ବ୍ରହ୍ମପୁର: ଆସିଲା ଦୀପିକା ଓ ଦିନେଶଙ୍କ DNA ରିପୋର୍ଟ । ରିପୋର୍ଟରେ ସ୍ପଷ୍ଟ ଲେଖା ଅଛି ଯେ, ଜନ୍ମିତ ଶିଶୁର ବାୟୋଲୋଜିକାଲ ପ୍ୟାରେଣ୍ଟ୍ସ ହେଉଛନ୍ତି ଦିନେଶ ଓ ଦୀପିକା। ଗତକାଲି ଥାନାରୁ ସାର୍ଟିଫାଏଡ୍ କପି ଆଣିଥିଲେ ଦୀପିକା । ୨୦୨୨ରେ ଏହି ତଥ୍ୟ ରାଜ୍ୟ ଫରେନ୍ସିକ ଲ୍ୟାବ୍ ପକ୍ଷରୁ ପ୍ରସ୍ତୁତ ହୋଇଥିଲା । ୨୦୨୧ରେ ହୋଇଥିବା ମାମଲା ଅନୁସାରେ ଏହି ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ଟାଉନ ଥାନା ପକ୍ଷରୁ ଦିଆଯାଇଥିଲା । ୨୦୨୨ରେ ଏହି ରିପୋର୍ଟକୁ ଏସଡିଜେଏମ, ବ୍ରହ୍ମପୁର ଏସପି ଓ ଟାଉନ ଥାନାକୁ ଏହି ରିପୋର୍ଟ ପ୍ରଦାନ କରିଥିଲା ଏସଏଫଏସଏଲ । ଏପର୍ଯ୍ୟନ୍ତ ଏହି ରିପୋର୍ଟ କୋର୍ଟରେ ଦିଆଯାଇନଥିବା ଅଭିଯୋଗ କରିଥିଲେ ଦୀପିକା । ତେବେ କୋର୍ଟର ଆବଶ୍ୟକତା ଓ ତାଙ୍କ ଓକିଲର ଆବଶ୍ୟକତା ଅନୁସାରେ ଯୋଗାଇ ଦିଆଯାଇଥିବା କହିଥିଲେ ବ୍ରହ୍ମପୁର ଏସପି ଶ୍ରବଣ ଏମ୍ ।
ମୁଣ୍ଡଳୀ ବ୍ରିଜ ଉପରୁ ଯୁବକ ନିଖୋଜ ଘଟଣା, ମହାନଦୀକୁ ଡେଇଁଥିବା ସନ୍ଦେହ
କଟକ: ବାରଙ୍ଗଥାନା ଗୋଡ଼ିସାହି ଫାଣ୍ଡି ନିକଟ ମୁଣ୍ଡଳୀ ବ୍ରିଜ ଉପରେ ବାଇକ ଥୋଇ ଯୁବକ ନିଖୋଜ ଘଟଣା । ଯୁବକ ଜଣଙ୍କ ମହାନଦୀକୁ ଡେଇଁ ପଡ଼ିଥିବା ସନ୍ଦେହ କରାଯାଉଛି । ଗତକାଲି ବ୍ରିଜ୍ ଉପରୁ ବାଇକ, ହେଲମେଟ୍ ଓ ବ୍ୟାଗ୍ ମିଳିଥିବାବେଳେ ଯୁବକଙ୍କର ପତ୍ତା ମିଳୁଛି । ନିଖୋଜ ଯୁବକ ହେଲେ ନିଆଳି ଅଞ୍ଚଳର ଶାଶ୍ବତ ଷଡ଼ଙ୍ଗୀ । ତାଙ୍କୁ ଖୋଜିବାକୁ ଅଗ୍ନିଶମ ବାହିନୀ ମହନଦୀରେ ସର୍ଚ୍ଚ ଅପରେସନ ଜାରି ରଖିଛି । ଘଟଣାସ୍ଥଳରେ ଯୁବକଙ୍କ ପରିବାର ଲୋକ ମଧ୍ୟ ଉପସ୍ଥିତ ଅଛନ୍ତି । ଗତକାଲି ରାତି ସାଢେ ୯ଟା ବେଳେ ସ୍ଥାନୀୟ ଲୋକ ବ୍ରିଜ୍ ଉପରେ ବାଇକ, ବ୍ୟାଗ୍, ହେଲମେଟ ଦେଖି ପୋଲିସକୁ ଖବର ହେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ନମ୍ବର ଯାଞ୍ଚ କରି ପରିବାର ଲୋକଙ୍କୁ ଯୋଗାଯୋଗ କରିଥିଲା । ସେପଟେ ନିଖୋଜଙ୍କ ପରିବାର ଲୋକ କହିଛନ୍ତି ଟଙ୍କା କଲେକ୍ସନ ପାଇଁ ଶାଶ୍ବତ ଆସି ଆଉ ଫେରିନାହାନ୍ତି ।
