spot_img
Home Blog Page 2753

ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ବୃଦ୍ଧାଙ୍କୁ ଦଳି ମାରିଲା ଦନ୍ତା

ବଲାଙ୍ଗୀର: ବୃଦ୍ଧାଙ୍କୁ ଦଳିଦେଲା ଦନ୍ତା । ଜଙ୍ଗଲକୁ ଜାଲେଣି କାଠ ଆଣିବାକୁ ଯାଇଥିବା ବେଳେ ହାତୀ ଆକ୍ରମଣରେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି । ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ସଦର ରେଞ୍ଜ ଅଧୀନ ଝାଙ୍କରକୋଟ ଜଙ୍ଗଲରେ । ମୃତକ ହେଲେ ଆଟଗାଁର ୬୫ ବର୍ଷୀୟା ମୁଗ ନନ୍ଦ । ଗତକାଲିଠୁ ଜଙ୍ଗଲକୁ ଯାଇ ଆଉ ଫେରି ନଥିବା ବେଳେ ଆଜି ସକାଳୁ ଘଞ୍ଚ ଜଙ୍ଗଲରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

ସୁଧୁରୁନି ହିମାଚଳ ପ୍ରଦେଶ ସ୍ଥିତି, ଉଦ୍ଧାର କାର୍ଯ୍ୟ ଜାରି ଭିତରେ ପ୍ରବଳ ବର୍ଷା ନେଇ ଆକଳନ

ସିମଲା: ସୁଧୁରୁନି ହିମାଚଳ ପ୍ରଦେଶ ସ୍ଥିତି । ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ଆକଳନ ଅଧିକ ଚିନ୍ତା ସୃଷ୍ଟି କରିଛି । ସମର ହିଲ୍ସ ଅଞ୍ଚଳରେ ପୁନର୍ବାର ଭୂସ୍ଖଳନ ହେବା ଯୋଗୁ ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆଜି ଓ କାଲି ସାରା ରାଜ୍ୟରେ ବର୍ଷା ହେବ ବୋଲି ଆଶଙ୍କା କରାଯାଇଛି । ଏହା ସହ ୨୨ ଓ ୨୩ ତାରିଖରେ ବି ପ୍ରବଳ ବର୍ଷା ଆଶଙ୍କା ରହିଛି ବୋଲି ସୂଚନା ପରେ ବଢିଛି ଚିନ୍ତା । ଲ୍ୟାଣ୍ଡ ସ୍ଲାଇଡ, ଫ୍ଲାସ ଫ୍ଲଡ, ବିଭିନ୍ନ ନଦୀରେ ଜଳପତ୍ତନ ବୃଦ୍ଧି ଯୋଗୁ ଏବେ ବି ସାରା ରାଜ୍ୟରେ ହାହାକାର ଅବସ୍ଥା ଜାରି ରହିଛି । ରାଜ୍ୟର ବିପତ୍ତିକୁ ଜାତୀୟ ବିପର୍ଯ୍ୟୟ ଘୋଷଣା ଲାଗି ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ଦାବି କରିଥିବା ସତ୍ତ୍ବେ କେନ୍ଦ୍ର ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ । ରାଜ୍ୟରେ ବର୍ଷାଜନିତ କ୍ଷତି ୧୦ ହଜାର କୋଟି ଟଙ୍କାରୁ ଅଧିକ ହେବ ବୋଲି କହିଥିଲେ ସୁଖୁ ।

