spot_img
Home Blog Page 2789

ମନ୍ଦିର ଉନ୍ନତିକରଣ ପାଇଁ ଦେଇଥିବା ପ୍ରତିଶ୍ରୁତିର ଦୁଇ ମାସ ନପୁରୁଣୁ ମିଳିଲା ଅନୁଦାନ

ଝାରସୁଗୁଡ଼ା : କଥା ଦେଇ କଥା ରଖିଲେ 5ଟି ସଚିବ। ମନ୍ଦିର ଉନ୍ନତିକରଣ ପାଇଁ ଦେଇଥିବା ପ୍ରତିଶ୍ରୁତିର ଦୁଇ ମାସ ନପୁରୁଣୁ ଜଙ୍ଗାଦେଓ ବଡ଼ଦେଓ ମନ୍ଦିର ଉନ୍ନତିକରଣ ପାଇଁ ଅନୁଦାନ ଆସିଛି ପ୍ରାୟ ଏକ କୋଟି ଟଙ୍କା। ଏନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ 5ଟି ସଚିବଙ୍କୁ ଧନ୍ୟବାଦ ଜଣାଇଛନ୍ତି ଗଣ୍ଡ ସମାଜ ବାସୀ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଝାରସୁଗୁଡା ଜିଲ୍ଲା ଗସ୍ତରେ ଗତ ଅଗଷ୍ଟ 20 ତାରିଖରେ ଆସିଥିଲେ 5ଟି ସଚିବ।  ଲଇକେରା ମୟରୁଡିମା ସ୍ଥିତ ଜଙ୍ଗାଦେଓ ବଡ଼ଦେଓ ମନ୍ଦିରକୁ ଯିବା ସହିତ ମନ୍ଦିରର ଉନ୍ନତିକରଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଖୁବ ଶୀଘ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ମନ୍ଦିର ପାଇଁ ଭଲ ଖବର ଘୋଷଣା କରିବେ ବୋଲି ଜଣାଇଥିଲେ। ମନ୍ଦିରର ଉନ୍ନତିକରଣ ତଥା ପୁନରୁଦ୍ଧାର ପାଇଁ ୯୯ଲକ୍ଷ ୫୬ହଜାର ଟଙ୍କା ଅନୁଦାନ ପ୍ରଦାନକରିଛନ୍ତି l5T Secretary Visits Nayagarh, Reviews Ongoing Development Projects | Odisha

ଷଡବଂଶୀ ଗଣ୍ଡ ସମାଜ ପକ୍ଷରୁ ଆଜି ଝାରସୁଗୁଡାରେ ଅନୁଷ୍ଠିତ ହୋଇଥିବା ଏହି ଧନ୍ୟବାଦ ଜ୍ଞାପନ କାର୍ଯ୍ୟକ୍ରମରେ ଝାରସୁଗୁଡା ବିଧାୟିକା ଦୀପାଳି ଦାସ ଏବଂ ଗଣ୍ଡ ସମାଜର ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ l

ଓଡିଶା ଆର୍ଥ୍ରାଇଟିସ ଓ ରୁମାଟୋଲୋଜି ସେଣ୍ଟର” ପକ୍ଷରୁ ବିଶ୍ବ ଆଣ୍ଠୁ ଗଣ୍ଠିବାତ ଦିବସ ପାଳିତ

ନନ୍ଦିଘୋଷ ବ୍ୟୁରୋ : ଆଜି ହେଉଛି ବିଶ୍ବ ଆଣ୍ଠୁ ଗଣ୍ଠିବାତ ଦିବସ । ଓଡିଶା ଆର୍ଥ୍ରାଇଟିସ ଓ ରୁମାଟୋଲୋଜି ସେଣ୍ଟର” ଗଣ୍ଠିବାତ ଓ ରୁମାଟୋଲୋଜି ପକ୍ଷରୁ ଏହି ଦିବସ ପାଳନ ହୋଇଛି । ଏହି ରୋଗ ଛୋଟପିଲା ଠାରୁ ବୃଦ୍ଧାବସ୍ଥା ପଯ୍ୟନ୍ତ ଯେ କୌଣସି ବୟସରେ ଦେଖାଯାଇପାରେ । ଠିକ୍‌ ସମୟରେ ଚିକିତ୍ସା ନକଲେ ଅଧକ ଯନ୍ତ୍ରଣାଦାୟକ ହୋଇଥାଏ । ଏପରିକି ବିକଳାଙ୍ଗତା ବା ଅକର୍ମଣ୍ୟତା ସୃଷ୍ଟିକରେ । ଗଣ୍ଠିବାତ ରୋଗ ଓ ଏହାର ଚିକିତ୍ସା ସମ୍ବନ୍ଧୀୟ ସଚେତନତା ସୃଷ୍ଟି କରିବା ପାଇଁ ସମଗ୍ର ବିଶ୍ଵରେ ପ୍ରତ୍ୟେକ ବର୍ଷର ଅକ୍ଟୋବର ୧୨ ତାରିଖକୁ ବିଶ୍ଵ ଗଣ୍ଠି ବାତ ଦିବସ ଭାବରେ ପାଳନ କରାଯାଏ | ଆମ ରାଜ୍ୟରେ ଗଣ୍ଠିବାତ ରୋଗ ଚିକିତ୍ସା କ୍ଷେତ୍ଵରେ ସଚେତନତାର ଅଭାବ ହିଁ ମୁଖ୍ୟ କାରଣ । ଲୋକମାନଙ୍କ ମଧ୍ଯରେ ଉକ୍ତ ରୋଗ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ “ ଏ ଓ୍ବାକ ଫୋର୍ ଆର୍ଥରାଇଟିସ୍’  ଏକ ସଚେତନତା ରାଲି   କରାଯାଇଛି ।

