spot_img
Home Blog Page 2896

ନୂଆ ରୂପ ପାଇବ ମା’ ବୁଢୀ ଠାକୁରାଣୀଙ୍କ ମନ୍ଦିର, ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ବ୍ରହ୍ମପୁର ବାସିନ୍ଦା

ବ୍ରହ୍ମପୁର: 5T ଉପକ୍ରମରେ ନୂଆ ରୂପ ପାଇବ ବ୍ରହ୍ମପୁରର ପ୍ରସିଦ୍ଧ ମା’ ବୁଢୀ ଠାକୁରାଣୀ ମନ୍ଦିର । ବ୍ରହ୍ମପୁରର ପ୍ରସିଦ୍ଧ ମା’ ବୁଢୀ ଠାକୁରାଣୀଙ୍କ ମନ୍ଦିରର ବିକାଶ ଯୋଜନାକୁ ଅନୁମୋଦନ ପରେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ବ୍ରହ୍ମପୁର ବାସିନ୍ଦା ।

ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଏବଂ ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଓ ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ରମେଶ ଚନ୍ଦ୍ର ଚ୍ୟାୟୁପଟ୍ଟନାୟକଙ୍କ ନେତୃତ୍ବରେ ସମସ୍ତ ଭକ୍ତ ଏବଂ ସେବାୟତଙ୍କୁ ସାଙ୍ଗରେ ନେଇ ମା’ ବୁଢୀ ଠାକୁରାଣୀଙ୍କ ନିକଟରେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ପ୍ରଦୀପ ପ୍ରଜ୍ବଳନ କରାଯିବ । ଏଥିରେ ମହାନଗର ନିଗମ ମେୟର ସଂଘମିତ୍ରା ଦଳେଇ, ଉପ ମେୟର ବିବେକ ରେଡ୍ଡୀ, ରାଜ୍ୟ କାଜୁ ନିଗମ ଅଧ୍ୟକ୍ଷ ସୁବାସ ମହାରଣା, ସମସ୍ତ କର୍ପୋରେଟର ଓ ସ୍ଥାନୀୟ ନେତୃବୃନ୍ଦ ଉପସ୍ଥିତ ଅଛନ୍ତି । ଗତକାଲି ମନ୍ଦିରର ଉନ୍ନତି ନେଇ ୧୮କୋଟି ୯୧ ଲକ୍ଷ ଟଙ୍କା ଅନୁମୋଦନ କରିଥିଲେ ମୁଖ୍ୟମନ୍ତ୍ରୀ ।

କାଦୁଅ ପଚ ପଚ ଧାନ ବିଲରେ ରାହୁଲ, ଟ୍ରାକ୍ଟର ଚଳାଇଲେ, ଧାନ ରୋଇଲେ

ଚଣ୍ଡିଗଡ଼: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଏବେ ଭିନ୍ନ ଭିନ୍ନ ଅବତାରରେ ଦେଖିବାକୁ ମିଳୁଛି । କେବେ ଟ୍ରକ୍ ଚଲାଉଛନ୍ତି ତ କେବେ ବାଇକ ମେକାନିକ୍ ହୋଉଛନ୍ତି। ଏବେ ଚାଷ କ୍ଷେତରେ ଚାଷୀ ବେଶରେ ନଜର ଆସିଛନ୍ତି ରାହୁଲ । ସକାଳୁ ସକାଳୁ ହରିୟାଣାର ସୋନିପତର ଏକ ଗାଁରେ ପହଞ୍ଚି ଅନ୍ୟ ଚାଷୀଙ୍କ ସହ ମିଶି ଧାନ ରୋଇଛନ୍ତି ରାହୁଲ ଗାନ୍ଧି ।

