ସିଲେଇ ଶିଖି ସ୍ବାବଲମ୍ବୀ ସ୍ବୟଂ ସହାୟକ ଗୋଷ୍ଠୀ ମହିଳା, ୪ଟି ସିଲେଇ ମେସିନରେ ତିଆରି କରୁଛନ୍ତି ସମସ୍ତ ସାମଗ୍ରୀ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାର ବେହେରା ଗାଁ । ୬ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀକୁ ନେଇ ଏଠାରେ ଗଠନ ହୋଇଛି ଦଣ୍ଡପାଟ ପ୍ରଡୁସର୍ ଗ୍ରୁପ୍ । ପ୍ରାୟ ଶତାଧିକ ମହିଳା ଏହି ଗ୍ରୁପ୍ ସହ ଜଡିତ । ସିଲେଇ ଶିକ୍ଷା କରି କପଡାରେ ସୁନ୍ଦର ସୁନ୍ଦର ପୋଷାକ ବ୍ୟାଗ୍ ସାଙ୍ଗକୁ ଏମ୍ରୋଡରୀ କରି ତାକୁ ବିକ୍ରି କରୁଛନ୍ତି । ସେଥିରୁ ଯାହା ରୋଜଗାର ସେଥିରେ ଚଳୁଛି ପରିବାର । କିନ୍ତୁ କାମ କରିବା ପାଇଁ  ମାତ୍ର ଗୋଟିଏ ଘର ଥିବାରୁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ମହିଳା ।

୪ଟି ସିଲେଇ ମେସିନ ଏବଂ ଗୋଟେ ଘରେ କାମ କରୁଛନ୍ତି ମହିଳା । ଅଧିକ ମହିଳାଙ୍କୁ ସିଲେଇ ଶିଖେଇବା ପାଇଁ ଶିକ୍ଷକ ଥିବା ବେଳେ ରହିଛି ଘରର ଅଭାବ । ଦୁଇ ଜଣ ସିଲେଇ ଶିକ୍ଷକ ଯାହା ଯେତିକି ସମ୍ଭବ ସିଲେଇ ଶିଖାଉଛନ୍ତି । ପର୍ଯ୍ୟାପ୍ତ ଘର ନଥିବାରୁ ଅନେକ ମହିଳା ଶିଲେଇ କାର୍ଯ୍ୟ ଶିଖିବାରୁ ବଞ୍ଚିତ ରହିଛନ୍ତି । ଏନେଇ ଘରଟିଏ ଯୋଗାଇଦେବାକୁ ଅନୁରୋଧ କରିଛନ୍ତି ଏସଏଚଜି ମହିଳାମାନେ । ରାଜ୍ୟ ସରକାର ମିଶନ ଶକ୍ତି ଜରିଆରେ ଅନେକ ମହିଳାଙ୍କୁ ସ୍ବାବଲମ୍ବୀ କରିଛନ୍ତି । ବେହେରା ଗାଁରେ ସରକାର ସିଲେଇ ମେସିନ୍ ସହ ଘର ଯୋଗାଇଦେଲେ ଆହୁରି ଅଧିକ ମହିଳା ରୋଜଗାରକ୍ଷମ ହୋଇପାରିବେ ।