spot_img
Home Blog Page 2893

୭ ଜିଲ୍ଲାରେ ଆଜି ପ୍ରବଳ ବର୍ଷା, ୨୦୦ ମିଲିମିଟର ଯାଏଁ ବର୍ଷିପାରେ

ଭୁବନେଶ୍ବର: ରାଜ୍ୟରେ ସକ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ବର୍ତ୍ତମାନ ମୌସୁମୀ ନିମ୍ନଚାପରେଖା ବାଲେଶ୍ବର ଦେଇ ଉତ୍ତର ପଶ୍ଚିମ ବଙ୍ଗୋପସାଗର ପର୍ଯ୍ୟନ୍ତ ଲମ୍ବିଛି । ଏହାସହ ଏକ ଘୂର୍ଣ୍ଣିବଳୟ ଝାଡଖଣ୍ଡ ଏବଂ ଏହାର ଆଖପାଖରେ ସକ୍ରିୟ ରହିଛି । ଯାହାର ପ୍ରଭାବରେ ରାଜ୍ୟରେ ଲାଗି ରହିଛି ବର୍ଷା । ବିଶେଷ କରି ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଉତ୍ତର ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ପାଗ ମେଘୁଆ ରହିବା ସହ କିଛି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ ହୋଇଛି ।

ଆଜି ପ୍ରବଳ ବର୍ଷା ନେଇ ସୁନ୍ଦରଗଡ, ଦେବଗଡ, କେନ୍ଦୁଝର, ମୟୁରଭଞ୍ଜ, କୋରାପୁଟ, ରାୟଗଡା ଏବଂ ଗଜପତି ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ଏହି ସବୁ ଜିଲ୍ଲାରେ ୭୦ ରୁ ୧୧୦ ମିଲିମିଟର ଏବଂ କିଛି ସ୍ଥାନରେ ୨ଶହ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି । ୧୩ ତାରିଖ ପର୍ଯ୍ୟନ୍ତ ଏଭଳି ବର୍ଷା ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୧୩ ପରେ ବର୍ଷାର ପରିମାଣ ପୁଣି ବଢିପାରେ ।

ଚଳିତ ମୌସୁମୀ ଋତୁରେ ୧ ଜୁନ ରୁ ୮ ଜୁଲାଇ ମଧ୍ୟରେ ୨୨୭.୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଯାହା ସ୍ୱାଭାବିକ ବର୍ଷା ୨୮୬.୮ ମିଲିମିଟର ତୁଳନାରେ ୨୪ ପ୍ରତିଶତ କମ ରହିଛି । ଦେବଗଡ ଜିଲ୍ଲାରେ ସର୍ବାଧିକ ୪୩୧.୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା ୨୭୮.୮ ମିଲିମିଟର ତୁଳନାରେ ୫୫ ପ୍ରତିଶତ ଅଧିକ ରହିଛି । ସେହିପରି କଳାହାଣ୍ଡି ଜିଲ୍ଲାରେ ସର୍ବନିମ୍ନ ୧୨୩.୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା ୩୪୦.୬ ମିଲିମିଟର ତୁଳନାରେ ୬୪ ପ୍ରତିଶତ କମ ରହିଛି ।

ବାଲୁଗାଁ ଷ୍ଟେସନରେ ଟ୍ରେନରେ ନିଆଁ, ଜୁନାଗଡ଼ ଏକ୍ସପ୍ରେସରେ ନିଆଁ ଲାଗିଥିବା ସୂଚନା

ବାଲୁଗାଁ: ବାଲୁଗାଁ ଷ୍ଟେସନରେ ଟ୍ରେନରେ ନିଆଁ । ଜୁନାଗଡ଼ ଏକ୍ସପ୍ରେସରେ ନିଆଁ ଲାଗିଥିବା ସୂଚନା । ଏସ ଓ୍ବାନ୍ ସଂରକ୍ଷିତ ବଗିରେ ଅଗ୍ନିକାଣ୍ଡ । ସର୍ଟସର୍କିଟ ଯୋଗୁ ଅଗ୍ନିକାଣ୍ଡ ହୋଇଥିବା ସୂଚନା । ନିଆଁକୁ ଆୟତ୍ତ କରିଛି ଅଗ୍ନିଶମ ବାହିନୀ ।

