spot_img
Home Blog Page 2804

ବିଶ୍ୱକପ୍ ଖେଳିବାକୁ ଭାରତ ଆସିବ ପାକ୍ ଟିମ୍, ମଞ୍ଜୁରୀ ଦେଲେ ପାକିସ୍ତାନ ସରକାର

ନନ୍ଦିଘୋଷ ବ୍ୟୁରୋ: ଦିନିକିଆ ବିଶ୍ୱକପ୍ ଖେଳିବାକୁ ଭାରତ ଆସିବ ପାକିସ୍ତାନ ଟିମ୍ । ଭାରତ ଆସିବା ନେଇ ପାକ୍ ଟିମକୁ ଅନୁମତି ଦେଇଛନ୍ତି ପାକିସ୍ତାନ ସରକାର । ପାକିସ୍ତାନ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଖେଳକୁ ରାଜନୀତିଠୁ ସବୁବେଳେ ଦୂରରେ ରଖିବା ଆବଶ୍ୟକ । ପାକିସ୍ତାନ ଏଥିପାଇଁ ନିଜ ଦଳକୁ ୨୦୨୩ ଆଇସିସି ବିଶ୍ୱକପ୍ ପାଇଁ ଭାରତ ପଠାଇବା ପାଇଁ ପ୍ରସ୍ତୁତ ଅଛି । ଭାରତରେ ଦିନିକିଆ ବିଶ୍ୱକପ୍ ଦୁଇମାସ ପରେ ଅର୍ଥାତ ଅକ୍ଟୋବରରେ ଖେଳାଯିବ । ପାକିସ୍ତାନର ପ୍ରଥମ ମ୍ୟାଚ୍ ଅକ୍ଟୋବର ୬ରେ ନେଦରଲ୍ୟାଣ୍ଡ୍ସ ସହ ଅଛି ।

ପାକିସ୍ତାନର ବିଦେଶ ମନ୍ତ୍ରଣାଳୟ କହିଛି ଯେ, ଉଭୟ ଦେଶର ରାଜନୈତିକ ବିବାଦକୁ ଅନ୍ତର୍ଜାତୀୟ କ୍ରିକେଟ ମଧ୍ୟକୁ ଟାଣିବା ଠିକ୍ ନୁହେଁ । ଭାରତୀୟ ଦଳ ଅବଶ୍ୟ ଏସିଆ କପ୍ ଖେଳିବା ପାଇଁ ପାକିସ୍ତାନ ନଆସିପାରେ ହେଲେ ପାକିସ୍ତାନ ନିଜ ଦଳ ସହ ଏପରି କରିବ ନାହିଁ । ଆମେ ଆମ ଦଳକୁ ଭାରତ ପଟାଇବୁ । ପାକିସ୍ତାନକୁ ଏବେବି ନିଜ କ୍ରିକେଟ ଟିମର ସୁରକ୍ଷା ଚିନ୍ତା ରହିଛି । ଆମେ ଆଇସିସି ଏବଂ ବିସିସିଆଇକୁ ଏ ସମ୍ପର୍କରେ ସୂଚିତ କରିଛୁ ।

ଆମକୁ ଆଶା ଅଛି ଯେ ଭାରତରେ ପାକିସ୍ତାନ କ୍ରିକେଟ ଦଳର ସିକ୍ୟୁରିଟି ଏବଂ ସେଫଟିର ଧ୍ୟାନ ରଖାଯିବ । ଉଲ୍ଲେଖଯୋଗ୍ୟ, ପୂର୍ବରୁ ପାକିସ୍ତାନ କ୍ରୀଡା ମନ୍ତ୍ରଣାଳୟ ଏବଂ ପିସିବି ପକ୍ଷରୁ କୁହାଯାଇଥିଲା ଯେ ଯଦି ଭାରତ ଏସିଆ କପ୍ ଖେଳିବା ପାଇଁ ପାକିସ୍ତାନ ନଆସେ ତେବେ ପାକ୍ ଟିମ୍ ମଧ୍ୟ ବିଶ୍ୱକପ୍ ଖେଳିବାକୁ ଭାରତ ଯିବନାହିଁ । ତେବେ ପାକ୍ ଟିମ୍ ଭାରତ ଆସିବ କି ନାହିଁ ଏହା ଉପରେ ସନ୍ଦେହ ଲାଗି ରହିଥିଲା । ହେଲେ ଆଜି ପାକ୍ ଦଳ ଆସିବା ନେଇ ସ୍ପଷ୍ଟ କରିଛି ବୈଦେଶିକ ମନ୍ତ୍ରଣାଳୟ । ଚଳିତଥର ଦିନିକିଆ ବିଶ୍ୱକପ୍ ବାରତରେ ଅକ୍ଟୋବର ୫ରୁ ଖେଳାଯିବ ।

ଓପନିଂ ମ୍ୟାଚ୍ ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ହେବ । ପାକିସ୍ତାନ ନିଜର ପ୍ରଥମ ମ୍ୟାଚ୍ ୬ ଅକ୍ଟୋବରରେ ଖେଳିବ । ରିପୋର୍ଟ ଅନୁଯାୟୀ, ପାକିସ୍ତାନ କ୍ରିକେଟ ଟିମର ୩ଟି ବିଶ୍ୱକପ୍ ମ୍ୟାଚ୍ ସୁରକ୍ଷା ଦୃଷ୍ଟିରୁ ରିଶିଡ୍ୟୁଲ କରାଯାଇପାରେ । ଭାରତ ସହ ତାର ମୁକାବିଲା ୧୫ ଅକ୍ଟୋବରରେ ହେବାର ଥିଲା ହେଲେ ଏହା ଏବେ ୧୪ ଅକ୍ଟୋବରରେ ହେବ । ଏହି କାରଣରୁ ଶ୍ରୀଲଙ୍କା ବିପକ୍ଷରେ ଦଳର ମୁକାବିଲା ୧୨ ତାରିଖ ପରିବର୍ତ୍ତେ ୧୦ ଅକ୍ଟୋବରକୁ ସ୍ଥାନାନ୍ତର କରାଯାଇପାରେ । ସେହିପରି ଇଂଲଣ୍ଡ ବିପକ୍ଷ କୋଲକାତାରେ ଦଳର ମୁକାଲିବା ୧୨ ନଭେମ୍ବର ବଦଳରେ ୧୧ ନଭେମ୍ବରକୁ ହୋଇପାରେ । ବିସିସିଆଇ ଏବଂ ଆଇସିସି ଖୁବଶୀଘ୍ର ଟୁର୍ଣ୍ଣାମେଣ୍ଟର ଅପଡେଟେଡ ସିଡ୍ୟୁଲ ଜାରି କରିବ ।

ବିରେନ ସରକାରକୁ ଝଟକା, ସରକାରରୁ ସମର୍ଥନ ଫେରାଇନେଲା କୁକି ପିପୁଲ୍ସ ଆଲାୟନ୍ସ

ଇମ୍ଫାଲ: ମଣିପୁରରେ ୩ ମାସ ହେବ ହିଂସା ଜାରି ରହିଛି । ଦୁଇ ପ୍ରମୁଖ ସମ୍ପ୍ରଦାୟ କୁକି ଓ ମେଇତି ମଧ୍ୟରେ ସଂଘର୍ଷ ଲାଗି ରହିଛି । ଏହି ହିଂସାରେ ଅନେକ ଧନଜୀବନ ନଷ୍ଟ ହୋଇଛି । ଏହାରି ମଧ୍ୟରେ ମଣିପୁରରେ ମୁଖ୍ୟମନ୍ତ୍ରୀ ଏନ ବିରେନ ସରକାରକୁ ବଡ଼ ଝଟକା ଲାଗିଛି । ଏନଡିଏ ସହଯୋଗୀ କୁକି ପିପୁଲ୍ସ ଦଳ ସରକାରରୁ ନିଜ ସମର୍ଥନ ଫେରାଇନେଇଛି । ରବିବାର ସନ୍ଧ୍ୟାରେ ଦଳ ଏହି ନିଷ୍ପତ୍ତି ନେଇ ଏହାର ଘୋଷଣା କରିଛି । ମଣିପୁରରେ ଜାରି ହିଂସା ତିନି ମାସ ପରେ ମଧ୍ୟ ଥମିବାର ନାଁ ନେଉନାହିଁ । ଏହାରି ମଧ୍ୟ ଦଳ ଏହି ନିଷ୍ପତ୍ତି ନେଇଛି । ରାଜ୍ୟ ସରକାରରେ କୁକି ପିପୁଲ୍ସ ଆଲିଆନ୍ସର ଦୁଇ ଜଣ ବିଧାୟକ ଥିଲେ । ସେହି ଦୁଇ ବିଧାୟକ ହେଲେ କିମ୍ନେଓ ହାଙ୍ଗସିଙ୍ଗ ଏବଂ ଚିନଲୁନ୍ଥାଙ୍ଗ ।

