ପୁରୁଷୋତ୍ତମପୁରର ଋଷିକୂଲ୍ୟା ନଦୀ ଉପରେ ନିର୍ମାଣ ହେଲା ସେତୁ, ଉପକୃତ ହେବେ ୧୦ଟି ପଞ୍ଚାୟତର ଲୋକ

ଗଞ୍ଜାମ: ପୂରଣ ହେଲା ଦୀର୍ଘ ବର୍ଷର ଦାବି । ଋଷିକୂଲ୍ୟା ନଦୀ ଉପରେ ନିର୍ମାଣ ହେଲା ସେତୁ । ଏଣିକି ଆଉ ଡଙ୍ଗା ନୁହେଁ କି ସହର ବୁଲିବାକୁ ପଡ଼ିବନି । ଗଞ୍ଜାମ ଜିଲ୍ଲାର ମାଆ ତାରାତାରିଣୀ ପୀଠକୁ ଯିବାକୁ ହେଲେ ଏହି ସେତୁ ହିଁ ସାଜିବ ବଡ଼ ମାଧ୍ୟମ । ପୁରୁଷୋତ୍ତମପୁର ହାଣ୍ଡିଘରରୁ ତାରାତାରିଣୀ ପୀଠକୁ  ସମ୍ପର୍କର ସେତୁ ସାଜିଛି ବିଜୁ ସେତୁ । ମୋଟ ୨୩ କୋଟି ଟଙ୍କା ବ୍ୟୟ ଅଟକଳ ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୬ କୋଟି ଟଙ୍କା ଖର୍ଚ୍ଚ ହୋଇସାରିଛି । ସେତୁର ଲମ୍ବ ୩୬୭ ମିଟର ରହିଥିବା ବେଳେ ଏହା ପୁରୁଷୋତ୍ତମପୁରର ସବୁଠାର ଅଧିକ ଲମ୍ବା ସେତୁ ବୋଲି କହିଛନ୍ତି ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ । ସେତୁକୁ ସଂଯୋଗ କରୁଥିବା ରାସ୍ତା କାର୍ଯ୍ୟ ଚାଲୁ ରହିଥିବା ବେଳେ ଅକ୍ଟୋବର ମାସ ଶେଷ ସୁଦ୍ଧା ସମସ୍ତ କାର୍ଯ୍ୟ ଶେଷ ହେବ ।

ଭୁବନେଶ୍ବର, କଟକ ସହ ବିଭିନ୍ନ ଜିଲ୍ଲାରୁ ମା’ ତାରାତାରିଣୀଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତମାନେ ଏହି ସେତୁ ଦେଇ ମାଆଙ୍କ ନିକଟକୁ କମ୍ ସମୟ ମଧ୍ୟରେ ଯାଇପାରିବେ । ଦୀର୍ଘ ବର୍ଷର ଦାବି ରାଜ୍ୟ ସରକାର ଶୁଣିଥିବା ଯୋଗୁଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ୧୦ଟି ପଞ୍ଚାୟତର ଗ୍ରାମବାସୀ ।

ହାଣ୍ଡିଘର, ଆଛୁଲି, ପ୍ରତାପୁର ଭଳି ପ୍ରାୟ ୧୦ଟି ପଞ୍ଚାୟତର ଲୋକ ତାରାତାରିଣୀ ଯିବାକୁ ହେଲେ ସହର ବୁଲିବାକୁ ପଡ଼ୁଥିଲା । ବେଳେ ବେଳେ ଋଷିକୁଲ୍ୟା ନଦୀ ପାର ହୋଇ ଯିବାକୁ ମଧ୍ୟ ପଡ଼ୁଥିଲା । ଏବେ ବିଜୁ ସେତୁ ଯୋଜନାରେ ଋଷିକୂଲ୍ୟା ସେତୁ ନିର୍ମାଣ ହେବା ପରେ ଦୀର୍ଘ ବର୍ଷର ସମସ୍ୟାର ସମାଧାନ ହୋଇଛି । ଗତ ୨୦୧୯ ମସିହାରେ ସେତୁର କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ସଠିକ ସମୟରେ କାର୍ଯ୍ୟ ଶେଷ ହୋଇଥିବାରୁ ଖୁସି ପ୍ରକାଶ କରିଛନ୍ତି ଅଞ୍ଚଳ ବାସୀ ।