ସୂଚନା ଅନୁସାରେ, ରାହୁଲ ହିମାଞ୍ଚଳ ପ୍ରଦେଶ ଯାଉଥିଲେ । ରାସ୍ତାରେ ଚାଷୀଙ୍କୁ ଧାନ କ୍ଷେତ ରୋଉଥିବାର ଦେଖି ନିଜେ ସେମାନଙ୍କ ପାଖରେ ପହଞ୍ଚିଥିଲେ । ପିନ୍ଧିଥିବା ଫୁଲ୍ ପ୍ୟାଣ୍ଟ ଫୋଲ୍ଡ କରି ଚାଷ କ୍ଷେତକୁ ଓହ୍ଲାଇଥିଲେ । ନିଜେ ଧାନ ରୋଇବା ସହ ଟ୍ରାକ୍ଟର ଚଲାଇଥିଲେ ।  ଚାଷୀଙ୍କ ହାଲଚାଲ ପଚାରି ବୁଝିଥିଲେ । ହଠାତ୍ ରାହୁଲଙ୍କୁ ନିଜ ପାଖରେ ପାଇ ଖୁସି ହୋଇଯାଇଥିଲେ ଚାଷୀ ।

ବହୁ ଚର୍ଚ୍ଚିତ ଭାରତଯୋଡ ଯାତ୍ରା ପରେ ସାଧାରଣ ଲୋକଙ୍କୁ ଭେଟୁଛନ୍ତି ରାହୁଲ । ଲୋକଙ୍କ ପାଖକୁ ଯାଇ ସେମାନଙ୍କ ଦୁଃଖ ବୁଝୁଛନ୍ତି । ଏହାପୂର୍ବରୁ ୨୩ ମେ’ ରେ ରାହୁଲ ଚଣ୍ଡିଗଡ଼ ଯାଇ ଟ୍ରକରେ ଯାତ୍ରା କରିଥିଲେ । ଟ୍ରକ୍‌ ଡ୍ରାଇଭରଙ୍କୁ ତାଙ୍କ ସମସ୍ୟା କଥା ପଚାରି ବୁଝିଥିଲେ । ବେଙ୍ଗାଳୁରୁରେ ଜଣେ ଡେଲିଭରୀ ବୟ ସହ ବାଇକରେ ଯାଇ ତାଙ୍କ ସମସ୍ୟା ବୁଝିଥିଲେ । ଦିଲ୍ଲୀ କରୋଲ ବାଗରେ ବାଇକ ମେକାନିକଙ୍କ ସହ ନିଜେ ଗାଡି ରିପାୟାର କରିବା ସହ ସେମାନଙ୍କ କଥା ବୁଝିଥିଲେ ।

ଲୋକକଳା କଳାକାରମାନଙ୍କ ପାରିଶ୍ରମିକ ବୃଦ୍ଧି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଲୋକକଳାର ପ୍ରସାର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ପଦକ୍ଷେପ । ଲୋକକଳା କଳାକାରମାନଙ୍କ ପାରିଶ୍ରମିକରେ ବୃଦ୍ଧି ଘୋଷଣା କରାଯାଇଛି । ବିଭିନ୍ନ ଲୋକକଳା ଯଥା ଦାସକାଠିଆ, ପାଲା, ଘୋଡାନାଚ ତଥା ଲୋକନୃତ୍ୟ ଓ ଲୋକସଂଗୀତ ପାଇଁ ପାରିଶ୍ରମିକ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ନୂତନ ନିଷ୍ପତ୍ତି ଅନୁଯାୟୀ, ପ୍ରତ୍ୟେକ ଲୋକକଳା ପାଇଁ ଗୋଟିଏ ଦିନରେ ୩ ଘଣ୍ଟାରେ ୩ଟି ପ୍ରଦର୍ଶନ କରିବା ପାଇଁ ବର୍ଦ୍ଧିତ ପାରିଶ୍ରମିକ ଘୋଷଣା କରାଯାଇଛି । ଦଳର ମୁଖ୍ୟଙ୍କୁ ଦିନକୁ ୧୦୦୦ ଟଙ୍କା ଓ ଅନ୍ୟ ସଦସ୍ୟ ମାନଙ୍କୁ ୮୦୦ ଟଙ୍କା ଲେଖାଏ ପ୍ରଦାନ କରାଯିବ। ଏହାସହିତ, କଳାକାରମାନଙ୍କ ଗମନାଗମନ ଓ ଖାଦ୍ୟ ପାଇଁ ଜଣ ପିଛା ଦୈନିକ ୩୦୦ ଟଙ୍କା ଲେଖାଏ ଦିଆଯିବ।