କୁକି ପିପୁଲ୍ସ ଆଲିଆନ୍ସ ଏହି ନିଷ୍ପତ୍ତି ଏପରି ସମୟରେ ନେଇଛି ଯେବେ ବିଧାନସଭା ଅଧିବେଶନ ୨୧ ଅଗଷ୍ଟରୁ ଆରମ୍ଭ ହୋଇପାରେ । ମଣିପୁର ମନ୍ତ୍ରିମଣ୍ଡଳ ରାଜ୍ୟପାଳଙ୍କୁ ୨୧ ଅଗଷ୍ଟରୁ ବିଧାନସଭା ଅଧିବେଶନ ଆରମ୍ଭ କରିବା ପାଇଁ ସୁପାରିଶ କରିଥିଲେ । କିନ୍ତୁ ଏହି ଅଧିବେଶନରେ ଅଧିକାଂଶ କୁକି ବିଧାୟକ ସାମିଲ ନହେବାର ଆଶଙ୍କା କରାଯାଉଛି । ତେବେ ଏହା ପୂର୍ବରୁ କୁକି ପିପୁଲ୍ସ ଆଲିଆନ୍ସର ଅଧ୍ୟକ୍ଷ ତୋଙ୍ଗମାଙ୍ଗ ହାଓକିପ କହିଥିଲେ ଯେ ରାଜ୍ୟରେ ଜାରି ହିଂସା ଏବଂ ଭିନ୍ନ ପ୍ରଶାସନକୁ ନେଇ କୁକି ସମ୍ପ୍ରଦାୟକଙ୍କ ଦାବି ଉପରେ ଏପର୍ଯ୍ୟନ୍ତ ସୁଦ୍ଧା କୌଣସି ସମାଧାନ ହୋଇନାହିଁ ଯେଉଁ କାରଣରୁ କୁକି-ଜୋମି-ହମାର ବିଧାୟକଙ୍କ ପାଇଁ ବିଧାସନଭା ଅଧିବେଶନରେ ସାମିଲ ହେବା ସମ୍ଭବ ନୁହେଁ ।

ଭାରତ ବନାମ ୱେଷ୍ଟଇଣ୍ଡିଜ୍ ଦ୍ୱିତୀୟ T20; ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା ଟିମ୍ ଇଣ୍ଡିଆ

ନନ୍ଦିଘୋଷ ବ୍ୟୁରୋ: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟି-୨୦ରେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା ଟିମ୍ ଇଣ୍ଡିଆ । ଦଳର ନେତୃତ୍ୱ ନେଉଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା । ଭାରତ କିଛି ଟା ପରିବର୍ତ୍ତନ ସହ ଆଜିର ମ୍ୟାଚ୍ ଖେଳିବାକୁ ଯାଉଛି । କୁଲଦୀପ ଯାଦବ ଆଘାତ କାରଣରୁ ଆଜିର ମ୍ୟାଚ୍ ଖେଳୁନାହାନ୍ତି । ତାଙ୍କ ସ୍ଥାନରେ ରବି ବିଷ୍ଣୋଇଙ୍କୁ ସୁଯୋଗ ମିଳିଛି । ୱେଷ୍ଟଇଣ୍ଡିଜ୍ ଦଳ ବିନା ପରିବର୍ତ୍ତନରେ ପଡ଼ିଆକୁ ଓହ୍ଲାଇଛି । ପ୍ରଥମ ମ୍ୟାଚ୍ ହାରିବା ପରେ ଭାରତ ନିଜର ବ୍ୟାଟିଂ ପ୍ରଦର୍ଶନରେ ଉନ୍ନତି ସହ ପ୍ରତ୍ୟାବର୍ତ୍ତନ କରିବାକୁ ଲକ୍ଷ୍ୟ ରଖିଛି ।