ରାଜ୍ୟସଭାରେ ବିଲ୍ ଆଣିଲା କେନ୍ଦ୍ର, ଇସି ନିଯୁକ୍ତି କମିଟିରୁ ବାଦ୍ ପଡ଼ିବେ CJI
ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିଶନରଙ୍କ ସହ ଅନ୍ୟ କମିଶନରଙ୍କ ନିଯୁକ୍ତି ପ୍ରକ୍ରିୟାକୁ ନେଇ ନୂଆ ଆଇନ ପ୍ରଣୟନ କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି କେନ୍ଦ୍ର ସରକାର । ଏନେଇ ଗୁରୁବାର ରାଜ୍ୟସଭାରେ ଏକ ବିଲ୍ ଆଗତ କରାଯାଇଛି । ଏହି ବିଧେୟକ ଅନୁସାରେ ନିର୍ବାଚନ କମିଶନରଙ୍କ ନିଯୁକ୍ତି ଲାଗି ୩ ସଦସ୍ୟ ବିଶିଷ୍ଟ ଏକ ଚୟନ କମିଟି ଗଠନ କରାଯିବ । ଏହି କମିଟିରେ ପ୍ରଧାନମନ୍ତ୍ରୀ, ଲୋକସଭାରେ ବିରୋଧୀ ଦଳ ନେତା ଏବଂ ଜଣେ କ୍ୟାବିନେଟ ମନ୍ତ୍ରୀ ରହିବେ । ଗତ ମାର୍ଚ୍ଚରେ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ କେ.ଏମ୍ ଜୋସେଫଙ୍କ ନେତୃତ୍ବାଧୀନ ୫ ଜଣିଆ ଖଣ୍ଡପୀଠ ଏକ ନିର୍ଦ୍ଦେଶରେ କହିଥିଲେ ଯେ, ପ୍ରଧାନମନ୍ତ୍ରୀ, ଭାରତର ପ୍ରଧାନ ବିଚାରପତି (ସିଜେଆଇ ) ଏବଂ ଲୋକସଭାରେ ବିରୋଧୀ ଦଳ ନେତାଙ୍କୁ ନେଇ ଗଠିତ ଏକ କମିଟିର ପରାମର୍ଶ କ୍ରମେ ରାଷ୍ଟ୍ରପତି ସିଇସିଙ୍କୁ ନିଯୁକ୍ତି ଦିଅନ୍ତୁ। ହେଲେ କେନ୍ଦ୍ର ଆଣିଥୁବା ଏହି ବିଲରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରାଯାଇନାହିଁ । କମିଟିରେ ସିଜେଆଇଙ୍କୁ ସାମିଲ କରାଯାଇନାହିଁ । ତେଣୁ ବିରୋଧୀ ରାଜ୍ୟସଭାରେ ଏହି ବିଲକୁ ଜୋରଦାର ବିରୋଧ କରିଥିଲେ।
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରି କେନ୍ଦ୍ର ସରକାର ଏପରି ବିଲ୍ ଆଣି ନିର୍ବାଚନ କମିଶନକୁ ଦୁର୍ବଳ କରୁଛନ୍ତି ବୋଲି କଂଗ୍ରେସ ସମେତ ଆପ୍ ଓ ଅନ୍ୟ ବିରୋଧୀ ଦଳଗୁଡ଼ିକ କହିଛନ୍ତି । ସୁପ୍ରିମକୋର୍ଟଙ୍କ ଉକ୍ତ ରାୟ ପୂର୍ବରୁ କେନ୍ଦ୍ର ସରକାରଙ୍କ ସୁପାରିସରେ ରାଷ୍ଟ୍ରପତି ସିଇସି ଏବଂ ଇସିଙ୍କୁ ନିଯୁକ୍ତି ଦେଉଥିଲେ । ତେବେ ରାଜ୍ୟସଭାରେ ଆଗତ ହୋଇଥିବା ବିଲକୁ କନା ସମାଲୋଚନା କରିଛି କଂଗ୍ରେସ । ନିର୍ବାଚନ କମିଶନରଙ୍କୁ ପ୍ରଧାନମନ୍ତ୍ରୀ ହାତ କଣ୍ଢେଇ କରିବାକୁ ପ୍ରୟାସ କରାଯାଉଛି ବୋଲି କଂଗ୍ରେସ କହିଛି । ଏନେଇ ବରିଷ୍ଠ କଂଗ୍ରେସ ନେତା କେସି ବେଣୁ ଗୋପଳ କହିଛନ୍ତି ଯେ ନିଯୁକ୍ତି ନେଇ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶନାମାର କୌଣସି ମହତ୍ୱ ନାହିଁ । ପ୍ରଧାନମନ୍ତ୍ରୀ ଏକତରଫା ଭାବେ କାହିଁକି ନିର୍ବାଚନ କମିଶନରଙ୍କୁ ନିଯୁକ୍ତ କରିବାକୁ ଚାହୁଁଛନ୍ତି ବୋଲି ସେ କହିଛନ୍ତି । ସେହିପରି ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ୱାଲ ମଧ୍ୟ କେନ୍ଦ୍ର ସରକାରଙ୍କ ଏହି ଆଭିମୁଖ୍ୟକୁ କଡ଼ା ସମାଲୋଚନା କରିଛନ୍ତି । ଏହି ବିଲ୍ ଜରିଆରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କ ଆଉ ଏକ ନିଷ୍ପତ୍ତିକୁ ବଦଳାଉଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏପରି ଗୋଟିଏ ପରେ ଗୋଟିଏ ନିଷ୍ପତ୍ତି ନେଇ ଭାରତର ଗଣତନ୍ତ୍ରକୁ ଦୁର୍ବଳ କରିଚାଲିଛନ୍ତି ବୋଲି କେଜ୍ରିଓ୍ୱାଲ କହିଛନ୍ତି ।
ଡାକ୍ତରଙ୍କ ଅବହେଳାରୁ ରୋଗୀମୃତ୍ୟୁ ଅଭିଯୋଗ, ଭଦ୍ରକ ସାଳନ୍ଦୀ ହସ୍ପିଟାଲରେ ଉତ୍ତେଜନା
ଭଦ୍ରକ: ରୋଗୀ ମୃତ୍ୟୁକୁ ନେଇ ଭଦ୍ରକ ସାଳନ୍ଦୀ ହସ୍ପିଟାଲରେ ଉତ୍ତେଜନା । ଅପରେସନ ଟେବୁଲରେ ରୋଗୀ ମୃତ୍ୟୁ ହୋଇଥିବାରୁ ଉତ୍ତେଜନା । ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା କଟସାହି ଗୁହାଳୀପାଳ ଗାଁର ବସନ୍ତପାତ୍ରଙ୍କ ସ୍ତ୍ରୀ ସଞ୍ଜୁଲତା ପାତ୍ରଙ୍କର ଟ୍ୟୁମର ହୋଇଥିଲା । ହସ୍ପିଟାଲରେ ଅପରେସନ ପାଇଁ ଆଡମିସନ କରିଥିଲେ । ଅପରେସନ ପାଇଁ ଗତ ବୁଧବାର ଦିନ ସେ ସାଳନ୍ଦୀ ହସ୍ପିଟାଲରେ ଆଡମିସନ କରିଥିଲେ । ଗତକାଲି ରାତିରେ ତାଙ୍କର ଅପେରସନ ହୋଇଥିଲା । ଅପରେସନ ବେଳେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକ ଅଭିଯୋଗ କରିଛନ୍ତି । ଏପରିକି ଆଜି ସକାଳୁ ଏହାକୁ ନେଇ ହସ୍ପିଟାଲରେ ତୀବ୍ର ଉତେଜନା ଦେଖାଦେଇଥିଲା । ଖବର ପାଇ ଭଦ୍ରକ ଟାଉନ ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କ ସହ ଆଲୋଚନା କରିଛନ୍ତି । ତେବେ ଡାକ୍ତରଙ୍କ ଭୁଲ ଚିକିତ୍ସା ପାଇଁ ରୋଗୀର ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକ ଅଭିଯୋଗ କରିଛନ୍ତି । ଟାଉନ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ବଲାଙ୍ଗୀରର ବେସରକାରୀ କଲେଜ ଯୁକ୍ତ ଦୁଇ ଛାତ୍ରକୁ ଥାର୍ଡ ଡିଗ୍ରୀ ମାମଲା, ଅଧ୍ୟାପକ ସଚିନ ମାନ ଅଟକ
ବଲାଙ୍ଗୀର: ବଲାଙ୍ଗୀର ସମ୍ବଲପୁର ରାସ୍ତାରେ ଥିବା ଏକ ବେସରକାରୀ କଲେଜରେ ଯୁକ୍ତ ଦୁଇ ଛାତ୍ରକୁ ଥାର୍ଡ ଡିଗ୍ରୀ ମାମଲା । ଅଧ୍ୟାପକ ସଚିନ ମାନଙ୍କୁ ଅଟକ ରଖିଛି ପୋଲିସ । ଗତକାଲି ବିଳମ୍ବିତ ରାତିରେ ଅଧ୍ୟାପକଙ୍କୁ ଉଠାଇଆଣି ଥାନାରେ ଅଟକ ରଖାଯାଇଛି । ଅଭିଯୋଗ ଅନୁସାରେ ସାହିଲ ବାରିକଙ୍କୁ ଅଧ୍ୟାପକ ସଚିନ ମାଡମାରି ଲହୁଲୁହାଣ କରିଛନ୍ତି । ଛାତ୍ରଙ୍କ ମୁଣ୍ଡ ଓ ବେକରେ ମାଡ ଚିହ୍ନ ରହିଛି । ଶିକ୍ଷକଙ୍କ ବିରୋଧରେ ପୁଇଁତଳା ଥାନାରେ ଛାତ୍ରଙ୍କ ବାପା ଅଭିଯୋଗ କରିଥିଲେ । ମାମଲା ରୁଜୁ କରିବା ସହିତ ଶିକ୍ଷକଙ୍କୁ ଅଟକ ରଖି ପୋଲିସର ତଦନ୍ତ ଜାରି ରଖିଛି । ସେପଟେ ଛାତ୍ରଙ୍କୁ ମାଡ଼ ମାରିବାକୁ ଅଭିଯୁକ୍ତ ଅଧ୍ୟାପକ ସ୍ବୀକାର କରିଛନ୍ତି । କଲେଜ କର୍ତ୍ତୃପକ୍ଷ ଘଟଣାକୁ ଚାପି ଦେବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି ।
୭୭ତମ ସ୍ୱାଧୀନତା ଦିବସ ପାଇଁ ପ୍ରସ୍ତୁତି, ଭୁବନେଶ୍ୱରରେ ପତାକା ଉତ୍ତୋଳନ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଆସନ୍ତା ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ଉତ୍ସବରେ ଯୋଗଦେଇ ପତାକା ଉତ୍ତୋଳନ କରିବେ । ଏହା ବାଦ୍ କେଉଁ ମନ୍ତ୍ରୀ କେଉଁ ଜିଲ୍ଲାରେ ପତାକା ଉତ୍ତୋଳନ କରିବେ ସେହି ତାଲିକା ପ୍ରକାଶ କରିଛି । ରାଜ୍ୟର ୨୦ଜଣ ମନ୍ତ୍ରୀ ବିଭିନ୍ନ ଜିଲ୍ଲାରେ, ରାଉରକେଲା ଓ ବ୍ରହ୍ମପୁରରେ ୨ ଜଣ ଆରଡିସି ଏବଂ ୧୦ଟି ଜିଲ୍ଲାରେ ଜିଲ୍ଲାପାଳମାନେ ଜିଲ୍ଲାସ୍ତରୀୟ ସ୍ୱାଧୀନତା ସଂଗ୍ରାମ ସମାରୋହରେ ପରେଡ୍ ଅଭିବାଦନ ଗ୍ରହଣ କରିବେ ।
ସୂଚନା ଅନୁସାରେ ମନ୍ତ୍ରୀ ଜଗନ୍ନାଥ ସାରକା କନ୍ଧମାଳରେ ପତାକା ଉତ୍ତୋଳନ ସହ ପରେଡ୍ ଅଭିବାଦନ ଗ୍ରହଣ କରିବାକୁ ଥିବାବେଳେ ପୁରୀରେ ନିରଞ୍ଜନ ପୂଜାରୀ, କୋରାପୁଟରେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଗଞ୍ଜାମରେ ପ୍ରଦୀପ କୁମାର ଅମାତ, ବରଗଡ଼ରେ ପ୍ରମିଳା ମଲ୍ଲିକ, ସମ୍ବଲପୁରରେ ଉଷା ଦେବୀ, କେନ୍ଦୁଝରରେ ପ୍ରଫୁଲ୍ଲ କୁମାର ମଲ୍ଲିକ, ଅନୁଗୁଳରେ ପ୍ରତାପ କେଶରୀ ଦେବ, ରାୟଗଡ଼ାରେ ଅତନୁ ସବ୍ୟବସାଚୀ ନାୟକ, ଜଗତସିଂହପୁରରେ ଟୁକୁନି ସାହୁ ପତାକା ଉତ୍ତୋଳନ କରିବେ । ସେହିପରି ବଲାଙ୍ଗୀରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସୁନ୍ଦରଗଡ଼ରେ ରାଜେନ୍ଦ୍ର ଢୋଲକିଆ, କଟକରେ ବିକ୍ରମ କେଶରୀ ଆରୁଖ, ବାଲେଶ୍ୱରରେ ସୁଦାମ ମାର୍ଣ୍ଡି, ଝାରସୁଗୁଡ଼ାରେ ଶାରଦା ପ୍ରସାଦ ନାୟକ, ମୟୂରଭଞ୍ଜରେ ଅଶ୍ୱିନୀ କୁମାର ପାତ୍ର, କଳାହାଣ୍ଡିରେ ପ୍ରୀତିରଞ୍ଜନ ଘଡ଼ାଇ, ମାଲକାନଗିରିରେ ତୁଷାରକାନ୍ତି ବେହେରା, ସୋନପୁରରେ ରୀତା ସାହୁ ଓ ଢେଙ୍କାନାଳରେ ବାସନ୍ତୀ ହେମ୍ବ୍ରମ୍ ଜିଲ୍ଲାସ୍ତରୀୟ ସ୍ୱାଧିନତା ଦିବସ ସମାରୋହରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ପରେଡ୍ ଅଭିବାଦନ ଗ୍ରହଣ କରିବେ ।
ସେହିପରି ବ୍ରହ୍ମପୁର ଓ ରାଉରକେଲାରେ ଯଥାକ୍ରମେ ଦକ୍ଷିଣାଞ୍ଚଳ ଆରଡିସି ଓ ଉତ୍ତରାଞ୍ଚଳ ଆରଡିସି ଜାତୀୟ ପତାକା ଉତ୍ତୋଳନ କରିବା ସହ ପରେଡ୍ ଅଭିବାଦନ ଗ୍ରହଣ କରିବେ । ଭଦ୍ରକ, ବୌଦ୍ଧ, ଦେବଗଡ଼, ଗଜପତି, ଯାଜପୁର, କେନ୍ଦ୍ରପଡ଼ା, ଖୋର୍ଦ୍ଧା, ନୂଆପଡ଼ା, ନବରଙ୍ଗପୁର ଓ ନୟାଗଡ଼ ଜିଲ୍ଲାରେ ସେହି ଜିଲ୍ଲାର ଜିଲ୍ଲାପାଳ ପତାକା ଉତ୍ତୋଳନ କରିବେ ।
ଶୁଭଲକ୍ଷ୍ମୀ ସୁଇସାଇଡ଼ ପଛର ସାଂଘାତିକ ସୁରାକ, ଆତ୍ମହତ୍ୟା ପଛରେ MMS
ଭୁବନେଶ୍ୱର: ଶୁଭଲକ୍ଷ୍ମୀ ସୁଇସାଇଡ଼ ପଛର ସାଂଘାତିକ ସୁରାକ । ଆତ୍ମହତ୍ୟା ପଛରେ ରହିଛି MMS । ସୋସିଆଲ ମିଡିଆରେ ଘୁରି ବୁଲୁଛି ଶୁଭଲ୍ମକ୍ଷୀଙ୍କ ୩ଟି ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ । ଭିନ୍ନ ଭିନ୍ନ ଯୁବକଙ୍କ ସହ ଶୁଭଲକ୍ଷ୍ମୀଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ ହେଉଛି । ସେପଟେ CDR ରିପୋର୍ଟ ବଢ଼ାଇଛି ସସପେନ୍ସ । ମୃତ୍ୟୁ ପୂର୍ବରୁ ରାତି ଗୋଟାଏ ୧୦ରେ ୪୦ ସେକେଣ୍ଡ ପାଇଁ ଶେଷ କଲ କରିଥିଲେ ଶୁଭଲକ୍ଷ୍ମୀ । ଗୋଟିଏ ନିର୍ଦ୍ଧିଷ୍ଟ ନମ୍ବରରୁ ତାଙ୍କୁ ୧୨ ଥର ମିସ୍ଡକଲ୍ ଆସିଥିଲା । ସେହି ନମ୍ବରଟି ତାଙ୍କ ପୁରୁଷ ବନ୍ଧୁଙ୍କର ହୋଇଥିବା ସନ୍ଦେହ କରାଯାଉଛି ।
ଅନ୍ୟପକ୍ଷରେ ରାତି ସାଢ଼େ ୧୨ ଟାରେ ଜଣେ ହୋଟେଲ କର୍ମଚାରୀଙ୍କୁ ଫୋନ କରିଥିଲେ ଶୁଭଲକ୍ଷ୍ମୀ । ୨ଟି ମୋବାଇଲରେ ୩ଟି ସିମ୍ ବ୍ୟବହାର କରୁଥିଲେ ଶୁଭଲକ୍ଷ୍ମୀ । ୨ଟି ହ୍ୟାଣ୍ଡ ସେଟରେ ଏକାଧିକ ହ୍ଵାଟ୍ସଆପ ଆକାଉଣ୍ଟ ଓ ୨ଟି ଇନଷ୍ଟାଗ୍ରାମ ଓ ୩ଟି ସ୍ନାପଚାଟ୍ ଆକାଉଣ୍ଟ ରହିଥିଲା । ମୃତ୍ୟୁ ପୂର୍ବରୁ ଏସବୁ ଆକାଉଣ୍ଟରୁ ଏକାଧିକ ଥର ଭିଡିଓ କଲ୍ ହୋଇଛି । MMS ଭାଇରାଲ କରି କେହି ଜଣେ ଶୁଭଲକ୍ଷ୍ମୀଙ୍କୁ ବ୍ଲାକମେଲ କରୁଥିଲା ବୋଲି ପୋଲିସ ସନ୍ଦେହ କରିଛି । ଅଭିଯୁକ୍ତକୁ ଧରିବା ପାଇଁ ସାଇବର ଥାନାର ସହଯୋଗ ଲୋଡିଛି ଲକ୍ଷ୍ମୀସାଗର ଥାନା ପୋଲିସ ।
ରାଜସ୍ୱ ଡିଜିଟାଇଜେସନରେ ଦେଶରେ ଓଡ଼ିଶା ଶ୍ରେଷ୍ଠ, ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀ ଦେଲେ ସମ୍ବର୍ଦ୍ଧନା