ଲଦାଖ ଅଞ୍ଚଳରେ ପ୍ରବେଶ କରିଛି ଚୀନ୍: ରାହୁଲ ଗାନ୍ଧୀ

ଲଦାଖ: ଲଦାଖରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଲଦାଖର ପଙ୍ଗୋଙ୍ଗ ସୋ’ରେ ପିତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ରାହୁଲ । ରାହୁଲ କହିଛନ୍ତି- ଏହି ଅଞ୍ଚଳରେ ଚୀନ ପ୍ରବେଶ କରିଛି ବୋଲି ସ୍ଥାନୀୟ ଲୋକେ ମତ ପ୍ରକାଶ କରୁଛନ୍ତି । ଚୀନ ବି କିଛି ଅଞ୍ଚଳ ନିଜ ଅକ୍ତିଆରକୁ ନେଇଛି । ଲୋକଙ୍କ ଗୋଚର ଜମିକୁ ବି ଚୀନ କବଜା କରିଛି । ଏଠାକାର ଇଞ୍ଚେ ଜମି ଚୀନ ନେଇନାହିଁ ବୋଲି କେନ୍ଦ୍ର ସରକାର କହୁଥିଲେ ମଧ୍ୟ ବାସ୍ତବରେ ତାହା ସତ ନୁହେଁ । ସେପଟେ ଦିଲ୍ଲୀ ବୀରଭୂମିରେ ମଧ୍ୟ ରାଜୀବ ଗାନ୍ଧୀ ସ୍ମାରକୀରେ ସ୍ମୃତି ତର୍ପଣ କରିଛନ୍ତି ସୋନିଆ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ ପ୍ରମୁଖ । ଗତକାଲି ପୂର୍ବ ଲଦାଖରେ ପଙ୍ଗୋଙ୍ଗ ହ୍ରଦ ଯାଏ ବାଇକ ଚଳାଇ ଚର୍ଚ୍ଚାର କାରଣ ପାଲଟିଥିଲେ ରାହୁଲ । ୨୦୧୯ରେ ଧାରା ୩୭୦ ଉଚ୍ଛେଦ ପରେ ଲଦାଖକୁ ଏହା ହେଉଛି ରାହୁଲଙ୍କ ପ୍ରଥମ ଗସ୍ତ ।

ମାଲ ବୋଝେଇ ଟ୍ରକରୁ ଡିଜେଲ ଚୋରି ରାକେଟର ୩ ଗିରଫ

ଦେବଗଡ଼: ଦେବଗଡ଼ ଥାନା ତିଳେଇବଣି ଫାଣ୍ଡି ଅଞ୍ଚଳରେ ମାଲ ବୋଝେଇ ଟ୍ରକରୁ ଡିଜେଲ ଚୋରି ରାକେଟର ୩ ଅଭିଯୁକ୍ତ ଗିରିଫ । ସେମାନଙ୍କ ନିକଟରୁ ପଲସର ବାଇକ, ତେଲ ଟାଙ୍କି ଭାଙ୍ଗିବାରେ ବ୍ୟବହୃତ ସାମଗ୍ରୀ ସହ ଚୋରା ଡିଜେଲ କିଣୁଥିବା ଗୁଣ୍ଡେଇମରା ଗାଁର ହବିଜୁଲ ଶେଖକୁ ମଧ୍ୟ ଗିରଫ କରିଛି ପୋଲିସ । ଅଭିଯୁକ୍ତ ଶେଖ ନିକଟରୁ ୫୦ ଲିଟରରୁ ଅଧିକ ଚୋରା ଡିଜେଲ ଜବତ ହୋଇଛି । ତିଳେଇବଣି ଫାଣ୍ଡି ଅଞ୍ଚକ ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥରେ ରାତ୍ରି ସମୟରେ ଛିଡ଼ା ହୋଇଥିବା ମାଲ ବୋଝେଇ ଟ୍ରକ ମାନଙ୍କରୁ ଡିଜେଲ ଚୋରି ଅଭିଯୋଗ ଆସୁଥିବା ବେଳେ ଚୋରି କରୁଥିବା ଚୋରଙ୍କ ସମ୍ପର୍କରେ କୌଣସି ସୁରାକ ମିଳୁନଥିଲା । ଗତକାଲି ବିଳମ୍ବିତ ରାତିରେ ଫାଣ୍ଡି ପୋଲିସ ପାଟ୍ରୋଲିଂ କରୁଥିବା ବେକେ କୈଳାସ ଛକ ନିକଟରେ ଦୁଇ ଜଣ ଦୁର୍ବୁତ୍ତ ଏକ ପଲସର ବାଇକରେ ସନ୍ଦେହଜନକ ଅବସ୍ଥାରେ ବୁଲୁଥିବା ବେଳେ ପୋଲିସ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା । ମାତ୍ର ପୋଲିସକୁ ଦେଖି ଦୁର୍ବୁତ୍ତମାନେ ବାଇକକୁ ଛାଡି ଦୌଡ଼ି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ସେମାନଙ୍କୁ କାବୁ କରି ଥାନାକୁ ଆଣି ପଚରା ଉଚୁରା କରିଥିଲା ।

କାଳିମାଡ଼ ସତ୍ତ୍ବେ ଉଦାରତା ଦେଖାଇଲେ 5T ସଚିବ, ଗିରଫ ଭାସ୍କର ସାହୁକୁ ଛାଡ଼ିବାକୁ ଦେଲେ ନିର୍ଦ୍ଦେଶ

ପୁରୀ: କାଳିମାଡ଼ ସତ୍ତ୍ବେ ଉଦାରତା ଦେଖାଇଲେ 5T ସଚିବ ଭିକେ ପାଣ୍ଡିଆନ । ଗିରଫ ଭାସ୍କର ସାହୁକୁ ଛାଡ଼ିବାକୁ ନିର୍ଦ୍ଦେଶ ଦେଲେ 5T ସଚିବ । ଭିକେ ପାଣ୍ଡିଆନଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ଭାସ୍କର ସାହୁକୁ ଖଲାସ କରିଛି । ଅଭିଯୁକ୍ତ ଭାସ୍କରକୁ ଛାଡ଼ିବା ପରେ 5T ସଚିବଙ୍କୁ ଧନ୍ୟବାଦ ଜଣାଇଲେ ପରିବାର ଲୋକ । ଗତକାଲି 5T ସଚିବ ଭିକେ ପାଣ୍ଡିଆନଙ୍କ ସତ୍ୟବାଦୀ ଗସ୍ତ ସମୟରେ ତାଙ୍କ ଉପରେ ଭାସ୍କର ସାହୁ କାଳିମାଡ଼ କରିଥିଲା । ରାଜନୈତିକ ଦଳ ଦ୍ବାରା ପରିଚାଳିତ ହୋଇ ଭାସ୍କର ଏଭଳି କରିଥିବା ଜଣାପଡ଼ିଛି । ରାଜ୍ୟରେ ବିକାଶମୂଳକ କାମକୁ ବିରୋଧୀ ସହ୍ୟ କରିପାରୁନାହାନ୍ତି । ଅସହିଷ୍ଣୁ ହୋଇ ଏଭଳି ବିଶୃଙ୍ଖଳା ସୃଷ୍ଟି କରିବା ପାଇଁ ଷଡ଼ଯନ୍ତ୍ର କରୁଥିବା ସ୍ଥାନୀୟ ଲୋକ କହିଛନ୍ତି । କାଳିମାଡ଼ ସତ୍ତ୍ବେ ଭିକେ ପାଣ୍ଡିଆନ ହସହସ ମୁହଁରେ ଲୋକଙ୍କ ସହ ମିଶିବା ସହ ନିର୍ଦ୍ଧାରିତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଏହା ବିରୋଧୀଙ୍କ ମୁହଁରେ ଶକ୍ତ ଚାପୁଡ଼ା ବୋଲି ମଧ୍ୟ କୁହାଯାଉଛି ।

ଯିଏ ବିକାଶ କାମରେ ବାହାରିଛି ତା ପାଇଁ ଏସବୁର କିଛି ଅର୍ଥ ନଥାଏ । ଲୋକଙ୍କ କାମ କରିବ ଲୋକାଭିମୂଖୀ ସରକାର ଆଉ ଜନତାଙ୍କ ପାଖରେ ପହଞ୍ଚିବ ଉତ୍ତରଦାୟୀ ପ୍ରଶାସନ । କାହିଁକି ନା ଓଡ଼ିଶାବାସୀଙ୍କ ସେବା କରିବାର ସଂକଳ୍ପ ନେଇଛି ମୋ ସରକାର । ଯେତେବେଳେ ଭଲ କାମ ହୁଏ, ଲୋକଙ୍କ ବିକାଶ ହୁଏ ସେତେବେଳେ ଅନେକ ବିକାଶ ବିରୋଧୀଙ୍କ ଅସହିଷ୍ଣୁତା ଶୀର୍ଷରେ ପହଞ୍ଚିଥାଏ । ଯାହାକି ପୁରୀ ଜିଲ୍ଲା ସତ୍ୟବାଦୀରେ ପରିଲକ୍ଷିତ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଲୋକଙ୍କଠାରୁ ଅଭିଯୋଗ ଶୁଣିବାକୁ ସତ୍ୟବାଦୀରେ ପହଞ୍ଚିଥିଲେ 5T ସଚିବ ଭିକେ ପାଣ୍ଡିଆନ । ଏହି ସମୟରେ ଯୋଜନା ମୁତାବକ 5T ସଚିବଙ୍କ ଉପରକୁ କାଳିମାଡ଼ କରିଥିଲେ ବିକାଶ ବିରୋଧୀ । ଲୋକଙ୍କ ଭିତରେ ଲୁଚି ରହି ଖାଲି 5T ସଚିବ ନୁହଁନ୍ତି ପୁରୀ ଜିଲ୍ଲାପାଳ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ ବି କାଳିମାଡ଼ କରିଥିଲେ ।