ସରିଲା ଡିଏନ ଗ୍ରୁପ ଉପରେ ଆୟକର ବିଭାଗର ରେଡ୍, ୪ ଦିନ ଧରି ଚାଲିଥିବା ଚଢ଼ାଉ ଶେଷ

ଭୁବନେଶ୍ୱର: ସରିଲା ଡିଏନ ଗ୍ରୁପ ଉପରେ ଆୟକର ବିଭାଗର ରେଡ୍ । ୪ ଦିନ ଧରି ଚାଲିଥିବା ରେଡ୍ ଶେଷ ହୋଇଛି । ଡିଏନ ଗ୍ରୁପ ମୁଖ୍ୟ କାର୍ଯ୍ୟାଳୟରୁ ଜବତ ହୋଇଛି ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର । ପେନ୍ ଡ୍ରାଇଭ, ଲାପଟପ୍, ହାର୍ଡଡିସ୍କ ଆଦି ଜବତ କରିଛି ଆୟକର ବିଭାଗ । DN ଗ୍ରୁପ ମୁଖ୍ୟ ଜଗଦୀଶ ପ୍ରସାଦ ନାୟକ କହିଛନ୍ତି ମୋତେ କିଛି ପଚରାଯାଇନାହିଁ । ଟିକସ ଫାଙ୍କିବା ଅଭିଯୋଗ ସମ୍ପୂର୍ଣ୍ଣ ମିଛ । ୪ ଦିନ ଧରି ଆୟକର ଫାଙ୍କିବା ଅଭିଯୋଗରେ ଡିଏନ ଗ୍ରୁପରେ ଚଢାଉ କରିଥିଲା ଆୟକର ବିଭାଗ । ଏହି ସମୟରେ ଡିଏନ ଗ୍ରୁପ ମୁଖ୍ୟ ଜଗଦୀଶ ନାୟକଙ୍କୁ ଜେରା କରାଯାଇଥିବା ସୂଚନା ମିଳିଛି । ଟିକସ ଫାଙ୍କି, ବେନାମୀ ଟଙ୍କାର ସୂତ୍ର ସମ୍ପର୍କରେ ପଚରାଉଚରା କରାଯାଇଛି ।

ଜଗଦୀଶ ନାୟକ ଓ ନିର୍ଦ୍ଦେଶକ ଚନ୍ଦ୍ରଶେଖର ପଣ୍ଡାଙ୍କୁ ମୁହାଁମୁହିଁ ଜେରା କରିଛି ଟିମ୍ । ସଂସ୍ଥାର କିଛି ଅଧିକାରୀଙ୍କୁ ଅଫିସରେ ମଧ୍ୟ ପଚରାଉଚରା କରାଯାଇଛି । କର୍ମଚାରୀ ଚନ୍ଦ୍ରଶେଖର ପଣ୍ଡାଙ୍କ ଖଟ ତଳେ ଥିବା ଟ୍ରଙ୍କରୁ ୧୧ କୋଟିରୁ ଉର୍ଦ୍ଧ୍ବ ନଗଦ ଟଙ୍କା ଠାବ କରାଯାଇଥିଲା । ଏହାକୁ ଆରବିଆଇକୁ ପଠାଯାଇଛି । ତଦନ୍ତକାରୀ ଟିମ୍ ହାତରେ ଲାଗିଥିବା ବ୍ୟାଙ୍କ ଆକାଉଣ୍ଟ ଓ ଲକରକୁ ସ୍କାନର ପରିସରଭୁକ୍ତ କରାଯାଇଛି ।

ବିଶ୍ୱକପ୍ ଖେଳିବାକୁ ଭାରତ ଆସିବ ନାହିଁ କି ପାକିସ୍ତାନ ? ଏହି ନିଷ୍ପତ୍ତି ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କଲେ ପାକ୍ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଅକ୍ଟୋବର ୫ରୁ ଭାରତରେ ଆରମ୍ଭ ହେବାକୁ ଯାଉଛି ଦିନିକିଆ କ୍ରିକେଟ ବିଶ୍ୱକପ୍ । ଦିନିକିଆ ବିଶ୍ୱକପର ଖେଳସୂଚୀ ଅନୁସାରେ ଅକ୍ଟୋବର ୧୫ରେ ମୁହାଁମୁହିଁ ହେବେ ପାରମ୍ପାରିକ ପ୍ରତିଦ୍ୱନ୍ଦୀ ଭାରତ-ପାକିସ୍ତାନ । କିନ୍ତୁ ଚଳିତ ବିଶ୍ୱକପରେ ପାକିସ୍ତାନ ଭାରତ ଆସିବ କି ନାହିଁ ତାହା ଉପରେ ଏବେ ବି ସନ୍ଦେହ ରହିଛି । ତେବେ ଏହାରି ଭିତରେ ଭାରତରେ ହେବାକୁ ଥିବା ବିଶ୍ୱକପ ପାଇଁ ପାକିସ୍ତାନ ଟିମ୍ ପଠାଇବା ଉପରେ ନିଷ୍ପତ୍ତି ନେବା ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ବୈଦେଶିକ ମନ୍ତ୍ରୀ ବିଲାଓ୍ୱାଲ ଭୁଟ୍ଟୋଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି । ଏହି କମିଟି ଭାରତ-ପାକିସ୍ତାନ ସମ୍ପର୍କର ସମସ୍ତ ଦିଗ, କ୍ରୀଡା ଏବଂ ରାଜନୀତିକୁ ପୃଥକ ରଖିବା ପାଇଁ ସରକାରଙ୍କ ନୀତି ଓ ଖେଳାଳି, ଅଧିକାରୀ, ପ୍ରଶଂସକ ଏବଂ ଗଣମାଧ୍ୟମ ପାଇଁ ଭାରତର ସ୍ଥିତି ଉପରେ ସମୀକ୍ଷା କରି ରିପୋର୍ଟ ଦେବ । ଏହା ପରେ ହିଁ ପାକିସ୍ତାନ ସରକାର ଖେଳାଳିଙ୍କୁ ପଠାଇବେ ନା ନାହିଁ ସେନେଇ ନିଷ୍ପତ୍ତି ନେବେ