ସେହିପରି ଆଜିର ମ୍ୟାଚ୍ ଜିତି ସିରିଜରେ ଆଗୁଆ ରହିବା ପାଇଁ ପ୍ରୟାସ କରିବ ଘରୋଇ ୱେଷ୍ଟଇଣ୍ଡିଜ୍ । ୫ ମ୍ୟାଚ୍ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ୱେଷ୍ଟଇଣ୍ଡିଜ ୧-୦ରେ ଆଗୁଆ ରହିଛି । ଗତ ମ୍ୟାଚରେ ଭାରତୀୟ ଦଳରେ ଆଇପିଏଲର ତାରକା ଖେଳାଳି ଥିଲା ବେଳେ ଧିମା ପିଚରେ ଇଣ୍ଡିଜ୍ ବୋଲିଂକୁ ସାମ୍ନା କରିବାରେ ବିଫଳ ହୋଇଥିଲେ । ହେଲେ ଇଣ୍ଡିଜ୍ ଉଭୟ ବ୍ୟାଟିଂ ଓ ବୋଲିଂରେ ଭଲ ପ୍ରଦର୍ଶନ ସହ ମ୍ୟାଚ୍କୁ ୪ ରନରେ ଜିତିନେଇଥିଲା ।

ଭାରତୀୟ ଦଳ: ଇଶାନ କିଶନ (ୱିକେଟ କିପର), ଶୁବମନ ଗିଲ, ସୂର୍ଯ୍ୟକୁମାର ଯାଦବ, ତିଲକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ସଞ୍ଜୁ ସାମସନ, ଅକ୍ଷର ପଟେଲ, ଅର୍ଶଦୀପ ସିଂହ, ଯୁଜବେନ୍ଦ୍ର ଚହଲ, ମୁକେଶ କୁମାର, ରବି ବିଷ୍ଣୋଇ ।

ୱେଷ୍ଟଇଣ୍ଡିଜ୍ ଦଳ: ବ୍ରାଣ୍ଡନ କିଙ୍ଗ, କାଇଲ ମେୟର୍ସ, ଜନସନ ଚାର୍ଲସ, ନିକୋଲସ ପୂରନ (ୱିକେଟ କିପର), ରୋଭମ୍ୟାନ ପାଭେଲ (ଅଧିନାୟକ), ସିମ୍ରୋନ ହେଟମାୟର, ରୋମାରିୟୋ ଶେଫର୍ଡ, ଜେସନ ହୋଲ୍ଡର, ଅକିଲ ହୋସେନ, ଅଲଜାରୀ ଜୋସେଫ, ଓବେଡ ମାକକାୟ ।

ଛାତ୍ରଛାତ୍ରୀଙ୍କୁ 5T ସଚିବଙ୍କ ସଫଳତାର ମନ୍ତ୍ର, ପ୍ରତିଦିନ ୧୫ ମିନିଟ ଯୋଗ କରିବାକୁ ଦେଲେ ପରାମର୍ଶ