ରକ୍ତ ପରୀକ୍ଷା ଓ X-Ray କରାଇ କମ ସମୟରେ ଓ କମ ଖର୍ଚ୍ଚରେ ଦୁଃସାଧ୍ଯ ଗଣ୍ଠିବାତ ରୋଗର ଚିହ୍ନଟ ଓ ସଫଳ ଚିକିତ୍ସା ମଧ୍ଯ ଉପଲବ୍‌ଧ ହୋଇପାରୁଛି । ଗରିବ ରୋଗୀମାନଙ୍କୁ ସୁବିଧାରେ ଚିକିତ୍ସା ଯୋଗାଇଦେବା ପାଇଁ“ଓଡିଶା ଆର୍ଥରାଇଟିସ ଓ ରୁମାଟୋଲୋଜି ଫାଉଣ୍ଡେସନ୍‌ ଟ୍ରଷ୍ଟ”  ତରଫରୁ ପ୍ରତି ମାସର ପ୍ରଥମ “ଗୁରୁବାର” ଦିନ “ଏକ ଟଙ୍କା ଦେୟ- ଗଣ୍ଠି ବାତ ଚିକିତ୍ସା କରାଯାଉଛି ।

ରାଜ୍ୟରେ ଆଜି ଠାରୁ ଆରମ୍ଭ ହୋଇଛି ବିଜେଡିର ପ୍ରଶିକ୍ଷଣ ଶିବିର

ଭୁବନେଶ୍ବର: ରାଜ୍ୟର ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆଜି ଠାରୁ ଆରମ୍ଭ ହୋଇଛି ବିଜୁ ଜନତାଦଳର ପ୍ରଶିକ୍ଷଣ ଶିବିର । ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଓ ଛତ୍ରପୁର ନିର୍ବାଚନ ମଣ୍ଡଳୀରେ ଆଜି ଆୟୋଜିତ ହୋଇଛି ଏହି ପ୍ରଶିକ୍ଷଣ ଶିବିର। ଆଜି ଠାରୁ ତିନିଦିନ ଧରି ଏହି ଶିବିର ଚାଲିବ । ଏହି ଶିବିରରେ ପର୍ଯ୍ୟାୟ କ୍ରମରେ ସକ୍ରିୟ କର୍ମୀମାନଙ୍କୁ ପ୍ରଶିକ୍ଷଣ ଦେବାପାଇଁ ବ୍ୟବସ୍ଥା କରାଯାଇଛି । ଅପରପକ୍ଷେ ଯୁବ ପିଢିଙ୍କ ସଂଖ୍ୟା ଅଧିକରୁ ଅଧିକ ଦେଖିବାକୁ ମିଳିଛି। ବ୍ରହ୍ମପୁର ଟାଉନ ହଲରେ ଏହି ଶିବିର ଆୟୋଜିତ ହୋଇଥିବା ବେଳେ ରାଜ୍ୟସଭା ସାଂସଦ ତଥା ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ପର୍ଯ୍ୟବେକ୍ଷକ ମାନସ ରଞ୍ଜନ ମଙ୍ଗରାଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ମେୟର ଓ ସମସ୍ତ କର୍ପୋରେଟର ମାନେ ଉପସ୍ଥିତ ଥିଲେ। ସେହିପରି ଛତ୍ରପୁର ରିଡିଙ୍ଗ ହଲ ଠାରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଥିଲା। ସାଂସଦ ମାନସ ରଞ୍ଜନ ମଙ୍ଗରାଜ ଯୋଗଦେଇ ଉପସ୍ଥିତ କର୍ମୀଙ୍କୁ ଉଦବୋଧନ ଦେଇଥିଲେ।

ବଳିଆ ଯୋଜନାରେ ଋଣ ସହାୟତା ରାଶି ୧ ଲକ୍ଷ ଟଙ୍କାକୁ ବୃଦ୍ଧି

ଭୁବନେଶ୍ୱର : ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ ବଞ୍ଚାଇ ରଖିବାରେ ହସ୍ତତନ୍ତ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହା ଓଡ଼ିଶାର ଏକ ଗୁରୁତ୍ୱପୂର୍ଣ୍ଣ କୁଟୀର ଶିଳ୍ପ ହୋଇଥିବା ବେଳେ ଲକ୍ଷ ଲକ୍ଷ ଲୋକଙ୍କର ଜୀବିକାର ମାଧ୍ୟମ ହୋଇଛି । ଅତ୍ୟନ୍ତ କଳାତ୍ମକ ଡିଜାଇନ , ନିଖୁଣ ଏବଂ ସୁନ୍ଦର ରୁପରେଖ ପାଇଁ ଓଡ଼ିଶାର ହସ୍ତତନ୍ତ ଦେଶବିଦେଶରେ ଏଜ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ରାଜ୍ୟରେ ବୁଣାକାର ମାନଙ୍କ ସାମାଜିକ-ଅର୍ଥନୈତିକ ସଶକ୍ତିକରଣକୁ ସୁଗମ କରିବା ସହିତ ଓଡ଼ିଶାର ସମୃଦ୍ଧ ହସ୍ତତନ୍ତ୍ର ଐତିହକୁ ସଂରକ୍ଷିତ ରଖିବା ପାଇଁ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ମାଧ୍ୟମରେ ବିଭିନ୍ନ ବିକାଶମୂଳକ ଏବଂ କଲ୍ୟାଣମୂଳକ ଯୋଜନା କାର୍ଯ୍ୟକ୍ରମ କରାଯାଇଛି । ବୁଣାକାରମାନଙ୍କୁ ରାଜ୍ୟସରକାରଙ୍କର ଭେଟି । ବୁଣାକାର ଓ ହସ୍ତତନ୍ତ କାରିଗରଙ୍କ ପାଇଁ ଖୁସି ଖବର । ବଳିଆ ଯୋଜନାରେ ଋଣ ସହାୟତା ରାଶି ବୃଦ୍ଧି କରିଛନ୍ତି ରାଜ୍ୟସରକାର ।

ଏକ ଲକ୍ଷ ଟଙ୍କାକୁ ବୃଦ୍ଧି କଲେ ସରକାର । ରାଜ୍ୟରେ ୬୬, ୧୪୧ ବୁଣାକାର ପରିବାର ରହିଛନ୍ତି । ୧ ଲକ୍ଷ ୨୪ ହଜାର ୮୪ ଜଣ ବୁଣାକାର ଅଛନ୍ତି ସେହିପରି ୫୬ ହଜାର ୫୬୯ ସଂଖ୍ୟକ ତନ୍ତ ରହିଛି । ଆଗରୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ସୁଧ ମୁକ୍ତ ଋଣ ଦିଆଯାଉଥିଲା । ଏବେ ଏହାକୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ୧ ଲକ୍ଷ ବୃଦ୍ଧିକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ମିଳିଛି । ବୁଣାକାର ମାନଙ୍କ ରୋଜଗାର ସୁନିଶ୍ଚିତ କରିବା, ଅର୍ଥନୈତିକ ଅବସ୍ତାକୁ ସୁଦୃଢ କରିବା ଓ ସୁରକ୍ଷିତ କରିବା ଏହି ଯୋଜନା ଗୁଡ଼ିକର ଲକ୍ଷ୍ୟ ଓ ଉଦ୍ଦେଶ୍ୟ । ଏହି ପ୍ରୟାସ ଏବଂ ହସ୍ତକ୍ଷେପ ଫଳରେ ରାଜ୍ୟରେ ହସ୍ତତନ୍ତ କ୍ଷେତ୍ରରେ ଅଭିବୃଦ୍ଧି ହେବ ।

ଆଜି ଓଡିଶାରୁ ଫେରିଯାଇଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ

ଭୁବନେଶ୍ବର: ଫେରିଗଲା ମୌସୁମୀ । ଆଶ୍ବିନରେ ଟାଇଁ ଟାଇଁ ଖରା । ଛତା ନ ଧରିଲେ ଘରୁ ବାହାରିବା ହେଉଛି ମୁସ୍କିଲ । ସ୍ବାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ଉପରେ ପାରଦ ଥିବାବେଳେ ଉପକୂଳରେ କଲବଲ କରୁଛି ତାତି ସହ ଅସହ୍ୟ ଗୁଳୁଗୁଳି । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ମିଳିବନି ନିସ୍ତାର । ଦିନ ୧୧ ଟା ବେଳକୁ ଅଧିକାଂଶ ସହରର ତାପମାତ୍ରା ୩୫ ଡିଗ୍ରୀ ଉପରେ ରହୁଥିବା କହିଛି ପାଣିପାଗ ବିଭାଗ । ଗତ ୨୪ ଘଣ୍ଟାରେ ୭ ସହରର ତାପମାତ୍ରା ୩୬ ଡିଗ୍ରୀ ଉପରେ ରହୁଛି ।

୩୭ ଡିଗ୍ରୀ ସହ ଚାନ୍ଦବାଲି ସବୁଠୁ ଉତ୍ତପ୍ତ ସହର ହୋଇଥିବାବେଳେ ଭୁବନେଶ୍ୱର ରେ ୩୫ ଡିଗ୍ରୀ ତାପମାତ୍ରା ରହିଛି । ଭୁବନେଶ୍ବରରେ  ୬୦ ପ୍ରତିଶତ ଆର୍ଦ୍ରତା ରହିଛି । ତାପମାତ୍ରା ଓ ଆର୍ଦ୍ରତା ମିଶି ୩୮ ଡିଗ୍ରୀ ତାତି ଅନୁଭବ ହେଉଛି । ୨୧ ସହରର ତାପମାତ୍ରା ୩୫ ଡିଗ୍ରୀ କିମ୍ବା ତାଠାରୁ ଅଧିକ ରେକର୍ଡ କରାଯାଇଛି । ମେଘମୁକ୍ତ ଆକାଶ ଓ ଶୁଷ୍କ ବାୟୁ ପ୍ରବାହ ପାଇଁ ବଦଳିଛି ପାଗର ମିଜାଜ । ଅକ୍ଟୋବର ଶେଷ ମଧ୍ୟରେ ଓଡିଶାରେ ଶୀତ ପଡିବନି । ଆଜି ଓଡିଶାରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଫେରିଯାଇଛି ।

ବିଶ୍ବକପରେ କମାଲ କରୁଛନ୍ତି ୨୦୦୮ ଅଣ୍ଡର-୧୯ ଟିମର ଖେଳାଳି, ଜାଣନ୍ତୁ କିଏ କେଉଁ ଦଳରେ ଅଛନ୍ତି

ନୂଆଦିଲ୍ଲୀ: ଭାରତରେ ଚାଲିଛି ଆଇସିସି ବିଶ୍ବକପ ୨୦୨୩ । ସମସ୍ତ ଦଳ ଏବେ ଦମଦାର ପ୍ରଦର୍ଶନରେ କରୁଥିବାବେଳେ ମ୍ୟାଚ ଗୁଡ଼ିକ ରୋମାଞ୍ଚକ ହେଉଛି । ତେବେ ୨୦୦୮ ଅଣ୍ଡର-୧୯ ଦଳରେ ଥିବା ଖେଳାଳିମାନେ ଏବେ ଭଲ ପ୍ରଦର୍ଶନ କରୁଛନ୍ତି । ତେବେ ଆସନ୍ତୁ ନଜର ପକାଇବା ଏହିସବୁ ଖେଳାଳିଙ୍କ ଉପରେ ।

ବିରାଟ କୋହଲି: ଭାରତୀୟ କ୍ରିକେଟ ଦଳର ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ ବିରାଟ କୋହଲି ୨୦୦୮ ଅଣ୍ଡର-୧୯ ବିଶ୍ବକପ ଦଳରେ ଟିମ ଇଣ୍ଡିଆର ଅଧିନାୟକ ଥିଲେ । ବିରାଟଙ୍କ ନେତୃତ୍ବରେ ଦଳ ଚାମ୍ପିୟନ ହୋଇଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ସେ ଦମଦାର ପ୍ରଦର୍ଶନ କରିବା ସହ ଲୋକଲୋଚନକୁ ଆସିଥିଲେ ।

ଷ୍ଟିଭ୍ ସ୍ମିଥ୍: ଅଷ୍ଟ୍ରେଲିଆ କ୍ରିକେଟ ଟିମର ଭରସାଯୋଗ୍ୟ ବ୍ୟାଟ୍ସମ୍ୟାନ ଷ୍ଟିଭ୍ ସ୍ମିଥ ୨୦୦୮ ଅଣ୍ଡର-୧୯ ବିଶ୍ବକପ ଦଳର ସଦସ୍ୟ ଥିଲେ । ଏଥର ସେ ତୃତୀୟଥର ପାଇଁ ବିଶ୍ବକପ ଖେଳୁଛନ୍ତି ।

କେନ୍ ଓ୍ବିଲିୟମସନ: ନ୍ୟୁଜିଲାଣ୍ଡ ଦଳର ପୂର୍ବତନ ଅଧିନାୟକ କେନ୍ ଓ୍ବିଲିୟମସନ ଆହତ କାରଣରୁ ଏବେ ବିଶ୍ବକପ ଖେଳୁନାହାନ୍ତି । କିନ୍ତୁ ସେ ବିଶ୍ବକପରେ ନ୍ୟୁଜିଲାଣ୍ଡ ଦଳର ସଦସ୍ୟ ଅଛନ୍ତି । ସୁସ୍ଥ ହେବା ପରେ ଦଳରେ ସାମିଲ ହେବେ ।

ରବିନ୍ଦ୍ର ଜାଡେଜା: ଭାରତୀୟ ଦଳର ପ୍ରତିଭାବାନ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଏବେ ବିଶ୍ବକପରେ ଦମଦାର ପ୍ରଦର୍ଶନ କରୁଛନ୍ତି । ବିରାଟଙ୍କ ସହ ୨୦୦୮ ଅଣ୍ଡର-୧୯ ବିଶ୍ବକପରେ ସେ ଭାରତୀୟ ଦଳର ସଦସ୍ୟ ଥିଲେ ।

ମାର୍କସ ଷ୍ଟୋଇନିସ୍: ଅଷ୍ଟ୍ରେଲିଆର ଅଲଣାଉଣ୍ଡର ଷ୍ଟୋଇନିସ ୨୦୦୮ ଅଣ୍ଡର-୧୯ରେ ଦମଦାର ପ୍ରଦର୍ଶନ କରିଥିବାବେଳେ ଚଳିତ ବିଶ୍ବକପରେ ଅଷ୍ଟ୍ରେଲିଆ ଦଳରେ ରହିଛନ୍ତି ।

ହାଜେଲ ହୁଡ୍: ଅଷ୍ଟ୍ରେଳିଆର ଦୃତ ବୋଲର ହାଜେଲ ହୁଡ୍ ୨୦୦୮ ଅଣ୍ଡର-୧୯ ବିଶ୍ବକପ ଦଳରେ ଥିବାବେଳେ ଏବେ ବିଶ୍ବକପ ୨୦୨୩ ଦଳରେ ମଧ୍ୟ ଖେଳୁଛନ୍ତି ।

କ୍ରିସ୍ ଓ୍ବକ୍ସ: ଇଂଲଣ୍ଡର ଦୃତ ବୋଲର କ୍ରିସ ଓ୍ବକ୍ସ ୨୦୦୮ ଅଣ୍ଡର-୧୯ ବିଶ୍ବକପ ଦଳରେ ଥିବାବେଳେ ଏବେ ବିଶ୍ବକପ ୨୦୨୩ ଖେଳୁଛନ୍ତି । ତେବେ ୨୦୧୯ ବିଶ୍ବକପରେ ଇଂଲଣ୍ଡ ଚାମ୍ପିୟନ ହେବାରେ ତାଙ୍କର ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ।

ଟ୍ରେଣ୍ଡ ବୋଲ୍ଟ ଏବଂ ଟିମ୍ ସାଉଥୀ: ନ୍ୟୁଜିଲାଣ୍ଡର ଦୁଇ ଦୃତ ବୋଲର ଟ୍ରେଣ୍ଡ ବୋଲ୍ଟ ଏବଂ ଟିମ୍ ସାଉଥୀ ମଧ୍ୟ ଏହି ଲିଷ୍ଟରେ ଆସୁଛନ୍ତି ।

ରେଜା ହେଣ୍ଡିକ୍ସ: ଦକ୍ଷିଣ ଆଫ୍ରିକାର ଧୂଆଁଧାର ବ୍ୟାଟ୍ସମ୍ୟାନ ରେଜା ହେଣ୍ଡିକ୍ସ ୨୦୦୮ ଅଣ୍ଡର-୧୯ ବିଶ୍ବକପ ଦଳରେ ଥିବାବେଳେ ଏବେ ବିଶ୍ବକପ ୨୦୨୩ ଦଳରେ ମଧ୍ୟ ଖେଳୁଛନ୍ତି ।

ଝିଅକୁ ଘରେ ଛାଡି ଷ୍ଟେସନ ଯାଇଥିଲେ ବାପାମା’, ଝରକାରୁ ଖସିପଡି ଶିଶୁ ମୃତ

ମୁମ୍ବାଇ: ଆପାର୍ଟମେଣ୍ଟର ୪ ମହଲାରୁ ଖସି ଆଖିବୁଜିଲା ୪ ବର୍ଷର ଶିଶୁ । ମୁମ୍ବାଇର ଭିରାରରେ ଘଟିଛି ଏହି ଦୁଃଖଦ ଘଟଣା । ଝିଅକୁ ଏକୁଟିଆ ଛାଡି ବାପା ମା ସକାଳୁ ଘରୁ ବାହାରକୁ ଚାଲିଯାଇଥିବାବେଳେ ଶିଶୁଟି ଝରକାରେ ଚଢିଯାଇ ତଳକୁ ଖସିପଡିଥିଲା । ଶିଶୁଟିର ଦୁଇ ଆଖିକୁ ପିତାମାତା ଦାନ କରିଛନ୍ତି । ମୁମ୍ବାଇ ଅନ୍ତର୍ଗତ ଭିରାରର ଓ୍ବାଇକେ ନଗରରେ ନୂଆ ଭାବେ ନିର୍ମିତ ହୋଇଛି ୧୯ ମହଲା ବିଶିଷ୍ଟ ଆପାର୍ଟମେଣ୍ଟ ।

ଆପାର୍ଟମେଣ୍ଟର ଚତୁର୍ଥ ମହଲାରେ ରହୁଥିଲେ ସୁରେଶ, ପତ୍ନୀ ମଣି ଓ ୪ ବର୍ଷର କନ୍ୟା ଦର୍ଶିନୀ । ଗତ ମଙ୍ଗଳବାର ସକାଳେ ଝିଅ ଶୋଇଥିବାବେଳେ ସ୍ବାମୀଙ୍କୁ ଷ୍ଟେସନରେ ଛାଡିବା ଲାଗି ମଣି ସ୍କୁଟରରେ ଯାଇଥିଲେ । ସେମାନେ ଭାବିଥିଲେ ଷ୍ଟେସନରୁ ଫେରିବା ବେଳକୁ ଝିଅ ଉଠି ନଥିବ । ୩୦ ମିନଟ ପରେ ସେ ଫେରିବାବେଳକୁ ଦେଖିଥିଲେ ଆପାର୍ଟମେଣ୍ଟ ଆଗରେ ବହୁ ଲୋକ ଜମା ହୋଇଛନ୍ତି । ସେ ସେଠାକୁ ଯାଇ ଦେଖନ୍ତି ତ ଆଉ କିଏ ନୁହେଁ, ତାଙ୍କ ଝିଅ ଦର୍ଶିନୀର ଶବ ନିକଟରେ ଲୋକେ ରୁଣ୍ଡ ହୋଇଛନ୍ତି ।

ଘରେ କେହି ନଥିବାରୁ ପିଲାଟି ଖୋଲାଥିବା ଝରକା ଦେଇ ଉପରକୁ ଉଠିଯାଇଥିଲା ଏବଂ ଭାରସାମ୍ୟ ହରାଇ ତଳକୁ ଖସି ପଡ଼ିଥିଲା । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ଇସ୍ରାଏଲରେ ଫସିଛନ୍ତି ୨୦ ହଜାରରୁ ଅଧିକ ଭାରତୀୟ, ସ୍ବତନ୍ତ୍ର ବିମାନର ବ୍ୟବସ୍ଥା

ଜେରୁଜେଲମ: ଇସ୍ରାଏଲରେ ୨୦ ହଜାରରୁ ଅଧିକ ଭାରତୀୟ ରହିଛନ୍ତି । ତେବେ କୌଣସି ଭାରତୀୟ ଆହତ ହୋଇଛନ୍ତି କିମ୍ବା ପ୍ରାଣ ହରାଇଛନ୍ତି କି ନାହିଁ ତାହାର କୌଣସି ଖବର ନାହିଁ ବୋଲି କହିଛନ୍ତି ମୁମ୍ବାଇ ସ୍ଥିତ ଇସ୍ରାଏଲର କନସଲ ଜେନେରାଲ କୋବି ସୋସାନି ।

ଭାରତ ଓ ଇସ୍ରାଏଲ ମଧ୍ଯରେ ବିମାନ ସେବା ବନ୍ଦ ରହିଛି  । ଭାରତର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଭାରତୀୟଙ୍କୁ ଫେରାଇଆଣିବା ଲାଗି ଉଦ୍ୟମ କରାଯାଉଛି ବୋଲି ସେ କହିଛନ୍ତି । ଇସ୍ରାଏଲରେ ଫସିଥିବା ନାଗରିକଙ୍କୁ ଉଦ୍ଧାର ଲାଗି ଭାରତ ପକ୍ଷରୁ ଆରମ୍ଭ କରାଯାଇଛି ଅପରେସନ ଅଜୟ । ଭାରତୀୟଙ୍କୁ ଫେରାଇ ଆଣିବା ଲାଗି ସ୍ବତନ୍ତ୍ର ଚାର୍ଟାର୍ଡ ଫ୍ଲାଇଟର ବ୍ୟବସ୍ଥା କରାଯାଇଛି । ଇସ୍ରାଏଲରେ ତାମିଲନାଡୁର 84 ଲୋକ ଫସିଥିବା ସୂଚନା ମିଳିଛି ।

ଲକ୍ଷ୍ମୀ ବସରେ ବସି ମାଲକାନଗିରିର ଏମଭି ୩ ବୁଲିଲେ ମୁଖ୍ୟମନ୍ତ୍ରୀ ନବୀନ

ମାଲକାନଗିରି: ମାଲକାନଗିରି ଷ୍ଟାଡିୟମରେ ଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ କରିବା ପରେ ନିଜେ ବସରେ ବସି ଏମଭି-୩ ଯାଇଥିଲେ ମୁଖ୍ୟମନ୍ତ୍ରୀ । ଉଭୟ ପାର୍ଶ୍ବରେ ଶହ ଶହ ଜନତାଙ୍କୁ ହାତ ହଲାଇ ଶୁଭେଚ୍ଛା ଜଣାଇଥିଲେ। ଏମଭି-୩ରେ ବସଷ୍ଟପର ଶୁଭାରମ୍ଭ କରିଛନ୍ତି ନବୀନ। ଏହି ଅବସରରେ ଆଦିବାସୀଙ୍କ ସହ ଭାବବିନିମୟ କରିଥିଲେ।

ଓଡିଶା ବିକାଶର ଲଞ୍ଚିଂ ପ୍ୟାଡ ମାଲକାନଗିରି । ଏଠାରୁ ଟଙ୍କିକିଆ ଚାଉଳ ଏବଂ ବିଏସକେୱାଇ ହେଲଥ କାର୍ଡର ଶୁଭାରମ୍ଭ ହୋଇଥିଲା । ଏହିଠାରୁ ମହିଳାଙ୍କ ଲାଗି ୧୦ ଲକ୍ଷ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ମଧ୍ୟ ପ୍ରସ୍ତାବ ଆସିଥିଲା । ସିଏମଓଙ୍କ ଗସ୍ତବେଳେ ଗମନାଗମନ ଅସୁବିଧା ଜାଣିବା ପରେ ଏହିଠାରୁ ଲକ୍ଷ୍ମୀ ବସ ସେବା ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ମାଲକାନଗିରିରେ ପତାକା ଦେଖାଇ ଲକ୍ଷ୍ମୀ ଯୋଜନା ଶୁଭାରମ୍ଭ କରି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ମାଲକାନଗିରି ତାଙ୍କର ବହୁତ ପ୍ରିୟ। ଲକ୍ଷ୍ମୀ ଯୋଜନା ମାଲକାନଗିରି ଅର୍ଥନୀତିକୁ ସମୃଦ୍ଧ କରିବ। ଜିଲ୍ଲାରେ ୩୬ଟି ବସ ସେବା ଯୋଗାଇବ। ଜିଲ୍ଲାର ୧୧୧ଟି ପଞ୍ଚାୟତକୁ ବସ ସୁବିଧା ମିଳିବ । ଅର୍ଥନୀତି ସୁଦୃଢ ହେବ, ଗାଁ ଗାଁରେ ସମୃଦ୍ଧି ଆଣିବ । ଘରେ ଘରେ ଖୁସି ଆଣିବ । ଗୁରୁପ୍ରିୟା ସେତୁ ମାଲକାନଗିରି ବିକାଶର ମାଇଲଖୁଣ୍ଟ। ଲକ୍ଷ୍ମୀ ଯୋଜନା ଦ୍ବାରା ମାଲକାନଗିରି ବିକାଶ ଆହୁରି ଉଜ୍ଜ୍ୱଳ ହେବ। ପଞ୍ଚାୟତରୁ ଜିଲ୍ଲାକୁ ଏହି ଯୋଜନା ଯୋଡ଼ିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପରବର୍ତ୍ତୀ ସମୟରେ ପୂରା ଓଡ଼ିଶାରେ ବସ୍ ଚଳାଚଳ କରିବ। ଆଜି ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, ଗଜପତି ଜିଲ୍ଲାରେ ଚାଲିଛି ଲକ୍ଷ୍ମୀ ବସ।

ଘରେ ଘରେ ଲକ୍ଷ୍ମୀ ଯୋଜନା ଖୁସି ଆଣିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ବିଶେଷକରି ଗ୍ରାମାଞ୍ଚଳ ଲୋକେ ଯାତାୟତରେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହେବେ ତାହା ଉପରେ ଅଧିକ ଫୋକସ କରାଯାଇଛି। ରାଜ୍ୟରେ ସୁନିଶ୍ଚିତ ଓ ନିରାପଦ ପରିବହନ ସେବା ପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ଲୋକେସନ ଆକ୍ସେସିବିଲିଟି ମଲ୍ଟି ମୋଡାଲ୍ ଇନିସିଏଟିଭ୍ ବା ଲକ୍ଷ୍ମୀ ଯୋଜନା ।

ଯୋଜନା ଅଧିନରେ ସାରା ରାଜ୍ୟରେ ହଜାରେରୁ ଅଧିକ ବସ ଚଳାଚଳ କରିବ। ଏହି ଅବସରରେ ଜିଲ୍ଲାରେ ୧୯୨ କୋଟି ବ୍ୟୟରେ ୧୮ଟି ଲୋକାଭିମୁଖି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ନବୀନ। ଏଥିସହ ୬୦୧ କୋଟିରୁ ଅଧିକ ବ୍ୟୟର ୯୬ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।

ଇସ୍ରାଏଲୀ ସୈନ୍ୟ ଓ ଶିଶୁଙ୍କ ମୁଣ୍ଡକାଟ ପରେ ତାତିଲେ ପ୍ରଧାନମନ୍ତ୍ରୀ, କହିଲେ ମୂଳପୋଛ ହେବ ହମାସ

ଜେରୁଜେଲମ: ଇସ୍ରାଏଲୀ ସୈନ୍ୟ ଓ ଶିଶୁମାନଙ୍କ ମୁଣ୍ଡକାଟ କରୁଛି ହମାସ । ଅନେକଙ୍କୁ ଜୀବନ୍ତ ଜାଳି ଦିଆଯାଉଛି । ଯୁବତୀଙ୍କୁ ଦୁଷ୍କର୍ମ କରିବା ସହ ସେମାନଙ୍କୁ ହତ୍ୟା କରାଯାଉଛି । ଏପରି କିଛି ଚାଞ୍ଚଲ୍ୟକର ସୂଚନା ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ଯାହୁ । ଏହା ସହ ହମାସକୁ ସମ୍ପୂର୍ଣ୍ଣ ମୂଳପୋଛ କରାଯିବ ବୋଲି ସେ କହିଛନ୍ତି । ଏହି ଲୋମହର୍ଷକ ଘଟଣାକୁ ବି ନିନ୍ଦା କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ।

ସେପଟେ ଇସ୍ରାଏଲୀ ଶିଶୁମାନଙ୍କୁ ଧରି ନେବା ପରେ ସେମାନଙ୍କ ମୁଣ୍ଡକାଟ କରାଯାଉଛି ବୋଲି କହିଛନ୍ତି ଇସ୍ରାଏଲ ପ୍ରତିରକ୍ଷା ବିଭାଗ ମୁଖପାତ୍ର ଜୋନାଥନ କନରିକସ । ତେଣେ ହମାସ କମାଣ୍ଡର ମହମ୍ମଦ ଅଲ ଜହରଙ୍କ ଏକ ବିବୃତି ସମସ୍ତଙ୍କୁ ଚକିତ କରିଛି । ସେ କହିଛନ୍ତି ଇସ୍ରାଏଲ ହେଉଛି ହମାସର ପ୍ରଥମ ଟାର୍ଗେଟ । ତାଙ୍କ ଆଇନ ଅନୁସାରେ ସମଗ୍ର ବିଶ୍ବର 510 ନିୟୁତି ବର୍ଗ କିଲୋମିଟର ଅଞ୍ଚଳ ତାଙ୍କ ଅଧୀନରେ ଆସିବ । ଏହା ସମ୍ପୂର୍ଣ୍ଣ ହେଲେ ବିଶ୍ବରେ ଅନ୍ୟାୟ, ନିର୍ଯାତନା, ହତ୍ୟା, ଅପରାଧ ଆଦି ରହିବ ନାହିଁ ବୋଲି ସେ କହିଛନ୍ତି ।

