ରାଜ୍ୟସଭାରେ ବିଲ୍ ଆଣିଲା କେନ୍ଦ୍ର, ଇସି ନିଯୁକ୍ତି କମିଟିରୁ ବାଦ୍ ପଡ଼ିବେ CJI

ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିଶନରଙ୍କ ସହ ଅନ୍ୟ କମିଶନରଙ୍କ ନିଯୁକ୍ତି ପ୍ରକ୍ରିୟାକୁ ନେଇ ନୂଆ ଆଇନ ପ୍ରଣୟନ କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି କେନ୍ଦ୍ର ସରକାର । ଏନେଇ ଗୁରୁବାର ରାଜ୍ୟସଭାରେ ଏକ ବିଲ୍ ଆଗତ କରାଯାଇଛି । ଏହି ବିଧେୟକ ଅନୁସାରେ ନିର୍ବାଚନ କମିଶନରଙ୍କ ନିଯୁକ୍ତି ଲାଗି ୩ ସଦସ୍ୟ ବିଶିଷ୍ଟ ଏକ ଚୟନ କମିଟି ଗଠନ କରାଯିବ । ଏହି କମିଟିରେ ପ୍ରଧାନମନ୍ତ୍ରୀ, ଲୋକସଭାରେ ବିରୋଧୀ ଦଳ ନେତା ଏବଂ ଜଣେ କ୍ୟାବିନେଟ ମନ୍ତ୍ରୀ ରହିବେ । ଗତ ମାର୍ଚ୍ଚରେ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‌ କେ.ଏମ୍‌ ଜୋସେଫଙ୍କ ନେତୃତ୍ବାଧୀନ ୫ ଜଣିଆ ଖଣ୍ଡପୀଠ ଏକ ନିର୍ଦ୍ଦେଶରେ କହିଥିଲେ ଯେ, ପ୍ରଧାନମନ୍ତ୍ରୀ, ଭାରତର ପ୍ରଧାନ ବିଚାରପତି (ସିଜେଆଇ ) ଏବଂ ଲୋକସଭାରେ ବିରୋଧୀ ଦଳ ନେତାଙ୍କୁ ନେଇ ଗଠିତ ଏକ କମିଟିର ପରାମର୍ଶ କ୍ରମେ ରାଷ୍ଟ୍ରପତି ସିଇସିଙ୍କୁ ନିଯୁକ୍ତି ଦିଅନ୍ତୁ। ହେଲେ କେନ୍ଦ୍ର ଆଣିଥୁବା ଏହି ବିଲରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରାଯାଇନାହିଁ । କମିଟିରେ ସିଜେଆଇଙ୍କୁ ସାମିଲ କରାଯାଇନାହିଁ । ତେଣୁ ବିରୋଧୀ ରାଜ୍ୟସଭାରେ ଏହି ବିଲକୁ ଜୋରଦାର ବିରୋଧ କରିଥିଲେ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରି କେନ୍ଦ୍ର ସରକାର ଏପରି ବିଲ୍‌ ଆଣି ନିର୍ବାଚନ କମିଶନକୁ ଦୁର୍ବଳ କରୁଛନ୍ତି ବୋଲି କଂଗ୍ରେସ ସମେତ ଆପ୍‌ ଓ ଅନ୍ୟ ବିରୋଧୀ ଦଳଗୁଡ଼ିକ କହିଛନ୍ତି । ସୁପ୍ରିମକୋର୍ଟଙ୍କ ଉକ୍ତ ରାୟ ପୂର୍ବରୁ କେନ୍ଦ୍ର ସରକାରଙ୍କ ସୁପାରିସରେ ରାଷ୍ଟ୍ରପତି ସିଇସି ଏବଂ ଇସିଙ୍କୁ ନିଯୁକ୍ତି ଦେଉଥିଲେ । ତେବେ ରାଜ୍ୟସଭାରେ ଆଗତ ହୋଇଥିବା ବିଲକୁ କନା ସମାଲୋଚନା କରିଛି କଂଗ୍ରେସ । ନିର୍ବାଚନ କମିଶନରଙ୍କୁ ପ୍ରଧାନମନ୍ତ୍ରୀ ହାତ କଣ୍ଢେଇ କରିବାକୁ ପ୍ରୟାସ କରାଯାଉଛି ବୋଲି କଂଗ୍ରେସ କହିଛି । ଏନେଇ ବରିଷ୍ଠ କଂଗ୍ରେସ ନେତା କେସି ବେଣୁ ଗୋପଳ କହିଛନ୍ତି ଯେ ନିଯୁକ୍ତି ନେଇ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶନାମାର କୌଣସି ମହତ୍ୱ ନାହିଁ । ପ୍ରଧାନମନ୍ତ୍ରୀ ଏକତରଫା ଭାବେ କାହିଁକି ନିର୍ବାଚନ କମିଶନରଙ୍କୁ ନିଯୁକ୍ତ କରିବାକୁ ଚାହୁଁଛନ୍ତି ବୋଲି ସେ କହିଛନ୍ତି । ସେହିପରି ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ୱାଲ ମଧ୍ୟ କେନ୍ଦ୍ର ସରକାରଙ୍କ ଏହି ଆଭିମୁଖ୍ୟକୁ କଡ଼ା ସମାଲୋଚନା କରିଛନ୍ତି । ଏହି ବିଲ୍‌ ଜରିଆରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କ ଆଉ ଏକ ନିଷ୍ପତ୍ତିକୁ ବଦଳାଉଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏପରି ଗୋଟିଏ ପରେ ଗୋଟିଏ ନିଷ୍ପତ୍ତି ନେଇ ଭାରତର ଗଣତନ୍ତ୍ରକୁ ଦୁର୍ବଳ କରିଚାଲିଛନ୍ତି ବୋଲି କେଜ୍ରିଓ୍ୱାଲ କହିଛନ୍ତି ।