ଏହି ନୂତନ ପାରିଶ୍ରମିକ ଅନୁଯାୟୀ ଦାସକାଠିଆ ପ୍ରଦର୍ଶନ କ୍ଷେତ୍ରରେ ପୂର୍ବରୁ କାର୍ଯ୍ୟକ୍ରମ ପିଛା ୨୦୦ ଟଙ୍କା ଦିଆଯାଉଥିବା ବେଳେ, ବର୍ତ୍ତମାନ ଦୁଇ ଜଣିଆ ଦଳକୁ ଏକକାଳୀନ ୨୪୦୦ ଟଙ୍କା ପ୍ରଦାନ କରାଯିବ। ସେହିପରି ପାଲା ପ୍ରଦର୍ଶନ କ୍ଷେତ୍ରରେ ପୂର୍ବରୁ କାର୍ଯ୍ୟକ୍ରମ ପିଛା ୩୫୦ ଟଙ୍କା ଦିଆଯାଉଥିବା ବେଳେ, ଏବେ ଏକ ୬ ଜଣିଆ ଦଳକୁ ଏକକାଳୀନ ୬୮୦୦ ଟଙ୍କା ଦିଆଯିବ। ଘୋଡାନାଚ କ୍ଷେତ୍ରରେ ପୂର୍ବରୁ କାର୍ଯ୍ୟକ୍ରମ ପିଛା ୩୫୦ ଟଙ୍କା ଦିଆଯାଉଥିବା ବେଳେ, ବର୍ତ୍ତମାନ ୮ ଜଣିଆ ଘୋଡାନାଚ ଦଳକୁ ଏକକାଳୀନ ୯୦୦୦ ଟଙ୍କା ଦିଆଯିବ । ସେହିପରି ଲୋକନୃତ୍ୟ ଓ ଲୋକସଂଗୀତ ପାଇଁ ପୂର୍ବରୁ କାର୍ଯ୍ୟକ୍ରମ ପିଛା ୪୦୦ ଟଙ୍କା ଦିଆଯାଉଥିଲା । ଏବେ ଏକ ୮ ଜଣିଆ ଦଳକୁ ଏକକାଳୀନ ୯୦୦୦ ଟଙ୍କା ଦିଆଯିବ ।

ବାହାନଗା ଟ୍ରେନ୍ ଟ୍ରାଜେଡି, ୩ ଅଭିଯୁକ୍ତଙ୍କୁ ଜେରା କରୁଛି CBI

ଭୁବେନଶ୍ବର: ବାହାନଗା ଟ୍ରେନ୍ ଟ୍ରାଜେଡି ଘଟଣାରେ ସିବିଆଇର ତନାଘନା । ଗିରଫ ୩ ଅଭିଯୁକ୍ତଙ୍କୁ ଜେରା କରୁଛି ସିବିଆଇ ଟିମ୍ । ଚନ୍ଦକା ଥାନାରେ ସିବିଆଇର ୫ ଜଣିଆ ଟିମ୍ ପଚରାଉଚରା କରୁଛନ୍ତି । ୫ ଦିନିଆ ରିମାଣ୍ଡରେ ଅଛନ୍ତି ୩ ଅଭିଯୁକ୍ତ ।

ଆଜି ହେଉଛି ରିମାଣ୍ଡର ଦ୍ବିତୀୟ ଦିନ । ସେକ୍ସନ ଇଞ୍ଜିନିୟର ଅରୁଣ କୁମାର ମହାନ୍ତ, ସେକ୍ସନ ଇଞ୍ଜିନିୟର ମହମ୍ମଦ ଅମିର ଖାନ୍ ଏବଂ ଟେକନିସିଆନ ପପୁ କୁମାରଙ୍କୁ ଗିରଫ କରିଛି ସିବିଆଇ । ଦୁର୍ଘଟଣାର ଠିକ୍ ୩୫ ଦିନରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ସିବିଆଇ । ସିଆରପିସି ୩୦୪ ଓ ୨୦୧ ଧାରାରେ ସେମାନଙ୍କୁ ଗିରଫ କରାଯାଇଛି ।

ଏହି ମାମଲାରେ ସିବିଆଇ ତଦନ୍ତ କରୁଥିବା ବେଳେ ଏହା ହେଉଛି ପ୍ରଥମ କାର୍ଯ୍ୟାନୁଷ୍ଠାନ । ସେମାନଙ୍କ ବିରୋଧରେ ଗୁରୁତର ଅବହେଳାରୁ ସଙ୍ଗୀନ ଦୁର୍ଘଟଣା ଏବଂ ପ୍ରମାଣ ନଷ୍ଟ କରିଥିବା ଅଭିଯୋଗ ରହିଛି । ସିଗନାଲିଂ ତ୍ରୁଟି ଯୋଗୁଁ ଏଭଳି ଘଟଣା ଘଟିପାରେ ବୋଲି ତିନି ଅଭିଯୁକ୍ତ ପୂର୍ବରୁ ଜାଣିଥିଲେ । ତଥାପି ଏହାର ଠିକ୍ ପରିଚାଳନା ନେଇ ଦାୟିତ୍ବବାନ ନଥିଲେ । ଜୁନ ୨ରେ ସଂଧ୍ୟା ବେଳେ କରମଣ୍ଡଳ ଏକ୍ସପ୍ରେସ ବାହାନଗାରେ ଦୁର୍ଘଟଣା ଗସ୍ତ ହୋଇଥିଲା । ସିଗନାଲିଂ ଭୁଲ ଥିବାରୁ ଏକ ମାଲଗାଡିକୁ ଧକ୍କା ଦେଇଥିଲା ଟ୍ରେନ୍ । ଏଥିରେ ୨୯୩ ଜଣଙ୍କ ମୃତ୍ୟୁ ହୋଇଥିଲା । ଦେଶର ସବୁଠୁ ବଡ଼ ଦୁର୍ଘଟଣା ମଧ୍ୟରୁ ଏହି ଦୁର୍ଘଟଣା ଅତି ଭୟଙ୍କର ଥିଲା । ଏଭଳି ଘଟଣାର ସିବିଆଇ ତଦନ୍ତ ପାଇଁ କେନ୍ଦ୍ର ରେଳ ମନ୍ତ୍ରାଳୟ ସୁପାରିସ କରିଥିଲା । ତାପରଠାରୁ ସିବିଆଇ ବାହାନଗା ଆସିବା ସହ ବିଭିନ୍ନ ଦିଗରୁ ତଦନ୍ତ ଜାରି ରହିଥିଲା ।

ବିଜେଡିର ମିଶ୍ରଣ ପର୍ବ, ସାମିଲ ହେଲେ ୨ ଶହରୁ ଅଧିକ କର୍ମୀ

ଭଦ୍ରକ: ଭଦ୍ରକରେ ବିଜେଡିର ମିଶ୍ରଣ ପର୍ବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଭଦ୍ରକ ପୌରପାଳିକା ପୁରୁଣା ବଜାର ଅଂଚଳର ଯୁବନେତା ସେକ ଅମୀରଙ୍କ ନେତୃତ୍ବରେ ୨ଶହରୁ ଅଧିକ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି । ବିଶାଳ ମୋଟର ସାଇକେଲ ରାଲି କରି ସହିଦ ସ୍ମୃତି ଭବନରେ ପହଞ୍ଚି ମିଶ୍ରଣ ପର୍ବରେ ସାମିଲ ହୋଇଥିଲେ । ଏହି ମିଶ୍ରଣ ପର୍ବରେ ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ, ଜିଲ୍ଲା ସଭାପତି ଜଗନ୍ନାଥ ସ୍ୱାଇଁ, ବିଜୁ ଯୁବ ଜନତା ଦଳର ସଭାପତି ମୁକୁନ୍ଦ ଦେବ ସମଲ୍, ରାଜ୍ଯ କାର୍ଯ୍ୟକାରିଣୀ ସଂପାଦକ ରାକେଶ ପାଣ୍ଡାଙ୍କ ସମେତ ବହୁ ନେତା ଓ କର୍ମୀ ସାମିଲ ଥିଲେ । ମୁଖ୍ୟମନ୍ତ୍ରୀ ନଵୀନ ପଟ୍ଟନାୟକଙ୍କ ନୀତି ଆଦର୍ଶ ଓ ଜନହିତକର କାର୍ଯ୍ୟକୁ ନେଇ ଅନୁପ୍ରାଣିତ ହୋଇ ବିଜେଡିରେ ସାମିଲ ହୋଇଥିବା କହିଛନ୍ତି ସେଖ ଅମୀର ।