ଜଳେଶ୍ବର ଭେଲୋରା ଛକରେ ଦୁର୍ଘଟଣା, ୧୦ ଜଣ ଆହତ ବସ୍ତା ମେଡିକାଲରେ ଭର୍ତ୍ତି

ଜଳେଶ୍ୱର: ଜଳେଶ୍ବରରେ ଦୁର୍ଘଟଣା । ତୀର୍ଥଯାତ୍ରୀ ବସକୁ ପଛ ପଟୁ ଧକ୍କା ଦେଲା ଆଉ ଏକ ତୀର୍ଥଯାତ୍ରୀ ବସ୍ । ଦୁର୍ଘଟଣାରେ ୧୦ ଜଣ ଆହତ ହୋଇଛନ୍ତି । ୬୦ ନମ୍ବର ଜାତୀୟ ରାଜପଥ ଭେଲୋରା ନିକଟରେ ଘଟିଛି ଏହି ଦୁର୍ଘଟଣା । ଘଟଣାସ୍ଥଳରେ ବସ୍ତା ପୋଲିସ ପହଞ୍ଚି ତଦନ୍ତ କରିବା ସହ ଉଭୟ ବସରେ ଥିବା ୫୦ରୁ ଅଧିକ ଯାତ୍ରୀଙ୍କୁ ଗନ୍ତବ୍ୟସ୍ଥଳକୁ ପଠାଇବା ପାଇଁ ବ୍ୟବସ୍ଥା କରୁଛି । ଗୁରୁତର ଥିବା ୧୦ ଜଣଙ୍କୁ ବସ୍ତା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

 

ଚନ୍ଦ୍ରର ନିକଟତର ହେଉଛି ଚନ୍ଦ୍ରଯାନ, ୨୩ ତାରିଖରେ କରିବ ସଫ୍ଟ ଲ୍ୟାଣ୍ଡିଂ

ଶ୍ରୀହରିକୋଟା: ଚନ୍ଦ୍ରର ନିକଟତର ହେଉଛି ଚନ୍ଦ୍ରଯାନ-୩ । ଚନ୍ଦ୍ରଠାରୁ ଆଉ ମାତ୍ର ୨୫ କିଲୋମିଟର ଦୂରରେ ବୁଲୁଛି ଚନ୍ଦ୍ରଯାନ । ଗତକାଲି ବିଳମ୍ବିତ ରାତିରେ ସଫଳତାର ସହ ଶେଷ ହୋଇଛି ଦ୍ବିତୀୟ ପର୍ଯ୍ୟାୟ ଡିବୁଷ୍ଟିଂ । ଚନ୍ଦ୍ରରେ ପହଞ୍ଚିବାକୁ ଆଉ ମାତ୍ର ମଝିରେ ରହିଲା ଦୁଇ ଦିନ । ଅର୍ଥାତ ୨୩ ତାରିଖରେ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିବ ଚନ୍ଦ୍ରଯାନ । ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡର ବିକ୍ରମ ଅବତରଣ କରିବା ପରେ ପ୍ରଜ୍ଞାନ ସେଥିମଧ୍ୟରୁ ବାହାରକୁ ଆସିବ । ପୂର୍ବରୁ ପ୍ରଥମ ପର୍ଯ୍ୟାୟ ଡିବୁଷ୍ଟିଂ ଶେଷ ହୋଇଥିଲା । ଅବତରଣ ପରେ ଗବେଷଣା କରିବ ରୋଭର ପ୍ରଜ୍ଞାନ । ଯଦି ଅଗଷ୍ଟ ୨୩ରେ ସଫ୍ଟ ଲ୍ୟାଣ୍ଡିଂ କରିବାରେ ଚନ୍ଦ୍ରଯାନ-୩ ସଫଳ ହୁଏ ତେବେ ଏକ୍ଷେତ୍ରରେ ଆମେରିକା, ପୂର୍ବତନ ସୋଭିଏତ ଋଷ ଓ ଚୀନ ପରେ ଭାରତ ହେବ ଚତୁର୍ଥ ରାଷ୍ଟ୍ର । ସେହିପରି ଚନ୍ଦ୍ର ଚାରିପାଖେ ଘୂରି ପୃଥିବୀର ଜଳବାୟୁ ଗବେଷଣା କରିବ ପ୍ରପଲସନ ମଡ୍ୟୁଲ ।

