ବ୍ୟାଙ୍କରୁ ଋଣ ନେଇ ପରିଶୋଧ ବଦଳରେ ଦେଖାଉଥିଲେ ଦାଦାଗିରି, ବିଜେପି ନେତାଙ୍କ ଘର ଖାଲି କଲା ବ୍ୟାଙ୍କ

1 min read

ଭୁବନେଶ୍ୱର: ବିଜେପି ନେତାଙ୍କ ଚଞ୍ଚକତା । ୬ କୋଟି ବ୍ୟାଙ୍କ ଲୋନ ନେଇ ଟଙ୍କା ପରିଶୋଧ ବଦଳରେ ଦେଖାଉଥିଲେ ଦାଦାଗିରି । ଶେଷରେ କୋର୍ଟଙ୍କ ନିର୍ଦ୍ଦେଶ ବଳରେ ବିଜେପି ନେତା ଲାଲା ମନୋଜ ରାୟଙ୍କ ପଟିଆ ସ୍ଥିତ ଘରୁ ତାଙ୍କୁ ବେଦଖଲ କରିଛି ପୋଲିସ । ରାଜ୍ୟ ରାଜନୀତିରେ ପତିଆରା ବୃଦ୍ଧି କରି, ନିଜେ ନିଜକୁ ପବ୍ଳିକ୍ ଫିଗର ଦର୍ଶାଇ, ବ୍ୟାଙ୍କରୁ କୋଟି କୋଟି ଟଙ୍କା ରୁଣ ନେଇଥିଲେ ବିଜେପି ନେତା ଲାଲା ମନୋଜ ରାୟ । ପରେ ଲୋନ ଟଙ୍କା ନସୁଝିବା ତାଙ୍କ ପାଇଁ ମହଙ୍ଗା ପଡିଛି ।

ନୟାଗଡ଼ରୁ ବିଜେପି ବିଧାୟକ ପ୍ରାର୍ଥୀନୀ ଇରାନୀ ରାୟଙ୍କ ସ୍ୱାମୀ ଲାଲାଙ୍କ ପଟିଆ ଘର ପଜେସନ ନେଇଛି ବ୍ୟାଙ୍କ । ୨୦୧୩ ଅଗଷ୍ଟ, ୩୧ ତାରିଖରେ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ, ଏମଆଇଡି କର୍ପୋରେଟ୍ ଶାଖାରୁ ମେସର୍ସ ଟି.ଟି ଟୁର୍ସ ଏଣ୍ଡ ଟ୍ରାନ୍ସପୋର୍ଟ୍ସ ନାମରେ ୬ କୋଟି ୫ ଲକ୍ଷ ଟଙ୍କା ରୁଣ ନେଇଥିଲେ ଲାଲା । ଲୋନରେ ସ୍ତ୍ରୀ ଇରାନୀ ରାୟ ଗ୍ୟାରେଣ୍ଟର ଥିଲେ । ଏଥିପାଇଁ ଉଭୟ ପତିପତ୍ନୀଙ୍କ ନାମରେ ଭୁବନେଶ୍ୱର ତହସିଲ ଅନ୍ତର୍ଗତ ପଟିଆ ମୌଜାର ଖାତା ନଂ- ୪୭୩/୩୭୧୧, ପ୍ଳଟ୍ ନଂ- ୫୧୬/୧୭୬୬/୪୬୦୮, ଓ ସତ୍ୟନଗର Amrita palace Apartment ର ଗୋଟିଏ ଫ୍ଲାଟ ବନ୍ଧକ ରଖାଯାଇଥିଲା ।

ଋଣ ଭାର ୫ କୋଟି ୮୮ ଲକ୍ଷ ୬୭ ହଜାର ପରିଶୋଧ ନକରିବାରୁ ପଟିଆ ବିଗବଜାର ନିକଟରେ ଥିବା ଏହି ଆଲିସାନ ବଙ୍ଗଳାକୁ ପଜେସନ ନେଇଛି ବ୍ୟାଙ୍କ । ୨୦୧୩ରେ ପି.ଏନ୍.ବିରୁ ନେଇଥିବା ରୁଣ ଅର୍ଥ ଉଚିତ୍ ସମୟରେ ପୈଠ ନକରିବାରୁ ୧୧ ଡେସିମିଲରେ ଥିବା ଫ୍ଲାଟ୍ ଦଖଲ ପାଇଁ ୧୩ ଏପ୍ରିଲ ୨୦୨୨ ରେ ନୋଟିସ କରାଯାଇଥିଲା । କିନ୍ତୁ ବହୁତଦିନ ଧରି କାଗଜପତ୍ର ଚଂଚକତା କରିବା ନେଇ ଅବଗତ ହେବା ପରେ ସି.ଜି.ଏମ, ଖୋର୍ଦ୍ଧାଙ୍କ ନିର୍ଦ୍ଦେଶରେ ଆଜି ଚଢ଼ାଉ କରାଯାଇଥିଲା ।

ସତ ଚେଷ୍ଟା ସତ୍ତ୍ୱେ ମଧ୍ୟ ଘର ଭିତରେ ଥିବା ଆସବାବପତ୍ର କୁ ବାହାରେ କାଢି ଫୋପାଡ଼ି ଦେଇଥିଲା ପୋଲିସ। ଡିସିପିଙ୍କ ନିର୍ଦ୍ଦେଶ କ୍ରମେ ଇନ୍ଫୋସିଟି ଥାନା କର୍ତ୍ତୃପକ୍ଷଙ୍କ ସହାୟତାରେ ସବୋର୍ଡିନେଟ୍ ଅଫିସର ଆଡଭୋକେଟ ମୁନୀର୍ ବେଗମଙ୍କ ଉପସ୍ଥିତିରେ ଲାଲା ମନୋଜଙ୍କ ପ୍ରତେକ ରୁମରେ ଯଉ ମୁଦ ଦେଇ ତାଲା ପକାଇବା ପରେ ମେନ ଗେଟକୁ ସିଲ କରିଛନ୍ତି କୋର୍ଟ କର୍ତ୍ତୃପକ୍ଷ।