spot_img
Home Blog Page 2882

ଉତ୍ତର ଭାରତରେ ଜଳପ୍ରଳୟ, ୯୧ ଛୁଇଁଲାଣି ମୃତ୍ୟୁସଂଖ୍ୟା

ନୂଆଦିଲ୍ଲୀ: ଉତ୍ତର ଭାରତରେ ମୂଷଳଧାରାରେ ବର୍ଷା ଦେଇଛି ଜଳ ଯନ୍ତ୍ରଣା । ଗତକାଲି ୨୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮ ଜୁଲାଇରୁ ଏବେସୁଦ୍ଧା ମୃତ୍ୟୁସଂଖ୍ୟା ୯୧ ଛୁଇଁଛି । ଭୀଷଣ ବର୍ଷାରେ ଦୁର୍ଘଟଣା, ଭୂସ୍ଖଳନ, ଫ୍ଲାସଫ୍ଲଡରେ ବଢ଼ୁଛି ମୃତ୍ୟୁସଂଖ୍ୟା । ଏବେ ବି ଜଳବନ୍ଦୀ ଅନେକ ଜୀବନ । ଆଜିଠୁ ହିମାଚଳରେ ବର୍ଷା ପରିମାଣ କମିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ହିମାଚଳପ୍ରଦେଶ, ଜାମ୍ମୁ-କାଶ୍ମୀର, ପଞ୍ଜାବ, ହରିୟାଣା, ରାଜସ୍ଥାନରେ ବର୍ଷାର ପରିମାଣ କମିଛି । ତେଣୁ ଖୁବଶୀଘ୍ର ସେଠାକାର ସ୍ଥିତି ଅନୁସାରେ ସେମାନଙ୍କୁ ରିଲିଫ୍ ଦିଆଯିବା ବ୍ୟବସ୍ଥା ହେଉଛି । ଏହାସହ ଜଳବନ୍ଦୀ ଲୋକଙ୍କୁ ଉଦ୍ଧାର ଓ ଥଇଥାନ ପାଇଁ ପ୍ରୟାସ ଆରମ୍ଭ ହୋଇଛି ।

ଅନ୍ୟପକ୍ଷରେ ବନ୍ୟା ଆଁରେ ପଞ୍ଜାବ । ସତଲେଜ୍ ନଦୀରୁ ପାଣି ଛଡ଼ାଯିବା ପରେ ଫାଜିଲ୍କାରେ ଆଲର୍ଟ ଜାରି ହୋଇଛି । ସେପଟେ ଯମୁନା ଓ ଗଙ୍ଗାରେ ବଢ଼ିବ ଜଳସ୍ତର । ୟୁପି, ଆଗ୍ରା ଓ ପ୍ରୟାଗରାଜକୁ ବନ୍ୟା ସତର୍କତା ଜାରି କରାଯାଇଛି । ହିମାଚଳ ପ୍ରଦେଶରେ ପ୍ରାୟ ପର୍ଯ୍ୟଟକ ଫସିଛନ୍ତି । ଚନ୍ଦ୍ରତାଲ ଲେକ୍ ନିକଟରେ ଫସିଥିବା ଲୋକଙ୍କୁ ଉଦ୍ଧାର କରିବାକୁ IAF ହେଲିକପ୍ଟର ଆବଶ୍ୟକ ଥିଲା । ୩ ଶହ ଲୋକଙ୍କୁ ଏୟାରଲିଫ୍ଟ କରାଯାଇଛି । ହେଲେ ଖରାପ ପାଗ ଯୋଗୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । କାଜାରୁ ଏକ ଉଦ୍ଧାରକାରୀ ଦଳ କୁଞ୍ଜୁମରେ ପହଞ୍ଚିସାରିଛନ୍ତି । କିଛି ସ୍ଥାନରେ ବର୍ଷା ବନ୍ଦ ହୋଇଥିବାରୁ ଉଦ୍ଧାର କାର୍ଯ୍ୟ ଓ ଭାଙ୍ଗିଥିବା ରାସ୍ତା ମରାମତି ଆରମ୍ଭ ହେଲାଣି । ସେପଟେ ସିମଲା, ସିରମୌର ଓ କିନୌର ଜିଲ୍ଲାରେ ମଧ୍ୟମଧରଣର ବର୍ଷା ଓ ଫ୍ଲାସଫ୍ଲଡ୍ ୱାର୍ଣ୍ଣିଂ ଜାରି ହୋଇଛି ।

ବିଦ୍ୟୁତ ଉପଭୋକ୍ତା ପାଉଛନ୍ତି ତ ଉତ୍ତମ ସେବା, ଆଜିଠୁ ବିଦ୍ୟୁତ ବିତରଣ କମ୍ପାନୀଙ୍କ କାର୍ଯ୍ୟଧାରାର ହେବ ସମୀକ୍ଷା

ଭୁବନେଶ୍ୱର: ବିଦ୍ୟୁତ ଉପଭୋକ୍ତା ପାଉଛନ୍ତି ତ ଉତ୍ତମ ସେବା । ବିଦ୍ୟୁତ ନିୟାମକ ଆୟୋଗଙ୍କ ସର୍ତ୍ତକୁ ମାନୁଛନ୍ତି ତ ବିତରଣ କମ୍ପାନୀ । ବିଦ୍ୟୁତ ବିତରଣ କମ୍ପାନୀଙ୍କ କାର୍ଯ୍ୟଧାରାକୁ ସମୀକ୍ଷା କରିବେ ବିଦ୍ୟୁତ୍ ନିୟାମକ ଆୟୋଗ । ଆଜିଠୁ ୪ ଦିନ ଧରି ଆୟୋଗ ସମୀକ୍ଷା କରିବେ । ଆଜି ପ୍ରଥମ ଦିନରେ ଟାଟା କମ୍ପାନୀର କାର୍ଯ୍ୟଧାରାକୁ ନେଇ ସମୀକ୍ଷା କରାଯିବ । ନିୟମ ଅନୁସାରେ ବିଦ୍ୟୁତ ବିତରଣ କମ୍ପାନୀ ଅଧିଗ୍ରହଣ କରିବା ଦିନଠାରୁ ୫ ବର୍ଷ ମଧ୍ୟରେ ଭିତ୍ତିଭୂମିର ଉନ୍ନତି ପାଇଁ ଅର୍ଥ ବିନିଯୋଗ କରିବେ । ଏହାଦ୍ବାରା ବିଦ୍ୟୁତ ଉପଭୋକ୍ତାମାନେ ଉନ୍ନତମାନର ସେବା ପାଇବେ ।

ଏ ପର୍ଯ୍ୟନ୍ତ ବିଦ୍ୟୁତ ବିତରଣ କମ୍ପାନୀମାନେ ଆବଶ୍ୟକ କରୁଥିବା ୫ ହଜାର ୬୪୦ କୋଟି ଟଙ୍କାରୁ ୧୯୦୯ କୋଟି ବିନିଯୋଗ କରିସାରିଲେଣି । ଆୟୋଗ ବିଦ୍ୟୁତ ବିତରଣ ଶୁଳ୍କ ସମ୍ବନ୍ଧୀୟ ଅଧିନିୟମ ୨୦୨୨ ଜାରି କରିଛନ୍ତି । ଭିତ୍ତିଭୂମିର ଉନ୍ନତି ପାଇଁ ଆୟୋଗ ଅନୁମୋଦନ କରିଥିବା ଅର୍ଥକୁ କିଭଳି ବିନିଯୋଗ କରାଯାଉଛି ତାହାର ସମୀକ୍ଷା କରାଯିବ । ବରିଷ୍ଠ ଅଧିକାରୀ ପ୍ରତିମାସରେ ବିଦ୍ୟୁତ୍ ବିତରଣ କମ୍ପାନୀମାନଙ୍କର କାର୍ଯ୍ୟଧାରା ଓ ଉପଭୋକ୍ତାଙ୍କୁ ଦିଆଯାଉଥିବା ସେବା ସମ୍ପର୍କରେ ଅନୁଶୀଳନ କରିବେ ।

ଭୁବନେଶ୍ବର ଉପକଣ୍ଠ କୁଆଖାଇ ନଦୀରେ ଅଘଟଣ, ମିଳିଲା ଅନ୍ୟ ୨ ନିଖୋଜ ଛାତ୍ରଙ୍କ ମୃତଦେହ

ଭୁବନେଶ୍ୱର: ଭୁବନେଶ୍ବର ଉପକଣ୍ଠ କୁଆଖାଇ ନେଲା ୪ ମୁଣ୍ଡ । ବାଲିଅନ୍ତା ଥାନା ଧବଳାହାର ନିକଟ କୁଆଖାଇ ନଦୀରେ ବୁଡ଼ି ଆସ୍ଥା ସ୍କୁଲ ଅଫ ମ୍ୟାନେଜମେଣ୍ଟର ୪ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଛି । ୪ ମୃତକ ହେଲେ କଟକ ବାଲିକୁଦାର ପ୍ରତୀକ ଧଳସାମନ୍ତ, ବାଲେଶ୍ବରର ରୋହିତ ପରିଡ଼ା, ଜାମସେଦପୁରର ଆରୟାନ ଓ କଟକର କୁମାର ଅବିନାଶ । ଗତକାଲି ଆରୟନ ଓ ଅବିନାଶଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ନିଖୋଜଙ୍କୁ ଖୋଜାଖୋଜି କରିଥିଲା ଅଗ୍ନିଶମ ବାହିନୀ ଓ ପୋଲିସ । କିନ୍ତୁ ଆଉ ଦୁଇ ଜଣଙ୍କ ମୃତଦେହ ଉଦ୍ଧାର କରିଯାଇପାରିନଥିଲା । ସେଥିପାଇଁ ଆଜି ସକାଳୁ ପୁଣି ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା ।