ପିଆଜର ଦର ବୃଦ୍ଧି ଉପରେ ନିୟନ୍ତ୍ରଣ ପାଇଁ ପଦକ୍ଷେପ, ରପ୍ତାନି ଟିକସକୁ ୪୦ ପ୍ରତିଶତକୁ ବୃଦ୍ଧି କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ପିଆଜର ଦରବୃଦ୍ଧି ଉପରେ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର । ପିଆଜ ଉପରେ ରପ୍ତାନି ଟିକସକୁ ୪୦ ପ୍ରତିଶତକୁ ବୃଦ୍ଧି କରାଯାଇଛି । ଏହାକୁ ତତ୍କାଳ କାର୍ଯ୍ୟକାରୀ କରିବା ପାଇଁ ବିଜ୍ଞପ୍ତି ଜାରି କରାଯାଇଛି । ବର୍ଦ୍ଧିତ ରପ୍ତାନି ଟିକସ ଡିସେମ୍ବର ୩୧ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ । ସେପ୍ଟେମ୍ବର ମାସରେ ପିଆଜ ଦର ବଢ଼ିବାର ସମ୍ଭାବନା ଥିବା ନେଇ ରିପୋର୍ଟ ଆସିବା ପରେ ସରକାର ଏହାର ରପ୍ତାନି ଉପରେ ରୋକ ଲଗାଇବା ପାଇଁ ଏଭଳି ଏକ ପଦକ୍ଷେପ ନେଇଛନ୍ତି । କାରଣ ଟିକସ ବଢ଼ିଲେ ରପ୍ତାନି କମିବ । ଆଉ ଦେଶରେ ଲୋକଙ୍କୁ ପର୍ଯ୍ୟାପ୍ତ ପିଆଜ ମିଳିବ ।

ପିଆଜ ଦରରେ ବୃଦ୍ଧି ହେଲାଣି । ଅଗଷ୍ଟ ୧୦ ତାରିଖ ସୁଦ୍ଧା ସାରା ଦେଶରେ ଖୁଚୁରା ମୂଲ୍ୟ କେଜି ପ୍ରତି ୨୭ ଟଙ୍କା ୯୦ ପଇସା ରହିଥିଲା । ଏହି ଅବଧି ମଧ୍ୟରେ ଗତ ବର୍ଷ ପିଆଜର ଖୁଚୁରା ମୂଲ୍ୟ ସାରା ଦେଶରେ ୨୫ ଟଙ୍କା ୯୦ ପଇସା ଥିଲା । ଅର୍ଥାତ୍ ଗତ ବର୍ଷ ତୁଳନାରେ ୨ ଟଙ୍କା ବଢ଼ି ସାରିଛି । ପିଆଜ ଯୋଗାଣ ହ୍ରାସ ହେଲେ ସ୍ଥିତିକୁ ସମ୍ଭାଳିବା ପାଇଁ ସରକାର ୩ ଲକ୍ଷ ଟନ୍ ପିଆଜ ଜମା କରି ରଖିଛନ୍ତି ।