ରଥରେ ସେବାୟତ ବେଶରେ ଅଣସେବାୟତ, ସୋସିଆଲ ମିଡିଆରେ ଭାଇରାଲ ହେଲା ରିଲ୍

ପୁରୀ: ରଥ ଉପରେ ଅଣ ସେବାୟତଙ୍କ ରିଲ୍ । ରଥରେ ରଢ଼ି ରିଲ୍ ତିଆରି କରି ସୋସିଆଲ ମିଡିଆରେ ଛାଡ଼ିଛନ୍ତି ଜଣେ ଅଣ ସେବାୟତ । ଏହି ରିଲ୍ ଏବଂ କିଛି ଫଟୋ ଭାଇରାଲ ହୋଇଛି ।

ଗତ ରଥଯାତ୍ରାରେ ସେବାୟତ ବେଶରେ ବହୁ ଅଣ ସେବାୟତ ମହାପ୍ରଭୁଙ୍କ ରଥ ଉପରେ ଚଢିଥିବା ନଜରକୁ ଆସିଛି । ରଥ ଉପରେ ଏହି ଅଣସେବାୟତ ଚଢି ଫଟୋ ସହିତ ରିଲ୍ କରିଥିବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଜଣାପଡ଼ିଛି । ଏପରିକି ଶ୍ରୀଅଙ୍ଗକୁ ଛୁଇଁବା ସହ ଶ୍ରୀବିଗ୍ରହଙ୍କ ପାଖରେ ବସି ଫୋଟୋ ଓ ରିଲ୍ ମଧ୍ୟ କରିଥିବା ନଜରକୁ ଆସିଛି । ଏମାନେ ସେବାୟତ କି ନୁହେଁ ତାହା ସନ୍ଦେହ ଜାତ ହୋଇଥିବା ବେଳେ ଏହି ଫଟୋ ଓ ଭିଡ଼ିଓକୁ ନେଇ ତର୍ଜମାର ଆବଶ୍ୟକତା ରହିଛି ।

ରଥ ଉପରକୁ କିଭଳି ଗଲେ ଆଉ ସୁରକ୍ଷା ବ୍ୟବସ୍ଥା ଦାୟିତ୍ୱରେ ଥିବା ଅଧିକାରୀ କଣ ସୁରକ୍ଷା ରକ୍ଷା କରୁଥିଲେ ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏ ନେଇ ଶ୍ରୀମନ୍ଦିର ପ୍ରଶାସନ କି ସେବାୟତ ମାନଙ୍କ ପକ୍ଷରୁ ବର୍ତ୍ତମାନ ପର୍ଯ୍ୟନ୍ତ ଥାନାରେ କୌଣସି ଅଭିଯୋଗ ଦିଆଯାଇନଥିବା ବେଳେ ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ଆଲୋଡନ ସୃଷ୍ଟି ହୋଇଛି ।

