ସମ୍ବଲପୁର: ସମ୍ବଲପୁରରେ ଡେଙ୍ଗୁ ଭୟ । ଜିଲ୍ଲାରେ ପାଞ୍ଚଟି ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଆଗକୁ ଟେଷ୍ଟିଂ ବଢ଼ିଲେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ିପାରେ ବୋଲି ଅନୁମାନ କରାଯାଉଛି । ତେବେ ଡେଙ୍ଗୁ ରୋଗୀ ସଂଖ୍ୟା ବଢ଼ିବାକୁ ନେଇ ମହାନଗର ନିଗମକୁ ଦାୟୀ କରିଛନ୍ତି ସମ୍ବଲପୁରବାସୀ । ସହର ସାରା ଯୁଆଡ଼େ ଦେଖିବେ କୁଢ଼ କୁଢ଼ ଆବର୍ଜନା ପଡ଼ିରହୁଥିବା ଅଭିଯୋଗ ହୋଇଛି । ସହରରେ ସଚେତନତା କି ଡେଙ୍ଗୁ ନିରାକରଣ ପାଇଁ ପଦକ୍ଷେପ ନିଆଯାଉନଥିବା ଅଭିଯୋଗ ହୋଇଛି । ସମ୍ବଲପୁର ସହରାଞ୍ଚଳରୁ ଚିହ୍ନଟ ରୋଗୀଙ୍କ ମଧ୍ୟରୁ ତିନିଜଣଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିବା ବେଳେ ଦୁଇଜଣ ଘରେ ରହି ଚିକିତ୍ସିତ ହେଉଛନ୍ତି । ଯେଉଁ ଅଞ୍ଚଳରେ ରୋଗୀ ବାହାରିଛନ୍ତି ସେ ଅଞ୍ଚଳରେ ଆହୁରି ଟେଷ୍ଟିଂ ବଢିଲେ ଡେଙ୍ଗୁ ରୋଗୀ ସଂଖ୍ୟା ବଢିପାରେ ବୋଲି ଡାକ୍ତର କହିଛନ୍ତି । ସେପଟେ ଡେଙ୍ଗୁ ମୁକାବିଲା ପାଇଁ ସ୍ବାର୍ଥ ବିଭାଗ ପ୍ରସ୍ତୁତ ଥିବା ଜଣାପଡିଛି ।
ଆସିକାର ମନମୋହୁଛି ଗାଁ ମଶାଣୀ, ସବୁଜ ପରିବେଶ ଭିତରେ ହେଉଛି ଶବ ଦାହ
ଆସିକା: ପ୍ରବେଶ ପଥରେ ମହାଦେବଙ୍କ ମୂର୍ତ୍ତି । ଗେଟ୍ ଦେଇ ଭିତରକୁ ଗଲେ ଦେଖିବେ ସୁନ୍ଦର ସବୁଜ ପରିବେଶ । ବସିବା ପାଇଁ ପରିସ୍କାର ସ୍ଥାନ, ଶୌଚାଳୟ ସହ ଚଲା ବୁଲା କରିବାକୁ ପକ୍କା ରାସ୍ତା । ଏସବୁ ଚିତ୍ର ଦେଖି ଆପଣ ଏହାକୁ ଏକ ପାର୍କ ଭାବିପାରନ୍ତି । କିନ୍ତୁ ଏହା ଏକ ମଶାଣୀ । ରାଜ୍ୟ ସରକାରଙ୍କ ସହାୟତାରେ ଗଞ୍ଜାମ ଜିଲ୍ଲା ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ୮ ନମ୍ବର ଓ୍ବାର୍ଡରେ ନିର୍ମାଣ ହୋଇଛି ଆଦର୍ଶ ମଶାଣୀ ।
ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର ସହଯୋଗରେ ନିର୍ମାଣ ହୋଇଥିବା ଏହି ମଶାଣୀ ପାଇଁ ଖର୍ଚ୍ଚ ହୋଇଛି ୬୪ ଲକ୍ଷ ୪୭ ହଜାର ଟଙ୍କା । ସ୍ବଚ୍ଛତା ଓ ପରିଚ୍ଛନତାର ବ୍ୟବସ୍ଥା ପାଇଁ ଏହା ଲୋକଙ୍କୁ ଆକର୍ଶିତ କରୁଛି । ଶବ ଦାହ କରିବା ପରେ ଆରାମରେ କିଛି ସମୟ ବସି ସମୟ ବିତାପାରୁଛନ୍ତି ସମ୍ପର୍କୀୟ । ଯୁବଗୋଷ୍ଠୀ ସାଙ୍ଗସାଥୀଙ୍କ ସହ ଆସି ଏଠାରେ ବସାଉଠା କରିବା ସହ ସେଲଫି ମଧ୍ୟ ନେଉଛନ୍ତି । ଆଦର୍ଶ ମଶାଣୀ ପାଇଁ ଶବ ଦାହରେ ସମସ୍ୟା ହେଉନଥିବାରୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ଅଞ୍ଚଳବାସୀ । ଆଦର୍ଶ ମଶାଣୀ ଦ୍ବାରା ଶବ ଦାହ ଚିନ୍ତା ଦୂର ହୋଇଛି । ଏଥିସହ ବୁଲାବୁଲି ସାଙ୍ଗକୁ ଆଦର୍ଶ ମଶାଣିରେ ଗପସପର ଆସର ଜମୁଛି ।
ସିଲେଇ ଶିଖି ସ୍ବାବଲମ୍ବୀ ସ୍ବୟଂ ସହାୟକ ଗୋଷ୍ଠୀ ମହିଳା, ୪ଟି ସିଲେଇ ମେସିନରେ ତିଆରି କରୁଛନ୍ତି ସମସ୍ତ ସାମଗ୍ରୀ
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାର ବେହେରା ଗାଁ । ୬ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀକୁ ନେଇ ଏଠାରେ ଗଠନ ହୋଇଛି ଦଣ୍ଡପାଟ ପ୍ରଡୁସର୍ ଗ୍ରୁପ୍ । ପ୍ରାୟ ଶତାଧିକ ମହିଳା ଏହି ଗ୍ରୁପ୍ ସହ ଜଡିତ । ସିଲେଇ ଶିକ୍ଷା କରି କପଡାରେ ସୁନ୍ଦର ସୁନ୍ଦର ପୋଷାକ ବ୍ୟାଗ୍ ସାଙ୍ଗକୁ ଏମ୍ରୋଡରୀ କରି ତାକୁ ବିକ୍ରି କରୁଛନ୍ତି । ସେଥିରୁ ଯାହା ରୋଜଗାର ସେଥିରେ ଚଳୁଛି ପରିବାର । କିନ୍ତୁ କାମ କରିବା ପାଇଁ ମାତ୍ର ଗୋଟିଏ ଘର ଥିବାରୁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ମହିଳା ।
୪ଟି ସିଲେଇ ମେସିନ ଏବଂ ଗୋଟେ ଘରେ କାମ କରୁଛନ୍ତି ମହିଳା । ଅଧିକ ମହିଳାଙ୍କୁ ସିଲେଇ ଶିଖେଇବା ପାଇଁ ଶିକ୍ଷକ ଥିବା ବେଳେ ରହିଛି ଘରର ଅଭାବ । ଦୁଇ ଜଣ ସିଲେଇ ଶିକ୍ଷକ ଯାହା ଯେତିକି ସମ୍ଭବ ସିଲେଇ ଶିଖାଉଛନ୍ତି । ପର୍ଯ୍ୟାପ୍ତ ଘର ନଥିବାରୁ ଅନେକ ମହିଳା ଶିଲେଇ କାର୍ଯ୍ୟ ଶିଖିବାରୁ ବଞ୍ଚିତ ରହିଛନ୍ତି । ଏନେଇ ଘରଟିଏ ଯୋଗାଇଦେବାକୁ ଅନୁରୋଧ କରିଛନ୍ତି ଏସଏଚଜି ମହିଳାମାନେ । ରାଜ୍ୟ ସରକାର ମିଶନ ଶକ୍ତି ଜରିଆରେ ଅନେକ ମହିଳାଙ୍କୁ ସ୍ବାବଲମ୍ବୀ କରିଛନ୍ତି । ବେହେରା ଗାଁରେ ସରକାର ସିଲେଇ ମେସିନ୍ ସହ ଘର ଯୋଗାଇଦେଲେ ଆହୁରି ଅଧିକ ମହିଳା ରୋଜଗାରକ୍ଷମ ହୋଇପାରିବେ ।
ପୁରୁଷୋତ୍ତମପୁରର ଋଷିକୂଲ୍ୟା ନଦୀ ଉପରେ ନିର୍ମାଣ ହେଲା ସେତୁ, ଉପକୃତ ହେବେ ୧୦ଟି ପଞ୍ଚାୟତର ଲୋକ
ଗଞ୍ଜାମ: ପୂରଣ ହେଲା ଦୀର୍ଘ ବର୍ଷର ଦାବି । ଋଷିକୂଲ୍ୟା ନଦୀ ଉପରେ ନିର୍ମାଣ ହେଲା ସେତୁ । ଏଣିକି ଆଉ ଡଙ୍ଗା ନୁହେଁ କି ସହର ବୁଲିବାକୁ ପଡ଼ିବନି । ଗଞ୍ଜାମ ଜିଲ୍ଲାର ମାଆ ତାରାତାରିଣୀ ପୀଠକୁ ଯିବାକୁ ହେଲେ ଏହି ସେତୁ ହିଁ ସାଜିବ ବଡ଼ ମାଧ୍ୟମ । ପୁରୁଷୋତ୍ତମପୁର ହାଣ୍ଡିଘରରୁ ତାରାତାରିଣୀ ପୀଠକୁ ସମ୍ପର୍କର ସେତୁ ସାଜିଛି ବିଜୁ ସେତୁ । ମୋଟ ୨୩ କୋଟି ଟଙ୍କା ବ୍ୟୟ ଅଟକଳ ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୬ କୋଟି ଟଙ୍କା ଖର୍ଚ୍ଚ ହୋଇସାରିଛି । ସେତୁର ଲମ୍ବ ୩୬୭ ମିଟର ରହିଥିବା ବେଳେ ଏହା ପୁରୁଷୋତ୍ତମପୁରର ସବୁଠାର ଅଧିକ ଲମ୍ବା ସେତୁ ବୋଲି କହିଛନ୍ତି ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ । ସେତୁକୁ ସଂଯୋଗ କରୁଥିବା ରାସ୍ତା କାର୍ଯ୍ୟ ଚାଲୁ ରହିଥିବା ବେଳେ ଅକ୍ଟୋବର ମାସ ଶେଷ ସୁଦ୍ଧା ସମସ୍ତ କାର୍ଯ୍ୟ ଶେଷ ହେବ ।
ଭୁବନେଶ୍ବର, କଟକ ସହ ବିଭିନ୍ନ ଜିଲ୍ଲାରୁ ମା’ ତାରାତାରିଣୀଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତମାନେ ଏହି ସେତୁ ଦେଇ ମାଆଙ୍କ ନିକଟକୁ କମ୍ ସମୟ ମଧ୍ୟରେ ଯାଇପାରିବେ । ଦୀର୍ଘ ବର୍ଷର ଦାବି ରାଜ୍ୟ ସରକାର ଶୁଣିଥିବା ଯୋଗୁଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ୧୦ଟି ପଞ୍ଚାୟତର ଗ୍ରାମବାସୀ ।
ହାଣ୍ଡିଘର, ଆଛୁଲି, ପ୍ରତାପୁର ଭଳି ପ୍ରାୟ ୧୦ଟି ପଞ୍ଚାୟତର ଲୋକ ତାରାତାରିଣୀ ଯିବାକୁ ହେଲେ ସହର ବୁଲିବାକୁ ପଡ଼ୁଥିଲା । ବେଳେ ବେଳେ ଋଷିକୁଲ୍ୟା ନଦୀ ପାର ହୋଇ ଯିବାକୁ ମଧ୍ୟ ପଡ଼ୁଥିଲା । ଏବେ ବିଜୁ ସେତୁ ଯୋଜନାରେ ଋଷିକୂଲ୍ୟା ସେତୁ ନିର୍ମାଣ ହେବା ପରେ ଦୀର୍ଘ ବର୍ଷର ସମସ୍ୟାର ସମାଧାନ ହୋଇଛି । ଗତ ୨୦୧୯ ମସିହାରେ ସେତୁର କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ସଠିକ ସମୟରେ କାର୍ଯ୍ୟ ଶେଷ ହୋଇଥିବାରୁ ଖୁସି ପ୍ରକାଶ କରିଛନ୍ତି ଅଞ୍ଚଳ ବାସୀ ।