ପାକିସ୍ତାନ କ୍ରିକେଟ ବୋର୍ଡ ପକ୍ଷରୁ କୁହାଯାଇଛି ଯେ ଦୁଇ ଦେଶ ମଧ୍ୟରେ ତିକ୍ତତା କାରଣରୁ ଟିମ ଭାଗ ନେବ କି ନାହିଁ ଏହା ସରକାରୀ ଅନୁମୋଦନ ଉପରେ ନିର୍ଭର କରିବ। କମିଟିର ଅନ୍ୟ ସଦସ୍ୟଙ୍କ ମଧ୍ୟରେ କ୍ରୀଡା ମନ୍ତ୍ରୀ ଅହସାନ ମଜାରୀ, ମରିୟମ ଆଉରଙ୍ଗଜେବ, ଆସାଦ ମହମୁଦ, ଅମିନ-ଉଲ-ହକ, କମର ଜମାନ ଏବଂ ପୂର୍ବତନ କୂଟନୀତିଜ୍ଞ ତାରିକ ଫାତମି ଅଛନ୍ତି। ସଂପୃକ୍ତ ମନ୍ତ୍ରୀମାନେ ପୂର୍ବରୁ ପିସିବିକୁ ସୂଚିତ କରିଛନ୍ତି ଯେ ପାକିସ୍ତାନ ଟିମ ଯେଉଁଠାରେ ମ୍ୟାଚ୍ ଖେଳିବାକୁ ସ୍ଥିର ହୋଇଛି ସେହି ମ୍ୟାଚ୍ ସ୍ଥାନଗୁଡିକୁ ଯାଞ୍ଚ କରିବା ପାଇଁ ଭାରତକୁ ଏକ ଉଚ୍ଚ ସ୍ତରୀୟ ସୁରକ୍ଷା ପ୍ରତିନିଧି ପଠାଯିବ।

ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର, କମିବ ଟ୍ରେନ୍ ଭଡ଼ା

ନୂଆଦିଲ୍ଲୀ: ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର । କମିବ ଟ୍ରେନ୍ ଭଡ଼ା । ରେଳ ମନ୍ତ୍ରଣାଳୟ ଏସି ଚେୟାର କାର ଏବଂ ଏଗଜିକ୍ୟୁଟିଭ୍ କାରର ଭଡ଼ା ୨୫ ପ୍ରତିଶତ ହ୍ରାସ ପାଇବ । ସୂଚନା ଅନୁସାରେ, ଏହି ରିହାତିର ଲାଭ ତୁରନ୍ତ ପ୍ରଭାବ ସହିତ ଯାତ୍ରୀମାନଙ୍କୁ ଦିଆଯିବ । କିନ୍ତୁ ଯେଉଁମାନେ ବୁକ୍ କରିସାରିଛନ୍ତି ସେମାନଙ୍କୁ କୌଣସି ଫେରସ୍ତ ଦିଆଯିବ ନାହିଁ ।

ରେଳ ମନ୍ତ୍ରଣାଳୟର ଏହି ନିଷ୍ପତ୍ତି ପରେ ବନ୍ଦେ ଭାରତ ସମେତ ସମସ୍ତ ଟ୍ରେନର ଏସି ଚେୟାର, ଏଗଜିକ୍ୟୁଟିଭ୍ ଶ୍ରେଣୀର ଭଡ଼ା ୨୫ ପ୍ରତିଶତ ହ୍ରାସ ପାଇବ । ଏହି ଦର ହ୍ରାସ ଅନୁଭୂତି ଓ ବିଷ୍ଟାଡୋମ୍ କୋଚ୍ ସମେତ ଏସି ଥିବା ସମସ୍ତ ଟ୍ରେନରେ ଲାଗୁ ହେବ । ଟ୍ରେନ ଭଡ଼ାରେ ୨୫ ହେଲେ ବି ରିଜର୍ଭେସନ ଚାର୍ଜ, ସୁପରଫାଷ୍ଟ ସରଚାର୍ଜ, ଜିଏସଟି ଇତ୍ୟାଦି ଅନ୍ୟାନ୍ୟ ଚାର୍ଜ ଅଲଗା ପୃଥକ ଭାବରେ ଆଦାୟ କରାଯିବ । କାଟାଗୋରୀ ଅନୁଯାୟୀ ରିହାତି ପ୍ରଦାନ କରାଯିବ ।

