ସେମିଫାଇନାଲ ପାଇଁ ଏହି ନିୟମମାନ ଜାରି କରିଛି ମୁମ୍ବାଇ ପୋଲିସ

ମୁମ୍ବାଇ: ବୁଧବାର ବିଶ୍ବକପରେ ପ୍ରଥମ ସେମିଫାଇନାଲ ମ୍ୟାଚ ଖେଳାଯିବାକୁ ଯାଉଛି । ଏହି ହାଇଭୋଲଟେଜ ମ୍ୟାଚରେ ନ୍ୟୁଜିଲାଣ୍ଡ ଏବଂ ଭାରତ ମଧ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି । ଭାରତରେ ବିଶ୍ବକପ ଅନୁଷ୍ଟିତ ହେଉଥିବାବେଳେ ଖେଳ ଦେଖିବା ପାଇଁ ଦର୍ଶକଙ୍କ ଭିଡ଼ ଜମୁଛି । ଗୋଟିଏ ଦିନରେ ସବୁ ଟିକେଟ ବିକ୍ରି ହୋଇଯାଇଛି । ଭିଡ଼କୁ ଦୃଷ୍ଟିରେ ରଖି ମୁମ୍ବାଇ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସେମିଫାଇନାଲ ମୁକାବିଲା ଦେଖିବା ପାଇଁ ଦର୍ଶକଙ୍କ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଥିବାବେଳେ ଟିକେଟ କଳାବଜାରୀ ହେଉଥିବା ଅଭିଯୋଗ ଆସିଥିଲା । ମୁମ୍ବାଇ ପୋଲିସ କଡ଼ା ସୁରକ୍ଷା ବ୍ୟବସ୍ଥା କରିଥିବାବେଳେ କଳା ବଜାରି କରୁଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ ମଧ୍ୟ କରିଛି ।

ଡିସିପି ପ୍ରବୀଣ ମୁଣ୍ଡେ କହିଛନ୍ତି କି, ଏହି ମ୍ୟାଚ ସମୟରେ ଷ୍ଟାଡିୟମରେ ପୋଲିସ ଛାଉଣି କରାଯିବ । ୬ଶହରୁ ଅଧିକ ପୋଲିସ ଅଧିକାରୀ ନିୟୋଜିତ ହେବେ । ଯେଭଳି ଖେଳ ସମୟରେ ଦର୍ଶକମାନେ କିଛି ବିଭ୍ରାନ୍ତ ନଉପୁଜାନ୍ତି ସେ ଉପରେ ଗୁରୁତ୍ବ ଦିଆଯିବ । ବିନା ଟିକେଟରେ ଯେଭଳି କେହି ପ୍ରବେଶ ନକରନ୍ତି ଏବଂ ଅପ୍ରିତିକର ପରିସ୍ଥିତି ସୃଷ୍ଟି ନହୁଏ ସେ ଉପରେ ଗୁରୁତ୍ବ ଦିଆଯିବ । ମ୍ୟାଚ ଅପରାହ୍ନ ୨ଟାରୁ ଆରମ୍ଭ ହେବାକୁ ଥିବାବେଳେ ୧୧ଟା୩୦ରୁ ଷ୍ଟାଡିୟମକୁ ଦର୍ଶକମାନେ ଯାଇପାରିବେ । ନିଷିଦ୍ଧ ସାମଗ୍ରୀ ନନେବାକୁ ଅନୁରୋଧ କରାଯାଇଥିବାବେଳେ ଶୀଘ୍ର ଯିବାକୁ କୁହାଯାଇଛି । ଅନେକ ସମୟରେ ଶେଷ ସମୟରେ ଦର୍ଶକମାନେ ଭିଡ଼ ଜମାଉଥିବାବେଳେ ସିଟ ପାଇଁ ଅସୁବିଧା ଉପୁଜିଥାଏ । ଏଣୁ ଶୀଘ୍ର ଯିବା ସହ ନିଜର ସିଟରେ ବସିବାକୁ କୁହାଯାଇଛି ।

ସୂଚନା ଥାଉକି, ଚଳିତ ବିଶ୍ବକପରେ ଭାରତ ୯ଟି ଯାକ ଲିଗ ମ୍ୟାଚ ଜିତିଥିବାବେଳେ ପଏଣ୍ଟ ଟେବୁଲର ଶୀର୍ଷରେ ରହିବା ସହ ସେମିରେ ପ୍ରବେଶ କରିଛି । ଚତୁର୍ଥ ସ୍ଥାନରେ ରହିଥିବା ନ୍ୟୁଜିଲାଣ୍ଡକୁ ଭାରତ ଭେଟୁଥିବାବେଳେ ଏହି ନକଆଉଟ ମ୍ୟାଚରେ ଭାରତର ପ୍ରଦର୍ଶନ କିଭଳି ହେବ ତାକୁ ନେଇ କ୍ରିକେଟପ୍ରେମୀମାନେ ଚିନ୍ତାରେ ରହିଛନ୍ତି । ପୂର୍ବରୁ ଆଇସିସିର ବଡ଼ ଟୁର୍ଣ୍ଣାମେଣ୍ଟରେ ଭାରତ ନ୍ୟୁଜିଲାଣ୍ଡଠାରୁ ହାରିବାର ରେକର୍ଡ ରହିଛି । ସେ ୨୦୧୯ ଦିନିକିଆ ବିଶ୍ବକପର ସେମିଫାଇନାଲ ହେଉ ବା ଟେଷ୍ଟ ଚାମ୍ପିୟନସିପ୍ ।