ଓଡ଼ିଶାର ଶିକ୍ଷା ବ୍ୟବସ୍ଥାକୁ ନ୍ୟୁନ କରିବାକୁ ଅପଚେଷ୍ଟା କରୁଛି କେନ୍ଦ୍ର ଶିକ୍ଷାମନ୍ତ୍ରାଳୟ: ବିଜେଡି

ଭୁବନେଶ୍ୱର: ପିଜିଆଇ ରିପୋର୍ଟରେ ଓଡ଼ିଶାର ରାଙ୍କିଂ ହ୍ରାସ ନେଇ ବର୍ଷିଛି ବିଜେଡି  । କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଟାର୍ଗେଟ କରିଛି ବିଜେଡି । ଓଡ଼ିଶା ସରକାର ପ୍ରାୟ ୮ହଜାର ହାଇସ୍କୁଲକୁ ରୂପାନ୍ତରଣ କରି ଉଚ୍ଚମାନର ଶିକ୍ଷା ପ୍ରଦାନ କରିଆସୁଛନ୍ତି । ଯେଉଁଥିରେ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଉପକୃତ ହେଉଛନ୍ତି । ରାଜ୍ୟ ସରକାର ମୋ ସ୍କୁଲ ଅଭିଯାନ ଲଞ୍ଚ ପରେ ଏହାକୁ ସାରା ରାଜ୍ୟରୁ ପ୍ରଶଂସା କରାଯାଇଥିଲା । ଏହା ଦେଶରେ ସ୍ୱତନ୍ତ୍ର ଯୋଜନା ସାବ୍ୟସ୍ତ ହୋଇଥିଲା । କିନ୍ତୁ ଏବେ ପିଜିଆଇ ରାଙ୍କରେ ହ୍ରାସ ନେଇ ପ୍ରଶ୍ନ ଉଠାଇଛି ବିଜେଡି । କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର ଏହା ଏକ ଉଦ୍ଦେଶ୍ୟମୂଳକ ଉଦ୍ୟମ ଯେଉଁଥିରେ ଓଡ଼ିଶାର ଶିକ୍ଷା ବ୍ୟବସ୍ଥାକୁ ନ୍ୟୁନ କରିବାକୁ ଉଦ୍ୟମ ହୋଇଛି ।

ଉତ୍କଳ ବିଶ୍ବବିଦ୍ୟାଳୟ, ସମ୍ବଲପୁର ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଏମିତି ବି ରାଙ୍କ ହ୍ରାସ ହୋଇଚାଲିଛି । କିନ୍ତୁ ଏହା ଅତ୍ୟନ୍ତ ଦୁଃଖର କଥା ଏଥିରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଜଡିତ ଅଛନ୍ତି । ତେଣୁ ପିଜିଆଇରେ ଓଡ଼ିଶାର ସଦ୍ୟତମ ରାଙ୍କକୁ ଗ୍ରହଣ କରାଯିବନି । ପୂର୍ବରୁ ଗ୍ରାମୀଣ, ଗୃହ ନିର୍ମାଣ, ମନରେଗା, ଦକ୍ଷତା ବିକାଶ, କ୍ରୀଡ଼ା ପ୍ରୋତ୍ସାହନ, ବିପର୍ଯ୍ୟୟ ପରିଚାଳନା ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଓଡ଼ିଶାକୁ କେନ୍ଦ୍ର ସରକାର ପୁରସ୍କୃତ କରିଛନ୍ତି । ଶିକ୍ଷା କ୍ଷେତ୍ରରେ ଏଭଳି ରାଙ୍କିଂ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି ବୋଲି କହିଛନ୍ତି ସାଂସଦ ସସ୍ମିତ ପାତ୍ର ।