ଆସିକାର ମନମୋହୁଛି ଗାଁ ମଶାଣୀ, ସବୁଜ ପରିବେଶ ଭିତରେ ହେଉଛି ଶବ ଦାହ

ଆସିକା: ପ୍ରବେଶ ପଥରେ ମହାଦେବଙ୍କ ମୂର୍ତ୍ତି । ଗେଟ୍ ଦେଇ ଭିତରକୁ ଗଲେ ଦେଖିବେ ସୁନ୍ଦର ସବୁଜ ପରିବେଶ । ବସିବା ପାଇଁ ପରିସ୍କାର ସ୍ଥାନ, ଶୌଚାଳୟ ସହ ଚଲା ବୁଲା କରିବାକୁ ପକ୍କା ରାସ୍ତା । ଏସବୁ ଚିତ୍ର ଦେଖି ଆପଣ ଏହାକୁ ଏକ ପାର୍କ ଭାବିପାରନ୍ତି । କିନ୍ତୁ ଏହା ଏକ ମଶାଣୀ । ରାଜ୍ୟ ସରକାରଙ୍କ ସହାୟତାରେ ଗଞ୍ଜାମ ଜିଲ୍ଲା ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ୮ ନମ୍ବର ଓ୍ବାର୍ଡରେ ନିର୍ମାଣ ହୋଇଛି ଆଦର୍ଶ ମଶାଣୀ ।

ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର ସହଯୋଗରେ ନିର୍ମାଣ ହୋଇଥିବା ଏହି ମଶାଣୀ ପାଇଁ ଖର୍ଚ୍ଚ ହୋଇଛି ୬୪ ଲକ୍ଷ ୪୭ ହଜାର ଟଙ୍କା । ସ୍ବଚ୍ଛତା ଓ ପରିଚ୍ଛନତାର ବ୍ୟବସ୍ଥା ପାଇଁ ଏହା ଲୋକଙ୍କୁ ଆକର୍ଶିତ କରୁଛି । ଶବ ଦାହ କରିବା ପରେ ଆରାମରେ କିଛି ସମୟ ବସି ସମୟ ବିତାପାରୁଛନ୍ତି ସମ୍ପର୍କୀୟ । ଯୁବଗୋଷ୍ଠୀ ସାଙ୍ଗସାଥୀଙ୍କ ସହ ଆସି ଏଠାରେ ବସାଉଠା କରିବା ସହ ସେଲଫି ମଧ୍ୟ ନେଉଛନ୍ତି । ଆଦର୍ଶ ମଶାଣୀ ପାଇଁ ଶବ ଦାହରେ ସମସ୍ୟା ହେଉନଥିବାରୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ଅଞ୍ଚଳବାସୀ । ଆଦର୍ଶ ମଶାଣୀ ଦ୍ବାରା ଶବ ଦାହ ଚିନ୍ତା ଦୂର ହୋଇଛି । ଏଥିସହ ବୁଲାବୁଲି ସାଙ୍ଗକୁ ଆଦର୍ଶ ମଶାଣିରେ ଗପସପର ଆସର ଜମୁଛି ।