଟଙ୍କା । ଗସ୍ତ ଅବସରରେ ପାରାଦୀପ ବନ୍ଦର ନିକଟରେ ଥିବା ମିଶନ ଶକ୍ତି କାଫେ ପରିଦର୍ଶନ କରିଥିଲେ । ମିଶନ ଶକ୍ତି ସଦସ୍ୟାଙ୍କ ସହ ଆଲୋଚନା କରିଥିଲେ 5T ସଚିବ । ପାରାଦୀପର ବିଜୁ କନଭେନସନ ସେଣ୍ଟର ପରିଦର୍ଶନ କରିଥିଲେ 5T ସଚିବ । ପାରାଦୀପ ଆଇଟିଆ ପରିଦର୍ଶନ କରିବା ସହ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ । ପିଲାଙ୍କୁ ଉତ୍ସାହିତ କରିବା ସହ ନିଜ ଦକ୍ଷତାର ବିକାଶ କରିବାକୁ ଅପିଲ କରିଥିଲେ ।

ଆଇଟିଆଇ ପାସ କରିଥିବା ଛାତ୍ରଛାତ୍ରୀଙ୍କ ନିଯୁକ୍ତି ଉପରେ ଗୁରୁତ୍ୱ ଦେଇଛନ୍ତି । ଏହାପରେ କୁଜଙ୍ଗ ଫତେପୁର ଜୀବନଜ୍ୟୋତି ଟେରାକୋଟା ସଦସ୍ୟଙ୍କ ସହ ଆଲୋଚନା କରିଥିଲେ 5T ସଚିବ । ଗଡ଼କୁଜଙ୍ଗ କୁଞ୍ଜବିହାରୀ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ମନ୍ଦିରର ବିକାଶ ନେଇ ସେବାୟତ ଓ କମିଟି ସଦସ୍ୟଙ୍କ ସହ ଆଲୋଚନା କରିଥିଲେ । ସେହିପରି କୁଞ୍ଜବିହାରୀ ମନ୍ଦିରର ବିକାଶ ନେଇ DPR ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ରୂପାନ୍ତରିତ ବି.ବି ହାଇସ୍କୁଲରେ ଛାତ୍ର, ଶିକ୍ଷକଙ୍କ ସହ ଆଲୋଚନା କରିଥିଲେ । ଲକ୍ଷ୍ୟରେ ପହଞ୍ଚିବା ପାଇଁ କଠିନ ପରିଶ୍ରମ କରିବାକୁ ପିଲାଙ୍କୁ ପରାମର୍ଶ ଦେଇଛନ୍ତି 5T ସଚିବ ଭି.କେ ପାଣ୍ଡିଆନ୍ ।

ସୁନାବେଶରେ ଦର୍ଶନ ଦେଉଛନ୍ତି ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତି, ଦିବ୍ୟ ବେଶ ଦେଖି ଭକ୍ତ ବିଭୋର

ପୁରୀ: ସୁବର୍ଣ୍ଣରେ ସୁସଜ୍ଜିତ ଶ୍ରୀଜିଉ । ଶ୍ରୀଭୁଜ, ଶ୍ରୀପୟର, ହରିଡ଼ା ମାଳି, ବାହାଡ଼ା ମାଳି, ଘାଗଡ଼ା ମାଳି, ଶଙ୍ଖ, ଚକ୍ର, ଗଦା, ପଦ୍ମ, ହଳ ମୂଷଳ, ମୁକୁଟ, ସବୁକିଛି ସୁନା । ସୁନାରେ ଝଟକୁଛନ୍ତି ମହାବାହୁ। ଶ୍ରୀଜିଉଙ୍କ ପବିତ୍ର ସୁନାବେଶ ବା ବଡ଼ତଢ଼ାଉ ବେଶ । ସୁବର୍ଣ୍ଣ ବିଭୂଷିତ ଦାରୁବ୍ରହ୍ମଙ୍କ ଆଭାରେ ଦାଉ ଦାଉ ଦିଶୁଛନ୍ତି ରଥତ୍ରୟ ।  ରଥ ଉପରେ ଆଜି ଚତୁର୍ଦ୍ଧାମୂର୍ତ୍ତିଙ୍କୁ ସୁନାବେଶ ବା ବଡ଼ତଢ଼ାଉ ବେଶରେ ସଜ୍ଜିତ କରାଯାଇଥିବା ବେଳେ ଶାନ୍ତି ଶୃଙ୍ଖଳା ସହ ସମସ୍ତ ନୀତିକାନ୍ତି ସମ୍ପନ୍ନ ହୋଇଛି । ଦୈନନ୍ଦିନ ନୀତି ଶେଷ ହେବା ପରେ ଠାକୁରଙ୍କୁ ସୁନାବେଶରେ ସଜ୍ଜିତ କରାଯାଇଥିଲା । ବଡ଼ଦାଣ୍ଡରେ, ରଥ ଉପରେ ଠାକୁରଙ୍କ ସୁନାବେଶ ଦେଖି ଭକ୍ତ ସନ୍ତୋଷ ଲାଭ କରିଛନ୍ତି ।

ଆସନ୍ତାକାଲି ଅଧର ପଣା । ଏହି ବେଶରେ ମହାପ୍ରଭୁଙ୍କୁ ଦର୍ଶନ କଲେ ଅଶେଷ ପୁଣ୍ୟ ମିଳିବା ସହ କୋଟି ଜନ୍ମର ପାପ କ୍ଷୟ ହୋଇଥାଏ ବୋଲି ବିଶ୍ବାସ ରହିଛି । ୪ ଥର ରତ୍ନ ସିଂହାସନରେ ସୁନାବେଶ ହେଉଥିବା ବେଳେ ବର୍ଷକରେ ଥରେ ଏହି ଗୋଟିଏ ଦିନ ମହାପ୍ରଭୁ ରଥ ଉପରେ ସୁନାବେଶରେ ଦର୍ଶନ ଦେଇଥାନ୍ତି । ତେଣୁ ଏହାର ମହତ୍ତ୍ବ ଅଧିକ । ଆଜି ମଧ୍ୟାହ୍ନ ଧୂପ ପରେ ଭଣ୍ଡାର ମେକାପଙ୍କ ଦ୍ୱାରା ସୁନା ଅଳଙ୍କାର ଅଣାଯାଇ ଶ୍ରୀବିଗ୍ରହମାନଙ୍କୁ ସଜା ଯାଇଥିଲା । ସେପଟେ ରୁପା ଛାଉଣୀ ପରେ ଝଲସୁଛି ସିଂହଦ୍ବାର । ଶ୍ରୀଜିଉଙ୍କ ସୁନାବେଶ ସାଙ୍ଗକୁ ଆହୁରି ପରିବେଶର ଶୋଭା ବର୍ଦ୍ଧନ କରିଛି ରୁପା ଛାଉଣୀ କବାଟ । ଏହି ବିଶେଷ ମୁହୂର୍ତ୍ତରେ ନିଜକୁ ସାମିଲ କରି ସମସ୍ତେ ବେଶ୍‌ ଖୁସି ବ୍ୟକ୍ତ କରିଛନ୍ତି ।

 

ହିଂସାଗ୍ରସ୍ତ ରାଜ୍ୟରେ ରାହୁଲଙ୍କ ଶାନ୍ତି ସନ୍ଦେଶ, ହେଲିକପ୍ଟରରେ ଚୁରଚାନ୍ଦପୁରରେ ପହଞ୍ଚି ପୀଡ଼ିତଙ୍କୁ ଭେଟିଲେ