ଭଡ଼ା ଉପରେ ରିହାତି ଦେବା ବେଳେ ଯାତ୍ରାର ଦୂରତା ଏବଂ ଭଡ଼ାକୁ ଗୁରୁତ୍ୱ ବିଚାର କରାଯିବ । ଯାତ୍ରୀଙ୍କୁ ଭଡ଼ା ରିହାତି ଯାତ୍ରାର ପ୍ରଥମ ପର୍ଯ୍ୟାୟ, ମଧ୍ୟ ଭାଗ ଓ କିମ୍ବା ଶେଷରେ ରହିହାତି ମିଳିପାରେ । କିନ୍ତୁ ଉକ୍ତ ସମୟ କିମ୍ବା ପର୍ଯ୍ୟାୟରେ ସମୁଦାୟ ସିଟ୍‌ ଦଖଲ ୫୦ ପ୍ରତିଶତରୁ କମ୍ ରହିଲେ ରିହାତି ମିଳିବ ବୋଲି ସର୍ତ୍ତ ରହିଛି । ତେବେ ଭଡ଼ା ରିହାତି ଚାହିଦା ଉପରେ ନିର୍ଭର କରେ । ସିଟ୍ ପୂରଣକୁ ଆଧାର କରି ଭଡ଼ା ହ୍ରାସରେ ପରିବର୍ତ୍ତନ କରାଯିବ ବୋଲି ସୂଚନା ମିଳିଛି ।

ଓଡ଼ିଶା ପୁଣି ଅଗ୍ରଣୀ, ବାସ ଉପଯୋଗୀ ପରିବେଶ ପାଇଁ ଦେଶର ଶ୍ରେଷ୍ଠ ୧୦ଟି ରାଜ୍ୟ ଭିତରେ ସ୍ଥାନ

ଭୁବନେଶ୍ୱର: ସୁଖୀ ଓଡ଼ିଶା, ସୁସ୍ଥ ଓଡ଼ିଶା । ସବୁକ୍ଷେତ୍ରରେ ଓଡ଼ିଶାର ହୋଇଛି ରୂପାନ୍ତରଣ । ୨୩ ବର୍ଷ ଧରି ଦ୍ରୁତ ବିକାଶ ସହିତ ବାସ ଉପଯୋଗୀ ଅନୁକୂଳ ପରିବେଶ ପାଇଁ ଓଡ଼ିଶା ଏବେ ଦେଶରେ ଅଗ୍ରଣୀ ରାଜ୍ୟ । ବିଭିନ୍ନ ସୂଚକାଙ୍କରେ ବାସ ଉପଯୋଗୀ ଅନୁକୂଳ ପରିବେଶ କ୍ଷେତ୍ରରେ ଓଡ଼ିଶା ଦେଶରେ ଟପ୍ ଟେନ୍ ରାଜ୍ୟ ଭିତରେ ସ୍ଥାନ ପାଇଛି ।  ଏ କ୍ଷେତ୍ରରେ ଓଡ଼ିଶାଠାରୁ ବହୁଗୁଣରେ ଧନୀ ରାଜ୍ୟଗୁଡ଼ିକ ପଛରେ ପଡ଼ିଯାଇଛନ୍ତି । ନଦୀଗୁଡ଼ିକୁ ପ୍ରଦୂଷଣମୁକ୍ତ ରଖିବା ହେଉ, କି ଘଞ୍ଚ ଜଙ୍ଗଲ ସୃଷ୍ଟି, ସବୁଥିରେ ଦେଶର ଅଗ୍ରଣୀ ରାଜ୍ୟରେ ପରିଣତ ହୋଇଛି ଓଡ଼ିଶା । ସହରାଞ୍ଚଳରେ ଟ୍ରାଫିକ ନିୟନ୍ତ୍ରଣ, ଅଳିଆ ଆବର୍ଜନା ଓ ସ୍ୱେରେଜ ସିଷ୍ଟମର ସଠିକ ପରିଚାଳନା ଏବଂ ସିମ୍ ଲେସ ପରିବହନ ବ୍ୟବସ୍ଥାରେ ମୁମ୍ବାଇ, ଦିଲ୍ଲୀ ଓ ବେଙ୍ଗାଳୁରୁକୁ ଓଡ଼ିଶା ପଛରେ ପକାଇ ଦେଇଛି । ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀଙ୍କ 5T ପରିକଳ୍ପନା ସାଜିଛି ମାଇଲଖୁଣ୍ଟ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ନୂଆ ଓଡ଼ିଶା, ସଶକ୍ତ ଓଡ଼ିଶା ଗଠନକୁ ବଡ଼ ସଫଳତା ମିଳିଛି ।

ସହରାଞ୍ଚଳରେ ଭୂମିହୀନଙ୍କୁ ଜମି ପ୍ରଦାନ, ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ୍‌, ମୁକ୍ତା ଯୋଜନାରେ ସହରାଞ୍ଚଳର ବିକାଶ, ଟେକ୍ନୋଲୋଜି ଓ ଟ୍ରାନ୍ସପାରେନ୍ସି ମାଧ୍ୟମରେ ଯୋଜନାର ସଫଳ ରୂପାୟନ, ସବୁଜ ଶକ୍ତି, ପ୍ରଦୂଷଣ ନିୟନ୍ତ୍ରଣ, ପ୍ରତ୍ୟେକ ଗାଁକୁ ରାସ୍ତା ସଂଯୋଗରେ ମଧ୍ୟ ଦେଶରେ ଓଡ଼ିଶା ଅଗ୍ରଣୀ ରାଜ୍ୟ ହୋଇଛି । ଖାଦ୍ୟ ସୁରକ୍ଷା, ପ୍ରତ୍ୟେକ ଲୋକଙ୍କ ମୁଣ୍ଡ ଉପରେ ଛାତ, ଶିଳ୍ପାୟନରେ ନୂଆ ଅଧ୍ୟାୟ ସୃଷ୍ଟି ସହ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ଦେଶକୁ ବାଟ ଦେଖାଇଛି ଓଡ଼ିଶା । ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ଓଡ଼ିଶା ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ସବୁକ୍ଷେତ୍ରରେ ୧ ନମ୍ବର ରାଜ୍ୟରେ ପରିଣତ ହେବ ବୋଲି ଶାସକ ଦଳ କହଛି ।

ଶାସନ ବ୍ୟବସ୍ଥାରେ 5T ଓ ମୋ ସରକାର କାର୍ଯ୍ୟକାରୀ ଏବଂ ସବୁ ବିଭାଗ 5T ଅଧୀନକୁ ଆସିବା ପରେ ଓଡ଼ିଶା ଏବେ ବିଭିନ୍ନ କ୍ଷେତ୍ରରେ ଅଗ୍ରଣୀ ରାଜ୍ୟ ହେବା ସହ ରୋଲ୍‌ ମଡେଲ ସାଜିଛି । ଯାହା ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ରିପୋର୍ଟରେ ଉଲ୍ଲେଖ କରାଯାଇଛି ।

ଓଡ଼ିଶାର ଶିକ୍ଷା ବ୍ୟବସ୍ଥାକୁ ନ୍ୟୁନ କରିବାକୁ ଅପଚେଷ୍ଟା କରୁଛି କେନ୍ଦ୍ର ଶିକ୍ଷାମନ୍ତ୍ରାଳୟ: ବିଜେଡି

ଭୁବନେଶ୍ୱର: ପିଜିଆଇ ରିପୋର୍ଟରେ ଓଡ଼ିଶାର ରାଙ୍କିଂ ହ୍ରାସ ନେଇ ବର୍ଷିଛି ବିଜେଡି  । କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଟାର୍ଗେଟ କରିଛି ବିଜେଡି । ଓଡ଼ିଶା ସରକାର ପ୍ରାୟ ୮ହଜାର ହାଇସ୍କୁଲକୁ ରୂପାନ୍ତରଣ କରି ଉଚ୍ଚମାନର ଶିକ୍ଷା ପ୍ରଦାନ କରିଆସୁଛନ୍ତି । ଯେଉଁଥିରେ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଉପକୃତ ହେଉଛନ୍ତି । ରାଜ୍ୟ ସରକାର ମୋ ସ୍କୁଲ ଅଭିଯାନ ଲଞ୍ଚ ପରେ ଏହାକୁ ସାରା ରାଜ୍ୟରୁ ପ୍ରଶଂସା କରାଯାଇଥିଲା । ଏହା ଦେଶରେ ସ୍ୱତନ୍ତ୍ର ଯୋଜନା ସାବ୍ୟସ୍ତ ହୋଇଥିଲା । କିନ୍ତୁ ଏବେ ପିଜିଆଇ ରାଙ୍କରେ ହ୍ରାସ ନେଇ ପ୍ରଶ୍ନ ଉଠାଇଛି ବିଜେଡି । କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର ଏହା ଏକ ଉଦ୍ଦେଶ୍ୟମୂଳକ ଉଦ୍ୟମ ଯେଉଁଥିରେ ଓଡ଼ିଶାର ଶିକ୍ଷା ବ୍ୟବସ୍ଥାକୁ ନ୍ୟୁନ କରିବାକୁ ଉଦ୍ୟମ ହୋଇଛି ।

ଉତ୍କଳ ବିଶ୍ବବିଦ୍ୟାଳୟ, ସମ୍ବଲପୁର ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଏମିତି ବି ରାଙ୍କ ହ୍ରାସ ହୋଇଚାଲିଛି । କିନ୍ତୁ ଏହା ଅତ୍ୟନ୍ତ ଦୁଃଖର କଥା ଏଥିରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଜଡିତ ଅଛନ୍ତି । ତେଣୁ ପିଜିଆଇରେ ଓଡ଼ିଶାର ସଦ୍ୟତମ ରାଙ୍କକୁ ଗ୍ରହଣ କରାଯିବନି । ପୂର୍ବରୁ ଗ୍ରାମୀଣ, ଗୃହ ନିର୍ମାଣ, ମନରେଗା, ଦକ୍ଷତା ବିକାଶ, କ୍ରୀଡ଼ା ପ୍ରୋତ୍ସାହନ, ବିପର୍ଯ୍ୟୟ ପରିଚାଳନା ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଓଡ଼ିଶାକୁ କେନ୍ଦ୍ର ସରକାର ପୁରସ୍କୃତ କରିଛନ୍ତି । ଶିକ୍ଷା କ୍ଷେତ୍ରରେ ଏଭଳି ରାଙ୍କିଂ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି ବୋଲି କହିଛନ୍ତି ସାଂସଦ ସସ୍ମିତ ପାତ୍ର ।