ବଲାଙ୍ଗୀର: ବଲାଙ୍ଗିର ଗସ୍ତରେ 5T ସଚିବ ଭିକେ ପାଣ୍ଡିଆନ୍ । ରାଜେନ୍ଦ୍ର ୟୁନିଭରସିଟି ପ୍ଲେ ଗ୍ରାଉଣ୍ଡରେ ଛାତ୍ରଛାତ୍ରୀଙ୍କୁ ଭେଟିଛନ୍ତି ପାଣ୍ଡିଆନ୍ । 5T ସ୍କୁଲ କେମିତି ଲାଗୁଛି ବୋଲି ପିଲାଙ୍କୁ ପଚାରିଥିଲେ । ସ୍କୁଲରେ ସ୍ମାର୍ଟ କ୍ଲାସ୍ କେମିତି ଲାଗୁଛି । କେମିତି ପାଠ ପଢା ଚାଲିଛି ବୋଲି ପଚାରିଥିଲେ ପାଣ୍ଡିଆନ । ଏଥିସହ ମୁଖ୍ୟମନ୍ତ୍ରୀ କଲେଜର ଉନ୍ନତିକରଣ ପାଇଁ 46 କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଡିସେମ୍ବର ସୁଦ୍ଧା ଜିଲ୍ଲାର ସମସ୍ତ କଲେଜ ଫାଇଭ-ଟିରେ ରୂପାନ୍ତରିତ ହେବ । ୯୭ଟି କଲେଜ ପାଇଁ ୪୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ । 6 ମାସ ଭିତରେ ବଦଳିଯିବ ସମସ୍ତ କଲେଜର ଚିତ୍ର ।

ମୁଖ୍ୟମନ୍ତ୍ରୀ ମତେ ପଠାଇଛନ୍ତି ବୋଲି କହିଛନ୍ତି ପାଣ୍ଡିଆନ୍ । ସରକାରୀ କଲେଜ ବେସରକାରୀ କଲେଜକୁ ଟପିବ ବୋଲି ପାଣ୍ଡିଆନ କହିଛନ୍ତି । ପାଠ ପଢା ସହିତ ଖେଳକୁଦ ଅନ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଯୋଗ କଲେ ମନରେ ଶାନ୍ତି ସହ ପାଠ ପଡ଼ିବା ଆଗ୍ରହ ଲାଗେ । 15 ମିନିଟ୍ ଯୋଗକଲେ ଆପଣଙ୍କର ମେମୋରି ପାଓ୍ବାର ବଢିବ । 6 ମାସ ପରେ ଆପଣ ବ୍ୟକ୍ତିତ୍ୱରେ ପରିବର୍ତ୍ତନ ଆସିବ । ଆତ୍ମବିଶ୍ୱାସ ଆପଣମାନଙ୍କୁ ବହୁ ଉପରକୁ ନେବ ।

ନିଜେ ଫିଟ୍ ରହିଲେ ଆପେ ଆପେ ଆତ୍ମବିଶ୍ୱାସ ବଢିବ ବୋଲି ପାଣ୍ଡିଆନ୍ କହିଥିଲେ । ସ୍ୱପ୍ନ ଥିଲେ ତାହା ନିଶ୍ଚୟ ପୁରା ହୋଇ ପାରିବ । ସ୍ୱପ୍ନ ସବୁବେଳେ ବଡ ହେବା ଦରକାର । ବାପା ମାଙ୍କ ସ୍ଵପ୍ନ ପୁରଣ୍ କରିବା ପାଇଁ ତୁମମାନଙ୍କୁ ବହୁତ ପରିଶ୍ରମ କରିବାକୁ ପଡିବ । ପ୍ରତିଦିନ 20 କିଲୋମିଟର ଯାତ୍ରା କରି ସ୍କୁଲ ଯାଉଥିଲି ବୋଲି ପାଣ୍ଡିଆନ୍ କହିଥିଲେ I ସରକାରୀ ସ୍କୁଲରେ ପାଠ ପଢି ପିଜି ଟପ୍ପର ହୋଇଥିଲି, ଶେଷରେ ଆଇଏଏସ ହୋଇପାରିଲି ବୋଲି ଫାଇଭ-ଟି ସଚିବ କହିଥିଲେ ।