ଇମ୍ଫାଲ: ରାହୁଲଙ୍କ ଶାନ୍ତି ସନ୍ଦେଶ । ସ୍ବାଗତ କଲା ମଣିପୁର । ପିସ୍ ମିଶନରେ ବାଟ ଓଗାଳିଲା ପୋଲିସ, ପ୍ରଶାସନ । ହିଂସାଗ୍ରସ୍ତ ରାଜ୍ୟରେ ଶାନ୍ତି, ଏକତା, ଭାଇଚାରାର ସନ୍ଦେଶ ନେଇ ପହଞ୍ଚିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଇମ୍ଫାଲ ଏୟାରପୋର୍ଟରୁ ଚୁରାଚାନ୍ଦପୁର ଯାଉଥିବା ବେଳେ ବିଷ୍ଣୁପୁର ଚେକ ପୋଷ୍ଟରେ ରାହୁଲଙ୍କୁ ଅଟକାଇଥିଲ ପୋଲିସ । ରାସ୍ତାକଡ଼ରେ ଲୋକମାନେ ରାହୁଲଙ୍କ ସ୍ବାଗତ ଉଦ୍ଦେଶ୍ୟରେ ନାରା ଦେଉଥିବା ବେଳେ ପୋଲିସ କିନ୍ତୁ କାରକେଡକୁ ଆଗକୁ ଛାଡ଼ି ନଥିଲା । ତେବେ ଇମ୍ଫାଲ ଫେରି ହେଲିକପ୍ଟର ଯୋଗେ ପୀଡ଼ିତଙ୍କ ପାଖରେ ପହଞ୍ଚିଛନ୍ତି ରାହୁଲ ।

ଦୁଇ ମାସ ଧରି ପୂର୍ବୋତ୍ତର ରାଜ୍ୟ ଜଳୁଥିବା ବେଳେ ଶାନ୍ତି ଫେରାଇ ଆଣିବାରେ ଫେଲ୍ ମାରିଛି କେନ୍ଦ୍ର । ସରକାର ମଣିପୁରକୁ ଜଳିବାକୁ ଛାଡ଼ି ଦେଇଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି । ରାହୁଲ ଭାଇଚାରାର ବର୍ତ୍ତା ଦେବାକୁ ଆସିଥିବା ବେଳେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ପୋଲିସ ଓ ପ୍ରଶାସନ ତାଙ୍କୁ ଅଟକାଇଛି ବୋଲି କଂଗ୍ରେସ କହିଛି । ରାହୁଲଙ୍କୁ ଫେରାଇ ଦିଆଯିବା ପରେ କେନ୍ଦ୍ର ଓ ରାଜ୍ୟର ଡବଲ ଇଞ୍ଜିନ ସରକାର ବିରୋଧରେ ଜୋରଦାର ନାରାବାଜି ହୋଇଛି । ଦୁଇ ମାସ ହେବ ଜଳୁଛି ମଣିପୁର ।

୫୮ ଦିନର ଉଗ୍ର ହିଂସାରେ ଶତାଧିକ ଲୋକ ଜୀବନ ହାରିଲେଣି । ବାସହରା ହୋଇଯାଇଛନ୍ତି ହଜାର ହଜାର ପରିବାର । ପ୍ରାୟ ୩ଶହ ରିଲିଫ କ୍ୟାମ୍ପରେ ୫୦ରୁ ୬୦ହଜାର ବିସ୍ଥାପିତ ଆଶ୍ରୟ ନେଇଛନ୍ତି । ଆଦିବାସୀ ଓ ଅଣ ଆଦିବାସୀଙ୍କ ସଂଘର୍ଷ ଯୋଗୁ ଅଶାନ୍ତ ହୋଇ ପଡ଼ିଥିବା ମଣିପୁରରେ ଶାନ୍ତି ଫେରିବାର ନାଁ ଧରୁନି । ଲୋକମାନେ ଇଣ୍ଟରନେଟ ଠାରୁ ଆରମ୍ଭ କରି ଅନେକ ପ୍ରକାରର ମୌଳିକ ଅଧିକାରରୁ ବଞ୍ଚିତ ହୋଇରହିଛନ୍ତି । ରାହୁଲ ଗାନ୍ଧୀ ମଣିପୁର ଲୋକଙ୍କ ମନରେ ପୁଣିଥରେ ବିଶ୍ବାସ, ଭଲପାଇବା, ଭାଇଚାରା ବାଣ୍ଟିବାକୁ ଆସିଥିବା ବେଳେ ସରକାର ତାଙ୍କୁ ଅଟକାଇବା ନିନ୍ଦନୀୟ ।