ବିଶ୍ୱ ଶୁଣିବ ଓଡ଼ିଶାରେ ସମବାୟ ସଫଳତାର ଗାଥା, ଶିଖର ସମ୍ମିଳନୀ ପାଇଁ ମନ୍ତ୍ରୀଙ୍କ ଗସ୍ତ

ଭୁବନେଶ୍ୱର: ସାରା ବିଶ୍ୱ ଶୁଣିବ ଓଡ଼ିଶାରେ ସମବାୟ ସଫଳତାର ଗାଥା । ବେଲଜିୟମରେ ଅନ୍ତଜାର୍ତୀୟ ସମବାୟ ଶିଖର ସମ୍ମଳିନୀରେ ଯୋଗଦେବେ ବିଭାଗୀୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ । ନବୀନ ସରକାରରେ ସମବାୟ ସଂସ୍ଥା ଉପରେ ରହିଛି ଫୋକସ୍ । ରାଜ୍ୟର ସମସ୍ତ ୨୪୯୫ ପ୍ୟାକ୍ସ ଓ ୨୧୫ ଲ୍ୟାମ୍ପସକୁ କରାଯାଇଛି ଡିଜିଟାଇଜ୍ । ଭିତ୍ତିଭୂମି ପାଇଁ ପ୍ରତି ସମବାୟ ସମିତିକୁ ଦିଆଯାଉଛି ୨୫ଲକ୍ଷ ଟଙ୍କା । ଚାଷୀଙ୍କୁ ବିନା ସୁଧରେ ଋଣ ପରିମାଣ ୫୦ ହଜାରରୁ ଲକ୍ଷେ ଟଙ୍କାକୁ ବୃଦ୍ଧି କରାଯାଇଛି । ୧୩ ଶହ ନୂଆ ପ୍ୟାକ୍ସ ଗଢ଼ାଯାଇ ସମବାୟକୁ ଅଧିକ କରାଯାଉଛି ଲୋକାଭିମୁଖୀ । ଓଡ଼ିଶାରେ ସମବାୟର ସଫଳତା କଥା ଅନ୍ତଜାର୍ତୀୟ ଫୋରମରେ ଉଠିବ । ୧୦ ତାରିଖରେ ବେଲଜିୟମରେ ହେବାକୁ ଥିବା ଅର୍ନ୍ତଜାତୀୟ ସମବାୟ ଶିଖର ସମ୍ମିଳନୀରେ ଯୋଗଦେବାକୁ ସମବାୟ ମନ୍ତ୍ରୀଙ୍କ ନେତୃତ୍ବରେ ଏକ ଉଚ୍ଚସ୍ତରୀୟ ଟିମ୍ ଗସ୍ତ କରିଛି ।

କେନ୍ଦ୍ର ସମବାୟ ମନ୍ତ୍ରଣାଳୟର ସଚିବ ସମବାୟ ସଂସ୍ଥାକୁ ଅଧିକ କ୍ଷମତା ପ୍ରଦାନ ନେଇ ମୁଖ୍ୟ ଶାସନ ସଚିବ, ସମବାୟ ସଚିବ ଓ ସମବାୟ ରେଜିଷ୍ଟ୍ରାରଙ୍କୁ ଚିଠି ଲେଖିଛନ୍ତି । ଅର୍ବାନ ବ୍ୟାଙ୍କଗୁଡ଼ିକ ଶାଖା ଖୋଲିପାରିବେ । ତଦାରଖ ପାଇଁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ସ୍ୱତନ୍ତ୍ର ନୋଡାଲ ଅଫିସର ନିଯୁକ୍ତ ହୋଇଛନ୍ତି । ଅନାଦେୟ ଋଣ ରାଶି ପାଇବା ପାଇଁ ସମବାୟ ବ୍ୟାଙ୍କଗୁଡ଼ିକ ଓଟିଏସ୍ ଆପାଣାଇ ପାରିବେ । ସମବାୟ ଦୁଆର ମୁହଁରେ-ଏହାକୁ ବାସ୍ତବ ରୂପ ଦେବାକୁ ଗୃହଋଣ ସୁବିଧା ସହ ରିଅଲ ଇଷ୍ଟେଟ କାରବାର ପାଇଁ ଋଣ ଦେଇପାରିବେ । ସମବାୟ ବ୍ୟାଙ୍କ ଉପରୁ ସରଚାର୍ଜ ଦେୟ ୧୨ ପ୍ରତିଶତରୁ ୭ ପ୍ରତିଶତକୁ  କମାଯାଇଛି । ଆୟକର ଟିକସ ସମସ୍ୟାରୁ ମଧ୍ୟ ତ୍ରାହି ମିଳିବ ବୋଲି ବିଶେଷଜ୍ଞ କହିଛନ୍ତି ।