ଦୁଇ ଡଙ୍ଗରିଆଙ୍କୁ ଗିରଫ ପ୍ରତିବାଦରେ କଲ୍ୟାଣସିଂହପୁର ଥାନା ଘେରାଉ କଲେ ଉତ୍ୟକ୍ତ ଲୋକ

ରାୟଗଡ଼ା: ରାୟଗଡ଼ା କଲ୍ୟାଣସିଂହପୁରରେ ଉତ୍ତ୍ୟକ୍ତ ଲୋକଙ୍କ ଥାନା ଘେରାଉ । ବିନା କାରଣରେ ନିୟମଗିରର ଦୁଇ ଡଙ୍ଗରିଆ କୃଷ୍ଣ ଶିକକା ଓ ବାରି ଶିକକାକୁ ପୋଲିସ ଉଠାଇ ନେବା ପରେ ଉତ୍ତେଜନା ପ୍ରକାଶ ପାଇଛି । ଦୁଇ ଜଣ ଲାଞ୍ଜିଗଡ ବଜାରକୁ ଯାଇଥିବା ବେଳେ ପୋଲିସ ଉଠାଇ ନେଇଛି । ଏହାକୁ ବିରୋଧ କରି ଅସ୍ତ୍ରଶସ୍ତ୍ର ଧରି କଲ୍ୟାଣସିଂହପୁର ଥାନା ଘେରାଉ କରିଛନ୍ତି ଆଦିବାସୀ । ତୁରନ୍ତ ନଛାଡିଲେ ପରିସ୍ଥିତି ଭୟାବହ ହେବ ବୋଲି ଚେତାବନୀ ଦେଇଛନ୍ତି । ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ମୁତୟନ ହୋଇଛନ୍ତି ।

୧୭ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ, ଜଣେ ଗିରଫ

ଭଦ୍ରକ: ୧୭ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରିଛି ଭଦ୍ରକ ଗ୍ରାମାଞ୍ଚଳ ପୋଲିସ । ଚରମ୍ପା ରମ୍ଭିଳା କେନାଲ ଛକ ନିକଟରେ ରେଡ୍ କରି ବ୍ରାଉନସୁଗାର ଜବତ କରାଯାଇଛି । ବାଲେଶ୍ବରରୁ ଭଦ୍ରକ ଆଡକୁ ବାଇକ ଯୋଗେ ଦୁଇ ଯୁବକ ବ୍ରାଉନସୁଗାର ନେଇ ଯାଉଥିଲେ । ଉଭୟଙ୍କୁ ପୋଲିସ ଅଟକାଇବାବେଳେ ଖସିଯିବାକୁ ଉଦ୍ୟମ କରିଥିଲେ ଅଭିଯୁକ୍ତ । ଜଣେ ଫେରାର ହୋଇଯାଇଥିବାବେଳେ ଅନ୍ୟ ଜଣଙ୍କୁ ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲା ଚନ୍ଦନ ମଲ୍ଲିକ । ତା ନିକଟରୁ ୧୧୮ ଗ୍ରାମ ବ୍ରାଉନସୁଗାର ଓ ଗୋଟିଏ ମୋବାଇଲ ଜବତ ହୋଇଛି

ବଲାଙ୍ଗୀରରେ 5T ସଚିବ ଭି କେ ପାଣ୍ଡିଆନ, ଲୋକଙ୍କ ପାଖକୁ ଯାଇ ଗ୍ରହଣ କଲେ ଦାବିପତ୍ର

ବଲାଙ୍ଗୀର: ବଲାଙ୍ଗୀର ଟିଟିଲାଗଡ଼ରେ ଲୋକଙ୍କ ସହିତ ଆଲୋଚନା କରିଛନ୍ତି 5T ସଚିବ ଭିକେ ପାଣ୍ଡିଆନ । ସିଟି ସ୍କୁଲ ପଡିଆରେ ଆୟୋଜିତ ଜନଶୁଣାଣି କାର୍ଯ୍ୟକ୍ରମରେ ଯୋଗଦେଇ ସମସ୍ତଙ୍କଠାରୁ ଅଭିଯୋଗପତ୍ର ଗ୍ରହଣ କରିଥିଲେ 5T ସଚିବ । ଚାଷୀଙ୍କ ସମସ୍ୟାକୁ ପ୍ରାଥମିକ ଭିତ୍ତିରେ ସମାଧାନ କରାଯିବା ସହିତ ଧର୍ମାନୁଷ୍ଠାନ ସମ୍ପର୍କିତ ଦାବିକୁ ୭ଦିନ ଭିତରେ ସମାଧାନ କରାଯିବ ବୋଲି 5T ସଚିବ ପ୍ରତିଶ୍ରୁତି ଦେଇଛନ୍ତି । 5T ସଚିବ କହିଛନ୍ତି ଟିଟିଲାଗଡରେ ଆଉ ପିଇବା ପାଣିର ସମସ୍ୟା ରହିବନି ।

ଚାଷ ଜମିରେ ମଧ୍ୟ ଜଳସେଚନ ସୁବିଧା ଯୋଗାଇ ଦିଆଯାଉଛି । ଜଳସେଚନ ପାଇଁ କେବଳ ଟିଟିଲାଗଡରେ ୯୫୦ କୋଟି ଓ ପିଇବାପାଣି ପାଇଁ ୭୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ୪ଟି ସ୍ଥାନରେ ଜଳସେଚନ ପ୍ରକଳ୍ପ ନିର୍ମାଣ ଚାଲିଥିବାବେଳେ ଆସନ୍ତା ବର୍ଷେ ମଧ୍ୟରେ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ପରେ ହରିଶଙ୍କର ମନ୍ଦିର ଏବଂ ହରିଶଙ୍କର ମିଶନ ଶକ୍ତି ଏସଏମଇ ପାର୍କ କରିଥିଲେ ଫାଇଭ-ଟି ସଚିବ ।

କରାଚୀରୁ ରାୱଲପିଣ୍ଡି ଯାଉଥିବା ଟ୍ରେନ୍ ଲାଇନଚ୍ୟୁତ, ୧୫ ମୃତ, ୫୦ରୁ ଅଧିକ ଆହତ

କରାଚୀ: ପାକିସ୍ତାନରେ ଭୟଙ୍କର ଟ୍ରେନ ଦୁର୍ଘଟଣା ଘଟିଛି । ଶାହଜାଦପୁର ଏବଂ ନୱାବଶାହ ମଧ୍ୟରେ ସ୍ଥିତ ସହାରା ରେଲୱେ ଷ୍ଟେସନ ନିକଟରେ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ରାୱଲପିଣ୍ଡି ଯାଉଥିବା ହଜାରା ଏକ୍ସପ୍ରେସର ପ୍ରାୟ ୧୦ଟି ବଗି ଲାଇନଚ୍ୟୁତ ହେବା କାରଣରୁ ଏହି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଅତିକମରେ ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା । ସେହିପରି ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି ।

ତେବେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି କାରଣ ଟ୍ରେନର ଅଧିକ ସଂଖ୍ୟାରେ ଯାତ୍ରୀ ଥିଲେ । କରାଚୀଠୁ ୨୭୫ କିମି ଦୂରରେ ଏହି ଦୁର୍ଘଟଣା ଘଟିଛି । ଆହତ ଯାତ୍ରୀଙ୍କୁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଛି । ତେବେ କେଉଁ କାରଣରୁ ବଗି ଲାଇନଚ୍ୟୁତ ହୋଇଛି ସେନେଇ କିଛି ସୂଚନା ମିଳିପାରିନାହିଁ । ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜୋରଦାର କରାଯାଇଛି । ଆଖପାଖ ହସ୍ପିଟାଲଗୁଡ଼ିକୁ ଆଲର୍ଟରେ ରଖାଯାଇଛି । ଦୁର୍ଘଟଣା କାରଣରୁ ଏହି ଲାଇନ ଦେଇ ଯିବାକୁ ଥିବା ଟ୍ରେନଗୁଡ଼ିକୁ ବାତିଲ କରାଯାଇଛି ।