ଏବେ ମଣିପୁରରେ ସଂଘର୍ଷ ନୁହେଁ, ଶାନ୍ତିର ଆବଶ୍ୟକତା ରହିଛି ବୋଲି ଟୁଇଟ କରିଛନ୍ତି AICC ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ଆଜିଠୁ ଦୁଇ ଦିନିଆ ମଣିପୁର ଗସ୍ତରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଘୃଣାର ବଜାରରେ ପ୍ରେମ ଦୋକାନ ଖୋଲିବେ ବୋଲି କହିଛନ୍ତି କଂଗ୍ରେସ ନେତା କହିଛନ୍ତି । ପୀଡ଼ିତଙ୍କୁ ଭେଟିବା ସହ ଶାନ୍ତି ସ୍ଥାପନା ପାଇଁ ଇମ୍ଫାଲ ଓ ଚୁରାଚାନ୍ଦପୁରରେ ସିବିଲ ସୋସାଇଟି ପ୍ରତିନିଧିଙ୍କ ସହ ଆଲୋଚନା କରିବେ ରାହୁଲ ।

ବାହୁଡ଼ାଯାତ୍ରାରେ ଅଘଟଣ ସମ୍ପର୍କରେ ତ୍ରିପୁରା ମୁଖ୍ୟମନ୍ତ୍ରୀଙ୍କ ସହିତ ଟେଲିଫୋନ ଯୋଗେ କଥା ହେଲେ ନବୀନ

ଭୁବନେଶ୍ୱର: ତ୍ରିପୁରାରେ ବାହୁଡ଼ାରେ ଘଟିଥିବା ଅଘଟଣ ସମ୍ପର୍କରେ ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ସରକାରଙ୍କ ସହିତ ଟେଲିଫୋନରେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୃତ ବ୍ୟକ୍ତିଙ୍କ ପରିବାରକୁ ସେ ସମବେଦନା ଜଣାଇଛନ୍ତି । ଏଭଳି ଦୁଃଖଦ ସମୟରେ ତ୍ରିପୁରାର ଲୋକଙ୍କ ପାଇଁ ଓଡ଼ିଶାବାସୀ ସହଯୋଗର ହାତ ବଢାଇବେ । ଆହତଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ତ୍ରିପୁରା ସରକାରକୁ ଆବଶ୍ୟକ ସହଯୋଗ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ଏଥିସହ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାୟଙ୍କୁ ଘଟଣାସ୍ଥଳକୁ ପଠାଇଛନ୍ତି ମୁଖ୍ୟମନ୍ତ୍ରୀ ।

ମୃତକ କିମ୍ବା ଆହତଙ୍କ ଭିତରେ ଓଡ଼ିଶାରୁ କୌଣସି ବ୍ୟକ୍ତି ଥିବାର ସନ୍ଦେହ କରି ସଂସ୍କୃତି ନିର୍ଦ୍ଦେଶକଙ୍କୁ ତ୍ରିପୁରା ପଠାଯାଇଛି । ଯଦି କୌଣସି ଓଡ଼ିଆ ସେଠାରେ ଥାନ୍ତି, ତେବେ ତାଙ୍କୁ ସମସ୍ତ ପ୍ରକାରର ସହାୟତା ଯୋଗାଯିବ । ଏହାସହ ତ୍ରିପୁରାରେ ମୃତକଙ୍କ ପରିବାରକୁ ସମବେଦନା ଜଣାଇବେ ସଂସ୍କୃତି ନିର୍ଦ୍ଦେଶକ । ଗତକାଲି ତ୍ରିପୁରା ଉନାକୁଟି ଜିଲ୍ଲାର କୁମରଘାଟରେ ଘଟିଥିଲା ଅଭାବନୀୟ ଘଟଣା । ରଥଟାଣୁ ଟାଣୁ ଜିଅନ୍ତା ଜଳିଯାଇଥିଲେ ଶ୍ରଦ୍ଧାଳୁ ।