ଫାଣ୍ଡି ସାମ୍ନାରେ ଲୁଟ୍, ଲୁଟେରାଙ୍କୁ ଗୋଡାଇ ଗୋଡାଇ କାବୁ କଲେ ଭାଇ ଭଉଣୀ

କଟକ: କଟକ ବାରଙ୍ଗ ଥାନା ଗୋଡିସାହି ଅଞ୍ଚଳରେ ଲୁଟ୍ କରୁଥିବା ଦୁର୍ବୁତ୍ତଙ୍କୁ କାବୁ କଲେ ଯୁବତୀ। ଘଟଣା ଘଟିଛି ଖୋଦ୍ ଗୋଡିସାହି ଫାଣ୍ଡି ସାମ୍ନାରେ। କଟକ ଭଗୀପୁର ଅଞ୍ଚଳର ଜଣେ ଯୁବତୀ ସବିତା ମାଝୀ ତାଙ୍କ ଭାଇ ସହ ବାଇକରେ ବାଙ୍କୀ ରାସ୍ତାରେ ଯାଉଥିବା ବେଳେ ଗୋଡିସାହି ଫାଣ୍ଡି ସାମ୍ନାରେ ଦୁଇଜଣ ଦୁର୍ବୁତ୍ତ ବାଇକରେ ଆସି ତାଙ୍କ ଭ୍ୟାନିଟି ବ୍ୟାଗ ଛଡ଼ାଇ ନରାଜ ରାସ୍ତାରେ ଫେରାର ହୋଇଯାଇଥିଲେ।

ହେଲେ ଭାଇ ଭଉଣୀ ତାଙ୍କର ପିଛା କରିଥିବା ବେଳେ ବାଇକଟିରେ ଭାରସାମ୍ୟ ହରାଇ ଧକ୍କା ହେବା ପରେ ଦୁର୍ବୁତ୍ତମାନେ ତଳେ ପଡିଯାଇଥିଲେ। ହେଲେ ଜଣେ ଦୁର୍ବୁତ୍ତ ଆହତ ହୋଇ ଯାଇନପାରିବାରୁ ତାଙ୍କୁ କାବୁ କରି ପୋଲିସକୁ ଖବର ଦେଇଥିଲେ ଭାଇଭଉଣୀ। ସୂଚନା ଅନୁସାରେ ଗୋଡିସାହି ଫାଣ୍ଡି ଅଞ୍ଚଳରେ ଗତ ୧୦ ଦିନ ଭିତରେ ଲଗାତାର ୪ ଥର ଲୁଟ୍ ଘଟଣା ଘଟିଯାଇଥିଲେ ମଧ୍ୟ ପୋଲିସର ନିଷ୍କ୍ରିୟତା ଯୋଗୁଁ ଆଜି ପୁଣି ଏଭଳି ଘଟଣା ସାମ୍ନାକୁ ଆସିଛି । ଯାହା ପୁଣି ଫାଣ୍ଡି ସାମ୍ନାରେ।

ସ୍ତ୍ରୀକୁ କୋଡିରେ ପିଟିପିଟି ମାରିଲା ସ୍ବାମୀ, ପୋଲିସକୁ ଖବର ଦେଲେ ଶ୍ବଶୂର

ବୌଦ୍ଧ: ଘରୋଇ କଳହର କରୁଣ ପରିଣତି । ବୌଦ୍ଧ ଥାନା ତେଲିବନ୍ଧ ଚନ୍ଦ୍ରପୁର ଗାଁରେ ହତ୍ୟାକାଣ୍ଡ ଘଟିଛି । କୋଡିରେ ପିଟି ପିଟି ସ୍ତ୍ରୀକୁ ହତ୍ୟା କରିଛି ନୃଶଂସ ସ୍ୱାମୀ । ମୃତକ ହେଲେ କନକ ପ୍ରଧାନ ।ହତ୍ୟାକାରୀ ସ୍ୱାମୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଫେରାର ଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ, ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଓ ସ୍ତ୍ରୀ କନକ ପ୍ରଧାନଙ୍କ ମଧ୍ୟରେ କୌଣସି କାରଣରୁ କଳହ ହୋଇଥିଲା । ସ୍ୱାମୀ ପୂର୍ଣ୍ଣଚନ୍ଦ୍ର ଏଥିରେ ଉତକ୍ଷିପ୍ତ ହୋଇ କୋଡ଼ିରେ ପିଟିପିଟି ବୀଭତ୍ସ ଭାବେ ହତ୍ୟା କରି ଫେରାର ହୋଇଯାଇଛି । ଗତକାଲି ରାତିରେ ଏହି ଘଟଣା ହୋଇଥିବା ବେଳେ ହତ୍ୟାକାରୀର ବାପା ରତ୍ନାକର ପ୍ରଧାନ ଏନେଇ ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନରେ ଫୁଟିଲା ଗୁଳି, ପୋଲିଂ ଏଜେଣ୍ଟ ମୃତ