ମହୁଲପାଲି ଲପଡ଼ା ଟ୍ରିପଲ ମର୍ଡର ମାମଲା, ଅଭିଯୁକ୍ତ ନବୀନ ଦେହୁରୀଙ୍କୁ ମୃତ୍ୟୁ ଦଣ୍ଡାଦେଶ
ସମ୍ବଲପୁର: ସମ୍ବଲପୁର ମହୁଲପାଲି ଲପଡ଼ା ଟ୍ରିପଲ ମର୍ଡର ମାମଲା । ଅଭିଯୁକ୍ତ ନବୀନ ଦେହୁରୀଙ୍କୁ ମୃତ୍ୟୁ ଦଣ୍ଡାଦେଶ । ସହଯୋଗୀ ତଥା ପୁଅ ହେମାନନ୍ଦ ଦେହୁରୀକୁ ଆଜୀବନ କାରାଦଣ୍ଡା ଦେଶ ଶୁଣାଇଲେ ଅତିରିକ୍ତ ଜିଲ୍ଲା ଦୌରାଜଜ୍ । ଏନେଇ ସୂଚନା ଦେଇଛନ୍ତି ସରକାରୀ ଓକିଲ ରବୀନ୍ଦ ନାୟକ । ଗତ ୨୦୨୦ ମସିହାରେ ସମ୍ବଲପୁର ମହୁଲପାଲି ଲପଡା ଗାଁରେ ହୋଇଥିଲା ଟ୍ରିପଲ ମର୍ଡର ।
ପୂର୍ବ ଶତ୍ରୁତାରୁ ଗାଁରେ ଫୁଟିଲା ବୋମା, ୩ ଆହତ
ଆଠଗଡ଼: ପୂର୍ବ ଶତ୍ରୁତାରୁ ବୋମାମାଡ଼ । ଗାଁରେ ଫୁଟିଲା ବୋମା । ଆଠଗଡ଼ ଥାନା ସମସରପୁର ପଞ୍ଚାୟତର ଅମୃତମଣୋହି ପାଟଣା ଗାଁରେ ବୋମାମାଡ଼ ହୋଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ଼ ହୋଇଥିବା ବେଳେ ତିନି ଜଣ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଗତ ପଞ୍ଚାୟତ ନିର୍ବାଚନରେ ଜିତିଥିବା ଓ ହାରିଥିବା ଗୋଷ୍ଠୀ ମଧ୍ୟରେ ବିବାଦ ଲାଗି ରହିଥିଲା । ଗତ ଜୁଲାଇ ୧୪ ତାରିଖରେ ଶ୍ମଶାନ ରାସ୍ତାକୁ ନେଇ ଉଭୟ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ଏନେଇ ଥାନାରେ ଅଭିଯୋଗ ହୋଇଥିଲେ ବି ବିବାଦର ସମାଧାନ ହୋଇପାରିନଥିଲା । ଯାହାକୁ ନେଇ ଆଜି ଦୁଇ ଗୋଷ୍ଠୀ ମଧ୍ୟରେ ପୁଣି ସଂଘର୍ଷ ହୋଇଛି ।
ପୁରୀ କୁମ୍ଭାରପଡା ଥାନା ମାଳିଜାଗାରେ ଛୁରାମାଡ଼, ଜଣେ ମୃତ
ପୁରୀ: ପୁରୀ କୁମ୍ଭାରପଡ଼ା ଥାନା ମାଳିଜାଗାରେ ଛୁରାମାଡ଼ । ଛୁରାମାଡରେ ଜଣଙ୍କର ମୃତ ହୋଇଥିବାବେଳେ ୪ ଜଣ ଆହତ ହୋଇଛନ୍ତି । ଆହତ ୪ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଛୁରାମାଡ଼ ହୋଇଥିବା ସୂଚନା । ଛୁରାମାଡ଼ କରି ଘଟଣାସ୍ଥଳରୁ ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି । ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।
ଥମିନି ମଣିପୁର ହିଂସା, ମଣିପୁର ଇନସାଫ ମୋର୍ଚ୍ଚା ପକ୍ଷରୁ ପଞ୍ଜାବ ବନ୍ଦ
ଚଣ୍ଡିଗଡ଼: ଥମିନି ମଣିପୁର ହିଂସା । ମଣିପୁର ହିଂସା ପ୍ରସଙ୍ଗରେ ପଞ୍ଜାବ ବନ୍ଦ । ବିଭିନ୍ନ ଦଳିତ ଓ ଖ୍ରୀଷ୍ଟିଆନ ସମ୍ପ୍ରଦାୟକୁ ନେଇ ଗଠିତ ମଣିପୁର ଇନସାଫ ମୋର୍ଚ୍ଚା ପକ୍ଷରୁ ପାଳିତ ହୋଇଛି ବନ୍ଦ । ବନ୍ଦ ଯୋଗୁ ସାରା ରାଜ୍ୟରେ ଜନଜୀବନ ବ୍ୟାହତ ହୋଇଛି । ମଣିପୁରରେ ଗତ ଚାରି ମାସ ଧରି ହିଂସା ଜାରି ରହିଥିବାବେଳେ ଶାନ୍ତି ଫେରୁନି । ହଜାର ହଜାର ଲୋକ ବେଘର ହେଲେଣି । ଆଦିବାସୀ ଓ ଦଳିତମାନେ ବିଶେଷ କ୍ଷତିଗ୍ରସ୍ତ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ୧୭୦ରୁ ଅଧିକ ଲୋକ ପ୍ରାଣ ହରାଇଲେଣି । ରବିଦାସ ଓ ବାଲ୍ମିକୀ ସମ୍ରଦାୟ ପକ୍ଷରୁ ବନ୍ଦକୁ ସମର୍ଥନ କରାଯାଇଛି ।
ସ୍ମୃତି ଇରାନୀଙ୍କ ବିବୃତି ବେଳେ ରାହୁଲ ଫ୍ଲାଇଂ କିସ୍ ଦେଇଥିବା ଅଭିଯୋଗ, କାର୍ଯ୍ୟାନୁଷ୍ଠାନ ଲାଗି ବାଚସ୍ପତିଙ୍କ ନିକଟରେ ଦାବି
ନୂଆଦିଲ୍ଲୀ: ମଣିପୁର ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ରାହୁଲ ଗାନ୍ଧୀଙ୍କ ଟାର୍ଗେଟ ପରେ ବିବାଦ । ନିଜର ବୟାନ ପରେ ଏକ ଫ୍ଲାଇଂ କିସ୍ ମାରିଛନ୍ତି ବୋଲି ଅଭିଯୋଗ କରିଛନ୍ତି ବିଜେପି ସାଂସଦ । ଏନେଇ କେନ୍ଦ୍ରମନ୍ତ୍ରୀ ଶୋଭା କାରନ୍ଦଲାଜେ ଓ ଅନ୍ୟ କେତେକ ସାଂସଦ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ନିକଟରେ କରିଛନ୍ତି ଅଭିଯୋଗ । ସେମାନେ ଅଭିଯୋଗ କରିଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ଲକ୍ଷ୍ୟ କରି ରାହୁଲ ଏହି ଅଶୋଭନୀୟ ଆଚରଣ ପ୍ରଦର୍ଶନ କରିଥିଲେ । ରାହୁଲଙ୍କ ବିରୋଧରେ ହୋଇଥିବା ଅଭିଯୋଗରେ ସ୍ବାକ୍ଷର କରିଛନ୍ତି ବିଜେପିର ୨୧ ସାଂସଦ । ରାହୁଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ସେମାନେ କରିଛନ୍ତି । ଅନାସ୍ଥା ପ୍ରସ୍ତାବ ପ୍ରସଙ୍ଗରେ ରାହୁଲ ଆଜି ପ୍ରଥମେ ଉଦବୋଧନ ଦେଇଥିବାବେଳେ ସ୍ମୃତି ଇରାନି ନିଜ ପକ୍ଷ ରଖିଥିଲେ । ମାତ୍ର ସ୍ମିୃତି ଇରାନି ଭାଷଣ ଦେଉଥିବାବେଳେ ରାହୁଲ ଏହି ଇଙ୍ଗିତ କରିଥିଲେ ବୋଲି ଅଭିଯୋଗ ହୋଇଛି ।
ଦୁଇ ଦିନିଆ ମୟୂରଭଞ୍ଜ ଗସ୍ତରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ
ବାରିପଦା: ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂଶଲଙ୍କ ଦୁଇ ଦିନିଆ ମୟୂରଭଞ୍ଜ ଗସ୍ତ । ଜିଲ୍ଲାର ଆଇନଶୃଙ୍ଖଳା ପରିସ୍ଥିତି ସହିତ ଶିମିଳିପାଳ ଅଭୟାରଣ୍ୟର ସୁରକ୍ଷା ସମ୍ପର୍କରେ ସମୀକ୍ଷା କରିଛନ୍ତି ଡିଜିପି ବଂଶଲ । ଶିମିଳିପାଳ ଅଭୟାରଣ୍ୟର ସୁରକ୍ଷା ସମ୍ପର୍କରେ ସମୀକ୍ଷା କରିବା ସହ ଆଗାମୀ ଦିନରେ ସୁରକ୍ଷା ବ୍ୟବସ୍ଥା କିପରି କଡ଼ାକଡ଼ି ହୋଇପାରିବ ସେ ସମ୍ପର୍କରେ ଆଲୋଚନା କରିଛନ୍ତି ।
ଦୁଇ ବନକର୍ମଚାରୀଙ୍କ ହତ୍ୟା ପରେ ସର୍ଚ୍ଚ ଅପରେସନ, ବିଭିନ୍ନ ମାମଲାରେ ଅଭିଯୁକ୍ତଙ୍କୁ ଗିରଫ ଓ ମାରଣାସ୍ତ୍ର ଆଦି ଜବତ କରାଯାଇଥିବା ବେଳେ ପୋଲିସର ଏହି ସଫଳତାକୁ ପୋଲିସ ଡିଜିପି ପ୍ରଶଂସା କରିଛନ୍ତି । ବନବିଭାଗ ସହ ଶିମିଳିପାଳ ପାଇଁ ଗଠିତ ଜଏଣ୍ଟ ଟାସ୍କଫୋର୍ସ ଅଭୟାରଣ୍ୟକୁ ସୁରକ୍ଷା ଦେବାରେ ଅଧିକ ପଦକ୍ଷେପ ଗ୍ରହଣ କରିବେ ବୋଲି ଡିଜିପି ବଂଶଲ କହିଛନ୍ତି ।
ଅଭୟାରଣ୍ୟକୁ ଶିକାରୀ ଓ ଶିକାରମୁକ୍ତ କରିବା ସମ୍ପର୍କରେ ଆଇଜି ଓ ଏସପିଙ୍କ ସହ ଆଲୋଚନା କରିଛନ୍ତି । ପୋଲିସ ଏଡିଜି ସଞ୍ଜୟ କୁମାର, ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ, ଜିଲ୍ଲାପାଳ ବିନୀତ ଭରଦ୍ବାଜ, ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଭାରପ୍ରାପ୍ତ କ୍ଷେତ୍ର ନିର୍ଦ୍ଦେଶକ ଡ. ପ୍ରକାଶ ଚନ୍ଦ୍ର ଗୋଗେନାନୀ ପ୍ରମୁଖ ଡିଜିପିଙ୍କ ଗସ୍ତ ବେଳେ ସାମିଲ ହୋଇଥିଲେ ।