୩୩ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବାଫଳରେ କରେଣ୍ଟ ଲାଗି ଶ୍ରଦ୍ଧାଳୁଙ୍କର ମୃତ୍ୟୁ ହୋଇଥିଲା । ଘଟଣାସ୍ଥଳରେ ୬ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଡାକ୍ତରଖାନାରେ ଅନ୍ୟଜଣଙ୍କର ମୃତ୍ୟୁ ହୋଇଥିଲା । ମୃତକ ହେଲେ ସୀମା ପୌଲ, ସୁସ୍ମିତା ଦାସ, ରୁପକ ଦାସ, ସୁମା ବିଶ୍ବାସ, ରୁହାନ ଦାସ, ଶାନ ମଲକର, ପ୍ରିୟଙ୍କା ଘୋଷ । ମୃତକଙ୍କ ମଧ୍ୟରେ ୩ଜଣ ୯ବର୍ଷର ପିଲା ରହିଥିବା ସୂଚନା ମିଳିଛି । ସେହିପରି ୧୦ ଜଣ ଆହତ ହୋଇ ଚିକିତ୍ସିତ ହେଉଛନ୍ତି ।

ବାହୁଡ଼ା ଯାତ୍ରା ଦୁର୍ଘଟଣାରେ ମୃତକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଶୋକ, ତିନି ଲକ୍ଷ ଟଙ୍କା ଅନୁକମ୍ପା ସହାୟତା ଘୋଷଣା କଲେ

ଭୁବନେଶ୍ବର: ଗତ କାଲି ବାହୁଡା଼ ଯାତ୍ରା ସମୟରେ ଦୁର୍ଘଟଣାରେ ମୃତକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏଥିସହିତ ମୃତକଙ୍କ ନିକଟତମ ଆତ୍ମୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ତିନି ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି । ଗତକାଲି ରଥଯାତ୍ରା ସମୟରେ କେଉଁଝର ଜିଲ୍ଲା କେନ୍ଦୁଆ ଗ୍ରାମ ଠାରେ ୩ ଜଣ ଓ କୋରାପୁଟ ଜିଲ୍ଲା କୋଲାବ ନଗରଠାରେ ଜଣେ ବ୍ୟକ୍ତି ମୃତ୍ୟୁବରଣ କରିଥିଲେ । ମୁଖ୍ୟମନ୍ତ୍ରୀ ଅନୁକମ୍ପା ଘୋଷଣା କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି । ଏହି ଦୁର୍ଘଟଣାରେ ଆହତମାନଙ୍କୁ ମାଗଣାରେ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହିତ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ରାଜ୍ୟରେ ତାପମାତ୍ରା କମିଲେ ବି ଗୁଳୁଗୁଳି ଅନୁଭୂତ ହେବ, ହାଲୁକାରୁ ମଧ୍ୟମ ଧରଣର ବର୍ଷା ମଧ୍ୟ ହେବ

ଭୁବନେଶ୍ୱର: ରାଜ୍ୟରେ ତାପମାତ୍ରା କମିଲେ ବି ଗୁଳୁଗୁଳି ଅନୁଭୂତ ହେବ । ହାଲୁକାରୁ ମଧ୍ୟମ ଧରଣର ବର୍ଷା ମଧ୍ୟ ହେବ। ଓଡ଼ିଶାରେ ପାଣିପାଗରେ ସେମିତି କିଛି ନିର୍ଦିଷ୍ଟ ପ୍ରଭାବ ନାହିଁ । ଜଳୀୟବାଷ୍ପ ଯଥେଷ୍ଟ ଅଧିକ ରହିଛି, ଯାହା ଫଳରେ ଆଦ୍ରତା ଅଧିକ ରହିଛି । ଭୁବନେଶ୍ୱର ୮୮ ପ୍ରତିଶତ ଆଦ୍ରତା ଆଜି ସକାଳ ୮ଟା ୩୦ ସୁଦ୍ଧା ରେକର୍ଡ କରାଯାଇଛି । ଆସନ୍ତା ୨ ଓ ୩ ତାରିଖ ବେଳକୁ ଦକ୍ଷିଣ ଓ ଉପକୂଳବର୍ତୀ ଓଡ଼ିଶାରେ ବିଜୁଳି ଘଡଘଡି ଜନିତ ବର୍ଷା ସହ, ବର୍ଷାର ପରିମାଣ ବଢିବ। ବାଦଲ ଆକାଶରେ ଛାଇ ହୋଇ ରହିବ ।

ଗତ ୨୪ଘଣ୍ଟାର ରିପୋର୍ଟ ଅନୁସାରେ ୨୮ ଜୁନ ସୁଦ୍ଧା ରାଜ୍ୟରେ ୧୫୬.୧ ମିମି ବର୍ଷା ରେକର୍ଡ ହୋଇଛି । ଯାହାକି ସ୍ୱାଭାବିକ ବର୍ଷା ୧୯୨.୩ ମିମି ତୁଳନାରେ ୧୯ ପ୍ରତିଶତ କମ ଅଛି । ଯାହାକି ସ୍ୱାଭାବିକ ପରିସର ଭୁକ୍ତ। ସର୍ବାଧିକ ଦେବଗଡ଼ରେ ୩୦୭. ୬ ମିମି, ବର୍ଷା ରେକର୍ଡ ହୋଇଛି, ଯାହା ୮୬ପ୍ରତିଶତ ଅଧିକ ରହିଛି । ଝାରସୁଗୁଡା, ଢେଙ୍କାନାଳ, ବରଗଡ଼ ଏସବୁ ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ରେକର୍ଡ ହୋଇଛି। ମୌସୁମୀ ବିଳମ୍ବରେ ଆସିଥିଲେ ବି ଆଗାମୀ ଦିନର ବର୍ଷା ସ୍ବଭାବିକ ରହିବ। ଗତ ବର୍ଷ ଜୁନ ମାସ ତୁଳନାରେ ଏବର୍ଷ ଅଧିକ ବର୍ଷା ହୋଇଛି ।

ଗତ ବର୍ଷ ୧୩୬.୧ ମିମି ବର୍ଷା ରେକର୍ଡ ହୋଇଥିଲା, ଏଥର ବର୍ତ୍ତମାନ ସୁଧା ୧୫୬.୧ ମିମି ହୋଇଛି। ଚାଷ ପାଇଁ ଯାହା ଅନୁକୂଳ ହୋଇଛି । ପୁରୀରେ ଆଗାମୀ ୨ଦିନ ପର୍ଯ୍ୟନ୍ତ ଗୁଳୁଗୁଳି ରହିବ। ଅଳ୍ପ ତାତି ବଢିଲେ ବି ବର୍ଷା ମଧ୍ୟ ରହିବ । ମୌସୁମୀ ୨୨ତାରିଖକୁ ରାଜ୍ୟରେ ଅଗ୍ରଗତି କରିଥିଲା । ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିଲା। ପଶ୍ଚିମ ଦିଗରେ ଏହା ଅଗ୍ରଗତି ହୋଇଛି । ନିମ୍ନଚାପ ରେଖା ଉତ୍ତର ଆଡ଼କୁ ଅଗ୍ରସର ହୋଇଛି । ତେବେ ଓଡ଼ିଶା ଠାରୁ ଯଥେଷ୍ଟ ଦୂରରେ ଅଛି ।