ଓଡ଼ିଶା ପୁଣି ଅଗ୍ରଣୀ, ବାସ ଉପଯୋଗୀ ପରିବେଶ ପାଇଁ ଦେଶର ଶ୍ରେଷ୍ଠ ୧୦ଟି ରାଜ୍ୟ ଭିତରେ ସ୍ଥାନ

1 min read

ଭୁବନେଶ୍ୱର: ସୁଖୀ ଓଡ଼ିଶା, ସୁସ୍ଥ ଓଡ଼ିଶା । ସବୁକ୍ଷେତ୍ରରେ ଓଡ଼ିଶାର ହୋଇଛି ରୂପାନ୍ତରଣ । ୨୩ ବର୍ଷ ଧରି ଦ୍ରୁତ ବିକାଶ ସହିତ ବାସ ଉପଯୋଗୀ ଅନୁକୂଳ ପରିବେଶ ପାଇଁ ଓଡ଼ିଶା ଏବେ ଦେଶରେ ଅଗ୍ରଣୀ ରାଜ୍ୟ । ବିଭିନ୍ନ ସୂଚକାଙ୍କରେ ବାସ ଉପଯୋଗୀ ଅନୁକୂଳ ପରିବେଶ କ୍ଷେତ୍ରରେ ଓଡ଼ିଶା ଦେଶରେ ଟପ୍ ଟେନ୍ ରାଜ୍ୟ ଭିତରେ ସ୍ଥାନ ପାଇଛି ।  ଏ କ୍ଷେତ୍ରରେ ଓଡ଼ିଶାଠାରୁ ବହୁଗୁଣରେ ଧନୀ ରାଜ୍ୟଗୁଡ଼ିକ ପଛରେ ପଡ଼ିଯାଇଛନ୍ତି । ନଦୀଗୁଡ଼ିକୁ ପ୍ରଦୂଷଣମୁକ୍ତ ରଖିବା ହେଉ, କି ଘଞ୍ଚ ଜଙ୍ଗଲ ସୃଷ୍ଟି, ସବୁଥିରେ ଦେଶର ଅଗ୍ରଣୀ ରାଜ୍ୟରେ ପରିଣତ ହୋଇଛି ଓଡ଼ିଶା । ସହରାଞ୍ଚଳରେ ଟ୍ରାଫିକ ନିୟନ୍ତ୍ରଣ, ଅଳିଆ ଆବର୍ଜନା ଓ ସ୍ୱେରେଜ ସିଷ୍ଟମର ସଠିକ ପରିଚାଳନା ଏବଂ ସିମ୍ ଲେସ ପରିବହନ ବ୍ୟବସ୍ଥାରେ ମୁମ୍ବାଇ, ଦିଲ୍ଲୀ ଓ ବେଙ୍ଗାଳୁରୁକୁ ଓଡ଼ିଶା ପଛରେ ପକାଇ ଦେଇଛି । ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀଙ୍କ 5T ପରିକଳ୍ପନା ସାଜିଛି ମାଇଲଖୁଣ୍ଟ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ନୂଆ ଓଡ଼ିଶା, ସଶକ୍ତ ଓଡ଼ିଶା ଗଠନକୁ ବଡ଼ ସଫଳତା ମିଳିଛି ।

ସହରାଞ୍ଚଳରେ ଭୂମିହୀନଙ୍କୁ ଜମି ପ୍ରଦାନ, ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ୍‌, ମୁକ୍ତା ଯୋଜନାରେ ସହରାଞ୍ଚଳର ବିକାଶ, ଟେକ୍ନୋଲୋଜି ଓ ଟ୍ରାନ୍ସପାରେନ୍ସି ମାଧ୍ୟମରେ ଯୋଜନାର ସଫଳ ରୂପାୟନ, ସବୁଜ ଶକ୍ତି, ପ୍ରଦୂଷଣ ନିୟନ୍ତ୍ରଣ, ପ୍ରତ୍ୟେକ ଗାଁକୁ ରାସ୍ତା ସଂଯୋଗରେ ମଧ୍ୟ ଦେଶରେ ଓଡ଼ିଶା ଅଗ୍ରଣୀ ରାଜ୍ୟ ହୋଇଛି । ଖାଦ୍ୟ ସୁରକ୍ଷା, ପ୍ରତ୍ୟେକ ଲୋକଙ୍କ ମୁଣ୍ଡ ଉପରେ ଛାତ, ଶିଳ୍ପାୟନରେ ନୂଆ ଅଧ୍ୟାୟ ସୃଷ୍ଟି ସହ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ଦେଶକୁ ବାଟ ଦେଖାଇଛି ଓଡ଼ିଶା । ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ଓଡ଼ିଶା ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ସବୁକ୍ଷେତ୍ରରେ ୧ ନମ୍ବର ରାଜ୍ୟରେ ପରିଣତ ହେବ ବୋଲି ଶାସକ ଦଳ କହଛି ।

ଶାସନ ବ୍ୟବସ୍ଥାରେ 5T ଓ ମୋ ସରକାର କାର୍ଯ୍ୟକାରୀ ଏବଂ ସବୁ ବିଭାଗ 5T ଅଧୀନକୁ ଆସିବା ପରେ ଓଡ଼ିଶା ଏବେ ବିଭିନ୍ନ କ୍ଷେତ୍ରରେ ଅଗ୍ରଣୀ ରାଜ୍ୟ ହେବା ସହ ରୋଲ୍‌ ମଡେଲ ସାଜିଛି । ଯାହା ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ରିପୋର୍ଟରେ ଉଲ୍ଲେଖ କରାଯାଇଛି ।