ଭୁବନେଶ୍ୱର: ଜମିଜମା ଦସ୍ତାବିଜର କମ୍ପ୍ୟୁଟରୀକରଣ କ୍ଷେତ୍ରରେ ଓଡ଼ିଶା ସରକାରଙ୍କର ପ୍ରଦର୍ଶନ ଉଲ୍ଲେଖନୀୟ । ଏହି କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୯ ଜିଲ୍ଲାକୁ ସମ୍ମାନିତ କରିଛନ୍ତି । ଏହି ଜିଲ୍ଲାଗୁଡ଼ିକ ଡିଜିଟାଲ ଇଣ୍ଡିଆ ଲ୍ୟାଣ୍ଡ ରେକର୍ଡ ଆଧୁନିକୀକରଣ କ୍ଷେତ୍ରରେ ଶତ ପ୍ରତିଶତ ଲକ୍ଷ୍ୟ ହାସଲ କରି ଗତ ଜୁଲାଇରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ଭୂମି ସମ୍ମାନ ପୁରସ୍କାର ଗ୍ରହଣ କରିଥିଲେ । ଏହାସହ ଜମିଜମା ଦସ୍ତାବିଜର କମ୍ପୁଟରୀକରଣ କରିବା କ୍ଷେତ୍ରରେ ଓଡ଼ିଶା ଦେଶର ଶ୍ରେଷ୍ଠ ରାଜ୍ୟ ଭାବେ ମଧ୍ୟ ମାନ୍ୟତା ପାଇଥିଲା । ଏହି ଜିଲ୍ଲାଗୁଡ଼ିକ ହେଲେ ଅନୁଗୁଳ, ବୌଦ୍ଧ, ବରଗଡ଼, ଭଦ୍ରକ, ଦେବଗଡ଼, ଢେଙ୍କାନାଳ, ଗଜପତି, ଗଞ୍ଜାମ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ, ନବରଙ୍ଗପୁର, ନୟାଗଡ଼, ନୂଆପଡ଼ା, ରାୟଗଡ଼ା ଓ ସମ୍ବଲପୁର । ଏହି ଜିଲ୍ଲାଗୁଡ଼ିକୁ ସମ୍ମାନିତ କରିବା ଉଦ୍ଦେଶ୍ୟରେ ଗୁରୁବାର ଲୋକସେବା ଭବନରେ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳମାନଙ୍କୁ ଟ୍ରଫି ଓ ସମ୍ମାନପତ୍ର ପ୍ରଦାନ କରିଥିଲେ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଖୁସିବ୍ୟକ୍ତ କରି କହିଥିଲେ ଯେ ଦେଶର ସମୁଦାୟ ୬୮ ଜିଲ୍ଲାକୁ ଏହି ସମ୍ମାନସ୍ପଦ ପୁରସ୍କାର ମିଳିଥିବା ବେଳେ ତନ୍ମଧ୍ୟରେ ଓଡ଼ିଶାର ୧୯ଟି ଜିଲ୍ଲା ସାମିଲ ରହିଛନ୍ତି । ସେହିଭଳି ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ରାଜ୍ୟର ସମସ୍ତ ଜିଲ୍ଲାର ଜମିଜମା ଦସ୍ତାବିଜର ଡିଜିଟାଇଜେସନ୍ କରାଯିବ । 5T ଉପକ୍ରମରେ ବ୍ୟବସ୍ଥାର ସଫଳ ପରିଚାଳନା ସହ ମୋ ସରକାରର ଉଦ୍ଦେଶ୍ୟକୁ ସଠିକ ଭାବେ କାର୍ଯ୍ୟକ୍ଷମ କରାଯାଇପାରିଛି । ଫଳରେ ସାରା ଦେଶରେ ଓଡ଼ିଶା ଜମିଜମା ଦସ୍ତାବିଜର କମ୍ପ୍ୟୁଟରୀକରଣ କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟ ଭାବେ ଉଭା ହୋଇଛି । ରାଜ୍ୟବାସୀମାନେ ଇ-ଗଭର୍ଣ୍ଣାନ୍ସ ଆପ୍ଲିକେସନର ସୁବିଧା ଯେକୌଣସି ସମୟରେ ଯେ କୌଣସି ସ୍ଥାନରେ ଉଠାଇପାରୁଛନ୍ତି ।