ସମବାୟ ବ୍ୟାଙ୍କ ସଶକ୍ତ ଓ ଶକ୍ତିଶାଳୀ ହେଲେ ଚାଷୀ ଓ ନିମ୍ନ ମଧ୍ୟବିତ୍ତ ପରିବାରଙ୍କ ଆର୍ଥିକ କାରବାର ସହଜ ହେବ । ଜାତୀୟକରଣ ବ୍ୟାଙ୍କ ଭଳି ସମବାୟ ବ୍ୟାଙ୍କ ସବୁ ପ୍ରକାର ଗ୍ରାହକଙ୍କୁ ସବୁ ପ୍ରକାର ସେବା ଯୋଗାଇପାରିବ ।

ଗୋଷ୍ଠୀଗତ ଆଦିବାସୀଙ୍କୁ ଅଧିକାର ଦେବାରେ ରେକର୍ଡ କରିବ ଓଡ଼ିଶା, ଶୀଘ୍ର କାର୍ଯ୍ୟକାରୀ ହେବ ’ମୋ ଜଙ୍ଗଲ ଜମି ଯୋଜନା’

ଭୁବନେଶ୍ୱର: ଆଦିବାସୀଙ୍କୁ ବ୍ୟକ୍ତିଗତ ଜଙ୍ଗଲ ଜମି ପଟ୍ଟା ପ୍ରଦାନରେ ଓଡ଼ିଶା ଏକ ନମ୍ବର । ହେଲେ ଗୋଷ୍ଠୀଗତ ଅଧିକାର ଦେବାରେ ସେତେଟା ଆଖିଦୃଶିଆ ସଫଳତା ମିଳିନି । ଏଣିକି ଗୋଟିଏ ବର୍ଗ କିମ୍ବା ସମ୍ପ୍ରଦାୟର ଆଦିବାସୀଙ୍କୁ ଜଙ୍ଗଲ ଜମିର ରେକର୍ଡ ଅଫ୍ ରାଇଟ୍ସ ତ୍ୱରାନ୍ୱିତ ହେବ । ଏଥିପାଇଁ ରାଜ୍ୟସ୍ତରରେ ସରକାର ଆରମ୍ଭ କରିବାକୁ ଯାଉଛନ୍ତି ‘ମୋ ଜଙ୍ଗଲ ଜମି ଯୋଜନା’ । ଯାହାକି ଦେଶରେ ପ୍ରଥମ । ଭାରତରେ ୨୦୦୮ ମସିହାରୁ ଜଙ୍ଗଲ ଜମି ଅଧିକାର ଆଇନ-୨୦୦୬ କାର୍ଯ୍ୟକାରୀ ହୋଇଛି । କିନ୍ତୁ ୧୫ ବର୍ଷ ଭିତରେ ଗୋଟିଏ ବର୍ଗର ଆଦିବାସୀ କିମ୍ବା ଗୋଷ୍ଠୀଗତ ଆଦିବାସୀଙ୍କୁ ଜଙ୍ଗଲ ଅଧିକାର ଦେବାରେ ସେତେଟା ଆଖିଦୃଶିଆ ସଫଳତା ମିଳିନି । ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ତହସିଲ ଓ ଜିଲ୍ଲାସ୍ତରରେ ଗଠନ ହେବ ସ୍ୱତନ୍ତ୍ର ସେଲ୍ । ଏହି କାର୍ଯ୍ୟକ୍ରମ ଜରିଆରେ ଆଦିବାସୀଙ୍କ ଗୋଷ୍ଠୀଗତ ଅଧିକାର ସୁନିଶ୍ଚିତ କରିବା ସହିତ ଜଙ୍ଗଲ ସଂପଦ ବିନିଯୋଗ ପାଇଁ ଉଦ୍ଦିଷ୍ଟ ଅନୁମତି ହେବ ତ୍ୱରାନ୍ୱିତ । ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ଓ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ସବୁ ଜିଲ୍ଲାପାଳଙ୍କୁ ସେଲ୍ ଗଠନ ନେଇ ଜାରି କରିଛି ନିର୍ଦ୍ଦେଶନାମା ।

ଜଳ, ଜଙ୍ଗଲ ଜମି ଉପରେ ଆଦିବାସୀଙ୍କର ଜନ୍ମଗତ ଅଧିକାର । କିନ୍ତୁ ସେମାନେ ବହୁ ଦିନରୁ ଶୋଷିତ ହେଉଥିଲେ । ଦେଶରେ ଜଙ୍ଗଲ ଜମି ଅଧିକାର ଆଇନ କାର୍ଯ୍ୟକାରୀ ହେବା ପରଠୁ ନବୀନ ସରକାର ଆଇନକୁ କାର୍ଯ୍ୟକାରୀ କରିବା ସହିତ ସେମାନଙ୍କୁ ଚାଷ ଜମି, ଜଙ୍ଗଲ ଅଧିକାର ଦେବାରେ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି । ମୁଖ୍ୟମନ୍ତ୍ରୀ ସବୁବେଳେ ଚାହାଁନ୍ତି ଜନଜାତିଙ୍କ ସର୍ବାଙ୍ଗୀନ ବିକାଶ । ଯେଉଁଥିପାଇଁ ଗଠନ ହୋଇଛି ସ୍ବତନ୍ତ୍ର ବିକାଶ ପରିଷଦ । ନୂଆ ଯୋଜନା ଯୋଗୁ ଆଦିବାସୀଙ୍କୁ ସେମାନଙ୍କ ଜନ୍ମଗତ ଅଧିକାର ମିଳିବା ସହିତ ଅଣ ସର୍ବେକ୍ଷଣ ଜଙ୍ଗଲ ଜମିକୁ ରାଜସ୍ବ ଗ୍ରାମରେ ପରିଣତ କରାଯାଇପାରିବ । ଏହାଦ୍ବାରା ଜନଜାତିଙ୍କ ମୌଳିକ ସମସ୍ୟାର ସମାଧାନ ହୋଇପାରିବ । ଏପରି କାର୍ଯ୍ୟକ୍ରମ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଆଦିବାସୀ ସମାଜ କୃତଜ୍ଞ ।