କୋଲକାତା: ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନରେ ଫୁଟିଲା ଗୁଳି । କୋଚବିହାରର ଫାଲିମାରିରେ ଗୁଳିମାଡ଼ରେ ପ୍ରାଣ ହରାଇଲେ ପୋଲିଂ ଏଜେଣ୍ଟ ମାଧବ ବିଶ୍ବାସ । ସେହିପରି ମୁଶିଦାବାଦ ଜିଲ୍ଲା ଡୋମକଳର ୮ ନମ୍ବର ବୁଥରେ ଦୁଇ ଜଣ ଟିଏମସି କର୍ମୀ ଯାଉଥିବା ବେଳେ କଂଗ୍ରେସ କର୍ମୀମାନେ ଗୁଳି ଚାଳନା କରିଥିବା ଅଭିଯୋଗ ହୋଇଛି । ଏଥିରେ ଦୁଇ ଜଣ ଟିଏମସି କର୍ମୀ ଗୁରୁତର ଆହତ ହୋଇଛନ୍ତି । ଦୁଇ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଛନ୍ତି ପୋଲିସ ଓ କେନ୍ଦ୍ରୀୟ ବାହିନୀ ଯବାନ । ସେପଟେ ସିତାଇ ବିଧାନସଭାର ଦିନହାଟରେ ବାଲଟ ବାକ୍ସ ପୋଡ଼ିଦେଲେ ଦୁର୍ବୃତ୍ତ ।

ପଶ୍ଚିମବଙ୍ଗରେ ଚାଲିଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ, ଭୋଟ ଦେଉଛନ୍ତି ୫ କୋଟି ଭୋଟର

କୋଲକାତା: ପଶ୍ଚିମବଙ୍ଗରେ ଚାଲିଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ଭୋଟ ଦେଉଛନ୍ତି ୫ କୋଟି ୬୭ ଲକ୍ଷରୁ ଅଧିକ ଭୋଟର । ୨୦୨୪ ଲୋକସଭା ନିର୍ବାଚନ ପାଇଁ ଏହା ଅଗ୍ନିପରୀକ୍ଷା ହେବାକୁ ଯାଉଥିବାବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଇଁ ସମ୍ମାନର ପ୍ରଶ୍ନ ।

୨୨ ଜିଲ୍ଲାର ୯୨୮ଟି ଜିଲ୍ଲା ପରିଷଦ ଆସନ, ୯ ହଜାର ୭୩୦ ପଞ୍ଚାୟତ ସମିତି ଏବଂ ୬୩ ହଜାର ୨୨୯ ଗ୍ରାମ ପଞ୍ଚାୟତ ପାଇଁ ଭୋଟ ଦେଉଛନ୍ତି ଜନତା । ଆସନ୍ତା ୧୧ ତାରିଖରେ ପ୍ରକାଶ ପାଇବ ଫଳାଫଳ । ହିଂସାକାଣ୍ଡକୁ ନଜରରେ ରଖି କଡାକଡ଼ି କରାଯାଇଛି ସୁରକ୍ଷା ବ୍ୟବସ୍ଥା । ପ୍ରତି ବୁଥରେ ୪ ଜଣ କରି କେନ୍ଦ୍ରୀୟ ବାହିନୀ ଯବାନଙ୍କ ସହ ପଶ୍ଚିମବଙ୍ଗ ପୋଲିସ ମୃତୟନ ରହିଛନ୍ତି । ଅନ୍ୟପଟେ ନିର୍ବାଚନ ଘୋଷଣା ହେବା ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟି ୧୯ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି ।