ଅନୁଗୁଳ ବନ୍ତଳା ଓ ସାତକୋଶିଆ ଇକୋ ଟୁରିଜିମ୍ ସ୍ଥଳରେ ହେବ ଦୁଇଟି ଅଗ୍ନିଶମ ସେବା କେନ୍ଦ୍ର

1 min read

ଅନୁଗୁଳ: ଅନୁଗୁଳ ବନ୍ତଳା ଓ ସାତକୋଶିଆ ଇକୋ ଟୁରିଜିମ୍ ସ୍ଥଳରେ ହେବ ଦୁଇଟି ଅଗ୍ନିଶମ ସେବା କେନ୍ଦ୍ର । ୧୫.୮୫ କୋଟି ଟଙ୍କାରେ ଅନୁଗୁଳରେ ନିର୍ମାଣ ହେବ ୩ଟି ସେତୁ, ୩ଟି ସଡକ ପାଇଁ ୭୬.୩୯ କୋଟି ଟଙ୍କା, ନିର୍ମାଣ ହେବ ୨ଟି ବନ୍ୟା ଆଶ୍ରୟସ୍ଥଳ । ଅନୁଗୁଳ ଜିଲ୍ଲାରେ ଗୁଣାତ୍ମକ ସ୍ବାସ୍ଥ୍ୟସେବାର ବିକାଶ ପାଇଁ ତାଳଚେର ଠାରେ ନିର୍ମିତ ମେଡିକାଲ କଲେଜ ହସ୍ପିଟାଲକୁ ଚଳିତ ବର୍ଷ ଅକ୍ଟୋବର ମାସ ଠାରୁ କାର୍ଯ୍ୟକ୍ଷମ କରାଯିବ । ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆମ ହସ୍ପିଟାଲ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।

ଗତକାଲି ଛେଣ୍ଡିପଦାଠାରେ ଲୋକଙ୍କ ଠାରୁ ଏହି ଦାବୀ ସଂପର୍କରେ ମୁଖ୍ୟମନ୍ତ୍ରୀ ୫-ଟି ସଚିବଙ୍କ ସହିତ ଭିଡିଓ କଲ୍ରେ ଆଲୋଚନା କରି ନିଷ୍ପତ୍ତି ନେଇଥିଲେ । ସେହିପରି ଅନୁଗୁଳ ଜିଲ୍ଲାର ବନ୍ତଳା ଠାରେ ହାତୀ-ମଣିଷ ସଂଘର୍ଷ ଯୋଗୁ ସାଧାରଣ ଲୋକ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଧନସମ୍ପତ୍ତି ନଷ୍ଟ ସହିତ ଜୀବନ ହାନୀ ମଧ୍ୟ ହେଉଛି । ଲୋକଙ୍କ ଠାରୁ ଏହି ସମସ୍ୟା ଶୁଣିବା ପରେ, ମୁଖ୍ୟମନ୍ତ୍ରୀ ଏହାକୁ ରୋକିବା ପାଇଁ ୪.୬୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି ।

ଜିଲ୍ଲା ଡି.ଏଫ.ଓ ଙ୍କ ଦ୍ବାରା ଏହି ଅର୍ଥ ଜରିଆରେ ବନ୍ତଳାର ୪୩ଟି ଗାଁରେ ଆବଶ୍ୟକ ଭିତ୍ତିଭୂମି ନିର୍ମାଣ କରାଯାଇ ଅଧିକ ସୁରକ୍ଷିତ ବ୍ୟବସ୍ଥାର ବିକାଶ କରାଯିବ। ଜିଲ୍ଲାରେ ସଡକ ଯୋଗାଯୋଗର ବିକାଶ ପାଇଁ OMBADC ପାଣ୍ଠିରୁ ୭୬.୩୯ କୋଟି ଟଙ୍କା ବିନିଯୋଗ କରାଯାଇ ୩ଟି ଗୁରୁତ୍ବପୂର୍ଣ୍ଣ ରାସ୍ତା ନିର୍ମାଣ କରାଯିବ । ଏହି ସମୀକ୍ଷା ବୈଠକରେ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ସଚିବ, ଓ ସଚିବ ଏବଂ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥିଲେ ।