ରାଜସ୍ୱ ଡିଜିଟାଇଜେସନରେ ଦେଶରେ ଓଡ଼ିଶା ଶ୍ରେଷ୍ଠ, ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀ ଦେଲେ ସମ୍ବର୍ଦ୍ଧନା

1 min read

ଭୁବନେଶ୍ୱର: ଜମିଜମା ଦସ୍ତାବିଜର କମ୍ପ୍ୟୁଟରୀକରଣ କ୍ଷେତ୍ରରେ ଓଡ଼ିଶା ସରକାରଙ୍କର ପ୍ରଦର୍ଶନ ଉଲ୍ଲେଖନୀୟ । ଏହି କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୯ ଜିଲ୍ଲାକୁ ସମ୍ମାନିତ କରିଛନ୍ତି । ଏହି ଜିଲ୍ଲାଗୁଡ଼ିକ ଡିଜିଟାଲ ଇଣ୍ଡିଆ ଲ୍ୟାଣ୍ଡ ରେକର୍ଡ ଆଧୁନିକୀକରଣ କ୍ଷେତ୍ରରେ ଶତ ପ୍ରତିଶତ ଲକ୍ଷ୍ୟ ହାସଲ କରି ଗତ ଜୁଲାଇରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ଭୂମି ସମ୍ମାନ ପୁରସ୍କାର ଗ୍ରହଣ କରିଥିଲେ । ଏହାସହ ଜମିଜମା ଦସ୍ତାବିଜର କମ୍ପୁଟରୀକରଣ କରିବା କ୍ଷେତ୍ରରେ ଓଡ଼ିଶା ଦେଶର ଶ୍ରେଷ୍ଠ ରାଜ୍ୟ ଭାବେ ମଧ୍ୟ ମାନ୍ୟତା ପାଇଥିଲା । ଏହି ଜିଲ୍ଲାଗୁଡ଼ିକ ହେଲେ ଅନୁଗୁଳ, ବୌଦ୍ଧ, ବରଗଡ଼, ଭଦ୍ରକ, ଦେବଗଡ଼, ଢେଙ୍କାନାଳ, ଗଜପତି, ଗଞ୍ଜାମ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ, ନବରଙ୍ଗପୁର, ନୟାଗଡ଼, ନୂଆପଡ଼ା, ରାୟଗଡ଼ା ଓ ସମ୍ବଲପୁର । ଏହି ଜିଲ୍ଲାଗୁଡ଼ିକୁ ସମ୍ମାନିତ କରିବା ଉଦ୍ଦେଶ୍ୟରେ ଗୁରୁବାର ଲୋକସେବା ଭବନରେ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳମାନଙ୍କୁ ଟ୍ରଫି ଓ ସମ୍ମାନପତ୍ର ପ୍ରଦାନ କରିଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଖୁସିବ୍ୟକ୍ତ କରି କହିଥିଲେ ଯେ ଦେଶର ସମୁଦାୟ ୬୮ ଜିଲ୍ଲାକୁ ଏହି ସମ୍ମାନସ୍ପଦ ପୁରସ୍କାର ମିଳିଥିବା ବେଳେ ତନ୍ମଧ୍ୟରେ ଓଡ଼ିଶାର ୧୯ଟି ଜିଲ୍ଲା ସାମିଲ ରହିଛନ୍ତି । ସେହିଭଳି ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ରାଜ୍ୟର ସମସ୍ତ ଜିଲ୍ଲାର ଜମିଜମା ଦସ୍ତାବିଜର ଡିଜିଟାଇଜେସନ୍ କରାଯିବ । 5T ଉପକ୍ରମରେ ବ୍ୟବସ୍ଥାର ସଫଳ ପରିଚାଳନା ସହ ମୋ ସରକାରର ଉଦ୍ଦେଶ୍ୟକୁ ସଠିକ ଭାବେ କାର୍ଯ୍ୟକ୍ଷମ କରାଯାଇପାରିଛି । ଫଳରେ ସାରା ଦେଶରେ ଓଡ଼ିଶା ଜମିଜମା ଦସ୍ତାବିଜର କମ୍ପ୍ୟୁଟରୀକରଣ କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟ ଭାବେ ଉଭା ହୋଇଛି । ରାଜ୍ୟବାସୀମାନେ ଇ-ଗଭର୍ଣ୍ଣାନ୍ସ ଆପ୍ଲିକେସନର ସୁବିଧା ଯେକୌଣସି ସମୟରେ ଯେ କୌଣସି ସ୍ଥାନରେ ଉଠାଇପାରୁଛନ୍ତି ।