ଆଦିବାସୀଙ୍କୁ ବ୍ୟକ୍ତିଗତ ଜଙ୍ଗଲ ଜମି ପ୍ରଦାନ କ୍ଷେତ୍ରରେ ନୂଆ ରେକର୍ଡ କରିଛନ୍ତି ରାଜ୍ୟ ସରକାର । ଏବେସୁଦ୍ଧା ପ୍ରାୟ ୫ ହଜାର ଜଙ୍ଗଲ ଜମିର ବ୍ୟକ୍ତିଗତ ରେକର୍ଡ ଅଫ୍ ରାଇଟ୍ସ ସହ ମାପଚୁପ କରି ଦଖଲ ଦିଆଯାଇପାରିଛି । ଏବେ ନୂଆ ଯୋଜନା କାର୍ଯ୍ୟକାରୀ ହେଲେ ଗୋଷ୍ଠୀଗତ ଅଧିକାର ବି ତ୍ବରାନ୍ବିତ ହୋଇପାରିବ । ଯାହାକୁ ସବୁ ମହଲରେ ସ୍ବାଗତ କରାଯାଇଛି ।

ବାହାରକୁ ପାନ ଦୋକାନ, ଭିତରେ ରଖାଯାଉଥିଲା ପୂଳା ପୂଳା ଗଞ୍ଜେଇ ସିଗାରେଟ୍

ଭୁବନେଶ୍ୱର: ପାନ ଦୋକାନରେ ଗଞ୍ଜେଇ ବ୍ୟବସାୟ । ବାହାରକୁ ପାନ ଦୋକାନ ଓ ଭିତରେ ରଖାଯାଉଥିଲା ପୂଳା ପୂଳା ଗଞ୍ଜେଇ ସିଗାରେଟ୍ । ଖଣ୍ଡଗିରି ଥାନା ଅଞ୍ଚଳରେ ଥିବା ଏକ ଘରୋଇ ଶିକ୍ଷାନୁଷ୍ଠାନ ନିକଟରେ ସିଗାରେଟ୍ ଭିତରେ ଗଞ୍ଜେଇ ବିକ୍ରି କରାଯାଉଥିବା ଅଭିଯୋଗ ପାଇବା ପରେ ଆକ୍ସନ ନେଇଥିଲା ପୋଲିସ । ମାନସ ସାହୁ ନାମକ ଜଣେ ଯୁବକଙ୍କୁ ଏହି ମାମଲାରେ ଗିରଫ କରିଛି ପୋଲିସ । ସୂଚନା ମୁତାବକ ପ୍ରାୟ ୫ ମାସ ହେବ ଖଣ୍ଡଗିରିର ଏକ ଘରୋଇ ଶିକ୍ଷାନୁଷ୍ଠାନ ପାଖରେ ମାନସ ଏକ କ୍ୟାବିନରେ ପାନ ଦୋକାନ କରି ବ୍ୟବସାୟ କରୁଥିଲା । ପାନ ଦୋକାନ ଆଳରେ କଲେଜ ପିଲାଙ୍କୁ ଗଞ୍ଜେଇ ବିକ୍ରି କରିବା ଥିଲା ତା’ର ପ୍ରକୃତ ବ୍ୟବସାୟ । ଖବର ପାଇବା ପରେ ଦୋକାନ ଉପରେ ଦୀର୍ଘଦିନ ଧରି ପୋଲିସ ନଜର ରଖିଥିବା ବେଳେ ଆଜି ସକାଳେ ଦୋକାନ ଉପରେ ମାଡ଼ି ବସିଥିଲା । ଦୋକାନ ତଲାସି ସମୟରେ ୨୧ କେଜିର ଗଞ୍ଜେଇ, ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ଦେଢ଼ ଲକ୍ଷ ହେବ ଓ ୧ ଲକ୍ଷ ୬୦ ହଜାର ଟଙ୍କା ଜବତ କରାଯାଇଛି । ମାନସକୁ ଖଣ୍ଡଗିରି ଥାନା ପୋଲିସ ଗିରଫ ପରେ କୋର୍ଟ ଚାଲାଣ କରିଛି ।