ବିରେନ ସରକାରକୁ ଝଟକା, ସରକାରରୁ ସମର୍ଥନ ଫେରାଇନେଲା କୁକି ପିପୁଲ୍ସ ଆଲାୟନ୍ସ

1 min read

ଇମ୍ଫାଲ: ମଣିପୁରରେ ୩ ମାସ ହେବ ହିଂସା ଜାରି ରହିଛି । ଦୁଇ ପ୍ରମୁଖ ସମ୍ପ୍ରଦାୟ କୁକି ଓ ମେଇତି ମଧ୍ୟରେ ସଂଘର୍ଷ ଲାଗି ରହିଛି । ଏହି ହିଂସାରେ ଅନେକ ଧନଜୀବନ ନଷ୍ଟ ହୋଇଛି । ଏହାରି ମଧ୍ୟରେ ମଣିପୁରରେ ମୁଖ୍ୟମନ୍ତ୍ରୀ ଏନ ବିରେନ ସରକାରକୁ ବଡ଼ ଝଟକା ଲାଗିଛି । ଏନଡିଏ ସହଯୋଗୀ କୁକି ପିପୁଲ୍ସ ଦଳ ସରକାରରୁ ନିଜ ସମର୍ଥନ ଫେରାଇନେଇଛି । ରବିବାର ସନ୍ଧ୍ୟାରେ ଦଳ ଏହି ନିଷ୍ପତ୍ତି ନେଇ ଏହାର ଘୋଷଣା କରିଛି । ମଣିପୁରରେ ଜାରି ହିଂସା ତିନି ମାସ ପରେ ମଧ୍ୟ ଥମିବାର ନାଁ ନେଉନାହିଁ । ଏହାରି ମଧ୍ୟ ଦଳ ଏହି ନିଷ୍ପତ୍ତି ନେଇଛି । ରାଜ୍ୟ ସରକାରରେ କୁକି ପିପୁଲ୍ସ ଆଲିଆନ୍ସର ଦୁଇ ଜଣ ବିଧାୟକ ଥିଲେ । ସେହି ଦୁଇ ବିଧାୟକ ହେଲେ କିମ୍ନେଓ ହାଙ୍ଗସିଙ୍ଗ ଏବଂ ଚିନଲୁନ୍ଥାଙ୍ଗ ।

କୁକି ପିପୁଲ୍ସ ଆଲିଆନ୍ସ ଏହି ନିଷ୍ପତ୍ତି ଏପରି ସମୟରେ ନେଇଛି ଯେବେ ବିଧାନସଭା ଅଧିବେଶନ ୨୧ ଅଗଷ୍ଟରୁ ଆରମ୍ଭ ହୋଇପାରେ । ମଣିପୁର ମନ୍ତ୍ରିମଣ୍ଡଳ ରାଜ୍ୟପାଳଙ୍କୁ ୨୧ ଅଗଷ୍ଟରୁ ବିଧାନସଭା ଅଧିବେଶନ ଆରମ୍ଭ କରିବା ପାଇଁ ସୁପାରିଶ କରିଥିଲେ । କିନ୍ତୁ ଏହି ଅଧିବେଶନରେ ଅଧିକାଂଶ କୁକି ବିଧାୟକ ସାମିଲ ନହେବାର ଆଶଙ୍କା କରାଯାଉଛି । ତେବେ ଏହା ପୂର୍ବରୁ କୁକି ପିପୁଲ୍ସ ଆଲିଆନ୍ସର ଅଧ୍ୟକ୍ଷ ତୋଙ୍ଗମାଙ୍ଗ ହାଓକିପ କହିଥିଲେ ଯେ ରାଜ୍ୟରେ ଜାରି ହିଂସା ଏବଂ ଭିନ୍ନ ପ୍ରଶାସନକୁ ନେଇ କୁକି ସମ୍ପ୍ରଦାୟକଙ୍କ ଦାବି ଉପରେ ଏପର୍ଯ୍ୟନ୍ତ ସୁଦ୍ଧା କୌଣସି ସମାଧାନ ହୋଇନାହିଁ ଯେଉଁ କାରଣରୁ କୁକି-ଜୋମି-ହମାର ବିଧାୟକଙ୍କ ପାଇଁ ବିଧାସନଭା ଅଧିବେଶନରେ ସାମିଲ ହେବା ସମ୍ଭବ ନୁହେଁ ।