ଲାଞ୍ଚ ନେଲେ ସ୍ବାମୀ, ମେୟର ପଦ ହରାଇଲେ ସ୍ତ୍ରୀ

ଜୟପୁର: ଲାଞ୍ଚ ନେଲେ ସ୍ବାମୀ । ମେୟର ପଦ ହରାଇଲେ ସ୍ତ୍ରୀ । ଏହି ଘଟଣା ଘଟିଛି ରାଜସ୍ଥାନ ଜୟପୁରରେ । ଏକ ଜମି ଲିଜ୍ ଦେବା ସକାଶେ ସ୍ବାମୀ ୨ ଲକ୍ଷ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଦୁର୍ନୀତି ନିବାରଣ ବ୍ୟୁରୋ ଦ୍ବାରା ଗିରଫ ହେବା ପରେ ଜୟପୁର ହେରିଟେଜ ମ୍ୟୁନିସିପାଲ କର୍ପୋରେସନ ମେୟର ମୁନେଶ ଗୁର୍ଜରଙ୍କୁ ହଟାଇ ନିଆଯାଇଛି । ଏପରିକି ଜୟପୁର ହେରିଟେଜ କର୍ପୋରେସନର ଓ୍ବାର୍ଡ ନମ୍ବର ୪୩ର କାଉନସିଲର ପଦରୁ ମଧ୍ୟ ମୁନେଶଙ୍କୁ ହଟାଯାଇଛି ।

ବାସଭବନରେ ଖୋଦ୍ ମେୟର ଉପସ୍ଥିତ ଥିବାବେଳେ ସ୍ବାମୀ ସୁଶୀଲ ଗୁର୍ଜର ଏହି ଟଙ୍କା ଲାଞ୍ଚ ନେଉଥିଲେ । ରେଡ୍ ବେଳେ ତାଙ୍କ ଘରୁ ନଗଦ ୪୦ ଲକ୍ଷ ଟଙ୍କା ଜବତ ହୋଇଥିଲା । ଏହି ପୋଲିସ କହିଛି ନାରାୟଣ ସିଂ ଓ ଅନିଲ ଦୁବେଙ୍କ ସହାୟତାରେ ସୁଶୀଲ ଏହି ୨ ଲକ୍ଷ ଟଙ୍କା ଦାବି କରିଥିଲେ । ସେହିପରି ନାରାୟଣ ସିଂଙ୍କ ଘରୁ ନଗଦ ୮ ଲକ୍ଷ ଟଙ୍କା ଜବତ ହୋଇଛି ।

ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟ୍‌ ପରେ କାର୍ ଜାଳିଦେଲେ ଦୁର୍ବୃତ୍ତ

ବାଲିପାଟଣା: ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟ୍‌ ପରେ କାର୍ ଜାଳିଦେଲେ ଦୁର୍ବୃତ୍ତ । ଭୁବନେଶ୍ବର ଉପକଣ୍ଠ ବାଲିପାଟଣା ଥାନା ବଦଳା ପଣ୍ଡୁଆ ସାହିରେ ଏହି ଘଟଣା ଘଟିଛି । ଗତକାଲି ରାତି ପ୍ରାୟ ୧୨ଟାରେ ଅଜିତ ସ୍ବାଇଁ ଘରକୁ ଫେରୁଥିଲେ । ଗାଁ ମୁଣ୍ଡରେ ଅଜିତଙ୍କ କାର ଅଟକାଇ ଥିଲେ ୨ ଜଣ ଦୁର୍ବୃତ୍ତ । ଅଜିତ ସ୍ବାଇଁଙ୍କ ମୁଣ୍ଡରେ ଦୁର୍ବୃତ୍ତମାନେ ବନ୍ଧୁକ ଲଗାଇ ପର୍ସ ନେଇଯିବା ସହ ତାଙ୍କ ମୁହଁରେ କିଛି ସ୍ପ୍ରେ କରି ଦେଇଥିଲେ । ଅଜିତ ସଂଜ୍ଞାହୀନ ହେବା ପରେ ତାଙ୍କୁ ବିଲରେ ତାଙ୍କୁ ଫିଙ୍ଗି ଦେଇଥିଲେ । ପରେ ଅଜିତଙ୍କ କାରକୁ ପୋଡ଼ି ଦେଇଛନ୍ତି । ଆଜି ସକାଳୁ ସ୍ଥାନୀୟ ଲୋକ ଅଜିତଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରିଥିଲେ  । ପରେ ଅଜିତ ବାଲିପାଟଣା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ଏହି ଘଟଣାର ଅଧିକ ତଦନ୍ତ କରୁଛି ।