ବିଦ୍ୟୁତ ଉପଭୋକ୍ତା ପାଉଛନ୍ତି ତ ଉତ୍ତମ ସେବା, ଆଜିଠୁ ବିଦ୍ୟୁତ ବିତରଣ କମ୍ପାନୀଙ୍କ କାର୍ଯ୍ୟଧାରାର ହେବ ସମୀକ୍ଷା

ଭୁବନେଶ୍ୱର: ବିଦ୍ୟୁତ ଉପଭୋକ୍ତା ପାଉଛନ୍ତି ତ ଉତ୍ତମ ସେବା । ବିଦ୍ୟୁତ ନିୟାମକ ଆୟୋଗଙ୍କ ସର୍ତ୍ତକୁ ମାନୁଛନ୍ତି ତ ବିତରଣ କମ୍ପାନୀ । ବିଦ୍ୟୁତ ବିତରଣ କମ୍ପାନୀଙ୍କ କାର୍ଯ୍ୟଧାରାକୁ ସମୀକ୍ଷା କରିବେ ବିଦ୍ୟୁତ୍ ନିୟାମକ ଆୟୋଗ । ଆଜିଠୁ ୪ ଦିନ ଧରି ଆୟୋଗ ସମୀକ୍ଷା କରିବେ । ଆଜି ପ୍ରଥମ ଦିନରେ ଟାଟା କମ୍ପାନୀର କାର୍ଯ୍ୟଧାରାକୁ ନେଇ ସମୀକ୍ଷା କରାଯିବ । ନିୟମ ଅନୁସାରେ ବିଦ୍ୟୁତ ବିତରଣ କମ୍ପାନୀ ଅଧିଗ୍ରହଣ କରିବା ଦିନଠାରୁ ୫ ବର୍ଷ ମଧ୍ୟରେ ଭିତ୍ତିଭୂମିର ଉନ୍ନତି ପାଇଁ ଅର୍ଥ ବିନିଯୋଗ କରିବେ । ଏହାଦ୍ବାରା ବିଦ୍ୟୁତ ଉପଭୋକ୍ତାମାନେ ଉନ୍ନତମାନର ସେବା ପାଇବେ ।

ଏ ପର୍ଯ୍ୟନ୍ତ ବିଦ୍ୟୁତ ବିତରଣ କମ୍ପାନୀମାନେ ଆବଶ୍ୟକ କରୁଥିବା ୫ ହଜାର ୬୪୦ କୋଟି ଟଙ୍କାରୁ ୧୯୦୯ କୋଟି ବିନିଯୋଗ କରିସାରିଲେଣି । ଆୟୋଗ ବିଦ୍ୟୁତ ବିତରଣ ଶୁଳ୍କ ସମ୍ବନ୍ଧୀୟ ଅଧିନିୟମ ୨୦୨୨ ଜାରି କରିଛନ୍ତି । ଭିତ୍ତିଭୂମିର ଉନ୍ନତି ପାଇଁ ଆୟୋଗ ଅନୁମୋଦନ କରିଥିବା ଅର୍ଥକୁ କିଭଳି ବିନିଯୋଗ କରାଯାଉଛି ତାହାର ସମୀକ୍ଷା କରାଯିବ । ବରିଷ୍ଠ ଅଧିକାରୀ ପ୍ରତିମାସରେ ବିଦ୍ୟୁତ୍ ବିତରଣ କମ୍ପାନୀମାନଙ୍କର କାର୍ଯ୍ୟଧାରା ଓ ଉପଭୋକ୍ତାଙ୍କୁ ଦିଆଯାଉଥିବା ସେବା ସମ୍ପର୍କରେ ଅନୁଶୀଳନ କରିବେ ।