ଉତ୍ତର ଭାରତରେ ଜଳପ୍ରଳୟ, ୯୧ ଛୁଇଁଲାଣି ମୃତ୍ୟୁସଂଖ୍ୟା

1 min read

ନୂଆଦିଲ୍ଲୀ: ଉତ୍ତର ଭାରତରେ ମୂଷଳଧାରାରେ ବର୍ଷା ଦେଇଛି ଜଳ ଯନ୍ତ୍ରଣା । ଗତକାଲି ୨୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮ ଜୁଲାଇରୁ ଏବେସୁଦ୍ଧା ମୃତ୍ୟୁସଂଖ୍ୟା ୯୧ ଛୁଇଁଛି । ଭୀଷଣ ବର୍ଷାରେ ଦୁର୍ଘଟଣା, ଭୂସ୍ଖଳନ, ଫ୍ଲାସଫ୍ଲଡରେ ବଢ଼ୁଛି ମୃତ୍ୟୁସଂଖ୍ୟା । ଏବେ ବି ଜଳବନ୍ଦୀ ଅନେକ ଜୀବନ । ଆଜିଠୁ ହିମାଚଳରେ ବର୍ଷା ପରିମାଣ କମିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ହିମାଚଳପ୍ରଦେଶ, ଜାମ୍ମୁ-କାଶ୍ମୀର, ପଞ୍ଜାବ, ହରିୟାଣା, ରାଜସ୍ଥାନରେ ବର୍ଷାର ପରିମାଣ କମିଛି । ତେଣୁ ଖୁବଶୀଘ୍ର ସେଠାକାର ସ୍ଥିତି ଅନୁସାରେ ସେମାନଙ୍କୁ ରିଲିଫ୍ ଦିଆଯିବା ବ୍ୟବସ୍ଥା ହେଉଛି । ଏହାସହ ଜଳବନ୍ଦୀ ଲୋକଙ୍କୁ ଉଦ୍ଧାର ଓ ଥଇଥାନ ପାଇଁ ପ୍ରୟାସ ଆରମ୍ଭ ହୋଇଛି ।

ଅନ୍ୟପକ୍ଷରେ ବନ୍ୟା ଆଁରେ ପଞ୍ଜାବ । ସତଲେଜ୍ ନଦୀରୁ ପାଣି ଛଡ଼ାଯିବା ପରେ ଫାଜିଲ୍କାରେ ଆଲର୍ଟ ଜାରି ହୋଇଛି । ସେପଟେ ଯମୁନା ଓ ଗଙ୍ଗାରେ ବଢ଼ିବ ଜଳସ୍ତର । ୟୁପି, ଆଗ୍ରା ଓ ପ୍ରୟାଗରାଜକୁ ବନ୍ୟା ସତର୍କତା ଜାରି କରାଯାଇଛି । ହିମାଚଳ ପ୍ରଦେଶରେ ପ୍ରାୟ ପର୍ଯ୍ୟଟକ ଫସିଛନ୍ତି । ଚନ୍ଦ୍ରତାଲ ଲେକ୍ ନିକଟରେ ଫସିଥିବା ଲୋକଙ୍କୁ ଉଦ୍ଧାର କରିବାକୁ IAF ହେଲିକପ୍ଟର ଆବଶ୍ୟକ ଥିଲା । ୩ ଶହ ଲୋକଙ୍କୁ ଏୟାରଲିଫ୍ଟ କରାଯାଇଛି । ହେଲେ ଖରାପ ପାଗ ଯୋଗୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । କାଜାରୁ ଏକ ଉଦ୍ଧାରକାରୀ ଦଳ କୁଞ୍ଜୁମରେ ପହଞ୍ଚିସାରିଛନ୍ତି । କିଛି ସ୍ଥାନରେ ବର୍ଷା ବନ୍ଦ ହୋଇଥିବାରୁ ଉଦ୍ଧାର କାର୍ଯ୍ୟ ଓ ଭାଙ୍ଗିଥିବା ରାସ୍ତା ମରାମତି ଆରମ୍ଭ ହେଲାଣି । ସେପଟେ ସିମଲା, ସିରମୌର ଓ କିନୌର ଜିଲ୍ଲାରେ ମଧ୍ୟମଧରଣର ବର୍ଷା ଓ ଫ୍ଲାସଫ୍ଲଡ୍ ୱାର୍ଣ୍ଣିଂ ଜାରି ହୋଇଛି ।