ଆଜି ଭାରତ-ଆୟର୍ଲାଣ୍ଡ ଦ୍ବିତୀୟ ଟି-ଟ୍ବେଣ୍ଟି, ସନ୍ଧ୍ୟା ସାଢେ ୭ଟାରେ ମ୍ୟାଚ

ନୂଆଦିଲ୍ଲୀ: ଆଜି ଭାରତ-ଆୟର୍ଲାଣ୍ଡ ଦ୍ବିତୀୟ ଟି-ଟ୍ବେଣ୍ଟି  । ସନ୍ଧ୍ୟା ସାଢେ ୭ଟାରେ ମ୍ୟାଚ ଖେଳାଯିବ । ତିନିଟିକିଆ ସିରିଜରେ ୧-୦ରେ ଆଗୁଆ ରହିଛି ଭାରତ । ଆଜିର ମ୍ୟାଚ ଜିତି ସିରିଜ ବିଜୟ ପାଇଁ ଲକ୍ଷ୍ୟ ରଖିଛି ଟିମ୍ ଇଣ୍ଡିଆ । ସେପଟେ ଭାରତକୁ ଚେକ୍ ଦେଇ ପ୍ରଥମ ବିଜୟ ସହିତ ସିରିଜକୁ ଫେରିବାକୁ ଉଦ୍ୟମ କରିବ ଘରୋଇ ଦଳ । ପ୍ରଥମ ଦିନିକିଆରେ ବର୍ଷା ବାଧକ ସାଜିଥିଲା  । ଡିଏଲଏସ ନିୟମ ଆଧାରରେ ୨ ରନରେ ବିଜୟୀ ହୋଇଥିଲା ଟିମ୍ ଇଣ୍ଡିଆ । ପ୍ରଥମ ଟି-ଟ୍ବେଣ୍ଟିରେ ପ୍ରଥମେ ବ୍ୟାଟିଂ କରି ଆୟର୍ଲାଣ୍ଡ ୧୩୯ ରନ୍ ସଂଗ୍ରହ କରିଥିଲା । ଜବାବରେ ଡିଏଲ୍ ନିୟମ ମୁତାବକ ୬.୫ ଓଭରରେ ୪୭ ରନ୍ ସଂଗ୍ରହ କରି ପ୍ରଥମ ଟି-ଟ୍ୱେଣ୍ଟିକୁ ଜିତି ନେଇଥିଲା ଭାରତ । ଆଜିର ମ୍ୟାଚ ଜିତିବାକୁ ଉଭୟ ଦଳ ନିଜ ନିଜର ରଣନୀତି କରିଛନ୍ତି ।

ଏଲନିନୋର ବଡ ପ୍ରଭାବ, ଦେଶରେ ରେକର୍ଡ ଭାଙ୍ଗିବ ଅଗଷ୍ଟର ନିଅଣ୍ଟିଆ ବର୍ଷା

ଭୁବନେଶ୍ୱର: ଏଲନିନୋର ବଡ ପ୍ରଭାବ । ଦେଶରେ ରେକର୍ଡ ଭାଙ୍ଗିବ ଅଗଷ୍ଟର ନିଅଣ୍ଟିଆ ବର୍ଷା । ବିଶିଷ୍ଟ ଭୂବିଜ୍ଞାନୀ ମାଧବନ ରାଜୀବନଙ୍କ ଆକଳନ କହୁଛି ଚଳିତ ଅଗଷ୍ଟରେ ସର୍ବାଧିକ ୪୦ ପ୍ରତିଶତ ନିଅଣ୍ଟିଆ ବର୍ଷା ସମ୍ଭାବନା ରହିଛି । ସେହିପରି ୨୦୦୫ରେ ସର୍ବାଧିକ ୨୫ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଥିଲା । ୨୧ ରୁ ୨୮ ଯାଏଁ ଦୁର୍ବଳ ରହିବ ମୌସୁମୀ । ଉତ୍ତର ଭାରତରେ ପ୍ରବଳ ବର୍ଷା ହେଲେବି ଦକ୍ଷିଣ ଏବଂ କେନ୍ଦ୍ରୀୟ ଭାରତରେ ନିଅଣ୍ଟିଆ ବର୍ଷାର ଉତ୍କଟ ସ୍ଥିତି ଦେଖାଦେବ । ଶହେରୁ ଅଧିକ ବର୍ଷ ପରେ ଭାରତରେ ଅଗଷ୍ଟ ମାସ ଶୁଷ୍କ ହେବାକୁ ଯାଉଛି ।

ଅଗଷ୍ଟ ମାସର ପ୍ରଥମ ୧୮ ଦିନରେ ବର୍ଷାର ପରିମାଣ ୩୮ ପ୍ରତିଶତ କମ ହୋଇଥିବା ସୂଚନା ଦେଇଛନ୍ତି ଆଇଏମ୍ ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । କେବଳ ଏତିକି ନୁହେଁ ୧୯୦୧ ମସିହା ଅର୍ଥାତ୍ ବର୍ଷାର ରେକର୍ଡ ହେବା ପରଠାରୁ ଚଳିତ ଅଗଷ୍ଟ ମାସ ସବୁଠାରୁ ଶୁଷ୍କ ହେବାର ଆଶଙ୍କା ପ୍ରକାଶ ପାଇଛି ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି । ସେପ୍ଟେମ୍ବର ବର୍ଷାକୁ ଅପେକ୍ଷା କରିବାକୁ ପରାମର୍ଶ ଦିଆଯାଇଥିବା ବେଳେ ଏଲନିନୋ ବର୍ଷରେ ସେପ୍ଟେମ୍ବର ବି ନିଅଣ୍ଟିଆ ରହିବା ନେଇ ଆକଳନ କରାଯାଉଛି । ୧୦ ପ୍ରତିଶତ ନିଅଣ୍ଟିଆ ବର୍ଷା ପାଇଁ ୮୭ ପ୍ରତିଶତ ସମ୍ଭାବନା ରହିଛି ।

ସେପଟେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଉତ୍ତର ଛତିଶଗଡ ଏବଂ ଏହାର ଆଖପାଖରେ କେନ୍ଦ୍ରୀଭୁତ ରହିଛି । ଏହାସହ ମୌସୁମୀ ନିମ୍ନଚାପରେଖା ଏବେ ସ୍ବାଭାବିକ ଅବସ୍ଥାନରୁ ଉତ୍ତରରେ ହିମାଳୟ ପାଦଦେଶରେ ରହିଛି । ଯାହା ଏବେ ଦୁର୍ବଳ ଅବସ୍ଥାରେ ଅଛି । ରାଜ୍ୟ ଉପରେ କୌଣସି ସିଷ୍ଟମର ପ୍ରଭାବ ନ ଥିବାରୁ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ କୌଣସି ଜିଲ୍ଲାକୁ ସତର୍କତା ଜାରି କରାଯାଇନାହିଁ । ୨୩ ତାରିଖ ବେଳକୁ ରାଜ୍ୟରେ ବର୍ଷାର ପରିମାଣ ବଢିବ । ବିଶେଷ କରି ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ଘଡଘଡି ବିଜୁଳି ସହ ପ୍ରବଳ ବର୍ଷା ହେବ ।

ଏଥିପାଇଁ ସୁନ୍ଦରଗଡ, ସମ୍ବଲପୁର, ଝାରସୁଗୁଡା, ଦେବଗଡ, ଅନୁଗୁଳ, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ବର, ଭଦ୍ରକ, ଢେଙ୍କାନାଳ, କଟକ, ନୟାଗଡ, ଖୋର୍ଦ୍ଧା, ପୁରୀ, ଗଞ୍ଜାମ ଏବଂ କନ୍ଧମାଳକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଲଘୁଚାପ ପ୍ରଭାବରେ ଯାଜପୁର ସୁକିନ୍ଦାରେ ସର୍ବାଧିକ ୯୮.୨ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ଝାରସୁଗୁଡାର କୋଲାବିରାରେ ୯୭, ନବରଙ୍ଗପୁରରେ ୮୯, ସମ୍ବଲପୁରରେ ୮୪ ମିଲିମିଟର ବର୍ଷା ରେକର୍ଡ ହୋଇଛି ।

ସେପଟେ ଜୁନ ୧ ତାରିଖରୁ ଆଜି ପର୍ଯ୍ୟନ୍ତ ମୌସୁମୀ ସିଜିନରେ ସ୍ବାଭାବିକ ଠାରୁ ୭ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି । ୯ଟି ଜିଲ୍ଲା ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, କଳାହାଣ୍ଡି, ରାୟଗଡା ଏବଂ ନବରଙ୍ଗପୁରରେ ୧୯ ରୁ ୫୯ ପ୍ରତିଶତ ନିଅଣ୍ଟିଆ ସ୍ଥିତି ରହିଛି । ମାତ୍ର ୨ଟି ଜିଲ୍ଲାରେ ସ୍ବାଭାବିକ ବର୍ଷା ରେକର୍ଡ ହୋଇଥିବା ବେଳେ ୧୯ଟି ଜିଲ୍ଲାରେ ସ୍ବାଭାବିକ ବର୍ଷା ରେକର୍ଡ ହୋଇଛି ।