ଗାଜା ସୀମାରେ ପ୍ରାୟ 3 ଲକ୍ଷ ସୈନିକଙ୍କୁ ଇସ୍ରାଏଲ ଠୁଳ କରିଥିବାବେଳେ ଇସ୍ରାଏଲୀ ଶରଣାର୍ଥୀଙ୍କୁ ଆଶ୍ରୟ ଦେବାକୁ ମନା କରିଛି ଇଜିପ୍ଟ । ସେପଟେ ହେଜବୁଲ୍ଲା ବାହିନୀ ପକ୍ଷରୁ ଇସ୍ରାଏଲ ଉପରେ ଆକ୍ରମଣ ହୋଇଥିବା ସୂଚନା ମିଳିଛି । ବର୍ତ୍ତମାନ ସୁଦ୍ଧା ଜାତିସଂଘ ପାଲେଷ୍ଟିନୀୟ ଶରଣାର୍ଥୀ ସଂସ୍ଥାର 11 ଜଣ କର୍ମୀ ଓ ଅନ୍ତର୍ଜାତୀୟ ରେଡକ୍ରସ ଓ ରେଡକ୍ରିସେଣ୍ଟର 5 ଜଣ କର୍ମୀ ଇସ୍ରାଏଲୀ ଏୟାରଷ୍ଟ୍ରାଇକରେ ପ୍ରାଣ ହରାଇଛନ୍ତି । ବର୍ତ୍ତମାନ ସୁଦ୍ଧା ଯୁଦ୍ଧରେ 22ଜଣ ଆମେରିକୀୟ ନାଗରିକ ପ୍ରାଣ ହରାଇଛନ୍ତି ।

ତେଣେ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଓ କେନ୍ଦ୍ରପନ୍ଥୀ ବିରୋଧୀ ଦଳ ନେତା ବେନି ଗାଞ୍ଜଙ୍କୁ ନେଇ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ଯାହୁ ଗଠନ କରିଛନ୍ତି ଓ୍ବାର କ୍ୟାବିନେଟ । ତେଲ ଆଭିବ ଉପରେ ପୁଣି ହମାସର ରକେଟ ମାଡ । ଫଳରେ ବେନ ଗୁରିଅନ ବିମାନ ବନ୍ଦରରୁ ସମସ୍ତ ବିମାନ ସେବା ବନ୍ଦ କରିଛି ଇସ୍ରାଏଲ । ବର୍ତ୍ତମାନ ସୁଦ୍ଧା ଯୁଦ୍ଧରେ 3 ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ଯୁଦ୍ଧ ଥମିବାର ନାଁ ନେଉନାହିଁ । ଯୁଦ୍ଧର ପରିସମାପ୍ତି ଲାଗି ବାଇଡେନ ପ୍ରଶାସନ ଉଦ୍ୟମ ଜାରି ରଖିଛି । ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ଯରେ ବୁଝାମଣା ଲାଗି ଆଜି ଇସ୍ରାଏଲ ଗସ୍ତରେ ଆସୁଛନ୍ତି ଆମେରିକା ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ ।

ସେପଟେ ଇସ୍ରାଏଲର ନେଭାତିମ ଏୟାରବେସରେ ପହଞ୍ଚିଛି ଆମେରିକା ପଠାଇଥିବା ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର । ଯୁଦ୍ଧର ଅନ୍ତ ଲାଗି ଆହ୍ବାନ ଜଣାଇଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ସେ କହିଛନ୍ତି ହଜାର ହଜାର ଲୋକଙ୍କ ଜୀବନ ନେଉଥିବା ଏହି ଯୁଦ୍ଧର ତୁରନ୍ତ ପରିସମାପ୍ତ ଘଟୁ । ବିଦ୍ୟୁତ ଯୋଗାଣ ବନ୍ଦ ହେବା ପରେ ଗାଜାରେ ହାହାକାର ସୃଷ୍ଟି ହୋଇଛି । ଗାଜାର ଏକମାତ୍ର ପାଓ୍ବାର ଷ୍ଟେସନରୁ ଇନ୍ଧନ ଶେଷ ହୋଇଯାଇଛି । ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ୟୋଭ ଗାଲାଣ୍ଟ କହିଛନ୍ତି ଗାଜାକୁ ବିଦ୍ୟୁତ, ଖାଦ୍ୟ ଓ ଇନ୍ଧନ ଯୋଗାଣ ବନ୍ଦ ନିଷ୍ପତ୍ତି ଜାରି ରହିବ ।