ଓଡ୍ରାଫ୍ ପକ୍ଷରୁ ରେସ୍କ୍ୟୁ ଅପରେସନ ଆରମ୍ଭ ହୋଇଥିଲା । ଉଦ୍ଧାର କାର୍ଯ୍ୟରେ ୨ ଜଣ ସ୍କୁବା ଡାଇଭର, ବାଲିଅନ୍ତା ଅଗ୍ନିଶମ, ଭୁବନେଶ୍ବର ଷ୍ଟ୍ରାଇକିଂ ଫାୟାର ଫୋର୍ସ ଓ ଓଡ୍ରାଫର ପ୍ରାୟ ୩୦ ଜଣ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିଲେ । ଅଧଘଣ୍ଟାରେ ୨ଟି ମୃତଦେହ ଉଦ୍ଧାର କରିଛି ଓଡ୍ରାଫ୍ ଟିମ୍‌ । ପୋଷ୍ଟମର୍ଟମ ପାଇଁ ମୃତଦେହ ହସ୍ପିଟାଲକୁ ପଠାଯାଇଛି । ସୂଚନା ଅନୁସାରେ ଗତକାଲି ଆସ୍ଥା ସ୍କୁଲ ଅଫ୍ ବିଜନେସ୍ ମ୍ୟାନେଜମେଣ୍ଟ କଲେଜରୁ ୯ ଜଣ ଛାତ୍ର ଭୋଜି କରି ଆସି କୁଆଖାଇରେ ଗାଧୋଇବା ବେଳେ ୪ ଜଣ ବୁଡ଼ିଯାଇଥିଲେ ।

କୁନୋ ଜାତୀୟ ଉଦ୍ୟାନରେ ଆଉ ଏକ ଅଣ୍ଡିରା ଚିତାର ମୃତ୍ୟୁ, ୫ ମାସରେ ଗଲାଣି ୭ ଜୀବନ

ଭୋପାଳ: ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଆଉ ଏକ ଅଣ୍ଡିରା ଚିତାର ମୃତ୍ୟୁ । ଅଣ୍ଡିରା ଚିତା ତେଜସର ମୃତ୍ୟୁ ହୋଇଛି । ତେଜସକୁ ଆହତ ଅବସ୍ଥାରେ ପାଇଥିଲେ ମନିଟରିଂ ଟିମ୍ । ଏହା ପରେ ଚିତାର ଚିକିତ୍ସା କରାଯାଇଥିଲା । କିନ୍ତୁ ଚିକିତ୍ସା ପରେ ମଧ୍ୟ ଚିତାର ଜୀବନ ବଞ୍ଚାଯାଇପାରି ନାହିଁ । ମୃତ୍ୟୁ ପୂର୍ବରୁ ଚିତାଟି ଅନେକ ସମୟ ଧରି ଅଚେତ ଥିଲା । ଚିତା ତେଜସ ମୃତ୍ୟୁକୁ ମିଶାଇ ବର୍ତ୍ତମାନ ପର୍ଯ୍ୟନ୍ତ କୁନୋ ଜାତୀୟ ଉଦ୍ୟାନରେ ୪ଟି ଚିତା ଏବଂ ୩ ଶାବକଙ୍କର ମୃତ୍ୟୁ ହୋଇଛି ।

ଚିତା ତେଜସ ଦକ୍ଷିଣ ଆଫ୍ରିକାରୁ ଅଣାଯାଇଥିଲା । ଗତ ୫ ମାସରେ ୭ଟି ଚିତାବାଘର ମୃତ୍ୟୁ ହେଲାଣି । ଭାରତରେ ଚିତା ଲୋପ ପାଇଥିବାରୁ ଦକ୍ଷିଣ ଆଫ୍ରିକାରୁ ୮ଟି ଚିତା ଅଣାଯାଇଥିଲା । ହେଲେ ଭାରତ ଆସିବା ପରେ ବିଭିନ୍ନ କାରଣରୁ ୪ ଜଣ ଚିତା ଓ ୩ ଜଣ ଚିତା ଶାବକଙ୍କ ମୃତ୍ୟୁ ହୋଇଛି ।

ଅନୁଗୁଳ ବନ୍ତଳା ଓ ସାତକୋଶିଆ ଇକୋ ଟୁରିଜିମ୍ ସ୍ଥଳରେ ହେବ ଦୁଇଟି ଅଗ୍ନିଶମ ସେବା କେନ୍ଦ୍ର

ଅନୁଗୁଳ: ଅନୁଗୁଳ ବନ୍ତଳା ଓ ସାତକୋଶିଆ ଇକୋ ଟୁରିଜିମ୍ ସ୍ଥଳରେ ହେବ ଦୁଇଟି ଅଗ୍ନିଶମ ସେବା କେନ୍ଦ୍ର । ୧୫.୮୫ କୋଟି ଟଙ୍କାରେ ଅନୁଗୁଳରେ ନିର୍ମାଣ ହେବ ୩ଟି ସେତୁ, ୩ଟି ସଡକ ପାଇଁ ୭୬.୩୯ କୋଟି ଟଙ୍କା, ନିର୍ମାଣ ହେବ ୨ଟି ବନ୍ୟା ଆଶ୍ରୟସ୍ଥଳ । ଅନୁଗୁଳ ଜିଲ୍ଲାରେ ଗୁଣାତ୍ମକ ସ୍ବାସ୍ଥ୍ୟସେବାର ବିକାଶ ପାଇଁ ତାଳଚେର ଠାରେ ନିର୍ମିତ ମେଡିକାଲ କଲେଜ ହସ୍ପିଟାଲକୁ ଚଳିତ ବର୍ଷ ଅକ୍ଟୋବର ମାସ ଠାରୁ କାର୍ଯ୍ୟକ୍ଷମ କରାଯିବ । ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆମ ହସ୍ପିଟାଲ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।

ଗତକାଲି ଛେଣ୍ଡିପଦାଠାରେ ଲୋକଙ୍କ ଠାରୁ ଏହି ଦାବୀ ସଂପର୍କରେ ମୁଖ୍ୟମନ୍ତ୍ରୀ ୫-ଟି ସଚିବଙ୍କ ସହିତ ଭିଡିଓ କଲ୍ରେ ଆଲୋଚନା କରି ନିଷ୍ପତ୍ତି ନେଇଥିଲେ । ସେହିପରି ଅନୁଗୁଳ ଜିଲ୍ଲାର ବନ୍ତଳା ଠାରେ ହାତୀ-ମଣିଷ ସଂଘର୍ଷ ଯୋଗୁ ସାଧାରଣ ଲୋକ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଧନସମ୍ପତ୍ତି ନଷ୍ଟ ସହିତ ଜୀବନ ହାନୀ ମଧ୍ୟ ହେଉଛି । ଲୋକଙ୍କ ଠାରୁ ଏହି ସମସ୍ୟା ଶୁଣିବା ପରେ, ମୁଖ୍ୟମନ୍ତ୍ରୀ ଏହାକୁ ରୋକିବା ପାଇଁ ୪.୬୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି ।

ଜିଲ୍ଲା ଡି.ଏଫ.ଓ ଙ୍କ ଦ୍ବାରା ଏହି ଅର୍ଥ ଜରିଆରେ ବନ୍ତଳାର ୪୩ଟି ଗାଁରେ ଆବଶ୍ୟକ ଭିତ୍ତିଭୂମି ନିର୍ମାଣ କରାଯାଇ ଅଧିକ ସୁରକ୍ଷିତ ବ୍ୟବସ୍ଥାର ବିକାଶ କରାଯିବ। ଜିଲ୍ଲାରେ ସଡକ ଯୋଗାଯୋଗର ବିକାଶ ପାଇଁ OMBADC ପାଣ୍ଠିରୁ ୭୬.୩୯ କୋଟି ଟଙ୍କା ବିନିଯୋଗ କରାଯାଇ ୩ଟି ଗୁରୁତ୍ବପୂର୍ଣ୍ଣ ରାସ୍ତା ନିର୍ମାଣ କରାଯିବ । ଏହି ସମୀକ୍ଷା ବୈଠକରେ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ସଚିବ, ଓ ସଚିବ ଏବଂ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥିଲେ ।

ଅନଲାଇନ୍ ଗେମିଂ ଉପରେ ୨୮ ପ୍ରତିଶତ ଜିଏସଟି, ମହଙ୍ଗା ହେବ କାର୍, ଶସ୍ତା ହେବ କ୍ୟାନ୍ସର ଔଷଧ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ବସିଥିବା ଜିଏସଟି ପରିଷଦର ୫୦ତମ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଜିଏସଟି ପରିଷଦ ଅନଲାଇନ ଗେମିଂ, ହର୍ସ ରେସିଂ ଏବଂ କ୍ୟାସିନୋ ଉପରେ ୨୮ ପ୍ରତିଶତ ଟ୍ୟାକ୍ସ ଲଗାଇବାକୁ ମଞ୍ଜୁରୀ ଦେଇଛି । ପୂର୍ବରୁ ଏହା ଉପରେ ଟ୍ୟାକ୍ସ ଦର ୧୮ ପ୍ରତିଶତ ଥିଲା । ସେହିପରି ସିନେମା ହଲରେ ଖାଦ୍ୟ ଓ ପାନୀୟ ପଦାର୍ଥ ଉପରେ ଲାଗୁଥିବା ବିଲ୍ ଉପରେ ଜିଏସଟି କମ୍ କରିବାକୁ ନେଇ ହୋଇଥିବା ସୁପାରିଶକୁ ମଞ୍ଜୁରୀ ମିଳିଛି । ଏବେ ଏହି ପଦାର୍ଥ ଉପରେ ୧୮ ପ୍ରତିଶତ ବଦଳରେ ୫ ପ୍ରତିଶତ ଜିଏସଟି ଲାଗୁ ହେବ ।

ଏହି ସମସ୍ତ ନିଷ୍ପତ୍ତିର ସୂଚନା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରେସ କନଫରେନ୍ସ କରି ଦେଇଛନ୍ତି । ଏହା ବ୍ୟତୀତ କ୍ୟାନ୍ସରରେ ପୀଡିତ ରୋଗୀଙ୍କ ପାଇଁ ବଡ଼ ଆଶ୍ୱସ୍ତି ଦେଇଛନ୍ତି ସରକାର । କ୍ୟାନ୍ସରର ଇମ୍ପୋର୍ଟେଡ ଔଷଧ ଉପରେ ଆଇଜିଏସଟି ଏବେ ଆଉ ଲାଗିବ ନାହିଁ । ଅର୍ଥାତ ଔଷଧ ମୂଲ୍ୟରେ ହ୍ରାସ ଆସିବ । ରନ୍ଧା ହୋଇନଥିବା ସ୍ନାକ୍ସ ଉପରେ ଜିଏସଟି ୧୮ ପ୍ରତିଶତରୁ ହ୍ରାସ କରାଯାଇ ୫ ପ୍ରତିଶତ କରାଯାଇଛି । ସେହିପରି ଇମିଟେସନ, ଜରି ସୂତ୍ର ଉପରେ ଜିଏସଟି ୧୨ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ କରାଯାଇଛି । ଏଲଇଡି ସ୍ଲାଗ ଉପରେ ମଧ୍ୟ ଜିଏସଟି ହାର ୫ ପ୍ରତିଶତକୁ ହ୍ରାସ କରାଯାଇଛି । ଦୀର୍ଘ ଦିନ ହେବ ଜିଏସଟି ପରିଷଦ ଅନଲାଇନ ଗେମିଙ୍ଗକୁ ନେଇ ଚର୍ଚ୍ଚା କରୁଥିଲା ।

ହେଲେ ଏଥର ପରିଷଦ ଅନଲାଇନ ଗେମିଙ୍ଗ ଉପରେ ୨୮ ପ୍ରତିଶତ ଲଗାଇବା ନେଇ ନିଷ୍ପତ୍ତି କରିଛି । ଜିଏସଟି ପରିଷଦ ଅନଲାଇନ ଗେମିଙ୍ଗରେ କିଛି ସଂଶୋଧନ କରିବା ସହ ୨୮ ପ୍ରତିଶତ ଜିଏସଟି ଲଗାଇବା ନେଇ ନିଷ୍ପତ୍ତି ନେଇଛି । ହର୍ସ ରେସିଂ, କ୍ୟାସିନୋ ଉପରେ ୨୮ ପ୍ରତିଶତ ଜିଏସଟି ଲଗାଇବା ଉପରେ ସହମତି ହୋଇଛି । କେନ୍ଦ୍ରୀୟ ଅର୍ଥମନ୍ତ୍ରୀ ଜିଏସଟି ପରିଷଦରେ ମଲ୍ଟି ୟୁଟିଲିଟି ଭେଇକିଲ ଉପରେ ୨୨ ପ୍ରତିଶତ ସେସ୍ ଲଗାଇବାକୁ ମଞ୍ଜୁରୀ ଦେଇଛି । ଅବଶ୍ୟ ସେଡାନ କାରଗୁଡ଼ିକୁ ଏଥିରେ ସାମିଲ କରାଯାଇନାହିଁ । ଅର୍ଥମନ୍ତ୍ରୀ କହିଛନ୍ତି ଯେ ଜିଏସଟି ପରିଷଦ ଘରୋଇ ଅପରେଟର ଦ୍ୱାରା ଉପଗ୍ରହ ପ୍ରକ୍ଷେପଣ ସେବା ଉପରେ ଜିଏସଟି ଛାଡ଼ କରିଛି ।

ଜିଲ୍ଲାସ୍ତରୀୟ ସାଧାରଣ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦ୍ବାରା କରାଯାଉଥିବା ଜିଲ୍ଲାସ୍ତରୀୟ ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ବର୍ତ୍ତମାନ ସୁଦ୍ଧା ୧୮ ହଜାରରୁ ଅଧିକ ଅଭିଯୋଗ ଗ୍ରହଣ କରାଯାଇଛି । ଜନ ଅଭିଯୋଗ ଶୁଣାଣୀକୁ ଅଗ୍ରାଧିକାର ଦେବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ । ସବୁ ବିଭାଗ, ଜିଲ୍ଲା କର୍ତ୍ତୃପକ୍ଷ ମାନେ ଲୋକଙ୍କ ଅଭିଯୋଗର ତୁରନ୍ତ ସମାଧାନ ଉପରେ ଗୁରୁତ୍ବ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ । ଏଥିସହ ସରକାର ଅଧିନରେ ଆସିବ ଜନ ଅଭିଯୋଗ ଶୁଣାଣୀ ।

ଆସନ୍ତା ମାସ ଠାରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଲୋକଙ୍କୁ ଫୋନ କରି ସେମାନଙ୍କ ଅଭିଯୋଗର ସମାଧାନ ସଂପର୍କରେ ଜାଣିବେ । ଢେଙ୍କାନାଳରୁ ଭିଡିଓ କନ୍ଫରେସନ୍ସ ଜରିଆରେ ଯୋଡି ହୋଇ ୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ଯେ ଗତ ଦୁଇ ଦିନ ଧରି ସେ ଅନୁଗୁଳ ଜିଲ୍ଲା ଗସ୍ତ କରି ଲୋକଙ୍କ ଅଭିଯୋଗ ଓ ସମସ୍ୟା ସଂପର୍କରେ ତଥ୍ୟ ସଂଗ୍ରହ କରିଛନ୍ତି । ମୁଖ୍ୟ ଶାସନ ସଚିବ ଶ୍ରୀ ପି.କେ. ଜେନା କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଗ୍ରହଣ କରାଯାଉଥିବା ଅଭିଯୋଗ ଓ ଯାଚିକା ସଂପର୍କରେ ପଦକ୍ଷେପ ନିଆଯାଉଛି ।

ବିଭିନ୍ନ ବିଭାଗ ଦ୍ବାରା ସମୀକ୍ଷା ବୈଠକରେ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ପ୍ରାଥମିକତା ଦିଆଯାଉଛି ।ମୁଖ୍ୟମନ୍ତ୍ରୀ କହିଲେ ଯେ ଜନ ଅଭିଯୋଗ ଶୁଣାଣୀ ମୋ ପାଇଁ ସବୁଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ । ମୁଁ ଚାହେଁ ଯେ ସବୁ ବିଭାଗ ଓ ଜିଲ୍ଲା ପ୍ରଶାସନ ଲୋକଙ୍କ ଅଭିଯୋଗ, ଅସୁବିଧାକୁ ସମ୍ବେଦନଶୀଳ ହୋଇ ଶୁଣିବା ସହିତ ଶୀଘ୍ର ସମାଧାନ କରିବା ଆବଶ୍ୟକ। ସେଥିପାଇଁ ଲୋକଙ୍କୁ ଭେଟି ସେମାନଙ୍କ ଅଭିଯୋଗ ଶୁଣିବା ପାଇଁ ମୁଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ବିଭିନ୍ନ ଜିଲ୍ଲାକୁ ଯିବା ପାଇଁ ନିର୍ଦ୍ଦେଶ ଦେଇଛି ।

ଆମର ଅଧିକାରୀମାନେ ବିଭିନ୍ନ ଜିଲ୍ଲା, ଏପରିକି ବ୍ଲକ୍ ସ୍ତରକୁ ଯାଇ ଅଭିଯୋଗ ଶୁଣାଣୀ କରୁଛନ୍ତି ଏବଂ ଏହିସବୁ କାର୍ଯ୍ୟକ୍ରମରୁ ବର୍ତ୍ତମାନ ସୁଦ୍ଧା ୧୮ ହଜାରରୁ ଅଧିକ ଯାଚିକା ଗ୍ରହଣ କରାଯାଇଛି । ମୁଖ୍ୟମନ୍ତ୍ରୀ ପୁଣି କହିଲେ ଯେ ମୁଁ ଆଶା କରୁଛି ସମସ୍ତ ବିଭାଗ ଗୁଡିକ ଲୋକଙ୍କ ଅଭିଯୋଗକୁ ପ୍ରାଥମିକତା ଭିତ୍ତିରେ ଶୁଣାଣୀ କରି ସମାଧାନ କରିବେ । ରାଜ୍ୟର ସମସ୍ତ ବିଭାଗ ଓ ଜିଲ୍ଲା ପ୍ରଶାସନକୁ ଲୋକଙ୍କ ଅଭିଯୋଗ ଉପରେ ଗୁରୁତ୍ବ ଦେଇ ସମାଧାନ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ ।

ବେଙ୍ଗାଲୁରୁରେ ଡବଲ ମର୍ଡର, ଏମଡି ଓ ସିଇଓଙ୍କୁ ଖଣ୍ଡାରେ ହାଣି ହତ୍ୟାକଲା ପୂର୍ବତନ କର୍ମଚାରୀ

ବେଙ୍ଗାଲୁରୁ: କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁରେ ଚାଞ୍ଚଲ୍ୟ । ଏଠାରେ ଏକ ଟେକ୍ କମ୍ପାନୀର ପୂର୍ବତନ କର୍ମଚାରୀ କମ୍ପାନୀର ମ୍ୟାନେଜିଂ ଡାଇରେକ୍ଟର ଏବଂ ସିଇଓଙ୍କୁ ଖଣ୍ଡାରେ ହାଣି ହତ୍ୟା କରିଛି । ପୋଲିସ କହିବା ଅନୁଯାୟୀ ଏମଡି ଓ ସିଇଓ ଅଫିସରେ ଥିବା ସମୟରେ ହିଁ ହତ୍ୟାକାଣ୍ଡ ଘଟିଛି । ପୂର୍ବତନ କର୍ମଚାରୀ ଅଫିସରେ ପସି ଦୁଇଜଣଙ୍କୁ ଖଣ୍ଡାରେ ହାଣିଦେଇଥିଲା । କିଛି ସମୟରେ ପରେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ ନିଆଯାଇଥିଲା । ହେଲେ ଅଧା ବାଟରେ ହିଁ ଦୁହେଁ ମୃତ୍ୟୁବରଣ କରିଥିଲେ । ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଅଭିଯୁକ୍ତ ମଧ୍ୟ ଟେକ୍ ସହ ସମ୍ବନ୍ଧିତ ବିଜନେସ୍ ଚଲାଉଥିଲା । ମୃତ୍ୟୁବରଣ କରିଥିବା ଦୁଇ ବ୍ୟକ୍ତି ତାର ବିଜନେସରେ ହସ୍ତକ୍ଷେପ କରୁଥିଲେ ।

