ବିଶ୍ୱକପ୍ ଖେଳିବାକୁ ଭାରତ ଆସିବ ପାକ୍ ଟିମ୍, ମଞ୍ଜୁରୀ ଦେଲେ ପାକିସ୍ତାନ ସରକାର

ନନ୍ଦିଘୋଷ ବ୍ୟୁରୋ: ଦିନିକିଆ ବିଶ୍ୱକପ୍ ଖେଳିବାକୁ ଭାରତ ଆସିବ ପାକିସ୍ତାନ ଟିମ୍ । ଭାରତ ଆସିବା ନେଇ ପାକ୍ ଟିମକୁ ଅନୁମତି ଦେଇଛନ୍ତି ପାକିସ୍ତାନ ସରକାର । ପାକିସ୍ତାନ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଖେଳକୁ ରାଜନୀତିଠୁ ସବୁବେଳେ ଦୂରରେ ରଖିବା ଆବଶ୍ୟକ । ପାକିସ୍ତାନ ଏଥିପାଇଁ ନିଜ ଦଳକୁ ୨୦୨୩ ଆଇସିସି ବିଶ୍ୱକପ୍ ପାଇଁ ଭାରତ ପଠାଇବା ପାଇଁ ପ୍ରସ୍ତୁତ ଅଛି । ଭାରତରେ ଦିନିକିଆ ବିଶ୍ୱକପ୍ ଦୁଇମାସ ପରେ ଅର୍ଥାତ ଅକ୍ଟୋବରରେ ଖେଳାଯିବ । ପାକିସ୍ତାନର ପ୍ରଥମ ମ୍ୟାଚ୍ ଅକ୍ଟୋବର ୬ରେ ନେଦରଲ୍ୟାଣ୍ଡ୍ସ ସହ ଅଛି ।

ପାକିସ୍ତାନର ବିଦେଶ ମନ୍ତ୍ରଣାଳୟ କହିଛି ଯେ, ଉଭୟ ଦେଶର ରାଜନୈତିକ ବିବାଦକୁ ଅନ୍ତର୍ଜାତୀୟ କ୍ରିକେଟ ମଧ୍ୟକୁ ଟାଣିବା ଠିକ୍ ନୁହେଁ । ଭାରତୀୟ ଦଳ ଅବଶ୍ୟ ଏସିଆ କପ୍ ଖେଳିବା ପାଇଁ ପାକିସ୍ତାନ ନଆସିପାରେ ହେଲେ ପାକିସ୍ତାନ ନିଜ ଦଳ ସହ ଏପରି କରିବ ନାହିଁ । ଆମେ ଆମ ଦଳକୁ ଭାରତ ପଟାଇବୁ । ପାକିସ୍ତାନକୁ ଏବେବି ନିଜ କ୍ରିକେଟ ଟିମର ସୁରକ୍ଷା ଚିନ୍ତା ରହିଛି । ଆମେ ଆଇସିସି ଏବଂ ବିସିସିଆଇକୁ ଏ ସମ୍ପର୍କରେ ସୂଚିତ କରିଛୁ ।

ଆମକୁ ଆଶା ଅଛି ଯେ ଭାରତରେ ପାକିସ୍ତାନ କ୍ରିକେଟ ଦଳର ସିକ୍ୟୁରିଟି ଏବଂ ସେଫଟିର ଧ୍ୟାନ ରଖାଯିବ । ଉଲ୍ଲେଖଯୋଗ୍ୟ, ପୂର୍ବରୁ ପାକିସ୍ତାନ କ୍ରୀଡା ମନ୍ତ୍ରଣାଳୟ ଏବଂ ପିସିବି ପକ୍ଷରୁ କୁହାଯାଇଥିଲା ଯେ ଯଦି ଭାରତ ଏସିଆ କପ୍ ଖେଳିବା ପାଇଁ ପାକିସ୍ତାନ ନଆସେ ତେବେ ପାକ୍ ଟିମ୍ ମଧ୍ୟ ବିଶ୍ୱକପ୍ ଖେଳିବାକୁ ଭାରତ ଯିବନାହିଁ । ତେବେ ପାକ୍ ଟିମ୍ ଭାରତ ଆସିବ କି ନାହିଁ ଏହା ଉପରେ ସନ୍ଦେହ ଲାଗି ରହିଥିଲା । ହେଲେ ଆଜି ପାକ୍ ଦଳ ଆସିବା ନେଇ ସ୍ପଷ୍ଟ କରିଛି ବୈଦେଶିକ ମନ୍ତ୍ରଣାଳୟ । ଚଳିତଥର ଦିନିକିଆ ବିଶ୍ୱକପ୍ ବାରତରେ ଅକ୍ଟୋବର ୫ରୁ ଖେଳାଯିବ ।

ଓପନିଂ ମ୍ୟାଚ୍ ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ହେବ । ପାକିସ୍ତାନ ନିଜର ପ୍ରଥମ ମ୍ୟାଚ୍ ୬ ଅକ୍ଟୋବରରେ ଖେଳିବ । ରିପୋର୍ଟ ଅନୁଯାୟୀ, ପାକିସ୍ତାନ କ୍ରିକେଟ ଟିମର ୩ଟି ବିଶ୍ୱକପ୍ ମ୍ୟାଚ୍ ସୁରକ୍ଷା ଦୃଷ୍ଟିରୁ ରିଶିଡ୍ୟୁଲ କରାଯାଇପାରେ । ଭାରତ ସହ ତାର ମୁକାବିଲା ୧୫ ଅକ୍ଟୋବରରେ ହେବାର ଥିଲା ହେଲେ ଏହା ଏବେ ୧୪ ଅକ୍ଟୋବରରେ ହେବ । ଏହି କାରଣରୁ ଶ୍ରୀଲଙ୍କା ବିପକ୍ଷରେ ଦଳର ମୁକାବିଲା ୧୨ ତାରିଖ ପରିବର୍ତ୍ତେ ୧୦ ଅକ୍ଟୋବରକୁ ସ୍ଥାନାନ୍ତର କରାଯାଇପାରେ । ସେହିପରି ଇଂଲଣ୍ଡ ବିପକ୍ଷ କୋଲକାତାରେ ଦଳର ମୁକାଲିବା ୧୨ ନଭେମ୍ବର ବଦଳରେ ୧୧ ନଭେମ୍ବରକୁ ହୋଇପାରେ । ବିସିସିଆଇ ଏବଂ ଆଇସିସି ଖୁବଶୀଘ୍ର ଟୁର୍ଣ୍ଣାମେଣ୍ଟର ଅପଡେଟେଡ ସିଡ୍ୟୁଲ ଜାରି କରିବ ।