ଏହି କାରଣରୁ ହତ୍ୟାକାଣ୍ଡ ହୋଇଥିବା ଅନୁମାନ କରାଯାଉଛି । କୁହାଯାଉଛି ଯେ ବେଙ୍ଗାଲୁରୁର ଟେକ୍ କମ୍ପାନୀ ଏୟରୋନିକ୍ସ ଇଣ୍ଟରନେଟ କମ୍ପାନୀର ଏମଡି ଏବଂ ସିଇଓ ଅଫିସରେ ଥିଲେ । ଏହି ସମୟରେ ଅଭିଯୁକ୍ତ ଅଫିସରେ ପଶି ମ୍ୟାନେଜିଂ ଡାଇରେକ୍ରଟର ଫଣିନ୍ଦ୍ର ସୁବ୍ରମଣ୍ୟମ ଏବଂ ସିଇଓ ଭିନୁ କୁମାରଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲା । ପୂର୍ବତନ କର୍ମଚାରୀ ଫେଲିକ୍ସ ଅଫିସ ଭିତରେ ପଶି ଦୁହିଁଙ୍କୁ ହାଣିଥିଲା । ଘଟଣା ପରେ ଅଫିସରେ ହୋହାଲ୍ଲା ସ୍ଥିତି ଦେଖା ଦେଇଥିଲା । ସଙ୍ଗେସଙ୍ଗେ ଉଭୟଙ୍କୁ ହସ୍ପିଟାଲ ନିଆଯାଇଥିଲା ହେଲେ ସେଠାରେ ପହଞ୍ଚିବା ପୂର୍ବରୁ ସେମାନଙ୍କ ମୃତ୍ୟୁ ହୋଇଯାଇଥିଲା । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ କରୁଛି । ସେହିପରି ଅଭିଯୁକ୍ତ ଫେଲିକ୍ସ ବର୍ତ୍ତମାନ ଫେରାର ଅଛି ।

ଓଡ଼ିଶା ବିଜେପି ନେତା ସବୁବେଳେ ଓଡ଼ିଶା ବିରୋଧୀ କାମ କରୁଛନ୍ତି: ବିଜେଡି

ଭୁବନେଶ୍ୱର: ବିଜେପି ନେତା ସମୀର ମହାନ୍ତିଙ୍କ ମନ୍ତବ୍ୟ ଉପରେ ବିଜେଡିର କଡ଼ା ପ୍ରତିକ୍ରିୟା । ଗ୍ରାମାଞ୍ଚଳର ଓ ଜଗନ୍ନାଥ ସଂସ୍କୃତିର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦକ୍ଷେପ ନେଉଥିବା ବେଳେ ବିଜେପି କେବେ ବି ଓଡ଼ିଶା ପାଇଁ ଚିନ୍ତା କରିନାହିଁ । ଜଗନ୍ନାଥ ସଂସ୍କୃତି ଓ ଐତିହ୍ୟର ପ୍ରଚାର ପ୍ରସାରକୁ ସହି ନପାରିବା ହୀନ ମାନସିକତା । ଓଡ଼ିଶା ବିଜେପି ନେତା ସବୁ ବେଳେ ଓଡ଼ିଶା ବିରୋଧୀ କାମ କରୁଛନ୍ତି ବୋଲି ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି।

ଓଡ଼ିଶାରୁ ନିର୍ବାଚିତ ହୋଇଥିବା ବିଜେପି ସାଂସଦମାନେ ସବୁବେଳେ ଓଡ଼ିଶାକୁ ନିନ୍ଦିତ କରିଛନ୍ତି । ସମୀର ମହାନ୍ତି ସ୍ମାର୍ଟଫୋନ ଭଲ ଭାବେ ଧରି ଶିଖିନାହାନ୍ତି । ଏଭଳି ସ୍ଥିତିରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଉପରେ ସମୀର ମହାନ୍ତି କହିବା ହାସ୍ୟାସ୍ପଦ । ସବୁବେଳେ ଅନ୍ୟର ପ୍ରରୋଚନାରେ ସମୀର ମହାନ୍ତି ବିଚିତ୍ର ମନ୍ତବ୍ୟ ଦେଉଛନ୍ତି ବୋଲି ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି ।

ବ୍ୟାଙ୍କରୁ ଋଣ ନେଇ ପରିଶୋଧ ବଦଳରେ ଦେଖାଉଥିଲେ ଦାଦାଗିରି, ବିଜେପି ନେତାଙ୍କ ଘର ଖାଲି କଲା ବ୍ୟାଙ୍କ

ଭୁବନେଶ୍ୱର: ବିଜେପି ନେତାଙ୍କ ଚଞ୍ଚକତା । ୬ କୋଟି ବ୍ୟାଙ୍କ ଲୋନ ନେଇ ଟଙ୍କା ପରିଶୋଧ ବଦଳରେ ଦେଖାଉଥିଲେ ଦାଦାଗିରି । ଶେଷରେ କୋର୍ଟଙ୍କ ନିର୍ଦ୍ଦେଶ ବଳରେ ବିଜେପି ନେତା ଲାଲା ମନୋଜ ରାୟଙ୍କ ପଟିଆ ସ୍ଥିତ ଘରୁ ତାଙ୍କୁ ବେଦଖଲ କରିଛି ପୋଲିସ । ରାଜ୍ୟ ରାଜନୀତିରେ ପତିଆରା ବୃଦ୍ଧି କରି, ନିଜେ ନିଜକୁ ପବ୍ଳିକ୍ ଫିଗର ଦର୍ଶାଇ, ବ୍ୟାଙ୍କରୁ କୋଟି କୋଟି ଟଙ୍କା ରୁଣ ନେଇଥିଲେ ବିଜେପି ନେତା ଲାଲା ମନୋଜ ରାୟ । ପରେ ଲୋନ ଟଙ୍କା ନସୁଝିବା ତାଙ୍କ ପାଇଁ ମହଙ୍ଗା ପଡିଛି ।

ନୟାଗଡ଼ରୁ ବିଜେପି ବିଧାୟକ ପ୍ରାର୍ଥୀନୀ ଇରାନୀ ରାୟଙ୍କ ସ୍ୱାମୀ ଲାଲାଙ୍କ ପଟିଆ ଘର ପଜେସନ ନେଇଛି ବ୍ୟାଙ୍କ । ୨୦୧୩ ଅଗଷ୍ଟ, ୩୧ ତାରିଖରେ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ, ଏମଆଇଡି କର୍ପୋରେଟ୍ ଶାଖାରୁ ମେସର୍ସ ଟି.ଟି ଟୁର୍ସ ଏଣ୍ଡ ଟ୍ରାନ୍ସପୋର୍ଟ୍ସ ନାମରେ ୬ କୋଟି ୫ ଲକ୍ଷ ଟଙ୍କା ରୁଣ ନେଇଥିଲେ ଲାଲା । ଲୋନରେ ସ୍ତ୍ରୀ ଇରାନୀ ରାୟ ଗ୍ୟାରେଣ୍ଟର ଥିଲେ । ଏଥିପାଇଁ ଉଭୟ ପତିପତ୍ନୀଙ୍କ ନାମରେ ଭୁବନେଶ୍ୱର ତହସିଲ ଅନ୍ତର୍ଗତ ପଟିଆ ମୌଜାର ଖାତା ନଂ- ୪୭୩/୩୭୧୧, ପ୍ଳଟ୍ ନଂ- ୫୧୬/୧୭୬୬/୪୬୦୮, ଓ ସତ୍ୟନଗର Amrita palace Apartment ର ଗୋଟିଏ ଫ୍ଲାଟ ବନ୍ଧକ ରଖାଯାଇଥିଲା ।

ଋଣ ଭାର ୫ କୋଟି ୮୮ ଲକ୍ଷ ୬୭ ହଜାର ପରିଶୋଧ ନକରିବାରୁ ପଟିଆ ବିଗବଜାର ନିକଟରେ ଥିବା ଏହି ଆଲିସାନ ବଙ୍ଗଳାକୁ ପଜେସନ ନେଇଛି ବ୍ୟାଙ୍କ । ୨୦୧୩ରେ ପି.ଏନ୍.ବିରୁ ନେଇଥିବା ରୁଣ ଅର୍ଥ ଉଚିତ୍ ସମୟରେ ପୈଠ ନକରିବାରୁ ୧୧ ଡେସିମିଲରେ ଥିବା ଫ୍ଲାଟ୍ ଦଖଲ ପାଇଁ ୧୩ ଏପ୍ରିଲ ୨୦୨୨ ରେ ନୋଟିସ କରାଯାଇଥିଲା । କିନ୍ତୁ ବହୁତଦିନ ଧରି କାଗଜପତ୍ର ଚଂଚକତା କରିବା ନେଇ ଅବଗତ ହେବା ପରେ ସି.ଜି.ଏମ, ଖୋର୍ଦ୍ଧାଙ୍କ ନିର୍ଦ୍ଦେଶରେ ଆଜି ଚଢ଼ାଉ କରାଯାଇଥିଲା ।

ସତ ଚେଷ୍ଟା ସତ୍ତ୍ୱେ ମଧ୍ୟ ଘର ଭିତରେ ଥିବା ଆସବାବପତ୍ର କୁ ବାହାରେ କାଢି ଫୋପାଡ଼ି ଦେଇଥିଲା ପୋଲିସ। ଡିସିପିଙ୍କ ନିର୍ଦ୍ଦେଶ କ୍ରମେ ଇନ୍ଫୋସିଟି ଥାନା କର୍ତ୍ତୃପକ୍ଷଙ୍କ ସହାୟତାରେ ସବୋର୍ଡିନେଟ୍ ଅଫିସର ଆଡଭୋକେଟ ମୁନୀର୍ ବେଗମଙ୍କ ଉପସ୍ଥିତିରେ ଲାଲା ମନୋଜଙ୍କ ପ୍ରତେକ ରୁମରେ ଯଉ ମୁଦ ଦେଇ ତାଲା ପକାଇବା ପରେ ମେନ ଗେଟକୁ ସିଲ କରିଛନ୍ତି କୋର୍ଟ କର୍ତ୍ତୃପକ୍ଷ।